Advertisment

ତାତିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ, ବିଧାନସଭାରେ ବିରୋଧୀଙ୍କୁ ତାଲ ପକାଇବାକୁ ବାଚସ୍ପତିଙ୍କୁ କହିଲେ

ସେ ଗୋଟିଏ ତାଲା ଓ ଚାବି ମଧ୍ୟ ବାଚସ୍ପତି ଦେଇଛନ୍ତି। ଏହାଦ୍ୱାରା ବିରୋଧୀ ବିଧାୟକମାନେ ଆଲୋଚନା ବେଳେ ଆଉ ବାହାରକୁ ଯାଇ ପାରିବେ ନାହିଁ ବୋଲି ସେ କହିବା ପରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି।

author-image
Hemant Lenka
Punjab

Punjab

ପଞ୍ଜାବ ବିଧାନସଭାରେ ଆଜି ତୀବ୍ର ଉତ୍ତେଜନା ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ବିରୋଧୀଙ୍କ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରି ସେମାନଙ୍କୁ ବିତର୍କ ବେଳେ ବିଧାନସଭାର ଗୋଟିଏ ରୁମରେ ତାଲା ପକାଇ ରଖିବାକୁ ବାଚସ୍ପତିଙ୍କୁ କହିଛନ୍ତି।

Advertisment

ଏଥିସହ ସେ ଗୋଟିଏ ତାଲା ଓ ଚାବି ମଧ୍ୟ ବାଚସ୍ପତି ଦେଇଛନ୍ତି। ଏହାଦ୍ୱାରା ବିରୋଧୀ ବିଧାୟକମାନେ ଆଲୋଚନା ବେଳେ ଆଉ ବାହାରକୁ ଯାଇ ପାରିବେ ନାହିଁ ବୋଲି ସେ କହିବା ପରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି।

ବଜେଟ ଅଧିବେଶନର ଦ୍ୱିତୀୟ ଦିନର ଆଲୋଚନା ପୂର୍ବରୁ ମୁଖ୍ୟମନ୍ତ୍ରୀ ମାନ କହିଥିଲେ ଯେ ସେ ବାଚସ୍ପତିଙ୍କ ପାଇଁ ଗୋଟିଏ ଉପହାର ଆଣିଛି। ସମ୍ଭବତଃ ଏପରି ଉପହାର କେବେ କେହି ଦେଖି ନଥିବେ। ଏହାପରେ ସେ ବାଚସ୍ପତିଙ୍କୁ ଗୋଟିଏ ହଳଦିଆ ରଙ୍ଗର ଏନଭଲପ୍ ଦେଇଥିଲେ। ଏଥିରେ ଗୋଟିଏ ଚାବି ଓ ତାଲା ରହିଥିଲା।

Advertisment

ମୁଖ୍ୟମନ୍ତ୍ରୀଙ୍କ ଏପରି ଆଚରଣକୁ କଂଗ୍ରେସ ବିଧାୟକ ତଥା ବିରୋଧୀ ଦଳ ନେତା ପ୍ରତାପ ସିଂହ ବାଜୱା ବିରୋଧ କରିଥିଲେ। ବିରୋଧୀ କେଉଁ ଆଡେ ଯିବେ ନାହିଁ ବୋଲି ସେ କହିଥିଲେ। ଏହାକୁ ନେଇ ଦୁଇ ନେତାଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା।

ମୁଖ୍ୟମନ୍ତ୍ରୀ ମାନ ବିରୋଧୀ ଦଳ ନେତା ବାଜୱାଙ୍କୁ କଟାକ୍ଷ କରି କହିଥିଲେ, “ରାହୁଲ ଗାନ୍ଧି ଓ ସୋନିଆ ଗାନ୍ଧି କାହ ସହିତ ବସୁଛନ୍ତି? ମୋ ସହିତ। ଆପଣ କେବେ ସେମାନଙ୍କ ପାଖରେ ବସିଛନ୍ତି? ଗୋଟିଏ ପଟେ ଆପଣ ଆମ ସହ ସିଟି ଶେୟାରିଂକୁ ନେଇ ବୁଝାମଣା କରୁଛନ୍ତି। ଅନ୍ୟପଟେ ଏପରି ଆଚରଣ ପ୍ରଦର୍ଶନ କରୁଛନ୍ତି। ଆପଣ ଯାଆନ୍ତୁ ଓ ସେମାନଙ୍କୁ(ରାହୁଲ ଓ ସୋନିଆ) କୁହନ୍ତୁ ସେମାନେ କୁରୁକ୍ଷେତ୍ର, ଦିଲ୍ଲୀ ଓ ଗୁଜରାଟ(ଲୋକସଭା) ଆସନଗୁଡ଼ିକ ଆମକୁ ଦିଅନ୍ତୁ ନାହିଁ।”

