/odisha-reporter/media/post_attachments/uploadimage/library/16_9/16_9_0/Mithun_1730115250.jpg)
Mithun
ଉପ ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗର ରାଜନୀତିକ ବାତାବରଣ ଉଷ୍ଣ ହୋଇ ଉଠିଛି। କ୍ଷମତାସୀନ ଟିଏମସି ଓ ବିରୋଧୀ ବିଜେପି ମଧ୍ୟରେ ବାକଯୁଦ୍ଧ ତୀବ୍ର ହୋଇଛି। ଏହିକ୍ରମରେ ନିକଟରେ ଦାଦା ସାହେବ ଫାଲକେ ପୁରସ୍କାର ପାଇଥିବା ଅଭିନେତା ତଥା ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀ ହିଂସା ସୃଷ୍ଟି କରିବା ଭଳି ବୟାନ ଦେଇଛନ୍ତି।
ଆସନ୍ତା ମାସରେ ରାଜ୍ୟର ୬ଟି ବିଧାନସଭା ଆସନରେ ଉପ ନିର୍ବାଚନ ହେବ। ଏଥିପାଇଁ ମିଥୁନ ନିଜ ଦଳ ପାଇଁ ପ୍ରଚାର କରୁଛନ୍ତି। ଏହିକ୍ରମରେ ସେ କୋଲକାତାରେ ଭାଷଣ ଦେଉଥିବା ବେଳେ ସେମାନଙ୍କୁ କାଟି ଦେବୁ ଭଳି ବୟାନ ଦେଇ ବିବାଦ ସୃଷ୍ଟି କରିଛନ୍ତି।
ଲୋକସଭା ନିର୍ବାଚନ ବେଳେ ଟିଏମସିର ହୁମାୟୁନ କବିର ବିରୋଧୀ ଦଳର କାର୍ଯ୍ୟକର୍ତ୍ତାଙ୍କୁ ଧାର୍ମିକ ପ୍ରସଙ୍ଗରେ ଟାର୍ଗେଟ କରିଥିଲେ। ଅବଶ୍ୟ ଏହାକୁ ନିର୍ବାଚନ କମିଶନ ସେନସନର କରିଥିଲେ। ଉକ୍ତ ପ୍ରସଙ୍ଗକୁ ଆଧାର କରି ୭୪ ବର୍ଷୀୟ ମିଥୁନ ଏବେ ଟିଏମସିର କାର୍ଯ୍ୟକର୍ତ୍ତାଙ୍କୁ ଧମକ ଦେଇଛନ୍ତି।
ସେ କହିଛନ୍ତି, “ଜଣେ ନେତା କହୁଛନ୍ତି ସେଠାରେ ୭୦% ମୁସଲିମ ଓ ୩୦ ହିନ୍ଦୁ ରହିଛନ୍ତି। ତେଣୁ ସେ ସେମାନଙ୍କୁ କାଟି ଦେବେ ଓ ଭାଗିରଥୀରେ ଫିଙ୍ଗି ଦେବେ। ମୁଁ ଭାବୁଥିଲି ମୁଖ୍ୟମନ୍ତ୍ରୀ (ମମତା ବାନାର୍ଜୀ) ଏହା ଉପରେ କିଛି କହିବେ। ହେଲେ ସେ କିଛି କଲେ ନାହିଁ। ତେଣୁ ମୁଁ କହିବାକୁ ଚାହୁଁଛି ଯେ ଆମେ ସେମାନଙ୍କୁ କାଟି ଦେବୁ ଓ ସେମାନଙ୍କୁ ମାଟିରେ ପୋତିବୁ।
ମୁଁ ମୁଖ୍ୟମନ୍ତ୍ରୀ ନୁହେଁ। କିନ୍ତୁ ମୁଁ ଏକଥା କହୁଛି। ବେଙ୍ଗଲର ଗାଦି ଜିତିବା ପାଇଁ ଆମେ କିଛି ବି କରିପାରିବୁ। ୨୦୨୬ ବିଧାନସଭା ନିର୍ବାଚନ ପରେ ବେଙ୍ଗଲର ଗାଦି ବିଜେପିର ହେବ।
ମୁଁ ବାରମ୍ବାର ଏକଥା କହୁଛି। ଆମେ ୨୦୨୬ ନିର୍ବାଚନ ଜିତିବା ପାଇଁ କିଛି ବି କରିବୁ। ଏଠାରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ବସିଛନ୍ତି। ତାଙ୍କ ଉପସ୍ଥିତିରେ ମୁଁ କହିବାକୁ ଚାହୁଁଛି ଯେ ଗାଦି ପାଇବା ପାଇଁ ଆମେ କିଛି ବି କରିବୁ।”
ଅମିତ ଶାହଙ୍କ ଉପସ୍ଥିତିରେ ମିଥୁନ ଧମକ ଦେଇ କହିଛନ୍ତି, “ମୁଁ କହୁଛି ଯେ ଆମେ ସେମାନଙ୍କୁ କାଟିବୁ ଓ ପିଙ୍ଗି ଦେବୁ। ହେଲେ ଭାଗିରଥୀରେ ସେମାନଙ୍କୁ ଫିଙ୍ଗିବୁ ନାହିଁ। କାରଣ ସେହି ନଦୀ ଆମର ମା’। ଆମେ ଆପଣମାନଙ୍କୁ ମାଟିରେ ଫିଙ୍ଗିବୁ। ବେଙ୍ଗଲ ସରକାର ହିନ୍ଦୁ ସଂପ୍ରଦାୟର ଲୋକଙ୍କୁ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବାକୁ ଦେଉ ନାହାନ୍ତି। ହେଲେ ଆଗକୁ ଏହା ଆଉ ଚଳିବ ନାହିଁ।”
ଅନ୍ୟପକ୍ଷରେ ଟିଏମସିର ସାଧାରଣ ସମ୍ପାଦକ ଜୟ ପ୍ରକାଶ ମଜୁମଦାର ଏହା ଉପରେ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ “କେହି ବି ତାଙ୍କୁ ଜଣେ ଗୁରୁତ୍ୱପୂର୍ଣ୍ଣ ରାଜନେତା ଭାବେ ବିଚାରକୁ ନେଉ ନାହାନ୍ତି। ସେ ଯେଉଁ ଟିଏମସି ନେତାଙ୍କ ବୟାନ କଥା କହୁଛନ୍ତି, ତା’କୁ ନିର୍ବାଚନ କମିଶନ ହଟାଇ ଦେଇଛନ୍ତି। କିନ୍ତୁ ଏବେ ଅମିତ ଶାହଙ୍କ ଉପସ୍ଥିତିରେ ମିଥୁନ ସେକଥା କହୁଛନ୍ତି। କ’ଣ ଏବେ ଏହାକୁ ନିର୍ବାଚନ କମିଶନ ହଟାଇବେ?”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
