
Manmohan Samal - State President
ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଆଜି ତାଙ୍କର ନୂଆ ଟିମ୍ ଗଠନ କରିଛନ୍ତି । ରାଜ୍ୟ କର୍ମକର୍ତ୍ତା ଟିମରେ ସେ ୨୬ଜଣଙ୍କୁ ସାମିଲ କରିଥିବାବେଳେ ତାଙ୍କ ପୁରୁଣା ଟିମରୁ ଦଳର ବରିଷ୍ଠ ନେତା ନାଉରୀ ନାଏକ, ଗୋଲକ ମହାପାତ୍ର, ଓ ଅପରାଜିତା ଷଡ଼ଙ୍ଗୀଙ୍କ ଭଳି ନେତାମାନଙ୍କୁ ବାଦ୍ ଦେଇଛନ୍ତି । ଏହି ନୂଆ କମିଟିରେ ୧୦ଜଣ ଉପସଭାପତି, ୪ଜଣ ସାଧାରଣ ସମ୍ପାଦକ(ପୂର୍ବରୁ ୫ଜଣ ଥିଲେ), ୧୦ଜଣ ସମ୍ପାଦକ ଓ ୨ଜଣ କୋଷାଧ୍ୟକ୍ଷ ରହିଛନ୍ତି । ମନମୋହନଙ୍କୁ ଦଳ ଜୁଲାଇ ପ୍ରଥମ ସପ୍ତାହରେ ପୁଣିଥରେ ରାଜ୍ୟ ସଭାପତି ଭାବେ ଦାୟିତ୍ୱ ନ୍ୟସ୍ତ କରିଥିଲା ।
ମନମୋହନଙ୍କ କମିଟିରେ ୨୬ଜଣ କର୍ମକର୍ତ୍ତା
ଦଳର ରାଜ୍ୟ ସଂଗଠନ ସମ୍ପାଦକ ମାନସ କୁମାର ମହାନ୍ତିଙ୍କ ଦ୍ୱାରା ଜାରି ନୂଆ କର୍ମକର୍ତ୍ତା ତାଲିକାରେ ମନମୋହନ ଯେଉଁ ୧୦ଜଣଙ୍କୁ ଉପସଭାପତି ଭାବେ ନିଯୁକ୍ତି ଦେଇଛନ୍ତି ସେଥିରେ ଯତୀନ ମହାନ୍ତି (ଖୋର୍ଦ୍ଧା), ଅଶୋକ ମିଶ୍ର (ନୟାଗଡ଼), କୁସୁମ ଟେଟେ (ସୁନ୍ଦରଗଡ଼), ରମେଶ ଚନ୍ଦ୍ର ସାହୁ (ନବରଙ୍ଗପୁର), କେ.ନାରାୟଣ ରାଓ (ଗଜପତି), ଶିବାଜୀ ମହାନ୍ତି (ବଲାଙ୍ଗୀର), ଭବେନ୍ଦ୍ର କୁମାର ପଣ୍ଡା (କଳାହାଣ୍ଡି), ସିପ୍ରା ବାଜପେୟୀ (ବାଲେଶ୍ୱର), ସୁଦର୍ଶନ ଗୋଏଲ (ରାଉରକେଲା) ଓ ବିଷ୍ଣୁ ଦାସ (କେନ୍ଦ୍ରାପଡ଼ା) ସ୍ଥାନ ପାଇଛନ୍ତି । ଦଳର କୋଷାଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିବା ସୁଦର୍ଶନ ଗୋଏଲଙ୍କୁ କମିଟିରେ ଉପସଭାପତି ଭାବେ ସାମିଲ କରାଯାଇଛି । ପୂର୍ବ କମିଟିରେ ଥିବା ଗୋଲକ ମହାପାତ୍ର, ଅପରାଜିତା ଷଡ଼ଙ୍ଗୀ, ନାଉରୀ ନାଏକ, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ପ୍ରମୁଖ ବାଦ୍ ପଡ଼ିଛନ୍ତି ।
