Advertisment

ଜିଲ୍ଲାପାଳ, ଏସ୍‌ପିଙ୍କ ଟି-ସାର୍ଟରେ ନବୀନଙ୍କ ଫଟୋ; ଅପରାଜିତା କହିଲେ, ଦୁର୍ଭାଗ୍ୟଜନକ

ଏହି କାର୍ଯ୍ୟକ୍ରମରେ କରାଯାଇଥିବା ସଭାମଞ୍ଚ, ଏହାର ଲୋଗୋ, ବେଲୁନର ରଙ୍ଗ ସବୁଜ ଥିଲା। ଏହା ସରକାରୀ କାର୍ଯ୍ୟକ୍ରମ କମ୍‌, ଦଳୀୟ କାର୍ଯ୍ୟକ୍ରମ ଅଧିକ ଲାଗୁଥିଲା।

author-image
Niharika Rout
ଅଦ୍ୟତନ ହୋଇଛି
Meeting

Meeting

ଜିଲ୍ଲାପାଳ ଭୁଲିଗଲେ ଲକ୍ଷ୍ମଣଗାର। ଜଣେ ଉଚ୍ଚପଦସ୍ଥ ସରକାରୀ କର୍ମଚାରୀ ହୋଇ ବି ଦଳୀୟ ରଙ୍ଗର ଟି-ସାର୍ଟ ପିନ୍ଧିବାକୁ ଦ୍ୱିଧା ପ୍ରକାଶ କଲେ ନାହିଁ। ସରକାରୀ କାର୍ଯ୍ୟକ୍ରମରେ ଅତି ସତର୍କତାର ସହ ଦିଆଯାଇଥିଲା ଦଳୀୟ ଛୁଙ୍କ। କାରଣ ସରକାରୀ କାର୍ଯ୍ୟକ୍ରମରେ ବ୍ୟବହୃତ ହୋଇଥିବା ଟେଣ୍ଟ, ପେଣ୍ଡାଲ, ବେଲୁନ, ଲୋଗୋର ରଙ୍ଗ ଓ ଡିଜାଇନ ଦଳୀୟ କାର୍ଯ୍ୟକ୍ରମ ପରି ଦୃଶ୍ୟମାନ ହେଉଥିଲା। ଯାହାକୁ ନେଇ ଏବେ ତେଜିବାରେ ଲାଗିଛି ରାଜନୀତି।

Advertisment

ବାରିପଦାରେ ଗତକାଲି ସ୍ୱତନ୍ତ୍ର ଉନ୍ନୟନ ପରିଷଦ ପକ୍ଷରୁ ଆଦିବାସୀ ମିନି ମାରାଥନ କାର୍ଯ୍ୟକ୍ରମ ଆୟୋଜିତ ହେଉଥିଲା। ଏହି କାର୍ଯ୍ୟକ୍ରମରେ ହକି ଇଣ୍ଡିଆର ପୂର୍ବତନ ସଭାପତି ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ, ପ୍ରଦୀପ ମାଝି, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ, ଗଣ ଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି, ରାଜ୍ୟସଭା ସାଂସଦ ମମତା ମହାନ୍ତ, ବିଧାୟକ, ପୂର୍ବତନ ବାଚସ୍ପତି ସାନନ୍ଦ ମାରାଣ୍ଡି ପ୍ରମୁଖ ଯୋଗ ଦେଇଥିଲେ। ମୟୂରଭଞ୍ଜ ଜିଲ୍ଲାପାଳ ବିନିତ ଭରଦ୍ୱାଜ ଓ ଏସପି ବି. ଗଙ୍ଗାଧର ମଧ୍ୟ ସଭାସ୍ଥଳରେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ହଜାର ହଜାର ଯୁବବର୍ଗ ଯୋଗ ଦେଇଥିଲେ।

ସଭା ମଞ୍ଚରେ ଉପସ୍ଥିତ ଅତିଥିବୃନ୍ଦ ସବୁଜ ରଙ୍ଗର ଟି-ସାର୍ଟ ପିନ୍ଧିଥିବା ବେଳେ ଜିଲ୍ଲାପାଳ ଓ ଏସ୍‌ପି ବି ସମାନ ରଙ୍ଗର ଟି- ସାର୍ଟ ପିନ୍ଧିଥିଲେ। ଏହି କାର୍ଯ୍ୟକ୍ରମରେ କରାଯାଇଥିବା ସଭାମଞ୍ଚ, ଏହାର ଲୋଗୋ, ବେଲୁନର ରଙ୍ଗ ସବୁଜ ଥିଲା। ଏହା ସରକାରୀ କାର୍ଯ୍ୟକ୍ରମ କମ୍‌, ଦଳୀୟ କାର୍ଯ୍ୟକ୍ରମ ଅଧିକ ଲାଗୁଥିଲା। ସୋଶାଲ ମିଡିଆ ଏକ୍ସ ଜରିଆରେ ଜଣେ ୟୁଜର ନବୀନଙ୍କ ଟି ସାର୍ଟ ପିନ୍ଧା ମୟୂରଭଞ୍ଜ ଜିଲ୍ଲାପାଳଙ୍କ ଫଟୋ ପୋଷ୍ଟ କରି ଦେଇଥିଲେ। ଯାହାକୁ ରି ଟ୍ୱିଟ୍ କରି ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ହାସ୍ୟାସ୍ପଦ ବୋଲି ଲେଖିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ। ଅଫିସରଙ୍କ ଆଚରଣ ସ୍ତରରେ ଅଧଃପତନ ଏଭଳି ସ୍ତରରେ ପହଞ୍ଚିଲାଣି ବୋଲି ଲେଖିବା ସହ ସଂପୃକ୍ତ ଅଫିସରମାନେ ଜାଣିବା ଉଚିତ୍ ଯେ ସମୟ ସବୁବେଳେ ସମାନ ନଥାଏ ବୋଲି ଟ୍ୱିଟ କରିଛନ୍ତି ଅପରାଜିତା।

Advertisment

ମୟୂରଭଞ୍ଜ୍ ଏସପି ଓ ଜିଲ୍ଲାପାଳ ନିଜ ସାମ୍ବିଧାନିକ ସୀମା ଭିତରେ ରୁହନ୍ତୁ। ସରକାରୀ କର୍ମଚାରୀମାନେ ଆଇନ ଉଲ୍ଲଂଘନ କରିବା କିମ୍ବା ନୈତିକତା ହରାଇବା ସମାଜ ପାଇଁ ଶୁଭଙ୍କର ନୁହେଁ ବୋଲି କହିଛନ୍ତି ରାଜ୍ୟ ବିଜେପି ଉପସଭାନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର।

ଜିଲ୍ଲାପାଳ ନିଜ ଚାକିରିର ସର୍ତ୍ତାବଳୀ ସମ୍ପର୍କରେ ଭଲ ଭାବେ ଅବଗତ ଥିବା ବେଳେ କିପରି ଜାଣିଶୁଣି ଦଳୀୟ ଚିହ୍ନକୁ ଓ ରଙ୍ଗକୁ ପ୍ରୋତ୍ସାହିତ କରୁଛନ୍ତି, ତାହାକୁ ନେଇ ବୁଦ୍ଧିଜୀବୀମାନେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଏନେଇ ଜିଲ୍ଲାପାଳଙ୍କ ମତାମତ ସଂଗ୍ରହ କରିବାକୁ ଯିବାରୁ ତାହା ଏକ ସରକାରୀ କାର୍ଯ୍ୟକ୍ରମ ଥିଲା ବୋଲି ଚାଲି ଯାଇଥିଲେ।

Aparajita Sarangi Baripada