Advertisment

BJD MLAs ବୈଠକ ବସିଲାନି, ନବୀନ ନିବାସରେ ହାଜିରା ପକାଇ ଫେରିଲେ ବିଧାୟକ, ଗଣମାଧ୍ୟମକୁ ଡାହା ମିଛ କହିଲେ

ନବୀନ ନିବାସରେ ଆଜି କୌଣସି ବିଧିବଦ୍ଧ ବୈଠକ ବସିଲା ନାହିଁ କିମ୍ବା ନବୀନ କୌଣସି ପ୍ରସଙ୍ଗରେ ଦଳୀୟ ବିଧାୟକମାନଙ୍କ ସହ ଆଲୋଚନା ମଧ୍ୟ କଲେ ନାହିଁ। ଦଳର ବିଧାୟକମାନେ ପ୍ରାୟ ୫ଟାରୁ ନବୀନ ନିବାସ ଯାଇ ୬ଟା ୧୦ ପର୍ଯ୍ୟନ୍ତ ଅପେକ୍ଷା କରି ଫେରିଥିଲେ।

author-image
Prakaash Sethi
BJD-RAJYSABHA

ରାଜ୍ୟସଭା ପ୍ରାର୍ଥୀ ଚୟନକୁ ନେଇ ରାଜନୀତିକ ଉଷ୍ମତା ମଧ୍ୟରେ ବିଜେଡି ବିଧାୟକମାନଙ୍କ ଅସହାୟତା ପଦାରେ ପଡ଼ିଛି। ନବୀନ ନିବାସ ଯାଇ ହାଜିରା ପକାଇ ଫେରିଥିବା ବିଧାୟକମାନଙ୍କ ସହ ଦଳ (Biju Janata Dal)ର ସୁପ୍ରିମୋ ନବୀନ ପଟ୍ଟନାୟକ ବୈଠକ କରିବା ତ ଦୂରର କଥା ସମସ୍ତଙ୍କୁ ଦେଖା ମଧ୍ୟ ଦେଲେନି। କିନ୍ତୁ ଗଣମାଧ୍ୟମ ଆଗରେ ଡାହା ମିଛ କହି ନିଜର ଦମ୍ଭୋକ୍ତି ଦେଖାଇବାକୁ ପଛାଇଲେ ନାହିଁ ବିଜେଡି ବିଧାୟକମାନେ।

Advertisment


ବୈଠକ ବସିଲାନି କି ଆଲୋଚନା ବି କଲେନି ନବୀନ 

ରାଜ୍ୟସଭା ନିର୍ବାଚନ ପାଇଁ କସରତ ଚାଲିଥିବାବେଳେ ଶୁକ୍ରବାର ସନ୍ଧ୍ୟାରେ ଦଳୀୟ ବିଧାୟକମାନଙ୍କ ବୈଠକ ଡାକିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ମାତ୍ର ନବୀନ ନିବାସରେ ଆଜି କୌଣସି ବିଧିବଦ୍ଧ ବୈଠକ ବସିଲା ନାହିଁ କିମ୍ବା ନବୀନ କୌଣସି ପ୍ରସଙ୍ଗରେ ଦଳୀୟ ବିଧାୟକମାନଙ୍କ ସହ ଆଲୋଚନା ମଧ୍ୟ କଲେ ନାହିଁ। ଦଳର ବିଧାୟକମାନେ ପ୍ରାୟ ୫ଟାରୁ ନବୀନ ନିବାସ ଯାଇ ୬ଟା ୧୦ ପର୍ଯ୍ୟନ୍ତ ଅପେକ୍ଷା କରି ଫେରିଥିଲେ। ଆଉ ଫେରିବା ବାଟରେ ନବୀନ ନିବାସ ସମ୍ମୁଖରେ ଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରତିକ୍ରିୟାରେ ଡାହାମିଛ କହିବାକୁ ପଛାଇନଥିବା ଜଣାପଡ଼ିଛି। କେବଳ ନବୀନ ନିବାସରେ ହାଜିରା ପକାଇ ଫେରିଥିବା ବିଜେଡି ବିଧାୟକମାନେ ଗଣମାଧ୍ୟମ ଆଗରେ ଏଭଳି ମିଛ କହିବା ସେମାନଙ୍କ ଦଳୀୟ ଅସହାୟତା ଓ ଭୟକୁ ପଦାରେ ପକାଇ ଦେଇଛି।


ଗଣମାଧ୍ୟମକୁ ଡାହା ମିଛ ମିଛ କହିଲେ ୪ ବିଧାୟକ

ନବୀନ ନିବାସରୁ ଫେରିବା ବାଟରେ ପ୍ରଥମେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିଲେ ପୁରୀର ବିଜେଡି ବିଧାୟକ ସୁନୀଲ ମହାନ୍ତି ଓ ବସ୍ତା ବିଧାୟିକା ସୁବାସିନୀ ଜେନା । ଉଭୟ କହିଥିଲେ ଯେ, ସଂଗଠନକୁ ସୁଦୃଢ଼ କରାଯିବା ସମ୍ପର୍କରେ ଆଲୋଚନା ହେଲା। ରାଜ୍ୟସଭା ପ୍ରସଙ୍ଗରେ କିଛି ଆଲୋଚନା ହୋଇନାହିଁ ।

Advertisment


ଆଉ ତାଙ୍କ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିଲେ ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ। ସେ ନିଜର ପୂର୍ବ ଦୁଇ ସହଯୋଗୀଙ୍କଠୁ ଦୁଇ ପାଦ ଆଗକୁ ଯାଇ କହିଥିଲେ, ଆମ ଦଳର ସଭାପତି ଆଜି ସମସ୍ତ ବିଧାୟକମାନଙ୍କ ବୈଠକ ଡାକିଥିଲେ। ପ୍ରଥମ ପର୍ଯ୍ୟାୟରେ ସଂଗଠନ ବିଷୟରେ ଆଲୋଚନା ହେଲା, ବିଭିନ୍ନ ନିର୍ବାଚନମଣ୍ଡଳୀ ବିଷୟରେ ସେ ପଚାରି ବୁଝିଲେ। ଆସନ୍ତାକାଲି ପୁଣିଥରେ ବୈଠକ ଡକାଯାଇଛି। 

ସେହିପରି ବରିଷ୍ଠ ବିଧାୟକ ଅରୁଣ ସାହୁ ଗଣମାଧ୍ୟମକୁ ପ୍ରତିକ୍ରିୟାରେ ସମାନ କଥା ଦୋହରାଇ କହିଥିଲେ ଯେ, ସଂଗଠନ ସମ୍ପର୍କରେ ଅନେକ କଥା ଆଲୋଚନା ହେଲା। ସଂଗଠନକୁ କିଭଳି ମଜଭୁତ କରାଯିବ ଓ କାର୍ଯ୍ୟକ୍ରମକୁ ଆଗକୁ ଦୃଢ଼ ଭାବେ ନିଆଯିବ ସେ ବିଷୟରେ ଆଲୋଚନା ହୋଇଛି।

ତେବେ ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି ଯେ, ଦଳର ଏହି ସମସ୍ତ ୪ଜଣ ବିଧାୟକ ଡାହା ମିଛ କଥା କହିଛନ୍ତି। ନବୀନ ନିବାସରେ ଆଜି କୌଣସି ବିଧିବଦ୍ଧ ବୈଠକ ନବୀନ ନେଇନଥିବା ଜଣାପଡ଼ିଛି। ତେବେ ଦଳର ବୈଠକ ନବସି ମଧ୍ୟ ଏହି ନେତାମାନେ କେଉଁ ଆଧାରରେ ଗଣମାଧ୍ୟମକୁ ଏଭଳି ଗପ ଶୁଣାଉଛନ୍ତି, ତାହା ଏବେ ସାଧାରଣରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ବିଜେପିର କାର୍ଡକୁ ଅପେକ୍ଷା ଓ ବିଜେଡିର ରଣନୀତିକ ପଛଘୁଂଚା

