/odisha-reporter/media/post_attachments/uploadimage/library/16_9/16_9_0/IMAGE_1751972857.jpg)
CM Mohan Charan Majhi and BJP State President Manmohan Samal
ମନମୋହନ ସାମଲ ପୁଣି ଥରେ ହୋଇଛନ୍ତି ବିଜେପି ରାଜ୍ୟ ସଭାପତି। ଆଜି ବିଧିବଦ୍ଧ ଭାବେ ତାଙ୍କ ନାଁ ଘୋଷଣା କରିଛନ୍ତି ନିର୍ବାଚନ ପର୍ଯ୍ୟବେକ୍ଷକ ସଞ୍ଜୟ ଜୈସୱାଲ। ସର୍ବ ସହମତିରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ମନମୋହନ। ଗତକାଲି ସେ ଜଣେ ମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଭରିଥିଲେ। ଏହା ସହିତ ଚତୁର୍ଥ ଥର ପାଇଁ ସେ ବିଜେପି ରାଜ୍ୟ ସଭାପତି ହୋଇଛନ୍ତି।
ପୁଣି ଥରେ ବିଜେପି ରାଜ୍ୟ ସଭାପତି ହେବା ପରେ ମନମୋହନ ସାମଲ କହିଛନ୍ତି, ମୋତେ ମିଳିଥିବା ଦାୟିତ୍ୱ ସଂଗଠନ କର୍ମକର୍ତ୍ତାଙ୍କର। କର୍ମକର୍ତ୍ତାଙ୍କ ପରିଶ୍ରମ ପାଇଁ ସାଇନ ବୋର୍ଡ ପାର୍ଟିରୁ ଆମେ ସରକାର କରିପାରିଛୁ। କାର୍ଯ୍ୟକର୍ତ୍ତାଙ୍କ ପାଇଁ ରାଜ୍ୟରେ ଏକାକୀ ସରକାର କରିପାରିଛୁ। କାର୍ଯ୍ୟକର୍ତ୍ତାଙ୍କ ପାଇଁ ମୋହନ ଭାଇ ସରକାର ସମ୍ଭବ ହୋଇଛି। ଏହି ଦଳରେ ଚା’ ବିକାଳି ପ୍ରଧାନମନ୍ତ୍ରୀ ଓ ଶିଶୁ ମନ୍ଦିର ଶିକ୍ଷକ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି। ମୋହନ ଭାଇ ସରକାରଙ୍କ ପାଇଁ ୧୭ ଲକ୍ଷ କୋଟି ପୁଞ୍ଜି ଆସିଛି। ଆମ ସରକାର ଧାନ କ୍ୱିଣ୍ଟାଲ ପିଛା ଅତିରିକ୍ତ ୮୦୦ ଟଙ୍କା ଦେଉଛନ୍ତି। ମା’ ଭଉଣୀଙ୍କୁ ୫୦ ହଜାର ଟଙ୍କା ଦେବା ବି ସମ୍ଭବ ହୋଇ ପାରିଛି। ସରକାର ଆଣିବା ଯେତିକି କଷ୍ଟ, ସଂକଳ୍ପ ପୂରଣ ପାଇଁ ସେତିକି କଷ୍ଟ। ଆଗରୁ କହିଥିଲି ଓ ଏବେ ବି କହୁଛି, ଶୋଇବା ନାହିଁ। କାହାକୁ ଶୋଇବାକୁ ଦେବା ନାହିଁ। ଏ ସରକାର ରାଜ୍ୟରେ ୨୦୩୬ ମସିହା ବି ଦେଖିବ। ରାଜ୍ୟରେ ବିଜେପି ସରକାର ଲମ୍ବା ସମୟ ଧରି ରହିବ। ଆମ ପାଖରେ ଯୋଗ୍ୟ ମୁଖ୍ୟମନ୍ତ୍ରୀ ଓ ଯୋଗ୍ୟ କର୍ମକର୍ତ୍ତା ଅଛନ୍ତି। ଦାୟିତ୍ୱ ଛିଣ୍ଡି ଯାଇନି, ଆରମ୍ଭ ହୋଇଛି ଭାବି କାମ କରିବା। ମୁଖ୍ୟମନ୍ତ୍ରୀଙ୍କୁ ପ୍ରତିଶ୍ରୁତି ଦେଉଛି, ଦଳ ଖୁଣ୍ଟ ହୋଇ ଠିଆ ହୋଇ ରହିବ।
କର୍ମକର୍ତ୍ତାଙ୍କ ଉଦ୍ଦେଶ୍ୟରେ ସଭାପତି ମନମୋହନ ସାମଲ ଆହୁରି କହିଛନ୍ତି, ୨ ବର୍ଷର ସଭାପତି ଦାୟିତ୍ୱ ବେଳେ କାହାକୁ କଷ୍ଟ ଦେଇଥାଇପାରେ।ଆଗାମୀ ଦିନରେ ମୁଁ ନିଜକୁ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି। ସମସ୍ତଙ୍କୁ ଟିମ୍ ସ୍ପିରିଟ୍ ନେଇ କାମ କରିବାକୁ ପଡ଼ିବ। ସଙ୍ଗଠନକୁ ଶକ୍ତିଶାଳୀ କରିବା। ଆମକୁ କେହି ଛୁଇଁ ପାରିବେନି। ୟୁନାଇଟେଡ୍ ୱି ଷ୍ଟାଣ୍ଡ, ଡିଭାଇଡ୍ ୱି ଫଲ୍।
ମନମୋହନ ପୁଣି ଥରେ ବିଜେପି ରାଜ୍ୟ ସଭାପତି ହେବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି। ସେ କହିଛନ୍ତି, ୨୦୨୪ରେ ମନମୋହନ ଭାଇଙ୍କ ପାଇଁ ରାଜ୍ୟରେ ବିଜେପି ସରକାର ହୋଇଛି। ବିଜେପି ରାଜ୍ୟରେ ଏକାକୀ ସରକାର ଗଠନ କରିବା ସମ୍ଭବ ହୋଇପାରିଛି। ୨୧ରୁ ୨୦ ସାଂସଦ ଜିତିବା ମନମୋହନ ଭାଇଙ୍କ ନେତୃତ୍ବ ପାଇଁ ହୋଇଛି। ABVP କର୍ମକର୍ତ୍ତାରୁ ବିଧାୟକ, ମନ୍ତ୍ରୀ, ସାଂସଦ ଓ ଚତୁର୍ଥ ଥର ପାଇଁ ସଭାପତି ହୋଇଛନ୍ତି ମନମୋହନ ଭାଇ।
ସେହିପରି ପୁରୀ ସାଂସଦ ସମ୍ବିତ ପାତ୍ର କହିଛନ୍ତି, ରାଜ୍ୟରେ ଟ୍ରିପଲ୍ ‘M’ ସରକାର ଚାଲିଛି। ମୋଦି, ମୋହନ ଓ ମନମୋହନ ସରକାର ଚାଲିଛି। ଦଳ ପାଇଁ ବଡ଼ ବଳିଦାନ ଦେଇଛନ୍ତି ମନମୋହନ ଭାଇ। ନିଜ ଚାନ୍ଦବାଲି ଆସନକୁ ବାଜିରେ ଲଗାଇ ହାରିଲେ। କେନ୍ଦ୍ରୀୟ ନେତୃତ୍ୱ ଯେତେବେଳେ ତାଙ୍କୁ ନିଜ ଆସନ ଦେଖ କହିଲେ ସେତେବେଳେ ସେ କହିଥିଲେ ମୋ ପାଇଁ ମୋ ଦଳ ବଡ଼।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
