ମୋହନ ସରକାରଙ୍କ ମନ୍ତ୍ରୀମାନଙ୍କୁ ମିଳିଲା ପିଏସ୍

ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ବରିଷ୍ଠ ଓଏଏସ୍ ପ୍ରଦୀପ କୁମାର ସାହୁଙ୍କୁ ନିଯୁକ୍ତି ମିଳିଛି ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

  • Published: Tuesday, 02 July 2024
  • , Updated: 02 July 2024, 08:08 PM IST

ରାଜ୍ୟର ପ୍ରଥମ ବିଜେପି ସରକାରର ବିଭିନ୍ନ ମନ୍ତ୍ରୀମାନଙ୍କୁ ଆଜି ବ୍ୟକ୍ତିଗତ ସଚିବ (ପିଏସ୍ ) ଯୋଗାଇ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅତିରିକ୍ତ ମୁଖ୍ୟ ସଚିବ ଭାବେ ନିକୁଞ୍ଜ ବିହାରୀ ଧଳ ଗତକାଲି ଦାୟିତ୍ୱ ନେବା ପରେ ଆଜି ୫ଜଣ ମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ବ୍ୟକ୍ତିଗତ ସଚିବ ଓ ୨ଜଣ ମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଓଏଏସଡି ଭାବେ ଓଏଏସ ଅଫିସରଙ୍କୁ ଅବସ୍ଥାପିତ କରାଯାଇଛି ।

ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ବରିଷ୍ଠ ଓଏଏସ୍ ପ୍ରଦୀପ କୁମାର ସାହୁଙ୍କୁ ନିଯୁକ୍ତି ମିଳିଛି । ଶ୍ରୀ ସାହୁ ଏବେ କୃଷି ଓ କୃଷକ କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରୁଛନ୍ତି ।

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବ୍ୟକ୍ତିଗତ ସଚିବ ଭାବେ ଓଏଏସ୍ ଅଫିସର ବିଶ୍ୱରଂଜନ ରଥଙ୍କୁ ଅବସ୍ଥାପିତ କରାଯାଇଛି । ଶ୍ରୀ ରଥ ଏବେ ବିଡିଏରେ ଯୁଗ୍ମ କମିଶନର ଭାବେ କାର୍ଯ୍ୟ କରୁଛନ୍ତି ।

ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ାଙ୍କ କାର୍ଯ୍ୟାଳୟରେ ଓଏସଡି(ଅଫିସର ଅନ ସ୍ପେଶାଲ ଡ୍ୟୁଟି) ଭାବେ ଓଏଏସ୍ ଅଫିସର ମନୋଜ କୁମାର ବେହେରାଙ୍କୁ ନିଯୁକ୍ତି ମିଳିଛି । ବିଡିଏ ଲ୍ୟାଣ୍ଡ ଅଫିସର ଶ୍ରୀ ବେହେରାଙ୍କୁ ଗତ ସପ୍ତାହରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ାଙ୍କ କାର୍ଯ୍ୟାଳୟକୁ ବଦଳି ହୋଇଥିଲେ ।

ଆଇନ ଓ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ବ୍ୟକ୍ତିଗତ ସଚିବ ଭାବେ ଓଏଏସ୍ ଅଫିସର ସମ୍ବିତ କୁମାର ଗଡ଼ନାୟକଙ୍କୁ ନିଯୁକ୍ତି ମିଳିଛି । ଶ୍ରୀ ଗଡ଼ନାୟକ ଏବେ  ଭଦ୍ରକ ଅତିରିକ୍ତ ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଅଛନ୍ତି ।

ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ବ୍ୟକ୍ତିଗତ ସଚିବ ଭାବେ ଓଏଏସ୍ ମହେନ୍ଦ୍ର ପଣ୍ଡାଙ୍କୁ ଅବସ୍ଥାପିତ କରାଯାଇଛି । ଶ୍ରୀ ପଣ୍ଡା ଏବେ ଭୁବନେଶ୍ୱର ଉପଜିଲ୍ଲାପାଳ ଭାବେ କାର୍ଯ୍ୟରତ ଅଛନ୍ତି ।

ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ବ୍ୟକ୍ତିଗତ ସଚିବ ଭାବେ ରାୟଗଡ଼ାର ଅତିରିକ୍ତ ଜିଲ୍ଲାପାଳ ତ୍ରିନାଥ ମାଝୀଙ୍କୁ ନିଯୁକ୍ତି ମିଳିଛି ।

ମତ୍ସ୍ୟ ଓ ପଶୁସମ୍ପଦ, ଏମଏସଏମଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ  କାର୍ଯ୍ୟାଳୟରେ ଓଏସଡି ଭାବେ ଓଏଏସ୍ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କୁ ଅବସ୍ଥାପିତ କରାଯାଇଛି । ଶ୍ରୀ ପ୍ରଧାନ ଏବେ ଗଞ୍ଜାମ ଜିଲ୍ଲାପରିଷଦର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଫିସର ଅଛନ୍ତି ।

ଉଚ୍ଚଶିକ୍ଷା ଓ କ୍ରୀଡ଼ା ଯୁବବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ କାର୍ଯ୍ୟାଳୟର ଓଏସଡି ଭାବେ ଓଏଏସ୍ ଅଫିସର ସମ୍ପଦ କୁମାର ଦଳାଇଙ୍କୁ ନିଯୁକ୍ତି ମିଳିଛି । ଶ୍ରୀ ଦଳାଇ ଏବେ ଓସଡମାରେ ଜେନେରାଲ ମ୍ୟାନେଜର ଭାବେ କାର୍ଯ୍ୟ କରୁଛନ୍ତି ।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ କାର୍ଯ୍ୟାଳୟର ଅତିରିକ୍ତ ମୁଖ୍ୟ ସଚିବ ଭାବେ ବରିଷ୍ଠ ଆଇଏଏସ୍ ଶ୍ରୀ ଧଳ ଅବସ୍ଥାପିତ ହୋଇଛନ୍ତି । ଖୁବଶୀଘ୍ର ଅନ୍ୟ ଜଣେ ଓଡ଼ିଆ ଆଇଏଏସ୍ ଅଫିସର ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ପାଇବେ ବୋଲି ଜଣାପଡ଼ିଛି ।

Related story