BJP
ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ମନମୋହନ ସାମଲଙ୍କ ଉପରେ ବିଜେପି ପୁଣିଥରେ ଆସ୍ଥାପ୍ରକଟ କରିଛି । ସେ ୪ର୍ଥ ଥର ପାଇଁ ରାଜ୍ୟ ବିଜେପି ସଭାପତି ଭାବେ ନିର୍ନ୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ଦଳର ରାଜ୍ୟ ସଭାପତି ପଦ ନିର୍ବାଚନ ନିମନ୍ତେ ଶ୍ରୀ ସାମଲ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିବାରୁ ସେ ସଭାପତି ହେବା ସ୍ପଷ୍ଟ ହୋଇଛି, ମାତ୍ର ଆସନ୍ତାକାଲି (ମଙ୍ଗଳବାର) ଏନେଇ ବିଧିବଦ୍ଧ ଘୋଷଣା ହେବ ।
୬୬ବର୍ଷୀୟ ଶ୍ରୀ ସାମଲ ପୁଣିଥରେ ୩ବର୍ଷ ପାଇଁ ସଭାପତି ନିର୍ବାଚିତ ହେବା ସହ ରାଜ୍ୟରେ ସର୍ବାଧିକ ଅବଧିର ବିଜେପି ସଭାପତି ହେବାର ରେକର୍ଡର ଅଧିକାରୀ ମଧ୍ୟ ହୋଇଛନ୍ତି । ରାଜ୍ୟ ବିଜେପିର ସର୍ବାଧିକ ଅବଧିର ସଭାପତି ଭାବେ ବିଶ୍ୱଭୂଷଣ ହରିଚନ୍ଦନ ମୋଟ (୧୯୮୦ରୁ ୧୯୮୮ ମସିହା ପର୍ଯ୍ୟନ୍ତ) ୮ବର୍ଷ କାର୍ଯ୍ୟ କରିଥିବାବେଳେ ଶ୍ରୀ ସାମଲ ପ୍ରଥମ ଦଫାରେ କ୍ରମାଗତ ଦୁଇଥରରେ ୫ବର୍ଷ (୧୯୯୯ରୁ ୨୦୦୦ ଓ ୨୦୦୧ରୁ ୨୦୦୪ ମସିହା) , ଦ୍ୱିତୀୟ ଦଫାରେ ୨ବର୍ଷ ୩ମାସ ଓ ତୃତୀୟ ଦଫାରେ ୩ବର୍ଷ ପାଇଁ ନିର୍ବାଚିତ ହୋଇଛନ୍ତି ।
ରାଜ୍ୟ ବିଜେପି ପାଇଁ ‘ଲକି’ ମନମୋହନ
ମନମୋହନ ଆଜି ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିବାରୁ ସେ ରାଜ୍ୟ ବିଜେପିର ପରବର୍ତ୍ତୀ ସଭାପତି ହେବା ସ୍ପଷ୍ଟ ହୋଇଛି । ଯଦିଓ ଆସନ୍ତାକାଲି ବିଧିବଦ୍ଧ ଘୋଷଣା ହେବ । ମନମୋହନ ୧୯୯୯ ମସିହାରେ ରାଜ୍ୟ ବିଜେପିର ସଭାପତି ଥିବାବେଳେ ବିଜେଡି ସହ ମେଂଟ କରି ଦଳ ଓଡ଼ିଶାରେ ପ୍ରଥମଥର ପାଇଁ କ୍ଷମତାର ସ୍ୱାଦ ଚାଖିଥିଲା । ଏବେ ଦ୍ୱିତୀୟଥର ୨୦୨୩ ମାର୍ଚ୍ଚ ମାସରେ ଦଳର ରାଜ୍ୟ ସଭାପତି ଦାୟିତ୍ୱ ନେବାପରେ ବିଜେପି ନିଜସ୍ୱ ଦମରେ ୨୦୨୪ ଜୁନ ମାସରେ ସରକାର ଗଢ଼ିବାରେ ସକ୍ଷମ ହୋଇଛି । ଦଳକୁ ସଫଳତା(କ୍ଷମତାସୀନ କରାଇବା) ଦେବାରେ ‘ମନମୋହନ’ ଭାଗ୍ୟଶାଳୀ ସାବ୍ୟସ୍ତ ହୋଇଛନ୍ତି ।
