Advertisment

ବିଧାୟକ ପିଟିଲେ ନଡ଼ିଆ, ସରପଞ୍ଚ ଭାଙ୍ଗିଲେ ଶିଳାନ୍ୟାସ ଫଳକ

ଶିଳାନ୍ୟାସ୍‌ ଫଳକ ଭାଙ୍ଗିବା ପରେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ ସରପଞ୍ଚ। ହେଲେ ତାଙ୍କ ସମର୍ଥକ ସ୍ଥାନୀୟ ଲୋକଙ୍କ ଆକ୍ରୋଶରେ ଶିକାର ହୋଇଥିଲେ। ଗାଁ ଲୋକେ ସରପଞ୍ଚ ସମର୍ଥକଙ୍କୁ ବହେ ପିଟିଥିଲେ। ଯିଏ ଯେମିତି ପାରିଲା ସରପଞ୍ଚ ସମର୍ଥକଙ୍କୁ ଗୋଡାଇ ଗୋଡ଼ାଇ ପିଟିଥିଲେ।

Balasore

Balasore

Advertisment

ଆଜି ରାଜନୀତିର ବିଚିତ୍ର ଚିତ୍ର ଦେଖିବାକୁ ମିଳିଲା। ପ୍ରକଳ୍ପ ଶିଳାନ୍ୟାସ୍‌ ପାଇଁ ବିଧାୟକ ପିଟିଲେ ନଡ଼ିଆ। ସେପଟେ ଫଳକରେ ନାଁ ନଥିବାରୁ ବିଧାୟକଙ୍କ ସମ୍ମୁଖରେ ପଥରେ ଫଳକ ଭାଙ୍ଗିଲେ ସରପଞ୍ଚ। ଆଉ ତା’ପରେ ସ୍ଥାନୀୟ ଲୋକେ ସରପଞ୍ଚଙ୍କ ସମର୍ଥକଙ୍କୁ ବହେ ନାଦିଲେ। ଏପରି ଘଟଣା ବାଲେଶ୍ୱର ଜିଲ୍ଲା ନୀଳଗିରି ନିର୍ବାଚନମଣ୍ଡଳୀରେ ଦେଖିବାକୁ ମିଳିଛି। ଏନେଇ ବରହମ୍‌ପୁର ଥାନାରେ ସରପଞ୍ଚଙ୍କ ନାଁରେ ଲିଖିତ ଅଭିଯୋଗ ହୋଇଛି।

Advertisment

ନୀଳଗିରି ବିଧାୟକ ହେଉଛନ୍ତି ସୁକାନ୍ତ ନାୟକ। ଆଜି ସେ ନିଜ ସମର୍ଥକଙ୍କ ସହ ଗରଡିହି ପଞ୍ଚାୟତ କଳାକାଦ ଗାଁକୁ ଯାଇଥିଲେ। ସେଠାରେ କଳାକାଦରୁ ଆମ୍ବଝରକୁ ସଂଯୋଗ ରାସ୍ତାର ଶିଳାନ୍ୟାସ୍‌ କରିଥିଲେ। ବିଧାୟକ ନଡ଼ିଆ ପିଟି ଶିଳାନ୍ୟାସ କରିଥିଲେ। ଠିକ୍‌ ସେହି ସମୟରେ ଗରଡିହି ପଞ୍ଚାୟତର ସରପଞ୍ଚ ଶିବାଜି ସିଂ ଫଳକରେ ନାଁ ନଥିବାରୁ ବିରୋଧ କରିଥିଲେ। ପରେ ଫଳକ ଉପରକୁ ଚଢ଼ି ଯାଇଥିଲେ। ତା’ପରେ ବିଧାୟକଙ୍କ ଆଗରେ ପଥରରେ ଫଳକ ଭାଙ୍ଗି ଦେଇଥିଲେ।

