ଖୋଲୁଛି ମହିଳା କମିଶନ ଅଫିସ ଗୁମର: ଅଧ୍ୟକ୍ଷାଙ୍କ ଚାମ୍ବରରେ ଅଛି ବେଡରୁମ୍ , ପଦ ଛାଡ଼ିବାକୁ ନାରାଜ ନେତ୍ରୀ

ରାଜ୍ୟ ସରକାର ନିଜ କ୍ଷମତାର ଉପଯୋଗ କରି ଓଡ଼ିଶା ରାଜ୍ୟ ମହିଳା ଆୟୋଗ ଆଇନ-୧୯୯୩ର ଧାରା ୪(୩)(ଘ) ଓ(ଚ)ର ପ୍ରାବଧାନ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପ୍ରକ୍ରିୟା ଆରମ୍ଭ କରିଛନ୍ତି ।

ମିନତୀ ବେହେରା

  • Published: Tuesday, 29 October 2024
  • , Updated: 29 October 2024, 10:10 PM IST

ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଓ ସମସ୍ତ ସଦସ୍ୟାଙ୍କୁ ବରଖାସ୍ତ କରାଯିବା ନେଇ ରାଜ୍ୟ ସରକାରଙ୍କ ଘୋଷଣାକୁ ୭ଦିନ ପୁରିଲାଣି । କିନ୍ତୁ ମହିଳା କମିଶନରେ ଥଇଥାନ ହୋଇଥିବା ବିଜେଡିର ଏହି ନେତ୍ରୀମାନେ ନିଜ କୁର୍ସି ଛାଡ଼ିବାକୁ ରାଜି ନାହାନ୍ତି । ଓଲଟା ରାଜ୍ୟର ବିଜେପି ସରକାରଙ୍କ ସହ ମୁହାଁମୁହିଁ ହେବାପାଇଁ ସଜବାଜ ହେଉଥିବା ଜଣାପଡ଼ିଛି । ଆଉ ୟା’ଭିତରେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ଅଫିସ୍ ଚାମ୍ବର ଭିତରେ ଏକ ଗୁପ୍ତ ବେଡରୁମ୍ ରହିଥିବା ନେଇ ଚାଂଚଲ୍ୟକର ତଥ୍ୟ ପଦାକୁ ଆସିଛି । ତେବେ ସରକାରୀ ଅଫିସ୍ ଚାମ୍ବରରେ ବେଡରୁମ୍ କାହିଁକି ରହିଛି ଓ ଏଥିପାଇଁ ତାଙ୍କୁ କିଏ ଅନୁମତି ଦେଇଥିଲେ ତାକୁ ନେଇ ପ୍ରଶ୍ନ ଉଠିଛି ।

