Advertisment

ଦିବ୍ୟାଙ୍ଗ ପିଲାଙ୍କୁ ବିଜେଡି କେକ୍ କଟାଇଲେ ମେୟର ଓ ବିଧାୟକ : ଆଇନକୁ ଫୁ’, ସମସ୍ତେ ଚୁପ୍

କୁନିକୁନି ଦିବ୍ୟାଙ୍ଗ ପିଲାମାନଙ୍କ ଦ୍ୱାରା ବିଜେଡି ନେତାମାନେ ଯେଉଁ କେକ୍ କଟାଇଥିଲେ ସେହି କେକ୍ ସମ୍ପୂର୍ଣ୍ଣ ଭାବେ ବିଜେଡି ରଙ୍ଗରେ ରଙ୍ଗାୟିତ ହୋଇଥିଲା । କେକ ଉପରେ ‘ବିଜୁ ଜନତା ଦଳ’ ଲେଖାଯିବା ସହ ଏହାର ନିର୍ବାଚନୀ ଚିହ୍ନ ‘ଶଙ୍ଖ’ ମଧ୍ୟ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଥିଲା ।

author-image
Ordigital Desk
ଅଦ୍ୟତନ ହୋଇଛି
Cake Cutting

Cake Cutting

ନିଜର ରାଜନୀତିକ ଏଜେଣ୍ଡା ପାଇଁ କୋମଳମତି ଦିବ୍ୟାଙ୍ଗ ପିଲାଙ୍କୁ ଉପଯୋଗ କଲା ବିଜେଡି । ସବୁ ନୀତିନିୟମକୁ ଫୁ’ କରିଦେଇ ଶସ୍ତା ପ୍ରଚାର ଉଦ୍ଦେଶ୍ୟରେ ଛୋଟ ଛୋଟ ଦିବ୍ୟାଙ୍ଗ ପିଲାଙ୍କୁ ଧରି ଭୁବନେଶ୍ୱରର ପ୍ରଥମ ନାଗରିକ ମେୟର ସୁଲୋଚନା ଦାସ ‘ବିଜେଡି’ ଓ ‘ଶଙ୍ଖ’ ଚିହ୍ନ ଥିବା କେକ୍ କାଟିଲେ । ବିଜେଡି ବିଧାୟକ ଓ ନେତାମାନଙ୍କ ଉପସ୍ଥିତିରେ ମେୟରଙ୍କ ଏଭଳି କାର୍ଯ୍ୟ ସିଧାସଳଖ ସମ୍ବିଧାନର ଧାରା ୨୧କୁ ଖୋଲା ଉଲ୍ଲଘଂନ କରୁଛି । ଆଉ କୋମଳମତି ଦିବ୍ୟାଙ୍ଗ ପିଲାମାନଙ୍କ ମାନସିକତା ଉପରେ ଦୀର୍ଘକାଳୀନ ଗୁରୁତର ପ୍ରତିକୂଳ ପ୍ରଭାବ ପକାଇବାର ବି ଆଶଙ୍କା ରହିଛି । ତଥାପି ମେୟର ଓ ବିଜେଡି ନେତାମାନଙ୍କ ଏଭଳି କାର୍ଯ୍ୟ ସତ୍ତ୍ୱେ ରାଜ୍ୟରେ ଶିଶୁ-ଦିବ୍ୟାଙ୍ଗଙ୍କ ସୁରକ୍ଷା ଓ ଅଧିକାର ପାଇଁ କାର୍ଯ୍ୟ କରୁଥିବା ସଂଗଠନ ଏବଂ ସରକାରୀ ସଂସ୍ଥା ନୀରବଦ୍ରଷ୍ଟା ସାଜିବା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।

