Advertisment

ଭାରତ ଗୋଟିଏ ଧର୍ମଶାଳା ନୁହେଁ: କାହିଁକି ଏମିତି କହିଲେ ଅମିତ ଶାହ?

ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ କହିବା କଥା ଯେ ଇମିଗ୍ରେସନ ଓ ଫରେନର୍ସ ବିଧେୟକ ଦେଶର ସୁରକ୍ଷାକୁ ସଶକ୍ତ କରିବ, ଅର୍ଥନୀତିକୁ ସୁଦୃଢ଼ କରିବ ଓ ବ୍ୟବସାୟକୁ ମଜବୁତ କରିବା ସହ ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ନୂଆ ଉତ୍ସାହ ଆଣିଦେବ।

Amit shah

Amit shah

Advertisment

ପର୍ଯ୍ୟଟକ କିମ୍ବା ଶିକ୍ଷା, ସ୍ୱାସ୍ଥ୍ୟ ଓ ବ୍ୟବସାୟ ଉଦ୍ଦେଶ୍ୟରେ ଭାରତ ଆସିବାକୁ ଚାହୁଁଥିବା ବିଦେଶୀଙ୍କୁ ସ୍ୱାଗତ କରାଯିବ। କିନ୍ତୁ ଭାରତ ପାଇଁ ବିପଦ ସୃଷ୍ଟି କରୁଥିବା ତତ୍ତ୍ୱମାନଙ୍କୁ ଗୁରୁତ୍ୱର ସହ ନିଆଯିବ। ଆଜି ଏମିତି କିଛି କହିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ଆଜି ଲୋକସଭାରେ ଇମିଗ୍ରେସନ ଓ ଫରେନର୍ସ ବିଲ ୨୦୨୫ ପାରିତ ହୋଇଛି। ଏହା ଉପରେ ଚାଲିଥିବା ବିତର୍କରେ ଭାଗ ନେଇ ଶ୍ରୀ ଶାହ ଏପରି ବୟାନ ରଖିଛନ୍ତି।

Advertisment

ଶ୍ରୀ ଶାହ କହିଛନ୍ତି ନରେନ୍ଦ୍ର ମୋଦିଙ୍କ ସରକାର ଖରାପ ଉଦ୍ଦେଶ୍ୟ ରଖି ଭାରତ ଆସୁଥିବା ଲୋକଙ୍କୁ ରୋକିବେ। କାରଣ ଭାରତ ଗୋଟିଏ ଧର୍ମଶାଳା ନୁହେଁ। ସେ କହିଛନ୍ତି, “ଭାରତର ଜାତୀୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଥିବା ଲୋକଙ୍କୁ ଦେଶରେ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ। ଆମ ଦେଶ ଗୋଟିଏ ଧର୍ମଶାଳା ନୁହେଁ। ଯଦି କେହି ଦେଶର ବିକାଶ ପାଇଁ ଦେଶକୁ ଆସିବାକୁ ଚାହୁଁଥିବେ, ତା’ହେଲେ ସେମାନଙ୍କୁ ସବୁବେଳେ ଆମେ ସ୍ୱାଗତ କରିବୁ।”

ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ କହିବା କଥା ଯେ ଇମିଗ୍ରେସନ ଓ ଫରେନର୍ସ ବିଧେୟକ ଦେଶର ସୁରକ୍ଷାକୁ ସଶକ୍ତ କରିବ, ଅର୍ଥନୀତିକୁ ସୁଦୃଢ଼ କରିବ ଓ ବ୍ୟବସାୟକୁ ମଜବୁତ କରିବା ସହ ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ନୂଆ ଉତ୍ସାହ ଆଣିଦେବ। ଇମିଗ୍ରେସନ ବିଧେୟକ ଦ୍ୱାରା ଦେଶ ପାଖରେ ବିଦେଶୀ ନାଗରିକଙ୍କ ସମସ୍ତ ତଥ୍ୟ ମହଜୁଦ ହୋଇ ପାରିବ। ମିଆଁମାର ଓ ବାଂଲାଦେଶରୁ ବେଆଇନ ଭାବେ ଭାରତକୁ ଆସିଥିବା ରୋହିଙ୍ଗ୍ୟା ପ୍ରସଙ୍ଗରେ ଶାହ କହିଛନ୍ତି ଯେ ବ୍ୟକ୍ତିଗତ ସ୍ୱାର୍ଥ ହାସଲ କରିବା ପାଇଁ ଏପରି ଲୋକମାନେ ଭାରତରେ ଶରଣ ନେବାରେ ଲାଗିଛନ୍ତି। ଏହାଦ୍ୱାରା ଦେଶ ଅସୁରକ୍ଷିତ ହୋଇପଡ଼ିଛି। ଭାରତରେ ଅନୁପ୍ରବେଶ କରି ଅସ୍ଥିରତା ସୃଷ୍ଟି କରୁଥିବା ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନର ଚେତାବନୀ ମଧ୍ୟ ଶ୍ରୀ ଶାହ ଦେଇଛନ୍ତି।