ସେହିପରି ୪ଜଣ ସାଧାରଣ ସମ୍ପାଦକ ଭାବେ ବିରଂଚି ନାରାୟଣ ତ୍ରିପାଠୀ (ପୁରୀ), ଶାରଦା ପ୍ରସାଦ ଶତପଥୀ (ଭୁବନେଶ୍ୱର), ସୀମାଂଚଳ ଖଟେଇ (ସମ୍ବଲପୁର) ଓ ପୂର୍ଣ୍ଣିମା ପ୍ରିୟଦର୍ଶିନୀ ନାୟକ (କୋରାପୁଟ)ଙ୍କୁ ସ୍ଥାନ ମିଳିଛି । ପୂର୍ବ କମିଟିରେ ଉପସଭାପତି ଥିବା ବିରଂଚି ତ୍ରିପାଠୀଙ୍କୁ ସାଧାରଣ ସମ୍ପାଦକ କରାଯାଇଥିବାବେଳେ ଯତୀନ ମହାନ୍ତିଙ୍କୁ ଉପସଭାପତି ଦାୟିତ୍ୱ ଦିଆଯାଇଛି । ସାଧାରଣ ସମ୍ପାଦକ ପଦବୀରୁ ରାଉରକେଲାର ପୂର୍ଣ୍ଣିମା କେରକେଟା ବାଦ୍ ପଡ଼ିଥିବା ଜଣାପଡ଼ିଛି ।
ସେହିପରି ଦଳର ରାଜ୍ୟ ସମ୍ପାଦକ ସରୋଜ କୁମାର କର (କଟକ), କାଳନ୍ଦୀ ସାମଲ (ଅନୁଗୁଳ), ସ୍ମୃତି ପଟ୍ଟନାୟକ (କଟକ), ପ୍ରୀତି ପ୍ରତିଭା ଭୋଳ (ପୁରୀ), ଭଗବାନ ମହାନ୍ତି (କନ୍ଧମାଳ), ପିଙ୍କି ପ୍ରଧାନ (ଭୁବନେଶ୍ୱର), ରାମ ଚନ୍ଦ୍ର ହାଁସଦା (ମୟୂରଭଞ୍ଜ ପଶ୍ଚିମ), ମମତା ସିଂହ (କେନ୍ଦୁଝର), ପୃଥ୍ୱୀରାଜ ମହାପାତ୍ର (ଘୁମୁସର-ଆସିକା) ଓ ସ୍ମିତା ପ୍ରଧାନ (ଜଗତସିଂହପୁର) ରହିଛନ୍ତି ।
ଅଜୟ କୁମାର ଅଗ୍ରୱାଲ (ଭୁବନେଶ୍ୱର)ଙ୍କୁ କୋଷାଧ୍ୟକ୍ଷ ଭାବେ ନୂତନ ଭାବେ ନିଯୁକ୍ତି ମିଳିଥିବାବେଳେ ଦିବାକର ହରିଚନ୍ଦନ (ପୁରୀ)ଙ୍କୁ ଯୁଗ୍ମ କୋଷାଧ୍ୟକ୍ଷ ପଦ ବଜାୟ ରଖିଛନ୍ତି ।
୨୦୨୪ ବିଧାନସଭା ନିର୍ବାଚନରେ ବିଜେପି ଓଡ଼ିଶାରେ ସରକାର ଗଠନ କରିବା ପରେ ରାଜ୍ୟ ସଂଗଠନକୁ ଅଧିକ ସୁଦୃଢ଼ କରିବା ଦିଗରେ ଏହି ପଦାଧିକାରୀ ନିଯୁକ୍ତି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବିବେଚନା କରାଯାଉଛି । Manmohan Samal ମନମୋହନ ନିଜସ୍ୱ ଟିମ୍ ବାଛି ସଂଗଠନକୁ ରାଜ୍ୟରେ ଅଧିକ କ୍ରିୟାଶୀଳ (Bjp Action Plan) କରିବେ ବୋଲି ଜଣାପଡ଼ିଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