Advertisment

ସୂଚନା ଅନୁସାରେ, ଗତକାଲି ଅକ୍ଟୋବର ୧୬ତାରିଖରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ ଓ ଭୁବନେଶ୍ୱର-ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ସମେତ ବିଜେଡିର କର୍ପୋରେଟରମାନେ ରାଜଧାନୀ ଭୁବନେଶ୍ୱରର ଭରତପୁରସ୍ଥିତ ଲୁଇସ୍ ବ୍ରେଲି ସ୍କୁଲ(ଦୃଷ୍ଟିହୀନ ପିଲା)ରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ପାଳନ କରିଥିଲେ । ତେବେ କୁନିକୁନି ଦିବ୍ୟାଙ୍ଗ ପିଲାମାନଙ୍କ ଦ୍ୱାରା ବିଜେଡି ନେତାମାନେ ଯେଉଁ କେକ୍ କଟାଇଥିଲେ ସେହି କେକ୍ ସମ୍ପୂର୍ଣ୍ଣ ଭାବେ ବିଜେଡି ରଙ୍ଗରେ ରଙ୍ଗାୟିତ ହୋଇଥିଲା । କେକ ଉପରେ ‘ବିଜୁ ଜନତା ଦଳ’ ଲେଖାଯିବା ସହ ଏହାର ନିର୍ବାଚନୀ ଚିହ୍ନ ‘ଶଙ୍ଖ’ ମଧ୍ୟ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଥିଲା । ଆଉ ଦୃଷ୍ଟିଶକ୍ତି ନଥିବା ନିରୀହ ପିଲାମାନଙ୍କ ଧରି ବିଜେଡି ନେତାମାନେ ସେହି କେକ୍ କାଟି ନିଜ ଦଳର ସଭାପତିଙ୍କ ଜନ୍ମଦିନ ପାଳନ କରିଥିଲେ ।

ତେବେ ଏଠାରେ ପ୍ରଶ୍ନ ଉଠୁଛି, କୁନିକୁନି ଦିବ୍ୟାଙ୍ଗ ପିଲାମାନଙ୍କ ସହ ଏହି ଦଳୀୟ କେକ୍ କାଟିବା ପାଇଁ କିଏ ଅନୁମତି ଦେଇଥିଲା ? ମେୟର ଓ ବିଧାୟକଙ୍କୁ ନିଜର ପ୍ରଚାର ପାଇଁ ଏଭଳି ଶସ୍ତା କୌଶଳ ଆପଣାଇବା କ’ଣ ଜରୁରୀ ଥିଲା କି? ପିଲାମାନଙ୍କୁ ରାଜନୀତିକ ଉଦ୍ଦେଶ୍ୟରେ ଉପଯୋଗ ନକରିବା ପାଇଁ ସ୍ପଷ୍ଟ ନିର୍ଦ୍ଦେଶ ନିର୍ବାଚନ କମିଶନଙ୍କଠୁ ଆରମ୍ଭ କରି ସୁପ୍ରିମକୋର୍ଟ ଦେଇଥିଲେ ମଧ୍ୟ ବିଜେଡି ନେତାମାନେ ଏହାକୁ କାହିଁକି ଅଣଦେଖା କଲେ? ପିଲାମାନଙ୍କୁ ପରୋକ୍ଷ କିମ୍ବା ପ୍ରତ୍ୟକ୍ଷ ଭାବେ ରାଜନୀତିକ କାରଣ ସହ ଜଡ଼ିତ ପ୍ରସଙ୍ଗରେ ଉପଯୋଗ କରିବା ଉପରେ କଟକଣା ରହିଥିବା ନେଇ କ’ଣ ମେୟର ଓ ବିଧାୟକ ସଚେତନ ନୁହଁନ୍ତି କି? ଯଦି ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ପାଳନ କରିବାର ଥିଲା ତା’ହେଲେ ବିଜେଡି କେକ୍ କିମ୍ବା ନିର୍ବାଚନୀ ଚିହ୍ନ ବଦଳରେ କେବଳ ମୁଖ୍ୟମନ୍ତ୍ରୀଙ୍କ ଫଟୋଚିତ୍ର ରଖାଯାଇ ପାରିଥାନ୍ତା, କିନ୍ତୁ ମେୟର ଶ୍ରୀମତୀ ଦାସ ଓ ବିଧାୟକ ଶ୍ରୀ ରାଉତ ଏବଂ ବିଜେଡିର ଅନ୍ୟ ନେତାମାନେ ସେଭଳି କରିନାହାନ୍ତି । ଓଲଟା ରାଜନୀତିକ ଉଦ୍ଦେଶ୍ୟରେ ଠିକ୍ ଭାବେ ଦେଖିପାରୁନଥିବା ଏହି ଦିବ୍ୟାଙ୍ଗ ପିଲାମାନଙ୍କୁ ନିଜ ଦଳୀୟ କେକ୍ କଟାଇବାକୁ ପଛାଇ ନାହାନ୍ତି । ମେୟର ଶ୍ରୀମତୀ ଦାସ ପୂର୍ବରୁ ରାଜ୍ୟ ଭିନ୍ନକ୍ଷମ କମିଶନର ଭାବେ କାର୍ଯ୍ୟ କରିଥିଲେ।  

