/odisha-reporter/media/post_attachments/uploadimage/library/16_9/16_9_0/BJD__1677506022.jpg)
BJD
ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ଜାତୀୟସ୍ତରରେ ବିଜେଡି ତଥା ବିଜେଡି ସୁପ୍ରିମୋଙ୍କ ଭାବମୂର୍ତ୍ତି ସଜାଡ଼ିବା ଓ ଗୁରୁତ୍ୱ ବୃଦ୍ଧି ନିମନ୍ତେ ଦଳ ପକ୍ଷରୁ ରଣନୀତି ଚୂଡ଼ାନ୍ତ ହୋଇଛି । ନିର୍ବାଚନ ପୂର୍ବରୁ ଜଣେ ସାମ୍ବାଦିକଙ୍କୁ ଦିଲ୍ଲୀରେ ମିଡିଆ ସଂଯୋଜକଙ୍କୁ ନିଯୁକ୍ତି ଦେଇ ତାଙ୍କ ମାଧ୍ୟମରେ ଜାତୀୟସ୍ତରରେ ଦଳ ଓ ସରକାରର ଭାବମୂର୍ତ୍ତି ବଢ଼ାଇବା ନିମନ୍ତେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ସମ୍ପୃକ୍ତ ମିଡିଆ ସଂଯୋଜକଙ୍କୁ ମାସିକ ୨ଲକ୍ଷ ଟଙ୍କା ଦଳ ପକ୍ଷରୁ ଦିଆଯିବ । ଆଜି ତାଙ୍କୁ ଏ ସଂକ୍ରାନ୍ତ ନିଯୁକ୍ତି ପତ୍ର ଦିଆଯାଇଛି । ସମ୍ପୃକ୍ତ ସାମ୍ବାଦିକ ଏବେ ଦିଲ୍ଲୀସ୍ଥିତ ମୁଖ୍ୟ ଆବାସିକ କମିଶନରଙ୍କ କାର୍ଯ୍ୟାଳୟରେ ମିଡିଆ ଉପଦେଷ୍ଟା ଭାବେ କାର୍ଯ୍ୟ କରୁଛନ୍ତି।
ମିଳିଥିବା ସୂଚନା ଅନୁସାରେ, ଗତ ପ୍ରାୟ ଦେଢ଼ବର୍ଷରୁ ଅଧିକ ସମୟ ଧରି ଦିଲ୍ଲୀସ୍ଥିତ ମୁଖ୍ୟ ଆବାସିକ କମିଶନରଙ୍କ କାର୍ଯ୍ୟାଳୟର ମିଡିଆ ଉପଦେଷ୍ଟା ଭାବେ ସାମ୍ବାଦିକ ସୌରଭ ଶ୍ରୀବାସ୍ତବ କାର୍ଯ୍ୟ କରୁଛନ୍ତି । ଆଜି ତାଙ୍କୁ ବିଜେଡି ପକ୍ଷରୁ ମାସିକ ୨ଲକ୍ଷ ଟଙ୍କା ଦରମାରେ ନିଯୁକ୍ତି ଦିଆଯାଇଛି। ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ତାଙ୍କୁ ଏ ସଂକ୍ରାନ୍ତରେ ଚିଠି ଲେଖି ତାଙ୍କୁ ମାସିକ ୨ଲକ୍ଷ ଟଙ୍କା ଦରମାରେ ବର୍ଷକ ପାଇଁ ନିଯୁକ୍ତି ଦିଆଯାଇଥିବା ସମ୍ପର୍କରେ ସୂଚନା ଦେବା ସହ ପ୍ରଦର୍ଶନ ଭିତ୍ତିରେ ତାଙ୍କର ନିଯୁକ୍ତି ନବୀକରଣ କରାଯିବ ବୋଲି କହିଛନ୍ତି।
