
ଦୁର୍ନୀତିଗ୍ରସ୍ତ ଓ ବିଶ୍ୱାସଘାତକର ଆଖ୍ୟା ଦେଇ ଦୁଇ ବିଧାୟକଙ୍କୁ ନିଲମ୍ବନ କରିବା ବିଜେଡିର ଆଭ୍ୟନ୍ତରୀଣ ରାଜନୀତିକୁ ଉଷ୍ମ କରିଛି । ଏହି ନିଲମ୍ବନ ନିଷ୍ପତ୍ତିକୁ ଯଥାର୍ଥ ଦର୍ଶାଇବା ପାଇଁ ବିଗତ ୩ଦିନ ଧରି ବିଜେଡି ନିଜର ଅପରିପକ୍ୱ ଓ ଅନଭିଜ୍ଞ ଜୁନିୟର ନେତାମାନଙ୍କ ମୁହଁରେ ଯେଉଁସବୁ ରାଜନୀତିକ ଡ୍ରାମା ପ୍ରସ୍ତୁତ କରୁଛି ତାହା ବି ବୁମେରାଂ ହେବାରେ ଲାଗିଛି ।
ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତିଙ୍କ ମୁହଁରେ ଦଳକୁ ବିଭାଜନ ପାଇଁ ‘ମିଡ୍ ଡେ ଅପରେସନ’ର ପ୍ରୟାସ ହେଉଥିଲା ବୋଲି ଗତକାଲି କହିଥିବା ବିଜେଡି, ଆଜି କୌଣସି ତଥ୍ୟ ପ୍ରମାଣ ନରଖି ଓଲଟା ଆଉଜଣେ ରାଜନୀତିକ ପ୍ରାସଙ୍ଗିକତା ନଥିବା ଅମରେଶ ପତ୍ରୀଙ୍କ ଭଳି ଜୁନିୟରଙ୍କ ମୁହଁରେ ଯେଉଁ ଯୁକ୍ତି ବାଢ଼ିଛି ତାହା ଦଳର ଦୁର୍ବଳ ରଣନୀତିକୁ ପଦାରେ ପକାଇ ଦେଇଥିବା ଚର୍ଚ୍ଚା । ଏହି ପ୍ରସଙ୍ଗରେ ଦଳର ବରିଷ୍ଠ ନେତାମାନେ ଧରାଛୁଆଁ ଦେଉନଥିବା ମଧ୍ୟ ପ୍ରମାଣିତ ହୋଇଛି।
ବରିଷ୍ଠ ନେତାମାନଙ୍କ ରହସ୍ୟଜନକ ନୀରବତା
ବିଜେଡି ସୂତ୍ର ଅନୁସାରେ, ଯୁବ ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ବିଶ୍ୱାସଘାତକ ଦର୍ଶାଇ ଦଳରୁ ନିଲମ୍ବନ କରାଯିବାକୁ ନେଇ ବିଜେଡିର ଅଧିକାଂଶ ନେତା କ୍ଷୁବ୍ଧ । ଯଦି ବିଜେଡିକୁ ବିଭାଜନ କରିବାକୁ ‘ମିଡ୍-ଡେ ଅପରେସନ୍’ ଷଡ଼ଯନ୍ତ୍ର ଚାଲିଥିଲା,ତା’ହେଲେ ଏନେଇ ସୁରାକ ରାଜ୍ୟ ରାଜନୀତିରେ କୌଣସି ଜଣେ ହେଲେ ବି ନେତା ଓ ଦଳ କିଭଳି ପାଇଲେ ନାହିଁ ବୋଲି ଦଳୀୟ ମହଲରେ ଚର୍ଚ୍ଚା । ଏହି