/odisha-reporter/media/post_attachments/uploadimage/library/16_9/16_9_0/Stalin_1742638279.jpg)
Stalin
ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ସୀମା ପୁନଃନିର୍ଦ୍ଧାରଣ ପ୍ରସଙ୍ଗରେ ପ୍ରଥମ ଯୁଗ୍ମ କ୍ରିୟାନୁଷ୍ଠାନ କମିଟି (ଜେଏସି) ବୈଠକ ଚେନ୍ନାଇରେ ଆୟୋଜନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟରୁ ଅଧିକାଂଶ ବିଜେପି ବିରୋଧୀ ଦଳଗୁଡ଼ିକ ଯୋଗ ଦେଇଛନ୍ତି। ସଂସଦରେ ଉପଯୁକ୍ତ ପ୍ରତିନିଧିତ୍ୱ ଦାବିରେ ଏପରି ବୈଠକ ଜାତୀୟ ସ୍ତରୀୟ ଅଭିଯାନକୁ ଜନ୍ମ ଦେଇଥିବା ଷ୍ଟାଲିନ କହିଛନ୍ତି।
ଜନ ସଂଖ୍ୟା ଆଧାରରେ ସୀମା ପୁନଃନିର୍ଦ୍ଧାରଣ କାର୍ଯ୍ୟକ୍ରମ ୨୦୨୬ରୁ ଆରମ୍ଭ ହେଉଥିବା ବେଳେ ଏହାକୁ ଦକ୍ଷିଣ ଭାରତର ରାଜ୍ୟଗୁଡ଼ିକ ବିରୋଧ କରୁଛନ୍ତି। ବୈଠକରେ ଓଡ଼ିଶାର ବିରୋଧୀ ଦଳ ବିଜେଡି ମଧ୍ୟ ସାମିଲ ହୋଇଛି। ଗୋଟିଏ ପଟେ ସୀମା ନିର୍ଦ୍ଧାରଣ ପାଇଁ ବିରୋଧୀ ମେଳି କରିଥିବା ବେଳେ ଏହାକୁ ବିଜେପି ଜୋରଦାର ସମାଲୋଚନା କରିଛି। ଡିଏମକେ ରାଜ୍ୟ ସମସ୍ୟାରୁ ଲୋକଙ୍କ ଧ୍ୟାନ ହଟାଇବା ପାଇଁ ଏପରି ଏକ ଚଦ୍ମବେଶୀ ରାଜନୀତିକ ସଂଘର୍ଷ କଥା କହୁଛି ବୋଲି ବିଜେପି କହିଛି।
ସ୍ୱଚ୍ଛ ଓ ନିରପେକ୍ଷ ସୀମାନିର୍ଦ୍ଧାରଣ ପାଇଁ ବିରୋଧୀ ଦେଲେ ମତ
କୁହାଯାଉଛି ଯେ ସୀମା ନିର୍ଦ୍ଧାରଣ ଜନସଂଖ୍ୟା ଆଧାରରେ କରାଯିବ। ଏପରି ହେଲେ ସଂସଦରେ କାହାର ପ୍ରତିନିଧିତ୍ୱ କେତେ ରହିବ, ତା’କୁ ନେଇ ବିବାଦ ଦେଖାଯାଇଛି। ବର୍ତ୍ତମାନର ଆକଳନର ଅନୁଯାୟୀ, ତାମିଲନାଡୁ, କେରଳ, କର୍ଣ୍ଣାଟକା, ଆନ୍ଧ୍ର ଓ ତେଲଙ୍ଗାନା ଭଳି ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକ ସୀମା ପୁନଃ ନିର୍ଦ୍ଧାରଣ ଯୋଗୁ ସଂସଦରେ ସେମାନଙ୍କ ପ୍ରତିନିଧିତ୍ୱ ହରାଇ ପାରନ୍ତି। କାରଣ ଦକ୍ଷିଣ ଭାରତର ରାଜ୍ୟ ସମେତ ଓଡ଼ିଶାରେ ଜନସଂଖ୍ୟା ନିୟନ୍ତ୍ରଣକୁ ଭଲ ଭାବେ କାର୍ଯ୍ୟକାରୀ କରାଯାଇଛି। ନର୍ଦ୍ଦନ ରାଜ୍ୟଗୁଡ଼ିକରେ ଜନସଂଖ୍ୟା ଅଧିକ ଥିବାରୁ ସେମାନଙ୍କ ଆସନ ସଂଖ୍ୟା ସଂସଦରେ ଆହୁରି ବଢ଼ିଯିବ।
ଜେଏସି ବୈଠକରେ ଷ୍ଟାଲିନ କହିଛନ୍ତି, ଏହି ଅଭିଯାନ ସୀମା ନିର୍ଦ୍ଧାରଣ ବିରୋଧରେ ନୁହେଁ। କିନ୍ତୁ ଅନୁଚିତ ଉପାୟରେ ଏହାର ଲାଗୁକୁ ବିରୋଧ କରାଯାଉଛି। ଆମେ ସୀମା ନିର୍ଦ୍ଧାରଣ ବିରୋଧରେ ଆଦୌ ନାହୁଁ। ଆମେ ନିରପେକ୍ଷ ଓ ସ୍ୱଚ୍ଛ ସୀମା ପୁନଃ ନିର୍ଦ୍ଧାରଣ ଚାହୁଁଛୁ। ଦରକାର ପଡ଼ିଲେ ଏହି ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରିବା ପାଇଁ ଆଇନଗତ ବିଶେଷଜ୍ଞ କମିଟି ମଧ୍ୟ ଗଠନ କରିବୁ। ଆମର ଅଧିକାର ପାଇଁ ନିୟମିତ କାର୍ଯ୍ୟକ୍ରମର ଆବଶ୍ୟକତା ରହିଛି। ଆମ ପ୍ରତିନିଧିତ୍ୱ କେବେ ହେଲେ ହ୍ରାସ ପାଇପାରିବ ନାହିଁ।
ପିନରାୟୀ ବିଜୟନଙ୍କ ଚେତାବନୀ
କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ ତାଙ୍କ ଅଭିଭାଷଣରେ ସୀମା ପୁନଃ ନିର୍ଦ୍ଧାରଣକୁ ଦକ୍ଷିଣପୂର୍ବ ରାଜ୍ୟଗୁଡ଼ିକ ଉପରେ ବିପଦର ଖଣ୍ଡା ଝୁଲିବା ସହ ଲିଙ୍କ କରିଛନ୍ତି। ସଂକୀର୍ଣ୍ଣ ରାଜନୀତିକ ସ୍ୱାର୍ଥ ପାଇଁ ବିଜେପି ଏପରି କରିବାକୁ ଚାହୁଁଛି। ଏପରି ହଠାତ୍ ପଦକ୍ଷେପ ସାମ୍ବିଧାନିକ ନୀତି କିମ୍ବା ଗଣତାନ୍ତ୍ରିକ ମୂଲ୍ୟବୋଧ ଦ୍ୱାରା ଆଦୌ ଗ୍ରହଣୀୟ ନୁହେଁ ବୋଲି ବିଜୟନ କହିଛନ୍ତି।
କାହିଁକି ସାମିଲ ହେଲାନି ତୃଣମୂଳ କଂଗ୍ରେସ?
ଜେଏସି ବୈଠକରେ ବିଭିନ୍ନ ରାଜ୍ୟରୁ ରାଜନୀତିକ ଦଳର ନେତାମାନେ ଯୋଗ ଦେଇଥିଲେ। ଏମାନଙ୍କ ମଧ୍ୟରେ କର୍ଣ୍ଣାଟକାର ଉପ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର, ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ଥ ରେଡ୍ଡୀ, ତେଲଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ସିଂହ ମାନ, ଓଡ଼ିଶା କଂଗ୍ରେସ ମୁଖ୍ୟ ଭକ୍ତ ଚରଣ ଦାସ ଓ ବିଜେଡି ନେତା ସଞ୍ଜୟ କୁମାର ଦାସବର୍ମା ପ୍ରମୁଖ ରହିଛନ୍ତି।
ଶିବକୁମାର କହିଛନ୍ତି, ଦକ୍ଷିଣ ପ୍ରାନ୍ତର ରାଜ୍ୟଗୁଡ଼ିକ ଜାତୀୟ ସ୍ୱାର୍ଥ ପାଇଁ ଜନସଂଖ୍ୟା ନିୟନ୍ତ୍ରଣ ଓ ସ୍ୱାକ୍ଷରତାକୁ ଗୁରୁତ୍ୱ ଦେଇ ଆସିଛନ୍ତି। ଆମେ କେବେ ହେଲେ ଆମ ସିଟ୍ଗୁଡ଼ିକୁ କମ ହେବାକୁ ଦେବୁନି। ଆମେ ଆର୍ଥିକ ଓ ସ୍ୱାକ୍ଷରତା ବର୍ଗରେ ଆମେ ଆଗରେ ରହି ଆସିଛୁ।”
