Advertisment

ଶ୍ରୀମୟୀଙ୍କୁ ନିଜ ଝିଅ କହି ଲୋକଙ୍କୁ ଚିହ୍ନେଇଲେ ମନ୍ତ୍ରୀ ଅଶୋକ ପଣ୍ଡା

ଏକାମ୍ର ନିର୍ବାଚନମଣ୍ଡଳୀର ବିଜେବି ନଗର ଅଂଚଳର ୫୬ନମ୍ବର ୱାର୍ଡରେ ବିଜେଡି ପଦଯାତ୍ରାବେଳେ ଦଳର ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କୁ ଭୁବନେଶ୍ୱର ସଂସଦୀୟ ଆସନର ବିଜେଡି ପ୍ରାର୍ଥୀ ଭାବେ ମନ୍ତ୍ରୀ ଶ୍ରୀ ପଣ୍ଡା ଘୋଷଣା କରିଛନ୍ତି ।

author-image
Ordigital Desk
ଅଦ୍ୟତନ ହୋଇଛି
Shrimayee Mishra

Shrimayee Mishra

ସାଧାରଣ ନିର୍ବାଚନର ପ୍ରାୟ ୩ମାସ ପୂର୍ବରୁ ବିଜେଡି ନିଜର ପ୍ରାର୍ଥୀ ଘୋଷଣା କରିଛି । ଭୁବନେଶ୍ୱର ସଂସଦୀୟ ଆସନରୁ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ପ୍ରାର୍ଥୀ ହେବା ଏକପ୍ରକାର ନିଶ୍ଚିତ ହୋଇଛି । ଆଜି ଶ୍ରୀମୟୀଙ୍କୁ ନିଜ ଝିଅ ବୋଲି ପରିଚୟ ଦେଇ ଲୋକଙ୍କ ପାଖରେ ଚିହ୍ନାଇଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା । ମୁଖ୍ୟମନ୍ତ୍ରୀଙ୍କ ସମ୍ମାନ ରକ୍ଷା କରିବା ପାଇଁ ଶ୍ରୀମୟୀଙ୍କୁ ଭୋଟ୍ ଦେଇ ଜିତାଇବାକୁ ମଧ୍ୟ ଯୋଡ଼ହସ୍ତରେ ଅନୁରୋଧ କରିଛନ୍ତି ।

Advertisment

ଏକାମ୍ର ନିର୍ବାଚନମଣ୍ଡଳୀର ବିଜେବି ନଗର ଅଂଚଳର ୫୬ନମ୍ବର ୱାର୍ଡରେ ବିଜେଡି ପଦଯାତ୍ରାବେଳେ ଦଳର ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କୁ ଭୁବନେଶ୍ୱର ସଂସଦୀୟ ଆସନର ବିଜେଡି ପ୍ରାର୍ଥୀ ଭାବେ ମନ୍ତ୍ରୀ ଶ୍ରୀ ପଣ୍ଡା ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇସାରିଛନ୍ତି ଓ ମୁଖ୍ୟମନ୍ତ୍ରୀଙ୍କ ସମ୍ମାନ ରକ୍ଷା କରିବାକୁ ଶ୍ରୀମୟୀଙ୍କୁ ଭୋଟ୍ ଦେଇ ଜୟଯୁକ୍ତ କରିବାକୁ ସେ ସମସ୍ତଙ୍କୁ ହାତଯୋଡ଼ି ଅନୁରୋଧ କରିଛନ୍ତି । କେବଳ ସେତିକି ନୁହେଁ ଶ୍ରୀମୟୀଙ୍କୁ ସେ ନିଜ ଝିଅ ବୋଲି ପରିଚିତ କରାଇଥିଲେ । ତାଙ୍କ ଝିଅ ଶ୍ରୀମୟୀ ଆଗାମୀ ନିର୍ବାଚନରେ ଭୁବନେଶ୍ୱର ସଂସଦୀୟ ଆସନରୁ ପ୍ରାର୍ଥୀ ହେଉଛି । ସେ ଯେଭଳି ଅଧିକ ଭୋଟ୍ ପାଇ ବିଜୟୀ ହେବ, ସେଥିପାଇଁ ସମସ୍ତେ ଆଶୀର୍ବାଦ କରନ୍ତୁ ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା କହିଥିଲେ । ଅବଶ୍ୟ ବିଜେଡି ଏପର୍ଯ୍ୟନ୍ତ ଶ୍ରୀମୟୀଙ୍କ ପ୍ରାର୍ଥୀତ୍ୱ ନେଇ ଆନୁଷ୍ଠାନିକ ଘୋଷଣା କରିନି । ମାତ୍ର ଯେଉଁ ଢଙ୍ଗରେ ଶ୍ରୀମୟୀଙ୍କୁ ଦଳ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ଜୋରଦାର ଢଙ୍ଗରେ ଓହ୍ଲାଇଛି ଓ ଶ୍ରୀମୟୀ ମାରାଥନ୍ ପଦଯାତ୍ରା ଓ କର୍ମୀ ସମ୍ମିଳନୀ କରୁଛନ୍ତି ସେଥିରୁ ତାଙ୍କର ପ୍ରାର୍ଥୀତ୍ୱ ନେଇ ଗ୍ରୀନ୍ ସିଗନାଲ ମିଳିଥିବା ସ୍ପଷ୍ଟ ହୋଇଯାଇଛି ।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀମୟୀ କହିଛନ୍ତି ଯେ, ନବୀନ ପଟ୍ଟନାୟକଙ୍କ ଟିମର ସେ ଜଣେ ସାଧାରଣ କର୍ମୀ । କଲେଜ ରାଜନୀତିରୁ ଏପର୍ଯ୍ୟନ୍ତ ଗୁଣ୍ଡୁଚି ମୂଷା ଭଳି ଦଳ ଯେଉଁ ଦାୟିତ୍ୱ ଦେଇଛି ସେ କାର୍ଯ୍ୟ କରି ଆସିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ କାର୍ଯ୍ୟ ପାଇଁ ଲୋକେ କେତେ ଖୁସି ତାହା ସେମାନଙ୍କ ଆଖିକୁ ଦେଖିଲେ ଜଣାପଡ଼ୁଛି । ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଯେଉଁଭଳି ଆଶୀର୍ବାଦ ସାଧାରଣ ଲୋକେ ଦେଇଛନ୍ତି ତାହା ମିଳିବ ବୋଲି ସେ ଆଶାବାଦୀ ଅଛନ୍ତି ।

