Advertisment

ଶେଷରେ ଗୃହ ବିବରଣୀରୁ ବାଦ୍ ପଡ଼ିଲା ‘ମେଂଟାଲ ଡିସ୍‌ଅର୍ଡର’ ଶବ୍ଦ, ବ୍ୟାକଫୁଟରେ ଶାସକ ଦଳ

ବାଚସ୍ପତି ପ୍ରମିଳା ମଲ୍ଲିକ ଗତ ୨୮ତାରିଖ ଦିନରେ ଶାସକ ଦଳ ବିଧାୟକ ଅରୁଣ ସାହୁଙ୍କ ଦ୍ୱାରା ବିରୋଧୀ ଦଳର ଦୁଇ ବରିଷ୍ଠ ନେତାଙ୍କୁ ଆକ୍ଷେପ କରି  କହିଥିବା ‘ମେଂଟାଲ ଡିସଅର୍ଡର’ ଶବ୍ଦକୁ ଗୃହ ବିବରଣୀରୁ ବାଦ୍ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

author-image
Ordigital Desk
Jayanarayan Mishra

Jayanarayan Mishra

ଶେଷରେ ଶାସକ ଦଳ ନିଜ ଜିଦରୁ ଓହରିଛି । ବିରୋଧୀ ଦଳର ଦୁଇ ବରିଷ୍ଠ ନେତାଙ୍କ ପ୍ରତି ଶାସକ ଦଳ ପ୍ରୟୋଗ କରିଥିବା ‘ମେଂଟାଲ ଡିସ୍‌ଅର୍ଡର’ ଶବ୍ଦକୁ ଗୃହ ବିବରଣୀରୁ ବାଦ୍ ଦେବା ପାଇଁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି । ଗତ ଦୁଇଦିନ ଧରି ଏହି ପ୍ରସଙ୍ଗକୁ ନେଇ ଗୃହରେ ତୁମ୍ବିତୋଫାନ ଲାଗି ରହିଥିଲା ।

Advertisment

ଆଜି ପୂର୍ବାହ୍ନରେ ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ ବିରୋଧୀ ଦଳ ସଦସ୍ୟମାନେ ପ୍ରବଳ ହଟ୍ଟଗୋଳ କରିବାରୁ ଗୃହ କାର୍ଯ୍ୟ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ରହିଥିଲା । ଦ୍ୱିତୀୟାର୍ଦ୍ଧରେ ଗୃହକାର୍ଯ୍ୟ ଅନୁରୂପ ଅଚଳାବସ୍ଥା ଲାଗି ରହିବାରୁ ବାଚସ୍ପତି ଗୃହକୁ ବାରମ୍ବାର ମୁଲତବୀ ଘୋଷଣା କରିଥିଲେ । ବାଚସ୍ପତି ପ୍ରମିଳା ମଲ୍ଲିକ ଗତ ୨୮ତାରିଖ ଦିନରେ ଶାସକ ଦଳ ବିଧାୟକ ଅରୁଣ ସାହୁଙ୍କ ଦ୍ୱାରା ବିରୋଧୀ ଦଳର ଦୁଇ ବରିଷ୍ଠ ନେତାଙ୍କୁ ଆକ୍ଷେପ କରି  କହିଥିବା ‘ମେଂଟାଲ ଡିସଅର୍ଡର’ ଶବ୍ଦକୁ ଗୃହ ବିବରଣୀରୁ ବାଦ୍ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ବାଚସ୍ପତିଙ୍କ ଏହି ନିର୍ଦ୍ଦେଶ ପରେ ବି ଗୃହ ସ୍ୱାଭାବିକ ହୋଇନଥିଲା । ବିଜେପି ସଦସ୍ୟମାନେ ନିଜର ବିରୋଧ ଜାରି ରଖିଥିଲେ । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ବାଚସ୍ପତିଙ୍କୁ ଅନୁରୋଧ କରି କହିଥିଲେ ଯେ, ନିଲମ୍ବିତ ଦୁଇ ବିଜେପି ବିଧାୟକଙ୍କ ଉପରୁ ନିଃସର୍ତ୍ତ ଭାବେ ନିଲମ୍ବନ ପ୍ରତ୍ୟାହାର କରାଯାଉ । ସେମାନେ ଗୃହରେ କ’ଣ କହିବେ, ତାଙ୍କ ବିବେକ ଉପରେ ଛାଡ଼ି ଦିଆଯାଉ । ଗୃହକୁ ସୁରୁଖୁରୁରେ ବାଚସ୍ପତି ଚଳାନ୍ତୁ, ସହଯୋଗ କରିବାକୁ ବିରୋଧୀ ଦଳ ପ୍ରସ୍ତୁତ ଅଛି ବୋଲି ଶ୍ରୀ ମିଶ୍ର କହିଥିଲେ । ବାଚସ୍ପତି ଶ୍ରୀମତୀ ମଲ୍ଲିକ ଏହି ପ୍ରସ୍ତାବକୁ ବିଚାର କରିବେ ବୋଲି କହିଥିଲେ । ତେବେ ଗୃହ ଠିକରେ ଚାଲୁନଥିବା ଅଭିଯୋଗ କରି କଂଗ୍ରେସ ବିଧାୟକମାନେ କକ୍ଷତ୍ୟାଗ କରିଥିଲେ । ବିଜେପି ବିଧାୟକମାନଙ୍କ ହଟ୍ଟଗୋଳ ଓ କଂଗ୍ରେସର କକ୍ଷତ୍ୟାଗ ଯୋଗୁ ଗୃହକୁ ବାଚସ୍ପତି ପୁଣିଥରେ ୨୦ମିନିଟ୍ ପାଇଁ ମୁଲତବୀ ଘୋଷଣା କରିଥିଲେ । ଦ୍ୱିତୀୟାର୍ଦ୍ଧରେ ଗୃହ ୪ଟା ୯ରୁ ଏକଘଣ୍ଟା ଓ ପରେ ୧୫ମିନିଟ୍ ମୁଲତବୀ ହୋଇଥିଲା ।

