Advertisment

Political backlash : ଜନଅସନ୍ତୋଷ ବଢ଼ିବା ଦେଖି ବ୍ୟାକଫୁଟରେ ସରକାର, ବିଧାୟକଙ୍କ ଦରମା ବୃଦ୍ଧି ନିଷ୍ପତ୍ତିର କରିବେ ପୁନର୍ବିଚାର

ଡ୍ୟାମେଜ୍ କଂଟ୍ରୋଲ ପାଇଁ ସରକାରଙ୍କୁ ଏବେ ସହଯୋଗର ହାତ ବଢ଼ାଇଛନ୍ତି ଶାସକ ଦଳର ବିଧାୟକମାନେ । ମିଳିତ ଭାବେ ଏହି ଦରମା ଓ ଭତ୍ତା ବୃଦ୍ଧି ନିଷ୍ପତ୍ତିର ପୁନର୍ବିଚାର କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଲିଖିତ ଭାବେ ଅନୁରୋଧ କରିଛନ୍ତି ।

ASSEMBLY-123
Advertisment

ଅଚାନକ ବିଲ୍ ଆଣିଲେ ଆଉ ତରବରିଆ ଢଙ୍ଗରେ ପାରିତ କରି ନିଜର ଦରମାକୁ ସାଢ଼େ ୩ଗୁଣ ଓ ପେନସନକୁ ସାଢ଼େ ୪ଗୁଣ ବଢ଼ାଇବାର ନିଷ୍ପତ୍ତି ନେଲେ । ଶାସକ ବିଜେପି ଓ ଦୁଇ ବିରୋଧୀ ଦଳ ବିଜେଡି ଓ କଂଗ୍ରେସର ବିଧାୟକମାନେ ମିଳିମିଶି ରାଜ୍ୟ ରାଜକୋଷ ଉପରେ ‘ରାଜନୀତିକ ସର୍ଜିକାଲ ଷ୍ଟ୍ରାଇକ୍‌’ କଲେ । କିନ୍ତୁ ବିଧାୟକମାନଙ୍କ ଏହି ଦରମା,ଭତ୍ତା ଓ ପେନସନ ବୃଦ୍ଧିକୁ ନେଇ ଜନଅସନ୍ତୋଷ ବ୍ୟାପିବା ସହ ବିଭିନ୍ନ ମହଲରେ କଡ଼ା ସମାଲୋଚନା ହେବାପରେ ସରକାର ବ୍ୟାକଫୁଟରେ । ନିଜର ଭାବମୂର୍ତ୍ତି ବଂଚାଇବା ପାଇଁ ସରକାରଙ୍କୁ ଏବେ ସହଯୋଗର ହାତ ବଢ଼ାଇଛନ୍ତି ଶାସକ ଦଳର ବିଧାୟକମାନେ । ଡ୍ୟାମେଜ୍ କଂଟ୍ରୋଲ ପାଇଁ ମିଳିତ ଭାବେ ଏହି ଦରମା ଓ ଭତ୍ତା ବୃଦ୍ଧି ନିଷ୍ପତ୍ତିର ପୁନର୍ବିଚାର କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଲିଖିତ ଭାବେ ଅନୁରୋଧ କରିଛନ୍ତି ।