Advertisment

ଭୁବନେଶ୍ୱର ଲୋକସଭା ଆସନ ଅନ୍ତର୍ଗତ ଜଟଣୀ, ଜୟଦେବ ଓ ବେଗୁନିଆରେ ଦଳୀୟ କାର୍ଯ୍ୟକ୍ରମରେ ଖୋଲାଖୋଲି ଭାବେ ଦଳ ପକ୍ଷରୁ ଶ୍ରୀମୟୀ ମିଶ୍ରଙ୍କୁ ସଂସଦୀୟ ଆସନର ପ୍ରାର୍ଥୀ ବୋଲି ଉପସ୍ଥାପନ କରାଯାଇ ସାରିଛି । ଦଳ ଶ୍ରୀମୟୀଙ୍କ ପାଇଁ ପଦଯାତ୍ରା ଓ କର୍ମୀ ସମ୍ମିଳନୀ ଆୟୋଜନ କରି ଅପରାଜିତାଙ୍କୁ କଡ଼ା ଟକ୍କର ଦେବାକୁ ରଣନୀତି ପ୍ରସ୍ତୁତ କରିଛି । ଗତ ୩ଦିନ ତଳେ ଭୁବନେଶ୍ୱର-ଉତ୍ତର ନିର୍ବାଚନମଣ୍ଡଳୀ ପଦଯାତ୍ରାବେଳେ ଶ୍ରୀମୟୀ ବିଜେଡିର ଲୋକସଭା ପ୍ରାର୍ଥୀ ଭାବେ ସ୍ଲୋଗାନ ପଡ଼ିଥିଲା । ଆଜି ଏକାମ୍ର ନିର୍ବାଚନମଣ୍ଡଳୀରେ ପଦଯାତ୍ରାବେଳେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ପଣ୍ଡା ଖୋଲାଖୋଲି ଭାବେ ଶ୍ରୀମୟୀଙ୍କ ପ୍ରାର୍ଥୀତ୍ୱକୁ ନେଇ ଦଳର ରଣନୀତି ସମ୍ପର୍କରେ ଘୋଷଣା କରିଥିଲେ । ଏହାସହିତ ଶ୍ରୀମୟୀଙ୍କୁ ତାଙ୍କ ଝିଅ ବୋଲି ମଧ୍ୟ ସାଧାରଣ ଲୋକଙ୍କୁ ଚିହ୍ନାଇ ଭୋଟ୍ ଦେବାକୁ ଅନୁରୋଧ କରିଥିଲେ ।

ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଟକ୍କର ଦେବାକୁ ବିଜେଡି ନିଜର ପ୍ରଭାବଶାଳୀ ନେତ୍ରୀ ତଥା ମହିଳା ଚେହେରା ଶ୍ରୀମୟୀ ମିଶ୍ରଙ୍କୁ ମଇଦାନକୁ ଓହ୍ଲାଇବାକୁ ଏକରକମ ନିଷ୍ପତ୍ତି ନେଇସାରିଛି । ଆଗାମୀ ଦିନରେ ଭୁବନେଶ୍ୱର ସଂସଦୀୟ ଆସନରେ ବିଜେଡି ଓ ବିଜେପି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ ବୋଲି ଏବେଠୁ ଆଭାସ ମିଳିଲାଣି ।

BjD