Advertisment

ଅନ୍ୟପକ୍ଷରେ ଏହି ଦୃଷ୍ଟିଶକ୍ତି ବାଧିତ ପିଲାମାନଙ୍କ ସହ କାଟିଥିବା ବିଜେଡି କେକକୁ ମେୟର ଶ୍ରୀମତୀ ଦାସ ନିଜ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ମେୟର ଶ୍ରୀମତୀ ଦାସ ଯେଉଁସବୁ ଫଟୋ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରିଛନ୍ତି ସେଥିରେ ସ୍ପଷ୍ଟ ଭାବେ ଦିବ୍ୟାଙ୍ଗ ପିଲାମାନେ ବିଜେଡିର ରାଜନୀତିକ ଉଦ୍ଦେଶ୍ୟ ପାଇଁ ଉପଯୋଗ ହେଉଥିବା ଦେଖିବାକୁ ମିଳିଛି । ଯାହାକି କୋମଳମତି ପିଲାମାନଙ୍କୁ ମାନସିକ ନିର୍ଯାତନା ଭାବେ ବିବେଚନା କରାଯାଇପାରିବ । ସେମାନଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ବି ଏଭଳି କାର୍ଯ୍ୟକ୍ରମ ଦୀର୍ଘଦିନ ଧରି ପ୍ରଭାବ ପକାଇବାର ଆଶଙ୍କା ରହିଛି । ଏସବୁ ବିଷୟରେ ଭଲ ଭାବେ ସଚେତନ ଥିବା ତଥା ଶିଶୁ ଓ ଦିବ୍ୟାଙ୍ଗଙ୍କ ସୁରକ୍ଷା ଏବଂ ଅଧିକାର ପାଇଁ ରାଜ୍ୟରେ କାର୍ଯ୍ୟ କରୁଥିବା ସଂଗଠନଗୁଡ଼ିକ ଏସବୁ ଦେଖି ନିରବ ରହିବା ପରୋକ୍ଷରେ ସେମାନଙ୍କର ବିଶ୍ୱସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏପରିକି ରାଜ୍ୟ ଶିଶୁ  ଅଧିକାର ସୁରକ୍ଷା ଆୟୋଗ ମଧ୍ୟ ଏହି ଘଟଣା ଉପରେ ପ୍ରତିକ୍ରିୟାଶୀଳ ହୋଇନଥିବା ଜଣାପଡ଼ିଛି ।

ଏସବୁ ବ୍ୟତୀତ ଖୋଦ୍ ମୁଖ୍ୟମନ୍ତ୍ରୀ ବିଭିନ୍ନ କାରଣରୁ ୨୦୧୮ ମସିହାରୁ ନିଜ ଜନ୍ମଦିନ ପାଳନ କରୁନାହାନ୍ତି । ମୁଖ୍ୟମନ୍ତ୍ରୀ ନିଜର ଜନ୍ମଦିନ ପାଳୁନଥିବାବେଳେ ମେୟର ଓ ବିଧାୟକ କାହିଁକି ଦିବ୍ୟାଙ୍ଗ ପିଲାଙ୍କୁ ଧରି କେକ୍ କଟାଉଛନ୍ତି ତାହା ବି ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ସୂଚନାଯୋଗ୍ୟ, କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଭାରତଯୋଡ଼ୋ ଯାତ୍ରା ସମୟରେ କୁନିକୁନି ପିଲାମାନେ ତାଙ୍କୁ ଭେଟିବା  ଉପରେ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ନିଜ ଆଡ଼ୁ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରି ନିର୍ବାଚନ କମିଶନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

Naveen Patnaik Bjd Leader Mayor Sulochana Das