Advertisment

ତେବେ ପୁନର୍ବିଚାର ପାଇଁ ଆଜି ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଥିବା ବିଜେପି ବିଧାୟକମାନେ କାହିଁକି ଡିସେମ୍ବର ୯ତାରିଖରେ ଗୃହରେ ବିଲ୍ ଆଗତ ଓ ପାରିତ ହେବାବେଳେ ନିରବ ରହିଥିଲେ ଏବଂ ବିଗତ ୧୦ଦିନ ଧରି କାହିଁକି ନିଷ୍ପତ୍ତିକୁ ସମର୍ଥନ କରିଆସୁଥିଲେ ତାହା ଏବେବି ଅସ୍ପଷ୍ଟ । ଦେଶର ସର୍ବାଧିକ ଦରମା ପାଉଥିବା ବିଧାୟକ ଭାବେ ଓଡ଼ିଶାକୁ ସ୍ଥାନିତ କରିବାକୁ ସପ୍ତଦଶ ବିଧାନସଭାର ସଦସ୍ୟମାନେ(କେବଳ ସିପିଏମ୍ ସଦସ୍ୟ ଲକ୍ଷ୍ମଣ ମୁଣ୍ଡାଙ୍କୁ ବାଦ୍ ଦେଇ) ଯେଉଁ ଅଘୋଷିତ ଡିଲ୍ କରିଥିଲେ, ତାହା ରାଜ୍ୟବାସୀଙ୍କ   ଜୋରଦାର ସମାଲୋଚନା-କଟାକ୍ଷ ଓ ତୀବ୍ର ଅସନ୍ତୋଷ ପରେ ଶାସକ ଦଳକୁ ବ୍ୟାକଫୁଟକୁ ନେବାକୁ ଏକରକମ ବାଧ୍ୟ କରିଥିବା ଚର୍ଚ୍ଚା ହେଉଛି ।

ଦରମା ବୃଦ୍ଧି ନିଷ୍ପତ୍ତିର ହେବ ପୁନର୍ବିଚାର: ସଂସଦୀୟ ବ୍ୟାପାର ମନ୍ତ୍ରୀ

ଆଜି ଶାସକ ବିଜେପି ବିଧାୟକ ଦଳର ବୈଠକ ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ସପ୍ତଦଶ ଓଡ଼ିଶା ବିଧାନସଭାରେ ଡିସେମ୍ବର ୯ତାରିଖରେ ବିଧାୟକ ଓ ପୂର୍ବତନ ବିଧାୟକମାନଙ୍କ ଦରମା ଓ ଭତ୍ତା ସମ୍ବନ୍ଧୀୟ ଯେଉଁ ବିଧେୟକ ଗୃହୀତ ହୋଇଥିଲା, ଆଜି ସେହି ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି । ବିଜେପିର ସମସ୍ତ ବିଧାୟକ ଲୋକମତକୁ ସମ୍ମାନ ଜଣାଇ ଏହି ନିଷ୍ପତ୍ତିର ପୁନର୍ବିଚାର ଓ ଗୃହରେ ପୁନର୍ବାର ଆଲୋଚନା କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଅନୁରୋଧ କରିଛନ୍ତି । ଏଥିପାଇଁ ବିଜେପିର ସମସ୍ତ ବିଧାୟକ ଏକ ଦରଖାସ୍ତରେ ସ୍ୱାକ୍ଷର କରି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି ବୋଲି ଶ୍ରୀ ମହାଲିଙ୍ଗ ସୂଚନା ଦେଇଛନ୍ତି ।

Advertisment

ଗୃହରେ ଚୁପ୍ ରହିଲେ, ଏବେ ନୀତି-ନୈତିକତା

ବିଧାୟକମାନଙ୍କ ଦରମା ଓ ଭତ୍ତା ଆଦି ବୃଦ୍ଧି ପାଇଁ ବିଜେପି ବିଧାୟକ ଭାସ୍କର ମଢ଼େଇଙ୍କ କମିଟି ଯେଉଁ ସୁପାରିଶ କରିଥିଲେ ତାକୁ ପାରିତ କରାଇ ନେବାକୁ ସରକାର କାହିଁକି ଏତେ ବ୍ୟାକୁଳ ଥିଲେ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଏହି ବିଲ୍ ପାସ୍ କରିବା ପୂର୍ବରୁ କାହିଁକି ସବୁ ଦଳ ସହ ବିଚାରବିମର୍ଶ କରାଗଲାନି?