Advertisment

ଅମିତ ଶାହ କହିଛନ୍ତି, “ଏହି ବିଲ୍‌ ଦେଶର ସୁରକ୍ଷାକୁ ମଜବୁତ କରିବ ଓ ୨୦୨୪ ସୁଦ୍ଧା ଭାରତକୁ ସବୁଠାରୁ ବଡ଼ ବିକଶିତ ରାଷ୍ଟ୍ର ରୂପେ ଗଢ଼ିବାରେ ସହାୟକ ହେବ। ଭାରତକୁ ଆସୁଥିବା ପ୍ରତ୍ୟେକ ବିଦେଶୀ ନାଗରିକଙ୍କ ସବୁ ତଥ୍ୟ ଆମ ପାଖରେ ରହିବ ବୋଲି ମୁଁ ଦେଶବାସୀଙ୍କୁ ପ୍ରତିଶ୍ରୁତି ଦେବାକୁ ଚାହୁଁଛୁ। ମହତ୍ତ୍ୱ ଉଦ୍ଦେଶ୍ୟ ରଖି ଭାରତକୁ ଆସୁଥିବା ସମସ୍ତ ବିଦେଶୀ ନାଗରିକଙ୍କୁ ମୁଁ ସ୍ୱାଗତ କରୁଛି। କିନ୍ତୁ ଭାରତ ପ୍ରତି ବିପଦ ସୃଷ୍ଟି କରିବା ପାଇଁ ଆସୁଥିବା ଲୋକଙ୍କ ଉପରେ ଆମେ ତୀକ୍ଷ୍ଣ ନଜର ରଖିବୁ ଓ ସେମାନଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନେବୁ।”

ଅନୁପ୍ରବେଶ ଘଟଣାରେ ମମତାଙ୍କ ଟିଏମସିକୁ କଲେ ଟାର୍ଗେଟ

ପଶ୍ଚିମବଙ୍ଗର କ୍ଷମତାସୀନ ମମତା ବାନାର୍ଜୀଙ୍କ ଟିଏମସି ବେଆଇନ ଅନୁପ୍ରବେଶକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବା ଶ୍ରୀ ଶାହ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, “ସୀମାରେ ତାର ବାଡ଼ ଗୁଡ଼ାଇବା କାମ ଯେତେବେଳେ ବି କରାଯାଉଛି ସେତେବେଳେ ଶାସକ ଦଳର କର୍ମୀମାନେ ଗୁଣ୍ଡାଗର୍ଦ୍ଦି କରୁଛନ୍ତି ଓ ଧାର୍ମିକ କାର୍ଡ ଖେଳୁଛନ୍ତି। ପଶ୍ଚିମବଙ୍ଗ ସରକାର ଅନୁପ୍ରବେଶକାରୀଙ୍କୁ ଦୟା ଦେଖାଉଥିବାରୁ ସୀମାର ୪୫୦ ରାସ୍ତା ମୁକୁଳା ହୋଇ ପଡ଼ି ରହିଛି।

ମୋଟ ୨୨୦୦ କିମି ସୀମାନ୍ତ ଅଞ୍ଚଳ ମଧ୍ୟରୁ କେବଳ ୪୫୦ କିମି ମୁକୁଳା ହୋଇ ରହିଛି। କିନ୍ତୁ ପଶ୍ଚିମବଙ୍ଗ ସରକାର ତାର ବାଡ଼ ପାଇଁ ଜମି ଦେଉନାହାନ୍ତି। ସୀମାକୁ ଆବଦ୍ଧ କରିବା ପାଇଁ କେନ୍ଦ୍ର ସରକାର ୧୧ଥର ପଶ୍ଚିମବଙ୍ଗ ସରକାରଙ୍କୁ ଚିଠି ଲେଖି ସାରିଲେଣି। ରାଜ୍ୟର ଅଧିକାରୀମାନଙ୍କ ସହ ଏକାଧିକ ରାଉଣ୍ଡ ଆଲୋଚନା ବି ସରିଛି। ବେଆଇନ ଅନୁପ୍ରବେଶ କେବଳ ସେହି ଅଞ୍ଚଳରେ ହେଉଛି। ରାଜ୍ୟ ସରକାର ବେଆଇନ ଅନୁପ୍ରବେଶକାରୀମାନଙ୍କ ପାଇଁ ଆଧାର କାର୍ଡ ନିଶ୍ଚିତ କରୁଛନ୍ତି ଓ ସେମାନେ ଏବେ ଦେଶର ବିଭିନ୍ନ ପ୍ରାନ୍ତକୁ ବ୍ୟାପୀ ଯାଇଛନ୍ତି। ଦକ୍ଷିଣ ୨୪ ପ୍ରଗଣାରୁ ସର୍ବାଧିକ ବେଆଇନ ଆଧାର କାର୍ଡ ମିଳିଛି। କିନ୍ତୁ କେହି ବ୍ୟସ୍ତ ହୁଅନ୍ତୁ ନାହିଁ, ଆମେ ଆସନ୍ତାବର୍ଷ ବେଙ୍ଗଲରେ ସରକାର ଗଠନ କରିବୁ ଓ ବାକି ସୀମାନ୍ତ ଅଞ୍ଚଳକୁ ସିଲ କରିବୁ।”

ଇମିଗ୍ରେସନ ବିଲରେ କ’ଣ ବ୍ୟବସ୍ଥା ହୋଇଛି?

ଇମିଗ୍ରେସନ ଓ ଫରେନର୍ସ ବିଲ ୨୦୨୫ରେ କୁହାଯାଇଛି ଯେ ଯଦି କେହି ନକଲି ଭିସା କିମ୍ବା ପାସପୋର୍ଟରେ ଭାରତରେ ପ୍ରବେଶ କରିଥିବେ କିମ୍ବା ଭାରତରେ ରହୁଥିବେ କିମ୍ବା ଭାରତରୁ ଚାଲି ଯାଇଥିବେ, ତା’ହେଲେ ସେମାନଙ୍କୁ ୭ ବର୍ଷ ଯାଏ ଜେଲ ଓ ୧୦ ଲକ୍ଷ ଯାଏ ଜୋରିମାନା ଦେବାକୁ ପଡ଼ିବ। ବିଭିନ୍ନ ହୋଟେଲ, ବିଶ୍ୱ ବିଦ୍ୟାଳୟ, ଅନ୍ୟ ଶିକ୍ଷାନୁଷ୍ଠାନ, ସ୍ୱାସ୍ଥ୍ୟ କେନ୍ଦ୍ର ଓ ନର୍ସିଂ ହୋମରେ ରହୁଥିବା ବିଦେଶୀଙ୍କ ତଥ୍ୟ ଦେବା ବାଧ୍ୟତାମୂଳକ। ଏହାଦ୍ୱାରା ବେଆଇନ ଭାବେ ଅଧିକ ଦିନ ରହୁଥିବା ବିଦେଶୀଙ୍କ ସମ୍ପର୍କରେ ସରକାର ତଥ୍ୟ ହାସଲ କରିପାରିବେ।

ଏଥିରେ ଆହୁରି କୁହାଯାଇଛି ଯେ ଯଦି କେହି ବେଆଇନ ଭାବେ ଭାରତର ଯେକୌଣସି ପ୍ରାନ୍ତରେ ପ୍ରବେଶ କରୁଛନ୍ତି, ତା’ହେଲେ ତାଙ୍କୁ ୫ ବର୍ଷ ଯାଏ ଜେଲ କିମ୍ବା ୫ ଲକ୍ଷ ଯାଏ ଜେଲ କିମ୍ବା ଉଭୟ ଦଣ୍ଡରେ ଦଣ୍ଡିତ କରାଯାଇପାରେ।

Amit Shah Lok Sabha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe