Advertisment

ସରିନି ଫ୍ଲାଏଓଭର ବ୍ରିଜ କାମ, ନଡ଼ିଆ ବାଡ଼େଇ ଉଦ୍‌ଘାଟନ କରିଦେଲେ ବିଧାୟକ

ଏହି ଅଧପନ୍ତରିଆ ବ୍ରିଜ୍‌ ଉଦ୍‌ଘାଟକୁ ନେଇ ଜଟଣୀରେ ଦେଖାଦେଇଛି ରାଜନୀତି ବୋଲିବାଣୀ।

author-image
Niranjan Mishra
ଅଦ୍ୟତନ ହୋଇଛି
MLA inaugurated Under Construction Flyover bridge

MLA inaugurated Under Construction Flyover bridge

୭ ବର୍ଷ ପରେ ବି ସରିପାରିଲାନି ଜଟଣୀ ଫ୍ଲାଏଓଭର ବ୍ରିଜ କାମ। ହେଲେ ଏହି ଅସମ୍ପୂର୍ଣ୍ଣ ବ୍ରିଜକୁ ଆଜି ଦୀପ ଧୂପ ଦେଇ ନଡିଆ ବାଡେଇ ଉଦଘାଟନ କରିଦେଇଛନ୍ତି ସ୍ଥାନୀୟ ବିଧାୟକ ସୁର ରାଉତରାୟ। ବିଧାୟକଙ୍କ ଏଭଳି ପଦକ୍ଷେପକୁ ବିଜେଡି କଡା ଭାଷାରେ ନିନ୍ଦା କରିଥିବା ବେଳେ ଜଟଣୀ ପୌରାଧ୍ୟକ୍ଷ କହିଛନ୍ତି, ଫ୍ଲାଏଓଭର ଦେଇ ଜନସାଧାରଣ ଯାତାୟତ କଲେ ବିପଦ ରହିଛି। ସେପଟେ ରାଜନୀତି ନକରି ଜନସାଧାରଣଙ୍କ ବ୍ୟବହାର ପାଇଁ ତୁରନ୍ତ ବ୍ରିଜ କାମ ସାରିବାକୁ ସାଧାରଣରେ ଦାବି ହୋଇଛି।

Advertisment

ବ୍ରିଜ୍‌ ଉଦ୍‌ଘାଟନ ପରେ ସ୍ଥାନୀୟ ବିଧାୟକ ସୁର ରାଉତରାୟ ଦମ୍ଭରେ ଘୋଷଣା କରିଛନ୍ତି, ୭ ବର୍ଷର ଅପେକ୍ଷା ସରିଲା। ଏଣିକି ବର୍ଷା ହେଲେ ରେଲୱେର ଅଣ୍ଡରପାସ୍ ନୁହେଁ ବରଂ ଏହି ବ୍ରିଜ ଦେଇ ଲୋକେ ଯାତାୟତ କରିବେ। କେବଳ ସେତିକି ନୁହେଁ, ବ୍ରିଜ ଉପରେ କିଛି ସମର୍ଥକଙ୍କ ସହ ଚାଲି ଚାଲି ସେ ଫଟୋ ପୋଜ୍ ଦେଇଥିଲେ।

ହେଲେ ଏବେ ବି ଏହି ବ୍ରିଜ୍‌ର କାମ ଜାରି ରହିଛି। ମଝିରେ ସମ୍ପୂର୍ଣ୍ଣ ଢଳେଇ ପଡିନି। ସାଇଡ୍ ଓ୍ୱାଲ ନିର୍ମାଣ ବି ସରିନି। ଗଦା ଗଦା ହୋଇ ପଡି ରହିଛି କଂକ୍ରିଟ ଓ ଲୁହା ଛଡ। ୨୦୧୬ରେ ଆରମ୍ଭ ହୋଇଥିଲା ଏହି ବ୍ରିଜ୍ ନିର୍ମାଣ। ପ୍ରଥମେ ୭୦୦ ମିଟର ଏବଂ ପରେ ୯୬୫ ମିଟରକୁ ସମ୍ପ୍ରସାରିତ ହୋଇଥିଲା ବ୍ରିଜ୍ କାମ। ୧୧ ମିଟର ଓସାରର ଏହି ବ୍ରିଜ୍ ପାଇଁ ଖର୍ଚ୍ଚ ହେଉଛି ୧୦୪ କୋଟି ଟଙ୍କା। ଏହି ଅଧପନ୍ତରିଆ ବ୍ରିଜ୍‌ ଉଦ୍‌ଘାଟକୁ ନେଇ ଜଟଣୀରେ ଦେଖାଦେଇଛି ରାଜନୀତି ବୋଲିବାଣୀ।