ଆଜି ବିଧାୟକମାନଙ୍କ ବୈଠକ ଡାକି ବାତିଲ କରିବା ପଛରେ ବିଜେପିର ‘ସାଇଲେଣ୍ଟ ମୁଭ୍’ ବଡ଼ କାରଣ ବୋଲି କୁହାଯାଉଛି। ବିଜେପି ଏପର୍ଯ୍ୟନ୍ତ ନିଜର କାର୍ଡ ଖୋଲିନାହିଁ କିମ୍ବା କେତେଜଣ ପ୍ରାର୍ଥୀ ଦେବ ତାହା ଚୂଡ଼ାନ୍ତ କରିନାହିଁ। ବିଜେପିର ସଂସଦୀୟ ବୋର୍ଡ ନିଷ୍ପତ୍ତିକୁ ଅପେକ୍ଷା କରି ବିଜେଡି ଏବେ ନିଜର ଗୋଟିଚାଳନା କରୁଛି। କଂଗ୍ରେସ ଆଜି ୩ଟି ଫର୍ମ ନେଇଛି। ତେଣୁ କଂଗ୍ରେସ ରାଜ୍ୟସଭା ନିର୍ବାଚନ ମଇଦାନକୁ ଓହ୍ଲାଇବାଇର ସଙ୍କେତ ଦେଇଛି। ତେଣୁ ଏଭଳି ସ୍ଥିତିରେ ବିଜେଡି ଆଜି ବିଧାୟକମାନଙ୍କ ସହ ବୈଠକ କରି ଦଳରେ ଅଯଥା ଅସନ୍ତୋଷକୁ ବଢ଼ାଇବାକୁ ଚାହୁଁନଥିବା ଜଣାପଡ଼ିଛି।

ବିଜେଡି ସୂତ୍ର ଅନୁସାରେ, ଆଜିର ବୈଠକରେ ସମସ୍ତ ୪୮ ବିଧାୟକ ଉପସ୍ଥିତ ହୋଇପାରିନଥିଲେ। ତା’ଛଡ଼ା କିଛି ବରିଷ୍ଠ ବିଧାୟକ ସିଧାସଳଖ ନବୀନଙ୍କୁ ରାଜ୍ୟସଭା ପ୍ରାର୍ଥୀ ଚୟନ ନେଇ ପ୍ରଶ୍ନ କରିବାକୁ ପ୍ରସ୍ତୁତ ହୋଇ ଆସିଥିଲେ। ଦଳ ଭିତରେ ଥିବା ଏହି ଅସନ୍ତୋଷର ଗନ୍ଧ ନବୀନ ନିବାସରେ ପହଂଚି ସାରିଥିଲା। ଟିକେଟ୍ କାହାକୁ ମିଳିବ ଓ କାହିଁକି ମିଳିବ, ସେ ନେଇ ବିଧାୟକଙ୍କ ମଧ୍ୟରେ ଥିବା ଅସନ୍ତୋଷ ଏବେ ବିଜେଡି ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ତେଣୁ ବିଜେପି ନିଜର କାର୍ଡ ଖୋଲିନଥିବାରୁ ନବୀନ ଏହି ବୈଠକକୁ ବାତିଲ କରିଥିବା ଚର୍ଚ୍ଚା ହେଉଛି। ବିଜେଡି ୬ଟି ସେଟ୍ ଫର୍ମ ନେଇଥିଲେ ମଧ୍ୟ ଆଜି କାହାରିଠୁ ଦସ୍ତଖତ(ପ୍ରସ୍ତାବକ) ସଂଗ୍ରହ କରିନଥିବା ଜଣାପଡ଼ିଛି। 

ଗୁରୁବାର ରାଜନୀତିକ ବ୍ୟାପାର କମିଟି(ପିଏସି) ବୈଠକ ପରେ ଦଳର ଉପସଭାନେତ୍ରୀ ପ୍ରମିଳା ମଲ୍ଲିକ କହିଥିଲେ ଯେ, ରାଜ୍ୟସଭା ସଂକ୍ରାନ୍ତ ସବୁ ନିଷ୍ପତ୍ତି ଦଳର ସଭାପତି ନବୀନବାବୁ ନେବା ପାଇଁ ପଏସି କ୍ଷମତା ନ୍ୟସ୍ତ କରିଛି।  ଆଜି ବୈଠକ ଡାକି ନବୀନ ନିଜେ ବିଧାୟକମାନଙ୍କୁ ଦେଖାନଦେବା ପ୍ରମାଣିତ କରୁଛି ଯେ, ବିଜେଡି ଶିବିରରେ ଏବେ ‘ସବୁ ଠିକ୍ ଚାଲିନାହିଁ’। କାଲି ପୁଣି ବୈଠକ ଡକାଯାଇଥିବାବେଳେ ଦଳର ରାଜ୍ୟସଭା ପ୍ରାର୍ଥୀ ରାଜନୀତିକ ବ୍ୟକ୍ତି ନହେଲେ ବଡ଼ଧରଣର ବିସ୍ଫୋରଣ ହୋଇପାରେ ବୋଲି ବିଜେଡି ମହଲରେ ଚର୍ଚ୍ଚା ଜୋର ଧରିଛି । 

Biju Janata Dal