ନିଲମ୍ବନ ପଛରେ କୌଣସି ଠୋସ୍ ପ୍ରମାଣ ନଥିବା ଏବଂ ‘ମିଡ୍ ଡେ ଅପରେସନ’ ନେଇ ଗଣମାଧ୍ୟମ ପ୍ରଶ୍ନ କଲେ ତା’ର ଉତ୍ତର ଓ ପ୍ରମାଣ କ’ଣ ଦେବେ ତାକୁ ନେଇ ସଂଶୟରେ ଥିବା ଦଳର ବରିଷ୍ଠ ନେତାମାନେ ଗଣମାଧ୍ୟମ ସମ୍ମୁଖକୁ ଆସିବାକୁ କୁଣ୍ଠାବୋଧ କରୁଥିବା ଜଣାପଡ଼ିଛି ।
ଅରବିନ୍ଦ ମହାପାତ୍ର ବାରମ୍ବାର ତାଙ୍କର ଦୋଷ କ’ଣ ରହିଛି ସେନଇ ପ୍ରମାଣ ମାଗୁଥିଲେ ମଧ୍ୟ ବିଜେଡି କେବଳ ଚରିତ୍ର ସଂହାର ଭଳି ନିମ୍ନ ମାନସିକତା ମଧ୍ୟରେ ନିଜକୁ ସୀମିତ ରଖିଛି । ବିଜେଡିର ଏଭଳି ଅପରିପକ୍ୱ ନିଷ୍ପତ୍ତିକୁ ମଧ୍ୟ ଦଳ ଭିତରେ ଓ ବାହାରେ ବିରୋଧ ହେବାରେ ଲାଗିଛି । ଯେଉଁଥିପାଇଁ ଦଳର ବରିଷ୍ଠ ନେତାମାନେ ଏବେ ରହସ୍ୟଜନକ ନିରବତା ଅବଲମ୍ବନ କରିଛନ୍ତି । ସବୁଠୁ ବଡ଼କଥା ହେଲା, ମିଡ୍ ଡେ୍ ଅପରେସନ କଥା କୁହାଯାଉଥିଲେ ମଧ୍ୟ ଦଳର ରାଜନୀତିକ ବ୍ୟାପାର କମିଟି କିମ୍ବା କୋର କମିଟି ସହ କାହିଁକି ପରାମର୍ଶ ନିଆଗଲାନି ବୋଲି ମଧ୍ୟ ପ୍ରଶ୍ନ ଉଠିଛି।
ଅମରେଶ ପତ୍ରୀଙ୍କ ବୟାନ: ବିଜେଡିର ଦିଗହରା ରଣନୀତି?
ବିନା ତଥ୍ୟପ୍ରମାଣରେ ‘ମିଡ୍ ଡେ୍ ଅପରେସନ’ ଯୁକ୍ତିକୁ ଦଳ ଭିତରେ ନାପସନ୍ଦ ଓ ଅରବିନ୍ଦ ମହାପାତ୍ରଙ୍କ ସପକ୍ଷରେ ସହାନୁଭୂତି ବଢ଼ିବା ଦେଖି ବିଜେଡି ଆଜି ଦଳୀୟ ରାଜନୀତିରେ ଅପ୍ରାସଙ୍ଗିକ ଓ ଅନଭିଜ୍ଞ ଅମରେଶ ପତ୍ରୀଙ୍କ ଭଳି ଜୁନିୟର ନେତାଙ୍କୁ ସାମ୍ନାକୁ ଆଣିଛି । ଆଉ ଶ୍ରୀ ପତ୍ରୀ ସାମ୍ବାଦିକ ସମ୍ମିଳନୀରେ ଯେଉଁ ୩ଟି ପ୍ରସଙ୍ଗ ଉଠାଇଛନ୍ତି ତାହା ବି ଦଳର ଆଭ୍ୟନ୍ତରୀଣ ବ୍ୟବସ୍ଥା ଓ ଦିଗହରା ରଣନୀତିକୁ ପଦାରେ ପକାଇଛି ।
ଶ୍ରୀ ପତ୍ରୀ କହିଛନ୍ତି ଯେ, ପାଟକୁରାର ବିଭିନ୍ନ ପଂଚାୟତରେ ବିଧାୟକ ନିଜ ଲୋକମାନଙ୍କୁ ସଭାପତି ପଦରେ ରଖିଛନ୍ତି । ଯଦିଓ ଦଳର ସାଂଗଠନିକ ଜିଲ୍ଲା,ବ୍ଲକ ଓ ପଂଚାୟତ ସଭାପତି ନିଯୁକ୍ତି ଓ ଚୟନ ଦାୟିତ୍ୱ ଦଳୀୟ ନେତୃତ୍ୱଙ୍କ ଉପରେ ନ୍ୟସ୍ତ । ସେହିପରି ନିର୍ବାଚନବେଳେ ଦଳର ସାଂସଦ ପ୍ରାର୍ଥୀଙ୍କ ଭୋଟ୍ ହ୍ରାସ ପାଇଁ ଅରବିନ୍ଦ କାମ କରିଥିଲେ । ଏପରିକି ଦଳର ବିଭିନ୍ନ କାର୍ଯ୍ୟକ୍ରମରେ ଦଳୀୟ ଚିହ୍ନ ଓ ସଭାପତିଙ୍କ ଫଟୋ ରହୁନଥିଲା ବୋଲି ପତ୍ରୀ ଅଭିଯୋଗ କରିଛନ୍ତି ।
ତେବେ ପ୍ରଶ୍ନ ଉଠୁଛି, ଅରବିନ୍ଦ ଯଦି ଦଳୀୟ ପ୍ରାର୍ଥୀଙ୍କ ବିରୁଦ୍ଧରେ କାର୍ଯ୍ୟ କରିଥିଲେ ତା’ହେଲେ ୧୮ମାସ ଧରି ଦଳ ନିରବ ଥିଲା କେମିତି? ଅରବିନ୍ଦଙ୍କ ପ୍ରସ୍ତାବ ଆଧାରରେ ସେଠାରେ ଦଳୀୟ ପଦାଧିକାରୀଙ୍କୁ ନିଯୁକ୍ତିକୁ ଅନୁମୋଦନ କରୁଥିଲା କିଏ? ଅରବିନ୍ଦଙ୍କ ପିତା ବିଜୟ ମହାପାତ୍ରଙ୍କୁ ବ୍ୟକ୍ତିଗତସ୍ତରରେ ଆକ୍ଷେପ କରିବାକୁ ଯାଇ ବିଜେଡି ନିଜର ଦିଗହରା ରଣନୀତିର ପ୍ରମାଣ ଦେଇଛି । ଦଳ ପାଖରେ ନିଲମ୍ବନକୁ ଯଥାର୍ଥ ଦର୍ଶାଇବା ପାଇଁ ବଳିଷ୍ଠ ଯୁକ୍ତି ଓ ତଥ୍ୟପ୍ରମାଣ ନଥିବାରୁ ବରିଷ୍ଠ ନେତାମାନେ ମଧ୍ୟ ଏହି ପ୍ରସଙ୍ଗରେ ଦଳକୁ ସୁରକ୍ଷା ଦେବାକୁ ସାମ୍ନାକୁ ଆସୁନଥିବା ଜଣାପଡ଼ିଛି ।
ପ୍ରମାଣ ଦେବାରେ ବିଫଳ ଓ ବୁମେରାଂ ହେଉଛି ‘ମିଡ୍-ଡେ ଅପରେସନ’
ଗୁରୁବାର ସନ୍ଧ୍ୟାରେ ଅରବିନ୍ଦ ଓ ସନାତନ ମହାକୁଡ଼ଙ୍କୁ ନିଲମ୍ବନ କରାଯିବା ପରେ ଶନିବାର ଦଳର ମୁଖପାତ୍ର ଲେନିନ୍ ମହାନ୍ତି ‘ମିଡ୍-ଡେ ଅପରେସନ’ର ଅଭିଯୋଗ ଆଣି ବିଜୟ ମହାପାତ୍ରଙ୍କୁ ସିଧାସଳଖ ବିବାଦ ଭିତରକୁ ଟାଣିଥିଲେ । ମାତ୍ର କୌଣସି ପ୍ରମାଣ ନଦେଇ ବିଜେଡି ଏଭଳି ଅଭିଯୋଗ କରିବା ପରୋକ୍ଷରେ ଅରବିନ୍ଦଙ୍କ ପାଇଁ ସହାନୁଭୂତିର କାରଣ ହୋଇଛି । ଅରବିନ୍ଦ ନିଜେ ବାରମ୍ବାର ପ୍ରମାଣ ମାଗୁଥିଲେ ମଧ୍ୟ ଦଳ ଉତ୍ତର ଦେବାରେ ବିଫଳ ହୋଇଛି । କେବଳ ତାଙ୍କ ପିତା ବିଜୟ ମହାପାତ୍ରଙ୍କର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ ପୁରୁଣା ଶତ୍ରୁତାକୁ ଟାଣିଓଟାରି ଆଣି ରାଜନୈତିକ ସୁବିଧା ହାସଲ କରିବାକୁ ଚେଷ୍ଟା କରାଯାଉଥିବା ଜଣାପଡ଼ିଛି।
ଚର୍ଚ୍ଚା ହେଉଛି , ରାଜ୍ୟସଭା ନିର୍ବାଚନ ପୂର୍ବରୁ ଦଳରେ ବଢ଼ୁଥିବା ତୀବ୍ର ଅନ୍ତଃକନ୍ଦଳୁ ଲୁଚାଇବା ପାଇଁ ଏକ କାଳ୍ପନିକ ଷଡ଼ଯନ୍ତ୍ର ‘ମିଡ୍ ଡେ ଅପରେସନ’ର କାହାଣୀ ତିଆରି କରାଯାଇଛି, ଯାହା ଏବେ ବିଜେଡି ପାଇଁ ହିଁ ବୁମେରାଂ ସାବ୍ୟସ୍ତ ହୋଇଛି । ଖୋଦ୍ ଦଳର ନେତାମାନେ ବି ଏହାକୁ ବିଶ୍ୱାସ କରୁନଥିବାରୁ ସେମାନେ ବି ଏହି ପ୍ରସଙ୍ଗରେ ନିରବ ରହୁଛନ୍ତି।
ବରିଷ୍ଠ ନେତାମାନେ ଧରାଛୁଆଁ ନଦେବା ଏବଂ ଲେନିନ୍ ଓ ଅମରେଶଙ୍କ ଭଳି ଅନଭିଜ୍ଞ ରାଜନୀତିକ ପ୍ରାସଙ୍ଗିକତା ନଥିବା ଜୁନିୟରମାନଙ୍କୁ ଆଗକୁ ଆଣି ବ୍ୟକ୍ତିଗତସ୍ତରରେ ଚରିତ୍ର ସଂହାର କରିବାର ନବୀନ ନିବାସର ରଣନୀତି ବିଜେଡି ପାଇଁ ଅଡ଼ୁଆ ବଢ଼ାଇଛି । ଯଦି ବାସ୍ତବରେ ‘ମିଡ ଡେ୍ ଅପରେସନ’ର ଅପଚେଷ୍ଟା ହୋଇଥିଲା ତା’ହେଲେ ଦଳୀୟ ନେତାମାନଙ୍କ ସହ ବିଚାରବିମର୍ଶ ନକରିବା ଏବଂ ଦଳର ବରିଷ୍ଠ ନେତାମାନେ ନିରବ ରହିବା ହିଁ ପରୋକ୍ଷରେ ବିଜେଡିକୁ ଏବେ ପତନାଭିମୁଖୀ କରାଇଛି ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