ତେବେ ବୈଠକରେ ମମତା ବାନାର୍ଜୀଙ୍କ ଟିଏସିର କୌଣସି ସଦସ୍ୟ ଯୋଗ ନଦେବା, ସମସ୍ତଙ୍କୁ ଚକିତ କରିଛି। କାରଣ ସୀମା ନିର୍ଦ୍ଧାରଣ ପ୍ରସଙ୍ଗରେ ଡିଏମକେକୁ ଟିଏମସି ସବୁବେଳେ ସମର୍ଥନ କରି ଆସିଛି। ଷ୍ଟାଲିନ ମଧ୍ୟ ମମତାଙ୍କୁ ଚିଠି ଲେଖି ବୈଠକରେ ଯୋଗ ଦେବାକୁ ଅନୁରୋଧ କରିଥିଲେ। ହେଲେ ଟିଏମସିର କୌଣସି ସଦସ୍ୟ ବୈଠକରେ ସାମିଲ ହୋଇ ନାହାନ୍ତି। ଏହାକୁ ନେଇ ବିରୋଧୀ ମେଣ୍ଟରେ ଫାଟ ଥିବା କଥା ପୁଣି ଚର୍ଚ୍ଚାର ବିଷୟ ପାଲଟିଛି।
ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୈଠକକୁ ଯାଇ ପାରି ନଥିଲେ ହେଁ ବରିଷ୍ଠ ବିଜେଡି ନେତା ଦାସବର୍ମାଙ୍କୁ ପଠାଇଛନ୍ତି। ସେହିପରି ସେ ମଧ୍ୟ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜେଏସିକୁ ସମ୍ବିଧୋନ କରିଛନ୍ତି। ହେଲେ ଟିଏମସି ପକ୍ଷରୁ ସେମିତି କିଛି ବି କରାଯାଇ ନାହିଁ। ମମତାଙ୍କ ଟିଏମସି ଜେଏସିରେ କାହିଁକି ସାମିଲ ହେଲା ନାହିଁ, ସେସମ୍ପର୍କରେ ଦଳ ଏଯାଏ କୌଣସି ପ୍ରକାରର ପ୍ରତିକ୍ରିୟା ଦେଇ ନାହିଁ।
ବିଜେପିର କାଉଣ୍ଟର ଆଟାକ୍
ଚେନ୍ନାଇରେ ଜେଏସି ବୈଠକ ଆରମ୍ଭ ହେବା କ୍ଷଣି କାର୍ଯ୍ୟକ୍ରମ ସ୍ଥଳ ବାହାରେ ବିଜେପି ନେତାମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସେମାନେ କଳାପୋଷାକ ପିନ୍ଧି ବିକ୍ଷୋଭ କରିବା ସହ ସରକାରୀ ବିଫଳତାକୁ ଲୁଚାଇବା ପାଇଁ ଏପରି ରାଜନୀତିକ ଡ୍ରାମା କରାଯାଉଥିବା ବିଜେପି କହିଛି।
ତେଲଙ୍ଗାନାର ପୂର୍ବତନ ରାଜ୍ୟପାଳ ତଥା ବରିଷ୍ଠ ବିଜେପି ନେତ୍ରୀ ତାମିଲିସାଇ ସୌନ୍ଦ୍ରରାଜନ ବୈଠକକୁ ଦୁର୍ନୀତି ଲୁଚାଇବା କାର୍ଯ୍ୟକ୍ରମ ଭାବେ ଚିତ୍ରିତ କରିଛନ୍ତି। ସେ କହିଛନ୍ତି, “ନିଜ ରାଜ୍ୟରେ ସରକା ବିଫଳତାକୁ ଲୁଚାଇବା ପାଇଁ ମୁଖ୍ୟମନ୍ତ୍ରୀମାନେ ଏପରି ବୈଠକ କରୁଛନ୍ତି। ତେଲଙ୍ଗାନା ଓ କେରଳରେ ଏକାଧିକ ଦୁର୍ନୀତି ଚାର୍ଜ ରହିଛି। ସେମାନଙ୍କ ନିଜ ରାଜ୍ୟର ଲୋକ ଏପରି କାର୍ଯ୍ୟକୁ ବିରୋଧ କରୁଛନ୍ତି। ଏହାକୁ ସୀମା ପୁନଃ ନିର୍ଦ୍ଧାରଣ ବୈଠକ ବଦଳରେ ଦୁର୍ନୀତି ଲୁଚାଇବା କାର୍ଯ୍ୟକ୍ରମ ବୋଲି କହିବା ଉଚିତ।” ତାମିଲନାଡୁ ବିଜେପି ମୁଖ୍ୟ କେ ଆନ୍ନାମଲାଇ ମଧ୍ୟ ସମାନ କଥା କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
