Advertisment

କଂଗ୍ରେସ ଛାଡ଼ିଲେ ବିଧାୟକ ଅଧିରାଜ ପାଣିଗ୍ରାହୀ

ଆସନ୍ତାକାଲି ସେ ବିଜେଡିରେ ଯୋଗ ଦେବେ ବୋଲି ଆଲୋଚନା ହେଉଛି।

author-image
Jitendra Garnayak
ଅଦ୍ୟତନ ହୋଇଛି
Adhiraj Panigrahi

Adhiraj Panigrahi

ଯାହା ଆଲୋଚନା ହେଉଥିଲା, ଶେଷରେ ତାହା ହେଲା। ଆଜି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ। ସେ ତାଙ୍କ ଇସ୍ତଫାପତ୍ର ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଛନ୍ତି। ସେ ଦଳର ଅନ୍ୟାନ୍ୟ ପଦପଦବୀ ସହିତ  କଂଗ୍ରେସର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ଆସନ୍ତାକାଲି ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ବିଜେଡିରେ ଯୋଗ ଦେବେ ବୋଲି ଆଲୋଚନା ହେଉଛି।

Advertisment

କଂଗ୍ରେସ ଛାଡ଼ିବା ପରେ ଅଧିରାଜ କହିଛନ୍ତି, ଖଡ଼ିଆଳବାସୀଙ୍କ ମତାମତକୁ ନେଇ କଂଗ୍ରେସ ଛାଡ଼ିଛି। କେଉଁ ଦଳକୁ ଯିବି କାଲି କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରି କହିବି। ୨୦୨୪ରେ ନିଶ୍ଚିତ ଖଡ଼ିଆଳରୁ ନିର୍ବାଚନ ଲଢ଼ିବି। ଓଡ଼ିଶାରେ କଂଗ୍ରେସ ଭଲ ସ୍ଥିତିରେ ନାହିଁ, ଦୁର୍ବଳ ହୋଇଯାଇଛି। ତେବେ କଂଗ୍ରେସରେ କୌଣସି ନେତାଙ୍କ ସହ ମୋର ମତାନ୍ତର ନାହିଁ। 

ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ଖଡ଼ିଆଳରେ ଲଢ଼ିବା ପାଇଁ ଯୋଗ୍ୟ ପ୍ରାର୍ଥୀ ଅଛନ୍ତି। ନିର୍ବାଚନ ଆସିଲେ ବହୁତ ଲୋକ ଆସନ୍ତି ଓ ଯାଆନ୍ତି। ସ୍ୱାର୍ଥ ପାଇଁ କିଛି ଲୋକ ଦଳ ବଦଳାଇଥା’ନ୍ତି।

Advertisment

୨୦୧୯ ନିର୍ବାଚନରେ ଅଧିରାଜ ମୋହନ ପାଣିଗ୍ରାହୀ କଂଗ୍ରେସ ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେ ୫୯, ୩୦୮ ଖଣ୍ଡ ଭୋଟ୍ ପାଇଥିଲେ। ବିଜେଡି ନେତା ଲମ୍ବୋଦର ନିଆଲ ୫୬,୪୫୧ ଖଣ୍ଡ ଭୋଟ ପାଇ ହାରି ଯାଇଥିଲେ। ୨୦୧୪ରେ ଶ୍ରୀ ପାଣିଗ୍ରାହୀ ଏହି ଆସନରୁ ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲେ। 

ମମିତା ମେହେର ଘଟଣା ହେଉ ଅବା ଦରବୃଦ୍ଧି ବା ଅନ୍ୟ କିଛି, ଅନେକ ସମୟରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ଆନ୍ଦୋଳନ କରିଥିଲେ ବିଧାୟକ ଅଧିରାଜ ପାଣିଗ୍ରାହୀ। ହେଲେ ବେଶ୍ କିଛି ଦିନ ହେବ ସେ ଚୁପ୍ ହୋଇଯାଇଥିଲେ। ତେଣୁ ଅଧିରାଜ ମନ ପରିବର୍ତ୍ତନ କରିଥିବା ଓ  ଦଳ ବଦଳାଇବାକୁ ଚିନ୍ତା କରୁଥିବା ଆଲୋଚନା ହେଉଥିଲା। ତେବେ ସେ ଏନେଇ କିଛି କହୁ ନଥିଲେ। ଆଉ ଆଜି ସେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। 

Congress