ବିଧାନସଭାର କାର୍ଯ୍ୟ ପରାମର୍ଶଦାତା ବୈଠକରେ କାହିଁକି କଂଗ୍ରେସ,ବିଜେଡି ଓ ବିଜେପିର ସଦସ୍ୟମାନେ ଚୁପ୍ ରହିଲେ? ଏହି ବିଲକୁ କାହିଁକି ଅଚାନକ ଡିସେମ୍ବର ୯ତାରିଖ(ଶେଷ ଦିନ)ରେ ଗୃହରେ ଉପସ୍ଥାପନ କରି ମାତ୍ର କିଛି ଘଣ୍ଟା ମଧ୍ୟରେ ତରବରିଆ ଭାବେ ଗୃହୀତ କରାଇ ନିଆଗଲା? କେହି କାହିଁକି ସେତେବେଳେ ମୁହଁ ଖୋଲିଲେ ନାହିଁ? ଯଦି ସବୁ ଦଳର ସହମତି ଥିଲା ତା’ହେଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କିଭଳି ନିଜର ବର୍ଦ୍ଧିତ ଦରମା ନେବେ ନାହିଁ ବୋଲି କହିଲେ? ବିଜେପିର ବିଧାୟକ ବାବୁ ସିଂଙ୍କ ମଧ୍ୟ କାହିଁକି ଅନୁରୂପ ଘୋଷଣା କଲେ? କାହା ଚାପ ଓ ଦାବିରେ ଏହି ବର୍ଦ୍ଧିତ ଦରମା ଓ ପେନସନ୍ ବୃଦ୍ଧି ପାଇଁ ବିଲ୍ ଗୃହରେ ଆଗତ ହେଇଥିଲା? ନିଜର ଦରମା ଓ ଭତ୍ତା ଏତେ ପରିମାଣ ବଢ଼ାଇବା ପୂର୍ବରୁ ଶାସକ ଦଳ କ’ଣ ରାଜ୍ୟର ଆର୍ଥିକ ଓ ସାମାଜିକ ସ୍ଥିତିକୁ ଆକଳନ କରିବାକୁ ଭୁଲି ଯାଇଥିଲା କି?

 ଗୃହରେ ତରବର ହୋଇ ବିଲ୍ ପାରିତ କରାଇ ନେଇଥିବା ରାଜନୀତିକ ଦଳଗୁଡ଼ିକ ଏବେ ଲୋକଙ୍କ ଆକ୍ରୋଶ ଦେଖି ନୀତି ନୈତିକତାର କଥା କହୁଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ।

ବାଧ୍ୟବାଧକତାରେ ‘ୟୁ-ଟର୍ଣ୍ଣ’ ନେଲା କି ଶାସକ ଦଳ?

