ଚର୍ଚ୍ଚାରେ ମନମୋହନଙ୍କ ଦିଲ୍ଲୀ ଗସ୍ତ, ବଦଳିବ କି ବିଜେପିର ରଣନୀତି

ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ୩ ରାଜ୍ୟର ବିଧାନସଭା ନିର୍ବାଚନରେ ବିଜେପିର ଉଲ୍ଲେଖନୀୟ ସଫଳତା ପରେ ବିଜେପି ଶୀର୍ଷ ନେତୃତ୍ୱଙ୍କୁ ଭେଟି ଅଭିନନ୍ଦନ ଜଣାଇବାକୁ ଶ୍ରୀ ସାମଲ ଦିଲ୍ଲୀ ଗସ୍ତ କରିଛନ୍ତି।

ମନମୋହନଙ୍କ ଦିଲ୍ଲୀ ଗସ୍ତ

  • Published: Wednesday, 06 December 2023
  • , Updated: 06 December 2023, 10:25 PM IST

୩ ରାଜ୍ୟର ବିଧାନସଭା ନିର୍ବାଚନରେ ବିଜେପିର ବାଜିମାତ୍ ପରେ ଓଡ଼ିଶାରେ ବିଜେପି କେଉଁ ଆଭିମୁଖ୍ୟ ଗ୍ରହଣ କରିବ ତାକୁ ନେଇ ନାନାଦି ଚର୍ଚ୍ଚା ଲାଗି ରହିଛି । ଇତିମଧ୍ୟରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଆଜି ଦିଲ୍ଲୀ ଗସ୍ତ କରିଛନ୍ତି । ଏଥର ସାଲିସବିହୀନ ଲଢ଼େଇ ହେବ ଓ ଆମେ ସରକାର ଗଢ଼ିବୁ ବୋଲି ଶ୍ରୀ ସାମଲଙ୍କ ଦମ୍ଭୋକ୍ତି ପରେ ଓଡ଼ିଶାରେ ବିଜେପି ନିଜର ଚିରାଚରିତ ରଣନୀତି ବଦଳରେ କିଛି ନୂଆ ମାଷ୍ଟରପ୍ଲାନ କରିପାରେ ବୋଲି ଚର୍ଚ୍ଚା ହେଉଛି ।

ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ୩ ରାଜ୍ୟର ବିଧାନସଭା ନିର୍ବାଚନରେ ବିଜେପିର ଉଲ୍ଲେଖନୀୟ ସଫଳତା ପରେ ବିଜେପି ଶୀର୍ଷ ନେତୃତ୍ୱଙ୍କୁ ଭେଟି ଅଭିନନ୍ଦନ ଜଣାଇବାକୁ ଶ୍ରୀ ସାମଲ ଦିଲ୍ଲୀ ଗସ୍ତ କରିଛନ୍ତି। ଶ୍ରୀ ସାମଲଙ୍କ ସହ ବିଜେପିର ବାରିପଦା ବିଧାୟକ ପ୍ରକାଶ ସୋରେନ୍ ମଧ୍ୟ ଦିଲ୍ଲୀ ଯାଇଥିବା ଜଣାପଡ଼ିଛି । ଦିଲ୍ଲୀ ଗସ୍ତକାଳରେ ଶ୍ରୀ ସାମଲ ବିଜେପିର ଶୀର୍ଷ ନେତୃତ୍ୱଙ୍କ ସମେତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ମଧ୍ୟ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ଶ୍ରୀ ସାମଲ ୯ତାରିଖରେ ଓଡ଼ିଶା ଫେରିବେ ବୋଲି ଜଣାପଡ଼ିଛି ।

ଶ୍ରୀ ସାମଲଙ୍କ ଦିଲ୍ଲୀ ଗସ୍ତକୁ ନେଇ ରାଜନୀତିକ ମହଲରେ ନାନାଦି ଚର୍ଚ୍ଚା ଲାଗି ରହିଛି । ଚର୍ଚ୍ଚା ଅନୁସାରେ, ଆଗାମୀ ସାଧାରଣ ନିର୍ବାଚନରେ ବିଜେପି ନିଜର ରଣନୀତିରେ ପରିବର୍ତ୍ତନ କରି ବିଜେଡି ବିରୁଦ୍ଧରେ ଆକ୍ରମଣାତ୍ମକ ଆଭିମୁଖ୍ୟ ପୋଷଣ କରିବ ବୋଲି ଦଳର ଗୋଟିଏ ଗୋଷ୍ଠୀ ଦାବି କରୁଛି । ଏପରିକି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟସୂଚୀ ଚୂଡ଼ାନ୍ତ କରାଇ ରାଜ୍ୟରେ ବିଜେପିର କର୍ମୀମାନଙ୍କ ମନୋବଳ ବୃଦ୍ଧି ଓ ନିର୍ବାଚନୀ ମାହୋଲକୁ ସରଗରମ କରିବାକୁ ରାଜ୍ୟ ବିଜେପି ଲକ୍ଷ୍ୟ ରଖିଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ଦିଲ୍ଲୀରେ ପହଂଚିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ସାମଲ କହିଛନ୍ତି ଯେ, ରାଜ୍ୟରେ ଲୋକଙ୍କ ଭିତରେ ଆକ୍ରୋଶ ରହିଛି । ଶାସନ ପରିବର୍ତ୍ତନ ପାଇଁ ଲୋକେ ମନ ସ୍ଥିର କରିସାରିଛନ୍ତି । ଓଡ଼ିଶାରେ ବ୍ୟାପକ ପରିବର୍ତ୍ତନ ହେବ । ଦାୟିତ୍ୱସମ୍ପନ୍ନ ବିରୋଧୀ ଭାବେ ବିଜେପି କାର୍ଯ୍ୟ କରୁଛି । ଏଥର ସାଲିସବିହୀନ ଲଢ଼େଇ ହେବ ଓ ଆମେ ସରକାର ଗଢ଼ିବୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯାହା କୁହନ୍ତି ତାହା କରନ୍ତି । ଲୋକେ ଏହା ଗ୍ରହଣ କରିସାରିଛନ୍ତି । ନିଶ୍ଚିତ ଭାବେ ଓଡ଼ିଶାରେ ଏକ ପଜେଟିଭ୍ ଭୋଟ୍ ହେବ।

ରାଜ୍ୟ ସରକାରଙ୍କ ବିଫଳତା ପାଇଁ ନେଗେଟିଭ୍ ଭୋଟ୍ ମଧ୍ୟ ହେବ । ୫ବର୍ଷ ଶାସନରେ ମାନଚିତ୍ର ବଦଳାଇ ହେବ, କିନ୍ତୁ ୨୫ବର୍ଷରେ ବଦଳିନି । ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି । କ୍ୟାବିନେଟ୍ ମନ୍ତ୍ରୀଙ୍କୁ ହତ୍ୟା କରାଯାଉଛି । ପୂର୍ବତନ ମନ୍ତ୍ରୀ ନିଜେ ଥାନା ଭାଙ୍ଗି ଦେଉଛନ୍ତି । ପ୍ରଶାସନ ନିରବଦ୍ରଷ୍ଟା ସାଜିଛି । ତେଣୁ ଏସବୁକୁ ଆଉ ସହ୍ୟ କରିବା ମୁଡରେ ରାଜ୍ୟବାସୀ ନାହାନ୍ତି । ଓଡ଼ିଶାରେ ନିଶ୍ଚିତ ଶାସନରେ ପରିବର୍ତ୍ତନ ହେବ ବୋଲି ସେ କହିଛନ୍ତି ।

Related story