ତେବେ ମନମୋହନଙ୍କ ପ୍ରଥମଦଫା(୧୯୯୯-୨୦୦୪) ସଭାପତିତ୍ୱ କାଳରେ ତାଙ୍କ ଦଳ ରାଜ୍ୟ ସରକାରରେ ଭାଗିଦାରୀ ହେବାରେ ସକ୍ଷମ ହୋଇଥିବାବେଳେ ସେ ନିଜେ ପରାଜିତ ହୋଇଥିଲେ । ଏବେ ମଧ୍ୟ ସମାନ ଢଙ୍ଗରେ ୨୦୨୪ ନିର୍ବାଚନରେ ତାଙ୍କ ଦଳ ନିଜସ୍ୱ ଦମରେ ସରକାର ଗଢ଼ିଛି ସତ କିନ୍ତୁ ମନମୋହନଙ୍କୁ ପରାଜିତ ହେବାକୁ ପଡ଼ିଛି । ୨୦୦୦ ମସିହାରେ ଧାମନଗର ଓ ଏବେ ଚାନ୍ଦବାଲି ଆସନରୁ ସେ ପରାଜିତ ହୋଇଛନ୍ତି । ଅବଶ୍ୟ ଦଳ ତାଙ୍କୁ ୨୦୦୦ ମସିହାରେ ରାଜ୍ୟସଭା ପଠାଇ ପୁରସ୍କୃତ କରିଥିଲା । ଏବେ ଆସନ୍ତା ମାର୍ଚ୍ଚ ମାସରେ ଅନୁରୂପ ପୁରସ୍କାର ମଧ୍ୟ ଦଳ ତାଙ୍କୁ ଦେଇପାରେ ବୋଲି ଚର୍ଚ୍ଚା ହେଉଛି ।
କାହିଁକି ମିଳିଲା ପୁରସ୍କାର?
ରାଜ୍ୟରେ ୨୦୨୪ ସାଧାରଣ ନିର୍ବାଚନରେ ବିଜେଡି ସହ ନିର୍ବାଚନୀ ମେଂଟ ସମ୍ଭାବନାକୁ ଯେଉଁ କିଛି ଆଗଧାଡ଼ିର ନେତା ତୀବ୍ର ବିରୋଧ କରୁଥିଲେ ସେଥିରେ ମନମୋହନ ସାମଲ ଆଗରେ ଥିଲେ । କେନ୍ଦ୍ରୀୟ ନେତୃତ୍ୱଙ୍କୁ ରାଜ୍ୟର ବାସ୍ତବ ସ୍ଥିତି ସମ୍ପର୍କରେ ବାରମ୍ବାର ବୁଝାଇ ବିଜେଡି ସହ ନିର୍ବାଚନୀ ମେଂଟ ବୁଝାମଣାରୁ ନିବୃତ୍ତ କରାଇବାରେ ମନମୋହନ ସକ୍ଷମ ହୋଇଥିଲେ । ଆଉ ରାଜ୍ୟରେ ବିଜେପି ଏକାକୀ ୭୫ଟି ଆସନ ଜିଣିବାରେ ସକ୍ଷମ ହୋଇ ପ୍ରଥମଥର ପାଇଁ ନିଜର ସରକାର ଗଢ଼ିଲା । ବିଜେପିର ଏହି ଐତିହାସିକ ସଫଳତା ଓ ରାଜ୍ୟରେ ପୂର୍ଣ୍ଣ ବହୁମତ ସହ ବିଜେପିର ସରକାର ଗଠନରେ ମନମୋହନଙ୍କ ନେତୃତ୍ୱ ଓ ସାଂଗଠନିକ ଦକ୍ଷତା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି ।
ସାଙ୍ଗଠନିକ ଦକ୍ଷତା, ଅଭିଜ୍ଞତା ଓ ଚ୍ୟାଲେଞ୍ଜ
ମନମୋହନ ଜଣେ ଦକ୍ଷ ରଣନୀତିକାର ଏବଂ ମଜବୁତ ସାଙ୍ଗଠନିକ ପ୍ରଭାବ ଥିବା ନେତା ଭାବେ ପରିଚିତ । ତାଙ୍କ ପାଖରେ ରାଜ୍ୟସାରା ଦଳୀୟ କର୍ମୀଙ୍କ ସହ ଗଭୀର ସଂପର୍କ ଏବଂ ସମନ୍ୱୟ ସ୍ଥାପନ କରିବାର କ୍ଷମତା ରହିଛି । ଆଗାମୀ ପଂଚାୟତ ନିର୍ବାଚନ ଏବଂ ଭବିଷ୍ୟତ ଚ୍ୟାଲେଞ୍ଜକୁ ଦୃଷ୍ଟିରେ ରଖି ଦଳ ତାଙ୍କ ଅଭିଜ୍ଞତା ଏବଂ ସାଙ୍ଗଠନିକ ଦକ୍ଷତା ଉପରେ ଭରସା କରିଛି । ମନମୋହନ ଓଡ଼ିଶା ବିଜେପିର ଅନ୍ୟତମ ବରିଷ୍ଠ ଓ ଅଭିଜ୍ଞ ନେତା । ତାଙ୍କର ଦୀର୍ଘ ରାଜନୈତିକ ଅଭିଜ୍ଞତା ଏବଂ ଦଳ ଭିତରେ ତାଙ୍କର ଗ୍ରହଣୀୟତା ତାଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ପଦ ପାଇଁ ଏକ ସ୍ୱାଭାବିକ ପସନ୍ଦ କରିଛି ।