ଉଲ୍ଲେଖଯୋଗ୍ୟ, ବିରୋଧୀ ଦଳ ନେତାଙ୍କ ପ୍ରତି ଶାସକ ବିଧାୟକ ଶ୍ରୀ ସାହୁ ‘ମାନସିକ ସ୍ୱାସ୍ଥ୍ୟ’ ଠିକ୍ ନାହିଁ ବୋଲି କହିବାକୁ ନେଇ ଉଭୟ କଂଗ୍ରେସ ଓ ବିଜେପି ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଥିଲେ । ଏପରିକି ବିଜେପି ଏହି ଶବ୍ଦକୁ ଗୃହ ବିବରଣୀରୁ ବାଦ୍ ଦେବାକୁ ଜିଦ୍ କରିଥିଲେ ମଧ୍ୟ ବାଚସ୍ପତି ସେଥିପ୍ରତି କର୍ଣ୍ଣପାତ ନକରିବାରୁ ବିଜେପି ସଦସ୍ୟମାନେ ଭିନ୍ନ ଢଙ୍ଗରେ ପ୍ରତିବାଦ କରି ବାଚସ୍ପତିଙ୍କ ପୋଡ଼ିୟମକୁ ଡାଲି ଫିଙ୍ଗିଥିଲେ । ଯେଉଁଥିପାଇଁ ୨୮ତାରିଖରେ ବିଜେପିର ଦୁଇ ବିଧାୟକ ମୋହନଚରଣ ମାଝୀ ଓ ମୁକେଶ ମହାଲିଙ୍ଗଙ୍କୁ ବାଚସ୍ପତି ଚଳିତ ଅଧିବେଶନର ବାକି କାର୍ଯ୍ୟଦିବସ ନିମନ୍ତେ ନିଲମ୍ବନ ଘୋଷଣା କରିଥିଲେ । ଉକ୍ତ ଦୁଇ ବିଧାୟକଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର ଦାବି କରି ବିଜେପି ସଦସ୍ୟମାନେ ଆଜି ଗୃହରେ ହଟ୍ଟଗୋଳ ଜାରି ରଖିଛନ୍ତି।

Advertisment

ସୂଚନାଯୋଗ୍ୟ, ଗୃହ ବାହାରେ ଶାସକ ଦଳ ବିଧାୟକ ଅରୁଣ ସାହୁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ‘ମେଂଟାଲ ଡିସଅର୍ଡର’ ରହିଛି ବୋଲି ସିଧାସଳଖ ଆକ୍ଷେପ କରିଥିଲେ । ଯାହାକୁ ବିରୋଧ କରି ବିଜେପି ପକ୍ଷରୁ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରାଯାଇଥିଲା।

Odisha Assembly Monsoon Session Jayanarayan Mishra