Advertisment
Under Construction Flyover bridgeନିର୍ମାଣାଧୀନ ବ୍ରିଜ୍

କାମ ସରିନଥିବା ବେଳେ ବିଧାୟକଙ୍କ ଏଭଳି ତରବରିଆ ଏବଂ ଦାୟିତ୍ୱହୀନ ଭାବେ ବ୍ରିଜ୍ ଉଦଘାଟନକୁ ନାପସନ୍ଦ କରିଛନ୍ତି ଜଟଣୀ ପୌରାଧ୍ୟକ୍ଷ ଅନନ୍ତ ବେହେରା। ସେ କହିଛନ୍ତି, ବର୍ତ୍ତମାନ ବ୍ରିଜ ଉପରେ ଯାତାୟତ ବିପଜ୍ଜନକ। ବିଧିବଦ୍ଧ ଘୋଷଣା ନହେବା ପର୍ଯ୍ୟନ୍ତ ବ୍ରିଜ ଉପରେ କେହି ଯାହାନ୍ତୁ ନାହିଁ। କେହି ଯଦି ମନଇଛା ଯାଇ ଅଘଟଣରେ ପଡ଼େ ଏଥିପାଇଁ ପୌରପରିଷଦ ଦାୟୀ ରହିବ ନାହିଁ। ଯିଏ ଯିବାକୁ କହିଛି ସେ ହିଁ ଦାୟୀ ରହିବ।

ଖୋର୍ଦ୍ଧା ସହ ପୁରୀକୁ ସଂଯୋଗ କରୁଛି ଜଟଣୀର ଏହି ବ୍ରିଜ୍। ଏଠାରେ ଥିବା ରେଳ ଲାଇନ୍ ଅଣ୍ଡରପାସ ଦେଇ ପ୍ରତିଦିନ ହଜାର ହଜାର ଲୋକ ଯାତାୟତ କରୁଛନ୍ତି। ତେବେ ବର୍ଷା ହେଲେ ଏଠାରେ ୧୫ ଫୁଟ ଉଚ୍ଚର ପାଣି ଚାଲୁଛି। ଫଳତଃ ଦି'ଭାଗ ହୋଇଯାଏ ଜଟଣୀ। ଯାତାୟତ ନିମନ୍ତେ ଲୋକେ ନାହିଁ ନ ଥିବା ହିନସ୍ତା ହୁଅନ୍ତି। ରେଲୱେ ପମ୍ପ ଲଗାଇ ପାଣି ଖାଲି କରେ। ପୂର୍ବରୁ ଅଣ୍ଡରପାସରେ ଜମା ହୋଇଥିବା ପାଣିରେ ମୋ ବସ୍ ଫସିଛି। ପାଣିରେ ବୁଡି ଅନେକ ଲୋକଙ୍କ ଜୀବନ ବି ଯାଇଛି। ତେଣୁ ଏଠାରେ ଏକ ବ୍ରିଜ୍ କରିବାକୁ ଦୀର୍ଘ ଦିନ ଧରି ଦାବି ହେଉଥିଲା। ଏବେ ବ୍ରିଜ ନିର୍ମାଣକୁ ୭ ବର୍ଷ ବିତିବାକୁ ବସିଲାଣି, ତଥାପି କାମ ଅସଂପୂର୍ଣ୍ଣ ରହିଛି। ଲୋକେ କହୁଛନ୍ତି ରାଜ୍ୟ ସାରା ବିକାଶର ଡିଣ୍ଡିମ ପିଟୁଥିବା ସରକାରଙ୍କୁ ଜଟଣୀବାସୀଙ୍କ ଏ ଦୁଃଖ ଦେଖାଯାଉଛି।

Under Passରେଳ ଲାଇନ୍‌ ଥିବା ଅଣ୍ଡର ପାସ୍‌ରେ ବସ୍‌ ଫସିଛି(ଫାଇଲ୍‌ ଫଟୋ)

ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି, ଅଣ୍ଡରପାସ୍‌ରେ ପାଣି ହେଲେ ଲୋକେ କିପରି ଯାତାୟତ କରିବେ? ତେଣୁ ଏହି ବ୍ରିଜ୍‌ ଦେଇ ଯିବେ। ଏଥିପାଇଁ ନଡ଼ିଆ ବାଡ଼େଇ ବ୍ରିଜ୍ ଉଦ୍‌ଘାଟନ କରାଯାଇଛି।

ଖୋର୍ଦ୍ଧା ବିଜେଡି ଉପସଭାପତି ସୁଦର୍ଶନ ସୁନ୍ଦରାୟ କହିଛନ୍ତି, ବ୍ରିଜ୍‌ର କାମ ଯେତିକି ବାକି ଅଛି ତାହା ସରିବାକୁ ପ୍ରାୟ ମାସେ ଲାଗିବ। ଏହା କାହାରି ପୈତୃତକ ସମ୍ପତ୍ତିରୁ କିମ୍ବା ବ୍ୟକ୍ତିଗତ ପାଣ୍ଠିରୁ ହୋଇନି। ଯଦି ବ୍ରିଜ୍‌କୁ କେହି ବ୍ୟକ୍ତିଗତ ଭାବେ ଉଦ୍‌ଘାଟନ କରିବେ, ତାଙ୍କୁ ଲୋକେ ପାଗଳ ବୋଲି କହିବେ।

ରିପୋର୍ଟ- ଖୋର୍ଦ୍ଧାରୁ ବଳରାମ ଲେଙ୍କା

Sura Routray Khorda Congress Mla Political News