/odisha-reporter/media/post_attachments/uploadimage/library/16_9/16_9_0/BJP_1702132052.jpg)
BJP
ଝାଡଖଣ୍ଡର କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ ପରିବାରର ଓଡ଼ିଶାରେ ଥିବା ବ୍ୟବସାୟିକ ପ୍ରତିଷ୍ଠାନରୁ ଶହ ଶହ କୋଟିର କଳାଟଙ୍କା ଜବତ ହେବା ଓଡ଼ିଶା ପାଇଁ ଲଜ୍ୟାଜନକ ଘଟଣା । ସ୍ୱଚ୍ଛତାର ଡିଣ୍ଡିମ ପିଟୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଜ୍ୟରେ ଏବଂ ତାଙ୍କ ନାକ ତଳେ ଦେଶର ସର୍ବବୃହତ କଳାଟଙ୍କା ଜବତ କରାଯାଉଛି । କେନ୍ଦ୍ରୀୟ ଏଜେନ୍ସି ଯଦି ଗଚ୍ଛିତ ଥିବା କଳା ଟଙ୍କା ଖବର ପାଇପାରିଲା, ଓଡ଼ିଶା ପୁଲିସ, ଗୋଇନ୍ଦା ଓ ଇଓଡବ୍ଲ୍ୟୁ କିଭଳି ଜାଣିପାରିଲା ନାହିଁ? କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ କଳା ସାମ୍ରାଜ୍ୟକୁ ବିଜେଡି ସରକାର ସଂରକ୍ଷଣ ଦେଉଥିଲା କି? ଏଭଳି କଡ଼ା ଭାଷାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ସରକାରଙ୍କୁ ସମାଲୋଚନା କରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।
ଆଜି ଦିଲ୍ଳୀରୁ ଫେରିବା ପରେ ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସାମଲ କହିଛନ୍ତି ଯେ, ଜବତ କଳା ଟଙ୍କାର ପରିମାଣ ୫୦୦ କୋଟି ଟପିପାରେ ବୋଲି ଆକଳନ କରାଯାଉଛି । ଯେତେ ଗଣିଲେ ବି ସରୁନାହିଁ । ଚଢାଉର ଚତୁର୍ଥ ଦିନରେ ଟଙ୍କା ଗଣା ଚାଲିଛି । ସାରା ଦେଶରେ ଥରକେ ଏତେ କଳା ଟଙ୍କା ଜବତ ପ୍ରଥମ ଘଟଣା । କଂଗ୍ରେସ ସାଂସଦ ଧୀରେଜ ସାହୁଙ୍କ କଳା ସାମ୍ରାଜ୍ୟକୁ ସଂରକ୍ଷଣ ଦେଉଥିଲେ ବିଜେଡି ସରକାର । ଏହି ଧୀରଜ ସାହୁ କଂଗ୍ରେସ ନେତା ରାହୁଳ ଗାନ୍ଧୀଙ୍କର ବେଶ ଘନିଷ୍ଠ ଓ ‘ଭାରତ ଯୋଡ଼' ଯାତ୍ରାରେ ମଧ୍ୟ ତାଙ୍କ ସହ ସାମିଲ ହୋଇଥିଲେ । ଅଣଓଡ଼ିଆ ବ୍ୟବସାୟୀମାନେ ଓଡ଼ିଶାର ଖଣି ଓ ଚିଟ୍ଫଣ୍ଡ ଟଙ୍କାକୁ ଲୁଟ୍ କରିଥିଲେ । କିନ୍ତୁ ଏବେ ଅଣଓଡିଆ ମଦ ବେପାରୀମାନେ ଓଡ଼ିଶାକୁ ଲୁଟ୍ କରୁଛନ୍ତି ।
ଏବେ ଜାତୀୟ ଗଣମାଧ୍ୟମରେ ବିଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି । ବିଶେଷକରି ଏହି ଜବତ କଳାଟଙ୍କା କାହାର? ଏତେ ଟଙ୍କା କେଉଁଠୁ ଆସିଲା? ଓଡ଼ିଶାରେ ଗୋଟିଏ ଜାଗାରେ କାହିଁକି ଠୁଳ ହେଲା? ବାର୍ଷିକ ୧୨୦କୋଟି ଟଙ୍କାର ବ୍ୟବସାୟର କରୁଥିବା "ସାହୁ ବ୍ରଦର୍ସ ଆଣ୍ଡ କୋ’ଙ୍କ ନିକଟରୁ ଏତେ ଟଙ୍କା ଆସିଲା କେଉଁଠୁ? ଜବତ ହୋଇଥିବା ଏହି କଳା ଟଙ୍କା "ସାହୁ ବ୍ରଦର୍ସ ଆଣ୍ଡ କୋ’ର ନିଜସ୍ୱ ନାଁ ଆଉ କାହାର କଳାଟଙ୍କା ସାମିଲ ଅଛି? ଝାଡ଼ଖଣ୍ଡର ନେତା ଓ ବ୍ୟବସାୟୀ ଓଡ଼ିଶାରେ ଏତେ ଟଙ୍କା ଜମା ରଖିଲେ କାହିଁକି?