ସୂଚନା ଅନୁସାରେ, ବିଜେଡି ଶାସନକାଳରେ ରାଜ୍ୟ ମହିଳା କମିଶନରେ ଥଇଥାନ ହୋଇଥିବା ବିଜେଡି ନେତ୍ରୀମାନଙ୍କୁ ଗତ ୨୩ତାରିଖରେ ସେମାନଙ୍କୁ ପଦରୁ ବହିଷ୍କାର କରାଯିବା ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା ।  ଦଳୀୟଭିତ୍ତିରେ ନିଯୁକ୍ତି ପାଇଥିବା ଏହି ନେତ୍ରୀମାନେ ନୈତିକତା ଦୃଷ୍ଟିରୁ ନିଜଆଡ଼ୁ ପଦରୁ ଇସ୍ତଫା ନଦେବାପରେ ବିଜେପି ସରକାର ଏଭଳି ନିଷ୍ପତ୍ତି ନେଇଥିଲେ । ମାତ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସୂଚନା ପରେ ମଧ୍ୟ ଏହି ନେତ୍ରୀମାନେ ନିଜଆଡ଼ୁ ପଦରୁ ଓହରିଯିବା ପରିବର୍ତ୍ତେ ରାଜ୍ୟର ବିଜେପି ସରକାରଙ୍କ ସହ ମୁହାଁମୁହିଁ ହେବା ପାଇଁ ସଜବାଜ ହେବା ଜାଣିବା ପରେ ମହିଳା ଓ ଶିଶୁବିକାଶ ବିଭାଗ ପକ୍ଷରୁ ଗତ ୨୮ତାରିଖରେ ଏହି ନେତ୍ରୀମାନଙ୍କୁ କାରଣଦର୍ଶାଅ ନୋଟିସ୍ ଜାରି ହୋଇଥିଲା । ରାଜ୍ୟ ସରକାର ନିଜ କ୍ଷମତାର ଉପଯୋଗ କରି ଓଡ଼ିଶା ରାଜ୍ୟ ମହିଳା ଆୟୋଗ ଆଇନ-୧୯୯୩ର ଧାରା ୪(୩)(ଘ) ଓ(ଚ)ର ପ୍ରାବଧାନ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ତେବେ ସରକାରଙ୍କ ଏଭଳି ମତିଗତି ଜାଣିବା ପରେ ମଧ୍ୟ ରାଜନୀତିକ ଥଇଥାନ ହୋଇଥିବା ଏହି ବିଜେଡି ନେତ୍ରୀମାନେ ନିଜ ପଦ ଛାଡ଼ିବା ପରିବର୍ତ୍ତେ ଆଇନଗତ ଲଢ଼େଇ ପାଇଁ ସଜବାଜ ହେଉଥିବା ଜଣାପଡ଼ିଛି । ଏପରିକି ସରକାରଙ୍କ କାରଣଦର୍ଶାଅ ନୋଟିସର ଜବାବ ଦାଖଲ କରିଥିବା ଏହି ନେତ୍ରୀମାନେ ନିଜଆଡ଼ୁ ଇସ୍ତଫା ଦେଇ ସମ୍ମାନଜନକ ଭାବେ ନିଜ ପଦରୁ ଓହରିଯିବା ପରିବର୍ତ୍ତେ ରାଜ୍ୟ ସରକାରଙ୍କ ସହ ମୁହାଁମୁହିଁ ହେବା ଭଳି ପରିସ୍ଥିତି ଉପୁଜାଇଥିବା ବିଭାଗ ସୂତ୍ରରୁ ସୂଚନା ମିଳିଛି ।

ସେପଟେ ରାଜ୍ୟ ମହିଳା କମିଶନଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ଅଫିସ୍ ଚାମ୍ବର ପରିସରରେ ଏକ ବେଡରୁମ୍ ରହିଛି । ଯେଉଁଠି ବେଡ୍ ସହ ଡନଲପ୍ ଗଦି ଓ ତକିଆ ମଧ୍ୟ ବିଛା ଯାଇଛି । ଗତ ୨୦୨୩ ସେପ୍ଟେମ୍ବର ମାସରେ ମହିଳା ଆୟୋଗଙ୍କ ଅଫିସ୍ ତୋଷାଳୀ ଭବନର ତିନିମହଲାରୁ ପ୍ରଥମ ମହଲାକୁ ସ୍ଥାନାନ୍ତର ହେବାପରେ କେବଳ ଅଧ୍ୟକ୍ଷାଙ୍କ ଅଫିସ୍ ଚାମ୍ବର ଭିତରେ ଗୋଟିଏ ବେଡରୁମ୍ ତିଆରି ହୋଇଥିଲା । ଯାହା ଏବେବି ରହିଛି ।

କିନ୍ତୁ ପ୍ରଶ୍ନ ଉଠୁଛି, ଗୋଟିଏ ସରକାରୀ ଅଫିସ(ମହିଳା କମିଶନ କାର୍ଯ୍ୟାଳୟ)ରେ ଏଭଳି ବେଡରୁମର ଆବଶ୍ୟକତା କ’ଣ ରହିଛି? ଅନ୍ୟ ସଦସ୍ୟାମାନଙ୍କ ଚାମ୍ବରରେ ସେଭଳି ବ୍ୟବସ୍ଥା ନଥିବାବେଳେ କେବଳ ଅଧ୍ୟକ୍ଷାଙ୍କ ଚାମ୍ବରରେ ଏଭଳି ବେଡରୁମ୍ କାହିଁକି ରହିଛି? ଏହି ବେଡରୁମକୁ କିଏ ଉପଯୋଗ କରୁଥିଲେ? ଆୟୋଗଙ୍କ କାର୍ଯ୍ୟାଳୟଠାରୁ ଅଧ୍ୟକ୍ଷାଙ୍କ ସରକାରୀ କ୍ୱାର୍ଟର୍ସ ମାତ୍ର ୫ମିନିଟର ଦୂରତ୍ୱ ରହିଥିଲେ ମଧ୍ୟ ଏହି ବେଡରୁମ୍ ତିଆରି କରାଯିବାକୁ କିଏ ଅନୁମତି ଦେଇଥିଲେ? ଯଦି ଅଧ୍ୟକ୍ଷା ଅସୁସ୍ଥ ଥିଲେ ଓ ବିଶ୍ରାମ ନେବା ଜରୁରୀ ଥିଲା ତା’ର ଖବର ରାଜ୍ୟ ସରକାରଙ୍କୁ ସେ କାହିଁକି ଦିଆଯାଇନଥିଲା? ଏଭଳି ଏକାଧିକ ପ୍ରଶ୍ନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ଅବଶ୍ୟ, ବିଜେଡି ନେତା-ନେତ୍ରୀମାନେ ନିଜର ଏଭଳି ସିକ୍ରେଟ୍ ଚାମ୍ବରକୁ ନେଇ ଚର୍ଚ୍ଚାରେ ରହିଆସିଛନ୍ତି । ବିଜେଡି ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସଙ୍କ ସରକାରୀ କ୍ୱାର୍ଟର୍ସ ପରିସରରେ ସେ ତିଆରି କରିଥିବା ଅଣ୍ଡରଗ୍ରାଉଣ୍ଡ ରୁମକୁ ନେଇ ବିବାଦ ଉଠିଥିଲା ।

ସୂଚନାଯୋଗ୍ୟ,ମହିଳା ଆୟୋଗ ଅଧ୍ୟକ୍ଷା ଓ ଅନ୍ୟ ୪ଜଣ ସଦସ୍ୟା ସମସ୍ତେ ବିଜେଡିର ଆଗଧାଡ଼ିର ନେତ୍ରୀ । ବିଜେଡି ସରକାରରେ ସେମାନଙ୍କୁ ଏହି ମହିଳା ଆୟୋଗରେ ଥଇଥାନ କରାଯାଇଥିଲା । ବିଜେଡି ନେତ୍ରୀ ମିନତୀ ବେହେରାଙ୍କୁ ୨୦୨୨ ଅକ୍ଟୋବର ମାସରେ ଦ୍ୱିତୀୟଥର ପାଇଁ ଅଧ୍ୟକ୍ଷା ଭାବେ ଥଇଥାନ କରାଯାଇଥିବାବେଳେ ୨୦୨୩ ଏପ୍ରିଲ ମାସରେ ଅନ୍ୟ ୪ଜଣ ବିଜେଡି ନେତ୍ରୀଙ୍କୁ ଆୟୋଗର ସଦସ୍ୟା ଭାବେ ଅବସ୍ଥାପିତ କରାଯାଇଥିଲା ।

ତେବେ ରାଜ୍ୟରେ ଜୁନ୍ ମାସରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ସମସ୍ତ ନିଗମ,ବୋର୍ଡ ଓ ଅନ୍ୟାନ୍ୟ ସରକାରୀ ପଦବୀରେ ଥଇଥାନ ହୋଇଥିବା ବିଜେଡି ନେତାମାନଙ୍କୁ ତତ୍କାଳ ପ୍ରଭାବରୁ ହଟାଇ ଦେଇଥିଲେ । କିନ୍ତୁ ରାଜ୍ୟ ମହିଳା ଆୟୋଗ ଓ ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗରେ ବିଜେଡି ନେତ୍ରୀମାନଙ୍କୁ ହଟାଯାଇନଥିଲା । ସେମାନେ ନିଜଆଡ଼ୁ ଇସ୍ତଫା ନଦେବା ପରେ ରାଜ୍ୟ ସରକାର ଓଡ଼ିଶା ଆକ୍ଟ-୧୯୯୪ର ଧାରା ୩ରେ ପ୍ରଦତ୍ତ କ୍ଷମତାକୁ ଉପଯୋଗ କରି ମହିଳା ଆୟୋଗ ଅଧ୍ୟକ୍ଷା ଓ ସଦସ୍ୟାଙ୍କୁ ବରଖାସ୍ତ କରିଥିବା ଜଣାପଡ଼ିଛି ।

Related story