Advertisment

ଲଢ଼ିବେନି ପ୍ରସାଦ ହରିଚନ୍ଦନ, ମନୋଜ ରଥ ସତ୍ୟବାଦୀରୁ କଂଗ୍ରେସ ପ୍ରାର୍ଥୀ

ସତ୍ୟବାଦୀ ଆସନରୁ ପ୍ରସାଦ ହରିଚନ୍ଦନ କଂଗ୍ରେସ ଟିକେଟରେ ୧୯୯୫, ୨୦୦୦ ଓ ୨୦୦୯ରେ ବିଜୟୀ ହୋଇ ବିଧାନସଭାକୁ ଯାଇଥିଲେ।

author-image
Jitendra Garnayak
ଅଦ୍ୟତନ ହୋଇଛି
Manoj Rath

Manoj Rath

ଆଉ ୪ଟି ବିଧାନସଭା ଆସନ ପାଇଁ ଆଜି ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ମାହାଙ୍ଗାରୁ ଦଳ ଦେବେନ୍ଦ୍ର ସାହୁଙ୍କୁ ପ୍ରାର୍ଥୀ କରିଥିବା ବେଳେ ସତ୍ୟବାଦୀରୁ ମନୋଜ ରଥ, ଭୁବନେଶ୍ୱର-ମଧ୍ୟରୁ ପ୍ରକାଶ ଜେନା ଓ ଭୁବନେଶ୍ୱର-ଉତ୍ତରରୁ ଅଶୋକ ଦାସଙ୍କୁ କରିଛି ପ୍ରାର୍ଥୀ।

Advertisment

ସତ୍ୟବାଦୀ ଆସନରୁ ପ୍ରସାଦ ହରିଚନ୍ଦନ କଂଗ୍ରେସ ଟିକେଟରେ ୧୯୯୫, ୨୦୦୦ ଓ ୨୦୦୯ରେ ବିଜୟୀ ହୋଇ ବିଧାନସଭାକୁ ଯାଇଥିଲେ। କିନ୍ତୁ ୨୦୧୪ ଓ ୨୦୧୯ରେ ସେ ପରାଜିତ ହୋଇଥିଲେ। ୨୦୧୪ରେ ପ୍ରସାଦ ୨୫ ହଜାର ୯୦୫ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ। ୨୦୧୯ରେ ଆହୁରି ହ୍ରାସ ପାଇଥିଲା ତାଙ୍କ ଭୋଟ୍ ହାର। ସେ ମାତ୍ର ୧୧, ୨୭୩ ଖଣ୍ଡ ଭୋଟ୍ ପାଇଥିଲେ।

ଏଥର ନିର୍ବାଚନ ଲଢ଼ିବେନି ବୋଲି ବହୁ ପୂର୍ବରୁ କହି ସାରିଥିଲେ ପ୍ରସାଦ ହରିଚନ୍ଦନ। ଆଜି ଦଳ ମନୋଜ ରଥଙ୍କ ନାଁ ଘୋଷଣା କରିବା ପରେ ସେ ସେହି କଥାକୁ ପୁନରାବୃତ୍ତି କରିଛନ୍ତି।

Advertisment

ପ୍ରସାଦ କହିଛନ୍ତି, ମୁଁ ଆଗରୁ ହିଁ ନିର୍ବାଚନ ଲଢ଼ିବି ନାହିଁ ବୋଲି ଘୋଷଣା କରିସାରିଛି। ମନୋଜ ରଥ ଜଣେ ଦକ୍ଷ ନେତା। ସତ୍ୟବାଦୀରେ କଂଗ୍ରେସ ଆଗରୁ ଭଲ ପ୍ରଦର୍ଶନ କରୁଥିଲା। ଏବେ କଂଗ୍ରେସ ଗ୍ୟାରେଣ୍ଟି ନେଇ ଆମେ ଲୋକଙ୍କ ପାଖକୁ ଯିବୁ। ଚଳିତ ନିର୍ବାଚନରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି ମୋର ଆଶା ଅଛି।

ମନୋଜ ରଥ କହିଛନ୍ତି, ୨୦/୨୫ ବର୍ଷ ହେଲା ସମାଜସେବା କ୍ଷେତ୍ରରେ ଅଛି। ସାଧାରଣ ଲୋକଙ୍କ ସହିତ ଅଛି। ସେମାନଙ୍କ ଦୁଃଖ, କଷ୍ଟ ବିଷୟରେ ଅବଗତ ଅଛି। ଏବେ କଂଗ୍ରେସରୁ ସତ୍ୟବାଦୀରୁ ପ୍ରାର୍ଥୀ ହୋଇଛି। ତେଣୁ ପୁଣି ଥରେ ଲୋକଙ୍କ ପାଖକୁ ଯିବି। ସେମାନଙ୍କ ସମସ୍ୟା ଶୁଣିବି। ସେମାନଙ୍କ ସ୍ୱରକୁ କିପରି ବିଧାନସଭାରେ ଉଠାଯିବ, ସେ ନେଇ ସେମାନଙ୍କ ସହଯୋଗ କାମନା କରିବି।

ବିଜେପି ପୁଣି ଥରେ ଓମ୍ ପ୍ରକାଶ ମିଶ୍ରଙ୍କୁ ଏଠାରୁ ପ୍ରାର୍ଥୀ କରିଥିବା ବେଳେ ବିଜେଡି ସଞ୍ଜୟ ଦାସବର୍ମାଙ୍କୁ ପ୍ରାର୍ଥୀ କରିଛି। ସତ୍ୟବାଦୀରୁ ଏବେ ବିଧାୟକ ଥିବା ଉମାକାନ୍ତ ସାମନ୍ତରାୟଙ୍କୁ ବିଜେଡି ବ୍ରହ୍ମଗିରିରୁ ପ୍ରାର୍ଥୀ କରିଛି।

Congress Odisha Assembly Election 2024