ହଟ୍ଟଗୋଳ ବଢ଼ୁଥିବାରୁ ଏହାକୁ ନିୟନ୍ତ୍ରଣ କରିବା ପାଇଁ ବାଚସ୍ପତି କୁଲତାର ସିଂହ ସାନ୍ଧୱାନ କହିଥିଲେ ଯେ ଏପରି ତାଲା ଚାବି କେବଳ ଗୋଟିଏ ସଙ୍କେତ ବା ପ୍ରତୀକ। ଗୃହରେ ଯେମିତି ଆଲୋଚନା ଠିକ ଭାବେ ହୋଇପାରିବ, ସେଥିପାଇଁ ଏପରି ଆଚରଣ ପ୍ରଦର୍ଶନ ହୋଇଛି। ତଥାପ ନାରାବାଜୀ ବନ୍ଦ ହୋଇ ନଥିଲା। ଫଳରେ ବାଚସ୍ପତି ଗୃହକୁ ମୁଲତବୀ ଘୋଷଣା କରିଥିଲେ।

ଗୃହ ମୁଲତବୀ ହେବା ପରେ ମଧ୍ୟରେ ଶାସକ ଆପ୍‌ର ବିଧାୟକମାନେ ବିରୋଧୀ ସଦସ୍ୟଙ୍କ ବେଞ୍ଚ ଆଡ଼କୁ ମାଡ଼ି ଯାଇଥିଲେ। ହାତାହାତି ଯାଏ ସ୍ଥିତି ମଧ୍ୟ ଉପୁଜିବାର ଆଶଙ୍କା ପ୍ରକାଶ ପାଇଥିଲା। ତେବେ ଦୁଇ ପକ୍ଷରୁ ଆଉ କିଛି ବିଧାୟକଙ୍କ ହସ୍ତକ୍ଷେପ ଯୋଗୁ ଏହା ଟଳି ଥିଲା।

ମୁଖ୍ୟମନ୍ତ୍ରୀ ମାନ ବିରୋଧୀ ସଦସ୍ୟଙ୍କ ବିରୋଧରେ ଆପତ୍ତିଜନକ ଶବ୍ଦ ବ୍ୟବହାର କରିଥିବା ବାଜୱା ଅଭିଯୋଗ କରିଛନ୍ତି। ସେ କହିଛନ୍ତି, “ଆମର ଦଳିତ ବିଧାୟକ ସୁଖବିନ୍ଦର ସିଂହ କୋଟଲି ଜଣେ ଦଳିତ ଉପ ମୁଖ୍ୟମନ୍ତ୍ରୀ ହେବେ ବୋଲି ଶାସକ ଦଳ ଦେଇଥିବା ପ୍ରତିଶ୍ରୁତି ସମ୍ପର୍କରେ ପ୍ରଶ୍ନ କରିଥିଲେ। ସେ ନାରାବାଜୀ କରିବାରୁ ମୁଖ୍ୟମନ୍ତ୍ରୀ ତାଙ୍କୁ କଟାକ୍ଷ କରିଥିଲା। କୋଟଲି କଇଞ୍ଚି ଧରି ବୁଲୁଥିବା ସେ ଅତ୍ୟନ୍ତ ତାଚ୍ଛଲ୍ୟ କରି କହିଥିଲେ।”

କଂଗ୍ରେସ ପକ୍ଷରୁ ଭଗୱନ୍ତ ମାନଙ୍କ ଇସ୍ତଫା ମଗା ଯାଇଛି। ଏଥିସହ ନଜର ଉଚ୍ଚାରଣ ଓ ଆଚରଣ ପାଇଁ ସେ କ୍ଷମା ମାଗନ୍ତୁ ବୋଲି କଂଗ୍ରେସ ଦାବି କରିଛି। ଗୃହରୁ ବାହାରି କୋଟଲି ଗଣମାଧ୍ୟମକୁ ଘଟଣା ସମ୍ପର୍କରେ ସୂଚନା ଦେବା ପରେ କାନ୍ଦି ପକାଇଥିଲେ। ମାନଙ୍କ କଥା ତାଙ୍କୁ ଆଘାତ ଦେଇଥିବା ସେ କହିଛନ୍ତି।

ପ୍ରତାପ ସିଂହ ବାଜୱା ଆହୁରି କହିଛନ୍ତି ଯେ ଆପ୍‌ ପକ୍ଷରୁ ମାନଙ୍କୁ ଯେଉଁଠୁ ପ୍ରାର୍ଥୀ କରାଯିବ, ତାଙ୍କ ବିରୋଧରେ ସେ ନିଜେ ପ୍ରାର୍ଥୀ ହେବେ। ସେ କହିଛନ୍ତି, “ଯେତେବେଳେ ଯୁକ୍ତିତର୍କ ଚାଲିଥିଲା ସେତେବେଳେ ମୁଖ୍ୟମନ୍ତ୍ରୀ ମୋତେ ପଚାରିଥିଲେ ଯେ ମୁଁ କ’ଣ ତାଙ୍କ ବିରୋଧରେ ନିର୍ବାଚନ ଲଢ଼ି ପାରିବି? ପଞ୍ଜାବର ଯେଉଁ ସ୍ଥାନରେ ସେ ପ୍ରାର୍ଥୀ ହେବେ ସେହି ସ୍ଥାନରେ ମୁଁ ତାଙ୍କ ଆଗରେ ଛିଡ଼ା ହେବି। ମୁଁ ତାଙ୍କ ଚ୍ୟାଲେଞ୍ଜକୁ ଖୋଲାଖୋଲି ଭାବେ ଗ୍ରହଣ କରୁଛି।”

Congress Bhagwant Mann Punjab AAP