"ସାହୁ ବ୍ରଦର୍ସ ଆଣ୍ଡ କୋ’ର ଓଡ଼ିଶାରେ କଳାଧନ ସାମ୍ରାଜ୍ୟ । ସ୍ୱଚ୍ଛତାର ଡିଣ୍ଡିମ ପିଟୁଥିବା ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ରାଜ୍ୟରେ ଏବଂ ତାଙ୍କ ନାକ ତଳେ ଦେଶର ସର୍ବବୃହତ କଳାଟଙ୍କା ଜବତ କରାଯାଊଛି । ଏଭଳି ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ଓ ଲଜ୍ଜାଜନକ ହୋଇଥିବାବେଳେ ଏବେସୁଦ୍ଧା ମୁଖ୍ୟମନ୍ତ୍ରୀ କାହିଁକି ନୀରବ ଅଛନ୍ତି? ମୁଖ୍ୟମନ୍ତ୍ରୀଙ୍କ ନୀରବତା ବହୁ ପ୍ରଶ୍ନବାଚୀ ସୃଷ୍ଟି କରିଛି? ନବୀନ ବାବୁ ଆଜି ପର୍ଯ୍ୟନ୍ତ "ସାହୁ ବଦର୍ସ ଆଣ୍ଡ କୋ’ ଏବଂ ତାଙ୍କଠାରେ ଗଚ୍ଛିତ କଳାଟଙ୍କାକୁ ସୁରକ୍ଷା ଦେଇନାହାନ୍ତି ତ? ରାଜ୍ୟ ସରକାର ରାଜ୍ୟର ଛୋଟସ୍ତରର କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବାହାଦୁରୀ ମାରୁଛନ୍ତି । କିନ୍ତୁ ଅନୈତିକ ଭାବେ ଗଚ୍ଛିତ କଳାଟଙ୍କା ବିଷୟରେ ଜାଣିପାରିଲେ ନାହିଁ ! ଏହା ଅତ୍ୟନ୍ତ ହାସ୍ୟାସ୍ପଦ । ଶାସକ ବିଜେଡିର ଅନେକ ନେତା ଓ ମନ୍ତ୍ରୀ "ସାହୁ ବ୍ରଦର୍ସ ଆଣ୍ଡ କୋ’ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଖବର ଆସିଛି । ଫଟୋ ମଧ୍ୟ ପ୍ରକାଶ ପାଇଛି । ବିଜେଡି ନେତାଙ୍କ ସହ "ସାହୁ ବ୍ରଦର୍ସ ଆଣ୍ଡ କୋ’ର ସମ୍ପର୍କ କ’ଣ, ତାହା ତଦନ୍ତ ହେବା ଦରକାର ।"ସିବିଆଇ ତଦନ୍ତ ହେଲେ ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ସେ କହିଛନ୍ତି ।
ଶ୍ରୀ ସାମଲ ରାଜ୍ୟ ସରକାରଙ୍କୁ ସମାଲୋଚନା କରି କହିଛନ୍ତି ଯେ, ଦୀର୍ଘ ୨୪ଧରି ଓଡିଶାରେ "ଓଏସ୍ ସପ୍ "ଆଉଟ୍ ଷ୍ଟିଲ) ର "ପୁନଃ ନିଲାମୀ କିମ୍ବା ପୁନଃ ଟେଣ୍ଡର’ କାହିଁକି ହେଉନାହିଁ । ଓଏସ୍ ସପ ‘ଡେକ୍’ କାହିଁକି ଯାଂଚ୍ କରାଯାଉ ନାହିଁ ? କାହା ସ୍ୱାର୍ଥରେ ଏ ମନମାନି ? ଓଏସ୍ ସପଗୁଡ଼ିକ କେତେ ପରିମାଣରେ ବେଆଇନ ମଦ ତିଆରି କରି ବିକ୍ରି କରୁଛନ୍ତି ତାହାର ହିସାବ ସରକାରଙ୍କ ପାଖରେ ଅଛି ତ? ଦୁର୍ନୀତି, ବ୍ୟଭିଚାର, ଭ୍ରଷ୍ଟାଚାରରେ ରାଜ୍ୟ ସରକାର ନମ୍ବର-୧ ଥିବାବେଳେ ଏବେ "କଳାଟଙ୍କା’ରେ ମଧ୍ୟ ରାଜ୍ୟ ସରକାର ୧ନଂ । ତେଣୁ ସିବିଆଇ ତଦନ୍ତ ପାଇଁ ସୁପାରିଶ କରି ନବୀନ ପଟ୍ଟନାୟକ ନିଜ ସ୍ୱଚ୍ଛତାର ପ୍ରମାଣ ଦିଅନ୍ତୁ ବୋଲି ବିଜେପି କହିଛି ।
ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ବିରଂଚି ନାରାୟଣ ତ୍ରିପାଠୀ, ଦିଲୀପ ମଲ୍ଲିକ ଓ ଉମାକାନ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