ରାଜ୍ୟରେ ବିଜେପିର ନୂଆ ସରକାର ଗଠନ ପରେ, ଦଳୀୟ ନେତୃତ୍ୱ ସାଙ୍ଗଠନିକ ସ୍ତରରେ ନିରନ୍ତରତା ଏବଂ ସ୍ଥିରତା ବଜାୟ ରଖିବାକୁ ଅଗ୍ରାଧିକାର ଦେଇଛି । ସାମଲଙ୍କୁ ପୁନର୍ବାର ଅଧ୍ୟକ୍ଷ କରି ରାଜ୍ୟରେ ଦଳ ଭିତରେ ଏକ ପ୍ରତିଷ୍ଠିତ ଭରସାଯୋଗ୍ୟ ନେତୃତ୍ୱ ଦେବାର ରଣନୀତିକୁ ଦଳ କାର୍ଯ୍ୟକାରୀ କରାଇଛି, ଯିଏକି ମୋହନ ମାଝୀଙ୍କ ସରକାର ସହ ମିଳିତ ଭାବେ କାର୍ଯ୍ୟ କରିପାରିବେ । ଏସବୁ ବ୍ୟତୀତ ମନମୋହନଙ୍କର ଦଳୀୟ କର୍ମୀଙ୍କ ମଧ୍ୟରେ ବ୍ୟାପକ ଭାବେ ଗ୍ରହଣୀୟତା ରହିଛି । ତାଙ୍କର ସରଳ ସ୍ୱଭାବ ଏବଂ କର୍ମୀଙ୍କ ସହ ସିଧାସଳଖ ସଂପର୍କ ତାଙ୍କୁ ଲୋକପ୍ରିୟ କରିଛି ।
ଦଳରେ କୌଣସି ମତଭେଦ ନାହିଁ: ବିଜେପି
ରାଜ୍ୟ ବିଜେପି ସଭାପତି ପଦକୁ ନେଇ ମନମୋହନଙ୍କ ସମେତ ଅନ୍ୟ କିଛି ନେତାଙ୍କ ନାମ ଚର୍ଚ୍ଚାରେ ଥିଲା । କିନ୍ତୁ ଆଜି ମନମୋହନ ଏକାକୀ ନାମାଙ୍କନ ପତ୍ର ଦାଖଲ କରିବା ପରେ ଦଳର ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି ଯେ, ଆମ ଦଳରେ ସହମତି ଭିତ୍ତିରେ ଦଳୀୟ ସଭାପତି ଚୟନ ହୋଇଛି । ୨୧ଟି ନିର୍ବାଚନୀ ପ୍ରତିଶ୍ରୁତି ମଧ୍ୟରୁ ଦଳ ୧୧ଟି ପ୍ରତିଶ୍ରୁତି ପୂରଣ କରିସାରିଛି ।
ଦଳରେ ସଭାପତି ରେସରେ ମୁଁ ନଥିଲି, ଏହା ଗଣମାଧ୍ୟମର ପ୍ରଚାର ଓ ଚର୍ଚ୍ଚା ଥିଲା । ଦଳ ଯାହା ନିଷ୍ପତ୍ତି ନେଇଛି ସେହି ଆଧାରରେ ମନମୋହନ ସାମଲ ସଭାପତି ହୋଇଛନ୍ତି । ଦଳକୁ ଏକ କମିଟି ପରିଚାଳନା କରେ ଯାହାର ନେତୃତ୍ୱ ମନମୋହନ ସାମଲ ନେବେ । ଏଥିରେ କିଛି ନୂଆ କଥା ନାହିଁ । ଲୋକଙ୍କ ପାଇଁ କାମ କରିବା ଏବେ ଆମପାଖରେ ଚ୍ୟାଲେଞ୍ଜ । ଆସନ୍ତାକାଲି ବିଧିବଦ୍ଧ ଭାବେ ମନମୋହନ ସାମଲଙ୍କ ନାମ ସଭାପତି ପଦ ପାଇଁ ଘୋଷଣା ହେବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/BJP_1751890545.jpg)