ଦୀର୍ଘ ଦଶନ୍ଧି ପରେ ଓଡ଼ିଶାରେ ପୁଣିଥରେ ଶହ କୋଟି କୋଟି ଟଙ୍କାର ଖଣି ଦୁର୍ନୀତି ଓ ଅନିୟମିତତା ହୋଇଛି । ରାଜ୍ୟ ସରକାର ଏହି ଅନିୟମିତତାକୁ ସ୍ୱୀକାର କରି ରାଜ୍ୟ ଖଣି ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରି ତଦନ୍ତ କରାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି କେନ୍ଦ୍ର ସରକାରଙ୍କୁ ଅବଗତ କରିଛନ୍ତି । କିନ୍ତୁ ରାଜ୍ୟର ଏହି ଉତ୍ତର କେନ୍ଦ୍ର ସରକାରଙ୍କୁ ସନ୍ତୁଷ୍ଟ କରିପାରିନି ଓ ପୁଣିଥରେ ବିସ୍ତୃତ ରିପୋର୍ଟ ପଠାଇବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏପଟେ ରାଜ୍ୟରେ ନୂଆ ଢଙ୍ଗରେ ଚାଲିଥିବା ହଜାର ହଜାର କୋଟି ଟଙ୍କାର ଖଣି ଦୁର୍ନୀତିର ଟଙ୍କା କାହା ପକେଟକୁ ଯାଉଛି ଓ ଅନିୟିମତତାରେ ସମ୍ପୃକ୍ତ ଘରୋଇ ଖଣି ଲିଜଧାରୀଙ୍କ ବିରୁଦ୍ଧରେ କ’ଣ କାର୍ଯ୍ୟାନୁଷ୍ଠା ନେଇଛନ୍ତି ତାହା ସାର୍ବଜନୀନ କରିବା ନିମନ୍ତେ ଦାବି କରିଛନ୍ତି ।
ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ରାଜ୍ୟରେ ଖଣି ଦୁର୍ନୀତି ଓ ଅନିୟମିତତା ପ୍ରସଙ୍ଗରେ କେନ୍ଦ୍ର ଖଣି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କ ଏକ ଚିଠିକୁ ଉଲ୍ଲେଖ କରି କହିଛନ୍ତି ଯେ, ଓଡ଼ିଶାରେ ଘରୋଇ ଖଣି ଲିଜଧାରୀ କମ୍ପାନୀଗୁଡ଼ିକ ଉଚ୍ଚମାନର ଲୁହାପଥରକୁ ନିମ୍ନମାନର ଲୁହାପଥର(୫୫%ରୁ କମ) ଉତ୍ସାହନ ଦର୍ଶାଇଥିବାରୁ ରାଜକୋଷକୁ ହଜାର ହଜାର କୋଟି ଟଙ୍କା କ୍ଷତି ସହିବାକୁ ପଡ଼ୁଛି । ଏପରିକି ଜିଲ୍ଲା ଖଣିଜ ପାଣ୍ଠିକୁ ଯେଉଁ ପରିମାଣର ଟିକସ ଯିବା କଥା ତାହା ମଧ୍ୟ ଯାଉନି । ନ୍ୟାସନାଲ ମିନେରାଲ ଏକ୍ସପ୍ଲୋରେସନ୍ ଟ୍ରଷ୍ଟକୁ ମଧ୍ୟ ପାଣ୍ଠି ହ୍ରାସ ହୋଇଛି । ଓଡ଼ିଶାରେ ଘରୋଇ ଖଣି ଲିଜଧାରୀ କମ୍ପାନୀଗୁଡ଼ିକ ଉଚ୍ଚମାନର ଲୁହାପଥରକୁ ନିମ୍ନମାନର ଦର୍ଶାଇ କୋଟି କୋଟି ଟଙ୍କା ରାଜସ୍ୱ ଫାଙ୍କୁଥିବା ନେଇ ଆଇବିଏମ୍ (ଇଣ୍ଡିଆନ ବ୍ୟୁରୋ ଅଫ ମାଇନ୍ସ) ପକ୍ଷରୁ କେନ୍ଦ୍ର ଖଣି ମନ୍ତ୍ରଣାଳୟକୁ ଅବଗତ କରାଯାଇଥିଲା । ଯାହା ଆଧାରରେ କେନ୍ଦ୍ର ଖଣି ମନ୍ତ୍ରଣାଳୟ ୨୦୨୨ ଅଗଷ୍ଟ ୩୧ତାରିଖରେ ଓଡ଼ିଶା ସରକାରଙ୍କୁ ଏ ସମ୍ପର୍କରେ ତଦନ୍ତ କରି ରିପୋର୍ଟ ମାଗିଥିଲେ । ଆଉ ଓଡ଼ିଶା ସରକାର ଏହି ଖଣି ଦୁର୍ନୀତି ବା ଅନିୟମିତତାକୁ ସ୍ୱୀକାର କରିବା ସହ ରାଜ୍ୟ ଖଣି ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଏକ ତଦନ୍ତ କମିଟି ଗଠନ ପାଇଁ ନିଷ୍ପତ୍ତି ହୋଇଛି ତଥା ଏଥିରେ ଆଇବିଏମ୍ ଅଧିକାରୀଙ୍କୁ ମଧ୍ୟ ସାମିଲ କରାଯାଇଥିବା ନେଇ କେନ୍ଦ୍ର ସରକାରଙ୍କୁ ଅବଗତ କରାଇଥିଲେ । ରାଜ୍ୟ ସରକାର ଆହୁରି ମଧ୍ୟ ସ୍ୱୀକାର କରିଛନ୍ତି ଯେ, ନିଲାମ ହୋଇଥିବା ଖଣିର ପରିଚାଳନା ସଂକ୍ରାନ୍ତ ସତ୍ୟପାଠ ଏବଂ ଲିଜଧାରୀଙ୍କ ଦ୍ୱାରା ଉତ୍ତୋଳନ ହୋଇଥିବା ଖଣିଜ ସାମଗ୍ରୀର ମାନକ(ଗ୍ରେଡ୍ )କୁ କମ୍ ଆକଳନ କରାଯାଇଛି । ଏହାସହିତ ଉତ୍ତୋଳନ ହୋଇଥିବା ଖଣିଜ ସାମଗ୍ରୀ ଓ ଏହାର ମାନକ ଅନୁପାତରେ ମଧ୍ୟ ତାଳମେଳ ନାହିଁ । ଏହାମଧ୍ୟ ଆଇବିଏମ୍ ଦ୍ୱାରା ଅନୁମୋଦିତ ଖନନ ଯୋଜନା ଆଧାରରେ ନିର୍ଦ୍ଧାରିତ ନିୟମଠୁ ଭିନ୍ନ । ତେବେ ଆଇନରେ ପ୍ରଚଳିତ ପ୍ରାବଧାନ ଅନୁସାରେ ପରବର୍ତ୍ତୀ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ କରାଯାଉଛି ବୋଲି ରାଜ୍ୟ ସରକାର ଲିଖିତ ଭାବେ କେନ୍ଦ୍ର ଖଣି ମନ୍ତ୍ରଣାଳୟକୁ ଅବଗତ କରାଇଥିବା ନେଇ କେନ୍ଦ୍ର ଖଣି ମନ୍ତ୍ରୀ ଶ୍ରୀ ଯୋଶୀ ତାଙ୍କ ଚିଠିରେ ଉଳ୍ଲେଖ କରିଛନ୍ତି । ଆଇବିଏମକୁ ମଧ୍ୟ ଓଡ଼ିଶା ସରକାରଙ୍କ ସହ ମିଳିତ ଭାବେ ତଦନ୍ତ କରି ଲିଜଧାରୀଙ୍କ ଦ୍ୱାରା କମ୍ ଆକଳନ ହୋଇଥିବା ଖଣିଜ ସାମଗ୍ରୀର ପରିମାଣ ଓ ମାନକ ସମ୍ପର୍କରେ ତଥ୍ୟ ସଂଗ୍ରହ କରି ଏହି ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ସରକାର ପରାମର୍ଶ ଦେବା ସହ ଓଡ଼ିଶା ସରକାରଙ୍କୁ ବିସ୍ତୃତ ତଥ୍ୟ ପଠାଇବାକୁ ମଧ୍ୟ କହିଛନ୍ତି ।
ଶ୍ରୀମତୀ ଷଡ଼ଙ୍ଗୀ ଦାବି କରିଛନ୍ତି ଯେ, ଏହି ତଦନ୍ତରୁ ଯାହା ନିଷ୍କର୍ସ ବାହାରିବ ଓ ସେମାନଙ୍କ ବିରୁଦ୍ଧରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ସେସବୁ ତଥ୍ୟ ସାର୍ବଜନୀନ ହେବା ଦରକାର । ଆଗାମୀ ଦିନରେ ଏଭଳି ଅନିୟମିତା ଯେପରି ନହେବ ତା’ର ଗ୍ୟାରେଣ୍ଟି କ’ଣ ଓ କିଭଳି ପଦକ୍ଷେପ ନିଆଯାଉଛି ତାହା ରାଜ୍ୟ ସରକାର ସ୍ପଷ୍ଟ କରିବା ଦରକାର । ୨୦୨୧-୨୨ ଆର୍ଥିକ ବର୍ଷରେ ଯେଉଁ ଲିଜଧାରୀମାନେ ଏଭଳି ଦୁର୍ନୀତି ଓ ଅନିୟମିତତା କରିଛନ୍ତି ସେମାନଙ୍କ ବିରୁଦ୍ଧରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଓ ରାଜକୋଷକୁ ହୋଇଥିବା କ୍ଷତିକୁ ଭରଣା ନିମନ୍ତେ କ’ଣ ପଦକ୍ଷେପ ନିଆଯାଇଛି ତାହା ରାଜ୍ୟ ସରକାର ଜଣାନ୍ତୁ । ଏହି ଘରୋଇ ଖଣି ଲିଜଧାରୀମାନେ ଯେଉଁ ଦୁର୍ନୀତି ଓ ଅନିୟମିତତା କରିଛନ୍ତି ସେ ବାବଦ ଅର୍ଥ କାହା ପକେଟକୁ ଯାଇଛି ତା’ର ତଦନ୍ତ କରିବାକୁ ମଧ୍ୟ ଶ୍ରୀମତୀ ଷଡ଼ଙ୍ଗୀ ଦାବି କରିଛନ୍ତି ।
ସୂଚନାଯୋଗ୍ୟ, ରାଜ୍ୟର ବିଭିନ୍ନ ଖଣିଗୁଡ଼ିକର ନିଲାମବେଳେ ଘରୋଇ କମ୍ପାନୀଗୁଡ଼ିକ ବେଶ୍ ଚଢ଼ାଦରରେ ନିଲାମ ଡାକି ସେଗୁଡ଼ିକୁ ହାତେଇଥିଲେ । ପ୍ରାୟତଃ ଅଧିକାଂଶ ପ୍ରମୁଖ ଘରୋଇ ଖଣି କମ୍ପାନୀ ଟେଣ୍ଡର ମୂଲ୍ୟର ପ୍ରାୟ ୧୦୦ ରୁ ୧୪୦% ପର୍ଯ୍ୟନ୍ତ ଅଧିକ ଦରରେ ନିଲାମ ଡାକି ଖଣିଗୁଡ଼ିକର ଲିଜ୍ ନେଇଛନ୍ତି । ମାତ୍ର ଏବେ ଉତ୍ତୋଳନ ହେଉଥିବା ଖଣିଜ ସାମଗ୍ରୀର କ୍ୱାଲିଟିକୁ କମ୍ ଗ୍ରେଡର ଦର୍ଶାଇ ରାଜକୋଷକୁ ଟିକସ ଫାଙ୍କିବାରେ ଲାଗିଛନ୍ତି । ଖଣି କମ୍ପାନୀଗୁଡ଼ିକର ଏହି ଅନିୟମିତତା ଓ ଦୁର୍ନୀତି ରାଜ୍ୟ ସରକାରଙ୍କ ବିନା ସହଯୋଗରେ ସମ୍ଭବପର ହୋଇନଥିବାବେଳେ ଏହା ଦଶନ୍ଧି ପୁରୁଣା ବହୁଚର୍ଚ୍ଚିତ ଖଣି ଦୁର୍ନୀତିକୁ ପୁଣିଥରେ ଉଜାଗର କରାଇଛି ।