ଏହାସହିତ ତାଙ୍କୁ ଦିଲ୍ଲୀରେ ଦଳର ତୁଣ୍ଡ ହୋଇ କାର୍ଯ୍ୟ କରିବା, ଜାତୀୟସ୍ତରରେ ଦଳର ରଣନୀତି ପ୍ରସ୍ତୁତ, ଗଣମାଧ୍ୟମ ନିମନ୍ତେ ଦଳକୁ ସୁହାଇବା ଭଳି ତଥ୍ୟ ତଥା ଦସ୍ତାବିଜ ପ୍ରସ୍ତୁତ, ଦଳ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଓ ପ୍ରେସ ବିବୃତି ଜାରି, ମିଡିଆ ହାଉସ୍ ଓ ଦଳ ମଧ୍ୟରେ ସମ୍ପର୍କ ବୃଦ୍ଧି ପାଇଁ ପଦକ୍ଷେପ, ଦିଲ୍ଲୀରେ ଦଳର ପ୍ରଚାରପ୍ରସାର, ଦଳର ବିଭିନ୍ନ କାର୍ଯ୍ୟକ୍ରମ ଓ ସୂଚନା ଜାତୀୟସ୍ତରରେ ଗଣମାଧ୍ୟମରେ ପ୍ରକାଶିତ ହେବା, ଦଳ ଉପରେ ତା’ର ପ୍ରଭାବ ଆଦି ସମ୍ପର୍କରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ତେବେ, ଦିଲ୍ଲୀରେ ବିଜେଡିର ମୋଟ ୨୧ଜଣ ସାଂସଦ ଥିବାବେଳେ ଦଳ ସେମାନଙ୍କ ମଧ୍ୟରୁ କିଛି ସାଂସଦଙ୍କୁ ଜାତୀୟ ମୁଖପାତ୍ର ଭାବେ ନିଯୁକ୍ତି ଦେଇଥିବାବେଳେ ଏବେ ୨ଲକ୍ଷ ଟଙ୍କାର ମୋଟା ଅଙ୍କର ଦରମାରେ ଜଣେ ସାମ୍ବାଦିକଙ୍କୁ ଦଳର ମିଡିଆ ସଂଯୋଜକ ଭାବେ ନିଯୁକ୍ତି ଦେବାକୁ ନେଇ ବିଜେଡିରେ ଚର୍ଚ୍ଚା ଆରମ୍ଭ ହୋଇଛି । ଦଳ ଦିଲ୍ଲୀରେ ନିଜର ସାଂସଦମାନଙ୍କ ଭରସାରେ ନରହି ଏବେ ପ୍ରଚାର-ପ୍ରସାର ପାଇଁ ଏହି ମିଡିଆ ସଂଯୋଜକଙ୍କୁ ନିଯୁକ୍ତି ଦେଇଥିବା ଜଣାପଡ଼ିଛି ।
ସୂଚନାଯୋଗ୍ୟ, ସାମ୍ବାଦିକ ଶ୍ରୀବାସ୍ତବ ପୂର୍ବରୁ ଇଣ୍ଡିଆ ଟିଭି, ଅମର ଉଜଲା, ଲାଇଭ-ହିନ୍ଦୁସ୍ତାନ ଭଳି ଗଣମାଧ୍ୟମ ସଂସ୍ଥାରେ କାର୍ଯ୍ୟ କରିଛନ୍ତି। ଗତ କିଛିବର୍ଷ ହେଲା ସେ ଦିଲ୍ଲୀସ୍ଥିତ ଓଡ଼ିଶା ସରକାରଙ୍କ ଆବାସିକ କାର୍ଯ୍ୟାଳୟରେ ମିଡିଆ ଉପଦେଷ୍ଟା ଭାବେ ମଧ୍ୟ କାର୍ଯ୍ୟ କରୁଥିଲେ। ସେ ଆବାସିକ କମିଶନର ରବିକାନ୍ତଙ୍କ ଘନିଷ୍ଠ ବୋଲି ଚର୍ଚ୍ଚା ହେଉଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
