Advertisment

ଓଡ଼ିଆ ଭାଷାରେ ଡାକ୍ତରୀ ପାଠପଢ଼ା: ସରକାର ଗଢ଼ିଲେ ବିଶେଷଜ୍ଞ କମିଟି,୧୫ଦିନରେ ଦେବେ ରିପୋର୍ଟ

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ, ୨୨ଜଣିଆ ବିଶେଷଜ୍ଞ କମିଟିର ଅଧ୍ୟକ୍ଷ ଭାବେ ପ୍ରଫେସର ଡାକ୍ତର ସାହୁ ରହିଥିବାବେଳେ ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାରଙ୍କୁ ଆବାହକ ଅଛନ୍ତି।

author-image
Ordigital Desk
Medical

Medical

ରାଜ୍ୟର ପ୍ରଥମ ବିଜେପି ସରକାର ନିଜର ନିର୍ବାଚନୀ ପ୍ରତିଶ୍ରୁତିକୁ ପାଳନ କରି ଓଡ଼ିଆ ଭାଷାରେ ଡାକ୍ତରୀ ପାଠପଢ଼ା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି । ନିର୍ବାଚନୀ ଇସ୍ତାହାରରେ ବିଜେପି ଦେଇଥିବା ପ୍ରତିଶ୍ରୁତି ଆଧାରରେ ରାଜ୍ୟ ସରକାର ଆଜି ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ମାନସ ରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ୨୨ଜଣିଆ ବିଶେଷଜ୍ଞ କମିଟି ଗଠନ କରିଛନ୍ତି ।  ଏହି କମିଟି ୧୫ଦିନ ମଧ୍ୟରେ ତାଙ୍କର ରିପୋର୍ଟ ସ୍ୱାସ୍ଥ୍ୟ ବିଭାଗକୁ ଦେବେ । ଓଡ଼ିଆ ଭାଷାରେ ଏମବିବିଏସ୍ ଶିକ୍ଷାଦାନ ପାଇଁ ଅତ୍ୟାବଶ୍ୟକ ପାଠ୍ୟକ୍ରମର ଓଡ଼ିଆରେ ଅନୁବାଦ, କେତେ ସମୟ ଲାଗିବ ଓ ଏସବୁ ନିମନ୍ତେ ଆବଶ୍ୟକ ପାଣ୍ଠି ଆଦି ନେଇ ଏହି କମିଟି ତାଙ୍କର ରିପୋର୍ଟ ଦେବେ ବୋଲି ଜଣାପଡ଼ିଛି।

Advertisment

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ, ୨୨ଜଣିଆ ବିଶେଷଜ୍ଞ କମିଟିର ଅଧ୍ୟକ୍ଷ ଭାବେ ପ୍ରଫେସର ଡାକ୍ତର ସାହୁ ରହିଥିବାବେଳେ ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାରଙ୍କୁ ଆବାହକ ଅଛନ୍ତି । ସଦସ୍ୟ ଭାବେ ବିଭିନ୍ନ ମେଡିକାଲ କଲେଜ ଓ ଭୁବନେଶ୍ୱର ଏମସ୍ ପ୍ରଫେସରମାନଙ୍କୁ ସାମିଲ କରାଯାଇଛି । ସଦସ୍ୟମାନେ ହେଲେ ଡାକ୍ତର ପ୍ରଭାସ ତ୍ରିପାଠୀ, ପ୍ରଫେସର, ଅର୍ଚ୍ଚନା ମିଶ୍ର,ପ୍ରଫେସର ମନସ୍ୱିନୀ ମଙ୍ଗରାଜ, ପ୍ରଫେସର ନିରଞ୍ଜନ ରାଉତ, ଡାକ୍ତର ଭାରତ ପଟେଲ, ଡାକ୍ତର ପ୍ରଦୀପ କୁମାର ନାୟକ, ଡାକ୍ତର ବିଶ୍ୱରଞ୍ଜନ ପାଢ଼ୀ, ପ୍ରଫେସର ଦୁର୍ଗା ଶତପଥୀ, ପ୍ରଫେସର ପ୍ରଦୀପ୍ତ ପରିଡ଼ା, ପ୍ରଫେସର ପ୍ରସନ୍ନ କୁମାର ରାଠୋର, ଡାକ୍ତର ଲକ୍ଷ୍ମଣ ବାଗ, ପ୍ରଫେସର ରୀତାଞ୍ଜଳି ବେହେରା, ପ୍ରଫେସର ବିଷ୍ନୁ ପାତ୍ର, ପ୍ରଫେସର ଭାଗିରଥୀ ଦ୍ୱିବେଦୀ, ଡାକ୍ତର ବିଶ୍ୱନାଥ ବେହେରା, ପ୍ରଫେସର ମିହିର ରଞ୍ଜନ ନାୟକ, ପ୍ରଫେସର ରଞ୍ଜିତା ମହାପାତ୍ର,ଡାକ୍ତର ସୁଦୀପ୍ତ ନାୟକ, ଡାକ୍ତର ରାଜଶ୍ରୀ ରାଉତ ରହିଛନ୍ତି । ଏମାନଙ୍କ ବ୍ୟତୀତ ଓଡ଼ିଆ ଭାଷା ପ୍ରତିଷ୍ଠାନର କାର୍ଯ୍ୟକ୍ରମ ଉପଦେଷ୍ଟା ଡଃ ପ୍ରେମାନନ୍ଦ ମହାପାତ୍ର ମଧ୍ୟ ସଦସ୍ୟ ରହିଛନ୍ତି।

ସୂଚନାଯୋଗ୍ୟ, ନିର୍ବାଚନ ସମୟରେ ବିଜେପିର ଚାଣକ୍ୟ ତଥା କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହ ରାଜ୍ୟରେ ବିଜେପି ସରକାର ଆସିଲେ ଓଡ଼ିଆ ଭାଷାରେ ପିଲାମାନେ ଡାକ୍ତରୀ ପାଠ ପଢ଼ିବେ ବୋଲି ଘୋଷଣା କରିଥିଲେ । ବିଜେପି ମଧ୍ୟ ନିଜର ନିର୍ବାଚନୀ ସଂକଳ୍ପରେ ଓଡ଼ିଆ ଭାଷାରେ ଆଇନ, ଇଞ୍ଜିନିୟରିଂ ଓ ଡାକ୍ତରୀ ପାଠ୍ୟକ୍ରମ ନିମନ୍ତେ ପ୍ରତିଶ୍ରୁତି ଦେଇଥିଲା।

Advertisment
Odia Language