ବିଭିନ୍ନ ମହଲରୁ ସରକାରଙ୍କ ପ୍ରତି ଆକ୍ରୋଶ ବଢ଼ିବା ସହ ତୀବ୍ର ସମାଲୋଚନା ନଥମିବା ପରେ ରାଜ୍ୟର କ୍ଷମତାସୀନ ବିଜେପି ସରକାର ଅଡ଼ୁଆରେ ପଡ଼ିଥିଲେ । ସରକାରଙ୍କ ଏଭଳି ନିଷ୍ପତ୍ତିକୁ ନେଇ ମଧ୍ୟ ତୀବ୍ର ଜନଅସନ୍ତୋଷ ବଢ଼ୁଥିବା ଦେଖି ଦଳ ଭିତରେ ଚର୍ଚ୍ଚା ଆରମ୍ଭ ହୋଇଥିଲା ।  ଆଉ ତ୍ରୁଟିକୁ ସୁଧାରିବା ପାଇଁ ଦଳର ବିଧାୟକମାନଙ୍କୁ ଡାକି ଏକ ବୈଠକ କରାଯାଇଥିଲା । ଦଳୀୟ ବିଧାୟକମାନଙ୍କର ସ୍ୱାକ୍ଷର ସହ ଏକ ଦସ୍ତଖତ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇ ଡିସେମ୍ବର ୯ତାରିଖରେ ଆସିଥିବା ବିଲର ପୁନର୍ବିଚାର ନିମନ୍ତେ ବିଧିବଦ୍ଧ ଅନୁରୋଧ କରାଯାଇଥିଲା । ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ଏହି ସୂଚନା ଗଣମାଧ୍ୟମକୁ ଦେବାପରେ ସରକାର ଏହି ବର୍ଦ୍ଧିତ ଦରମା ଓ ଭତ୍ତାର ପୁନର୍ବିଚାର କରିବାକୁ ଯାଉଥିବା ଏକରକମ ସ୍ପଷ୍ଟ ହୋଇଯାଇଛି । ସରକାର ଏହି ପ୍ରସଙ୍ଗରେ ବ୍ୟାକଫୁଟରେ ରହିଥିବା ମଧ୍ୟ ଜଳଜଳ ଦିଶୁଛି । ଯେଉଁ ନେତାମାନେ ବିଧାନସଭାରେ ଚୁପ୍ ରହି ନିଜର ପକେଟକୁ ଓଜନିଆ କରିବାକୁ ଏକଜୁଟ ହୋଇଥିଲେ ସେମାନେ ଏବେ କିଭଳି ପୁନର୍ବିଚାରର ପ୍ରସ୍ତାବ ଦେଲେ ଓ କାହା ଚାପରେ ନିଜର ଐତିହାସିତ ତ୍ରୁଟିକୁ ସୁଧାରିବା ପାଇଁ ବାଧ୍ୟବାଧକତାରେ ଏଭଳି ୟୁ-ଟର୍ଣ୍ଣ ନେଇଛନ୍ତି ତାକୁ ନେଇ ଚର୍ଚ୍ଚା ଲାଗିରହିଛି । ଏହା କେବଳ ଏକ ଲୋକଦେଖାଣିଆ ‘ଡ୍ୟାମେଜ କଂଟ୍ରୋଲ’ ବୋଲି  ମଧ୍ୟ ଚର୍ଚ୍ଚା ହେଉଛି ।

ବିଜେଡିର ଦୋମୁହାଁ ନୀତି, ନବୀନଙ୍କ ନିଷ୍ପତ୍ତି

ବିଧାୟକଙ୍କ ଦରମା ଓ ଭତ୍ତା ବୃଦ୍ଧି ବିଲ୍ ପାରିତ ହେବା ପ୍ରସଙ୍ଗରେ ମୁଖ୍ୟ ବିରୋଧୀ ଦଳ ବିଜେଡିର ଆଭିମୁଖ୍ୟ ସବୁଠୁ ବେଶୀ ସନ୍ଦେହଜନକ । ଏହି ବିଲ୍ ଆସିବା କ’ଣ ବିଜେଡି ଜାଣିନଥିଲା କି? ଯଦି ହଁ ତା’ହେଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କାର୍ହିକି ଗୃହରେ ନିଜର ଆପତ୍ତି ନଉଠାଇ ବର୍ଦ୍ଧିତ ଦରମା ନେବେ ନାହିଁ ବୋଲି ଚିଠି ଲେଖି ସାର୍ବଜନୀନ କଲେ? ବିଜେଡି ବିଧାୟକ ଗଣେଶ୍ୱର ବେହେରା କାହିଁକି ଦରମା ବୃଦ୍ଧି ବିଲ୍ ସପକ୍ଷରେ ଯୁକ୍ତି ବାଢ଼ୁଛନ୍ତି । ବିଧାୟକ ବଦ୍ରି ନାରାୟଣ ପାତ୍ର ଆଉ ପାଦେ ଆଗେଇ ଯାଇ କହିଛନ୍ତି ଯେ, ବିଜେଡି ସରକାର ସମୟରେ ଦରମା ବଢ଼ି ନଥିଲା, କିନ୍ତୁ ଏବେକାର ସରକାର ଏହି ‘ପରିବର୍ତ୍ତନ’ କରିଛନ୍ତି,ଯାହା ଏକ ବଡ଼ କଥା । ସେ ଏହା ମଧ୍ୟ ଯୁକ୍ତି ବାଢ଼ିଛନ୍ତି ଯେ ଅନେକ ବିଧାୟକ ଓ ପୂବର୍ତନ ବିଧାୟକ ଦୁର୍ଦ୍ଦିନରେ ଅଛନ୍ତି, ତେଣୁ ସରକାର ଉଦାରତାର ସହିତ ଏହି ନିଷ୍ପତ୍ତିି ନେଇଛନ୍ତି । ଯଦି ବିଜେଡି ଏତେ ଉଦାର, ତେବେ ବିରୋଧୀ ଦଳ ନେତା କାହିଁକି ବର୍ଦ୍ଧିତ ଦରମା ନେବେ ନାହିଁ ବୋଲି ବାହାରେ ଘୋଷଣା କଲେ । ବିଧାନସଭା ଭିତରେ ସର୍ବସମ୍ମତିରେ ବିଲ୍ ପାରିତ କରିବା ଓ ବାହାରେ ନୀତି-ନୈତିକତା ଦେଖାଇବା ବିଜେଡିର ସୁଚିିନ୍ତିତ ରଣନୀତି ବୋଲି ଚର୍ଚ୍ଚା ହେଉଛି ।

କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନଙ୍କ ଶାଣିତ ଆକ୍ରମଣ

ବରିଷ୍ଠ କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନ ଆଜି ସାମ୍ବାଦିକ ସମ୍ମିଳନୀ କରି ଏହି ବର୍ଦ୍ଧିତ ଦରମା ଓ ଭତ୍ତା ପ୍ରସଙ୍ଗକୁ ନେଇ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ, ଓଡ଼ିଶାରେ ଆଶା, ଅଙ୍ଗନୱାଡି, ପାଚିକା ଓ ଠିକା କର୍ମଚାରୀମାନେ ସେମାନଙ୍କର ମାସିକ ପ୍ରାପ୍ୟ ବଢ଼ାଇବା ପାଇଁ ବର୍ଷବର୍ଷ ଧରି ଗୁହାରି କରୁଛନ୍ତି, କିନ୍ତୁ ସରକାର ନଜର ଦେଉନାହାନ୍ତି । ଅନ୍ୟପଟେ ନିଜ ଦରମା ଓ ଭତ୍ତାକୁ ତିନିଗୁଣ ବଢ଼ାଇବାକୁ ସରକାରଙ୍କ ପାଖରେ ପର୍ଯ୍ୟାପ୍ତ ପାଣ୍ଠି ରହିଛି । ପ୍ରତିବର୍ଷ ବିଧାୟକମାନେ ନିଜର ସମ୍ପତ୍ତି ତାଲିକା ଦାଖଲ କରିବା ଉଚିତ୍ ବୋଲି ପୂର୍ବରୁ ବିଧାନସଭାର ସଦାଚାର କମିଟି ସୁପାରିଶ କରିଥିଲେ, ଯାହାକୁ ସରକାର ମଧ୍ୟ ଗ୍ରହଣ କରିଥିଲେ । କିନ୍ତୁ ତାହା ପାଳନ ହେଉନାହିଁ । ବିଧାୟକମାନେ ଏକାଧିକ ଭତ୍ତା ନେବାକୁ ନିଷିଦ୍ଧ କରାଯାଉ ବୋଲି ଦାବି କରିବା ସହ ବର୍ଦ୍ଧିତ ଭତ୍ତା ସେ ନେବେ ନାହିଁ ବୋଲି ଘୋଷଣା କରିଛନ୍ତି । ବିଧାୟକ ଦରମା ଓ ଭତ୍ତା ବୃଦ୍ଧି ସଂକ୍ରାନ୍ତ ବିଲକୁ ସ୍ୱୀକୃତି ନଦେବା ପାଇଁ ସେ ରାଜ୍ୟପାଳଙ୍କୁ ଚିଠି ଲେଖିଥିବା ସୂଚନା ଦେଇଛନ୍ତି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe