ବିଧାନସଭାକୁ ମୋବାଇଲ୍ ଫୋନ୍ ଓ ପାଣି ବୋତଲ ମନା

ଆଜି ବାଚସ୍ପତି ସୁରମା ପାଢ଼ୀ ସମସ୍ତ ବିଧାୟକମାନଙ୍କୁ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ ଗୃହ ଭିତରେ ମୋବାଇଲ ଫୋନ୍ ଓ ପାଣି ବୋତଲ ଉପଯୋଗ କରିବା ଅନୁଚିତ୍ ।

ଓଡ଼ିଶା ବିଧାନସଭା

  • Published: Wednesday, 28 August 2024
  • , Updated: 28 August 2024, 07:41 PM IST

ରାଜ୍ୟ ବିଧାୟକମାନଙ୍କୁ ବିଧାନସଭା ଗୃହ ଭିତରେ ମୋବାଇଲ୍ ଫୋନର ଉପଯୋଗ ନକରିବା ପାଇଁ ବାଚସ୍ପତି ସୁରମା ପାଢ଼ୀ ଆଜି ନିର୍ଦ୍ଦେଶ ଦେଇଛନ୍ତି । ଏପରିକି ବିଧାୟକମାନେ ଗୃହ ଭିତରକୁ ପାଣି ବୋତଲ ଧରି ନଆସିବା ପାଇଁ ମଧ୍ୟ ବାଚସ୍ପତି ତାଗିଦ୍ କରିଛନ୍ତି । ବିଧାନସଭା ଗୃହ ଭିତରେ ମୋବାଇଲ ଫୋନରେ ବିଧାୟକମାନେ କଥା ହେଉଥିବା ଓ ଫଟୋ ଉଠାଇବା ଘଟଣା ନଜରକୁ ଆସିବା ପରେ ବାଚସ୍ପତି ଏଭଳି ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି ।

ଆଜି ବାଚସ୍ପତି ସୁରମା ପାଢ଼ୀ ସମସ୍ତ ବିଧାୟକମାନଙ୍କୁ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ ଗୃହ ଭିତରେ ମୋବାଇଲ ଫୋନ୍ ଓ ପାଣି ବୋତଲ ଉପଯୋଗ କରିବା ଅନୁଚିତ୍ । ସୋର ବିଧାୟକ ମାଧବ ଧଡ଼ା ୧୨ଟା ୮ମିନିଟରେ ଗୃହରେ ଫଟୋ ଉଠାଇବା ଘଟଣା ନଜରକୁ ଆସିଛି । ସେହିପରି କିଛି ବିଧାୟକ ମଧ୍ୟ ଫୋନରେ କଥା ହେଉଛନ୍ତି । ଗୃହରେ ଏସବୁ କରିବା ଉଚିତ୍ ନୁହେଁ । ଗୃହ ବାହାରେ ପାଣି ପିଇବା ପାଇଁ ପର୍ଯ୍ୟାପ୍ତ ପରିମାଣର ବ୍ୟବସ୍ଥା ରହିଛି । କିନ୍ତୁ ବିଧାୟକମାନେ ପାଣି ବୋତଲ ନେଇ ଗୃହକୁ ଆସୁଛନ୍ତି । ଏଥିରୁ କ୍ଷାନ୍ତ ରହିବା ପାଇଁ ସେ ବିଧାୟକମାନଙ୍କୁ ତାଗିଦ୍ କରିଛନ୍ତି ।

ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ ବିଧାନସଭା ଗୃହ ଭିତରେ ମୋବାଇଲ ଫୋନ୍ ଉପଯୋଗ କରିବାକୁ ନେଇ କଟକଣା ରହିଛି । କିନ୍ତୁ ବିଧାୟକମାନେ ସେଥିପ୍ରତି ଗୁରୁତ୍ୱ ଦେଉନଥିବାରୁ ବାଚସ୍ପତିଙ୍କୁ ଆଜି ପୁଣିଥରେ ଏଭଳି ନିର୍ଦ୍ଦେଶନାମା ଜାରି କରିବାକୁ ପଡ଼ିଛି ।

 

 

 

Related story