ଶିଳାନ୍ୟାସ୍‌ ଫଳକ ଭାଙ୍ଗିବା ପରେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ ସରପଞ୍ଚ। ହେଲେ ତାଙ୍କ ସମର୍ଥକ ସ୍ଥାନୀୟ ଲୋକଙ୍କ ଆକ୍ରୋଶରେ ଶିକାର ହୋଇଥିଲେ। ଗାଁ ଲୋକେ ସରପଞ୍ଚ ସମର୍ଥକଙ୍କୁ ବହେ ପିଟିଥିଲେ। ଯିଏ ଯେମିତି ପାରିଲା ସରପଞ୍ଚ ସମର୍ଥକଙ୍କୁ ଗୋଡାଇ ଗୋଡ଼ାଇ ପିଟିଥିଲେ। କହିବାକୁ ଗଲେ ଗାଁ ପାଲଟି ଯାଇଥିଲା ରଣକ୍ଷେତ୍ର। ପରେ ଉତ୍ତ୍ୟକ୍ତ ଲୋକେ ଶେରଗନ-ଉଦଳା ରାଜ୍ୟ ରାଜପଥକୁ ଅବରୋଧ କରିଥିଲେ। ସରପଞ୍ଚଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଅଡି ବସିଥିଲେ। ଖବର ପାଇ ବରହମ୍‌ପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା। କିନ୍ତୁ ଲୋକମାନେ ନିଜ ଜିଦ୍‌ରେ ଅଟଳ ରହିଥିଲେ। କିଛି ସମୟ ପରେ ଘଟଣାସ୍ଥଳରେ ପହଞ୍ଚିଥିଲେ ସାଂସଦ ପ୍ରତାପ ଷଡଙ୍ଗୀ। ସେ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଛି।

Advertisment

ଆଉ ଜଣେ ମହିଳା କହିଛନ୍ତି, ଦୀର୍ଘ ଦିନ ଧରି ଆମେ କାଦୁଅ ରାସ୍ତାରେ ଯିବା ଆସିବା କରୁଛୁ। ହେଲେ ଏଥିପ୍ରତି ସରପଞ୍ଚ ବା ୱାର୍ଡ ମେମ୍ୱର କାହାର ନଜର ପଡ଼ୁନି। ଆଜି ରାସ୍ତା ନିର୍ମାଣ ପାଇଁ ଶିଳାନ୍ୟାସ କରାଯାଉଥିବା ବେଳେ ସରପଞ୍ଚ ବିରୋଧ କରୁଛନ୍ତି ବୋଲି ମହିଳା ଜଣକ କହିଛନ୍ତି।

ଶିଳାନ୍ୟାସ ପରେ ବିଧାୟକ ସୁକାନ୍ତ ନାୟକ କହିଛନ୍ତି, ଆଜକୁ ସାଢ଼େ ୪ ବର୍ଷ ତଳେ ନୀଳଗିରି ଲୋକ ବିଜେପିରୁ ବିଧାୟକ ଭାବେ ମୋତେ ଓ ପ୍ରତାପ ଷଡଙ୍ଗୀଙ୍କୁ ସାଂସଦ ଭାବେ ନିର୍ବାଚିତ କରାଇଥିଲେ। ବର୍ତ୍ତମାନ ନୀଳଗିରିରେ ଡବଲ୍‌ ଇଞ୍ଜିନ କାର୍ଯ୍ୟକ୍ରମର ପ୍ରତିଫଳିତ ହେଉଛି। ନୀଳଗିରିରେ ରେଳ ଚାଲିବା ଫାଇନାଲ୍‌ ହୋଇଥିବା ବେଳେ ରାସ୍ତାଘାଟ ଓ ବ୍ରିଜ୍‌ ନିର୍ମାଣ ଜୋରଦାରରେ ଚାଲିଛି। ଏସବୁ ଘଟଣା ଦେଖି କେତେକ ଲୋକ ଈର୍ଶାଳୁ ହୋଇଯାଇଛନ୍ତି। ଜନମାନସକୁ ବିଭ୍ରାନ୍ତ କରିବାକୁ ଚାହୁଁଛନ୍ତି। ଆମେ ଏଥିପାଇଁ ବିଚଳିତ ହୋଇନାହୁଁ। କିନ୍ତୁ ନୀଳଗିରିର ଲୋକମାନେ ସଚେତନ, ସେମାନେ ସବୁ ଜାଣିଛନ୍ତି ବୋଲି ଶ୍ରୀ ନାୟକ କହିଛନ୍ତି।

ରିପୋର୍ଟ- ନୀଳଗିରିରୁ ବିଶ୍ୱମ୍ଭର ଦାସ

Bjp Balasore
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe