Advertisment

ବଦଳୁଛି ବିଜେପିର ଆଭିମୁଖ୍ୟ: ବର୍ଷିଲେ ମନମୋହନ ଓ ଜୟନାରାୟଣ

ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଗତକାଲି ଦାୟିତ୍ୱ ସମ୍ଭାଳିବା ପରେ ଆଜି ଝାରପଡ଼ା ଜେଲ ଯାଇ ସେଠାରେ ପ୍ରାୟ ଏକମାସ ଧରି ବନ୍ଦୀ ଥିବା ଦଳର ଯୁବମୋର୍ଚ୍ଚା କର୍ମକର୍ତ୍ତାଙ୍କୁ ସାକ୍ଷାତ କରିଛନ୍ତି।

Manmohan Samal and Jayanarayan Mishra

Manmohan Samal and Jayanarayan Mishra

Advertisment

ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟର ବିଜେଡି ସରକାର ବିରୁଦ୍ଧରେ ବିଜେପି କ୍ରମାଗତ ଭାବେ ନିଜର ଆକ୍ରମଣକୁ ଅଧିକ ଶାଣିତ କରିବାରେ ଲାଗିଛି । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଓ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଉଭୟ ନିଜର ଆଭିମୁଖ୍ୟକୁ କଠୋର କରି ରାଜ୍ୟର ବିଜେଡି ସରକାରଙ୍କ ଉପରେ ବର୍ଷିଛନ୍ତି।

Advertisment

ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଗତକାଲି ଦାୟିତ୍ୱ ସମ୍ଭାଳିବା ପରେ ଆଜି ଝାରପଡ଼ା ଜେଲ ଯାଇ ସେଠାରେ ପ୍ରାୟ ଏକମାସ ଧରି ବନ୍ଦୀ ଥିବା ଦଳର ଯୁବମୋର୍ଚ୍ଚା କର୍ମକର୍ତ୍ତାଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ସାମଲ କହିଛନ୍ତି ଯେ, ବିଜେଡି ସରକାର ଏବେ ଗୋଟିଏ ଭୁଲ୍ ପାଇଁ ୧୦୦ଟି ଭୁଲ୍ କରିବା ଆରମ୍ଭ କରିଛି । ସମୟ ଶେଷ ହୋଇ ଆସିଲାଣି, ସବୁର ପରିସମାପ୍ତି ହେବ । ଆମେ ସତ୍ୟ ଓ ନ୍ୟାୟ ପାଇଁ ଲଢ଼େଇ କରୁଛୁ। ରକ୍ଷକ ହୋଇ ଭକ୍ଷକ ସାଜିଥିବା ସରକାର ବିରୁଦ୍ଧରେ ଯୁବମୋର୍ଚ୍ଚା ଲଢ଼େଇ କରିଥିଲା। ବିରୋଧୀ ଦଳ ନେତା ବାରମ୍ବାର କହିବା ସତ୍ତ୍ୱେ ତଦନ୍ତର କୌଣସି ରୂପରେଖ ପ୍ରସ୍ତୁତ ହେଲାନାହିଁ। ଜନତାଙ୍କ ସେବାରେ ଏବଂ ବିଚାରଧାରାକୁ ଭଲପାଉଥିବା ଯୁବନେତାଙ୍କୁ ପୁଲିସ ପ୍ରଶାସନର ଭୟ ଦେଖାଇ ସେମାନଙ୍କ ସ୍ୱରକୁ ଚାପି ଦିଆଯାଇପାରିବ ନାହିଁ । ଶାସକ ବିଜେଡିର ନିର୍ଦ୍ଦେଶରେ ପୁଲିସର ଏଭଳି ପକ୍ଷପାତିତା ଗଣତନ୍ତ୍ର ପ୍ରତି ଶୁଭଙ୍କର ନୁହେଁ । କଣ୍ଠରୋଧ କରିବା ପାଇଁ ମିଛ କେସ୍ କରି ଜେଲରେ ଭର୍ତ୍ତି କରିବାକୁ ଚାହିଁଲେ, ତାହା ଚଳିବ ନାହିଁ । ଏ ଲଢ଼େଇ ଆଗାମୀ ଦିନରେ ବି ଚାଲିବ । ଓଡ଼ିଶାରେ ଆଉ ଗଣତନ୍ତ୍ରକୁ ହତ୍ୟା କରି ଏକଛତ୍ରବାଦ ଶାସନ ଚାଲିବ ନାହିଁ । ଦଳ ସବୁ ବିଷୟ ତର୍ଜମା କରିବ ଓ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ସାମଲ କହିଛନ୍ତିି । ତାଙ୍କ ସହ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ସମୀର ମହାନ୍ତି, କେଭି.ସିଂହଦେଓ, ମାନସ କୁମାର ମହାନ୍ତି, ବିଧାୟକ ଲଲିତେନ୍ଦୁ ବିଦ୍ୟଧାର ମହାପାତ୍ର, ନାଉରୀ ନାୟକ, ଭବାନୀ ଭୋଇ, ସନାତନ ବିଜୁଳି, ମୁକେଶ ମହାଲିଙ୍ଗ, ନିତ୍ୟାନନ୍ଦ ଗଣ୍ଡ, ଗଣେଷ ରାମ ଖୁଂଟିଆ, ସୁରଜ ସୂର୍ଯ୍ୟବଂଶୀ, ଭୃଗୁ ବକ୍ସିପାତ୍ର, ପ୍ରଭାତୀ ପରିଡ଼ା, ବିରଂଚି ତ୍ରିପାଠୀ, ଦିଲୀପ ମହାନ୍ତି, ଠାକୁର ରଣଜିତ୍ ଦାସ, ଜଗନ୍ନାଥ ପ୍ରଧାନ, ବାବୁ ସିଂ ଓ ଧରିତ୍ରୀ ଜେନା ପ୍ରମୁଖ ଝାରପଡ଼ା ଜେଲକୁ ଯାଇଥିଲେ।

ଏପଟେ ବିଜେଡିର ପର୍ଯ୍ୟବେକ୍ଷକ ତାଲିକା ପ୍ରକାଶ ପାଇବା ପରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କଡ଼ା ଭାଷାରେ କଟାକ୍ଷ କରିଛନ୍ତି । ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ୪ଟି ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯିବା ଉପରେ ପ୍ରତିକ୍ରିୟା ବ୍ୟକ୍ତ କରି ଜୟନାରାୟଣ କହିଛନ୍ତି ଯେ, ଏରିଆର ଦାୟିତ୍ୱ ଗୋଟିଏ କ୍ରୀତଦାସ ନେଇ କ’ଣ କରିପାରିବ। ତାଙ୍କୁ ସଂଗଠନ ଦାୟିତ୍ୱ ଦିଆଯାଇଛି ବୋଲି ମୁଁ ଭାବୁନି । ଖଣିଖାଦାନ ଅଂଚଳ ବୋଲି ସେଠାରୁ ପାର୍ଟି ଚାନ୍ଦା ଆଦାୟ କରିବାକୁ ଦାୟିତ୍ୱ ଦିଆଯାଇଛି। ଖଣିଖାଦାନ ଓ ଶିଳ୍ପରୁ କିପରି ପଇସା ଅସୁଲ କରିପାରିବେ ସେ ଦାୟିତ୍ୱ ନେଇଛନ୍ତି। ଅନେକ କଥା ଅଛି। ବ୍ଲାକରୋଜର କଥା ବାହାରିନାହିଁ, ଚାପି ହୋଇ ରହିଛି । ସେମାନଙ୍କ ପାଖରେ ସରକାରୀ କଳ,ଅର୍ଥବଳ ଓ ବାହୁବଳ ଅଛି କିନ୍ତୁ ଲୋକବଳ ନାହିଁ। ଏହାକୁ ନେଇ ନିର୍ବାଚନ ସେମାନେ ଜିତନ୍ତି । ସେମାନଙ୍କୁ କିଭଳି ପ୍ରତିହତ କରାଯିବ ତା’ର ଯୋଜନା କରାଯାଉଛି । ଓଡ଼ିଶାରେ ଦୁର୍ନୀତି ଯେଭଳି ଭାବେ ହେଉଛି ସିବିଆଇ ଓ ଇଡି ଆସିବା ନିହାତି ଆବଶ୍ୟକ ବୋଲି ଜୟନାରାୟଣ କହିଛନ୍ତି ।

Advertisment

ଅନ୍ୟପକ୍ଷରେ ରାଜନୀତିିକ ବିଶ୍ଲେଷକଙ୍କ ମତରେ,ଓଡ଼ିଶା ପ୍ରଭାରୀ ଦାୟିତ୍ୱ ସୁନୀଲ ବଂଶଲଙ୍କୁ ,ବିରୋଧୀ ଦଳ ନେତା ପଦରେ ଜୟନାରାୟଣ ମିଶ୍ରଙ୍କୁ  ଓ ଏବେ ମନମୋହନ ସାମଲଙ୍କୁ ରାଜ୍ୟ ସଭାପତି ଦାୟିତ୍ୱ ଦେଇ ବିଜେପି ପରୋକ୍ଷରେ ଓଡ଼ିଶାରେ ନିଜର ଆଭିମୁଖ୍ୟକୁ ଆକ୍ରମଣାତ୍ମକ କରିବାକୁ ଯାଉଥିବାର ଆଭାସ ଦେଇଛି । ଜୟନାରାୟଣ ଓ ମନମୋହନ ଉଭୟ କଟ୍ଟର ବିଜେପି ତଥା ଶାସକ ବିଜେଡିର କଟ୍ଟରବିରୋଧୀ ମଧ୍ୟ । ତେଣୁ ଏହି ତିନି ନେତାଙ୍କ ଦାୟିତ୍ୱରେ ବିଜେପି ରାଜ୍ୟରେ ଆଗାମୀ ନିର୍ବାଚନ ଲଢ଼ିବାକୁ ଯାଉଥିବାରୁ ବିଜେଡି ମଧ୍ୟ ନିଜର ରଣନୀତିରେ ପରିବର୍ତ୍ତନ କରିଛି ।  ଏଥିପାଇଁ ଦଳ ପକ୍ଷରୁ ଆଜି ୬ମାସ ପୁରୁଣା ପର୍ଯ୍ୟବେକ୍ଷକ ତାଲିକାକୁ ପରିବର୍ତ୍ତନ କରାଯାଇଛି । ଆଉ ଏହି ତାଲିକା ହିଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ସାଂସଦ ପ୍ରତାପ ଷଡ଼ଙ୍ଗୀ ଓ ଅପରାଜିତା ଷଡ଼ଙ୍ଗୀଙ୍କୁ ଚେକ୍ ଦେବାକୁ ବିଜେଡି କରିଥିବା ରଣନୀତିର ଆଭାସ ଦେଇଛି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଲଢ଼ିବାକୁ ଥିବା ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ  ଜିଲ୍ଲା ଦାୟିତ୍ୱରେ ବିଜେଡି ନିଜର ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସଙ୍କୁ ଦାୟିତ୍ୱ ଦେଇଥିବାବେଳେ କେନ୍ଦ୍ରାପଡ଼ାରେ ସମ୍ଭାବ୍ୟ ପ୍ରାର୍ଥୀ ବୈଜୟନ୍ତଙ୍କୁ ଚେକ୍ ଦେବାକୁ ୨୦୧୯ ସାଧାରଣ ନିର୍ବାଚନବେଳେ ବିଜେଡିର ପର୍ଯ୍ୟବେକ୍ଷକ ଥିବା ବରିଷ୍ଠ ଉପସଭାପତି ପ୍ରମିଳା ମଲ୍ଲିକଙ୍କୁ ପୁଣି ଦାୟିତ୍ୱ ମିଳିଛି । ଅଭିଜ୍ଞ ପ୍ରତାପ ଜେନାଙ୍କୁ ଭଦ୍ରକ ଦାୟିତ୍ୱ ଦେଇ ଚାନ୍ଦବାଲିର ସମ୍ଭାବ୍ୟ ବିଧାୟକ ପ୍ରାର୍ଥୀ ମନମୋହନ ସାମଲଙ୍କୁ ଚେକ୍ ଦେବାକୁ ଉଦ୍ୟମ ହୋଇଥିବାବେଳେ ପ୍ରତାପ ଦେବଙ୍କୁ ବାଲେଶ୍ୱର ଓ ରବୀନ୍ଦ୍ର ଜେନାଙ୍କୁ ଖୋର୍ଦ୍ଧାରେ ଦଳୀୟ ସଂଗଠନ ଦାୟିତ୍ୱ ଦେଇ ପ୍ରତାପ ଷଡ଼ଙ୍ଗୀ ଓ ଅପରାଜିତାଙ୍କ ବାଟ ଓଗାଳିବାକୁ ପ୍ରୟାସ ହୋଇଛି ।

BjD Bjp Bjd Leader Jaynarayan Mishra Odisha Bjp Manmohan Samal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe