/odisha-reporter/media/post_attachments/uploadimage/library/16_9/16_9_0/IMAGE_1750411242.jpg)
Naveen Patnaik
ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟକୁ ନେଇ ଠିକ୍ ବର୍ଷକ ପୂର୍ବରୁ ଏକ ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚିନ୍ତା ବ୍ୟକ୍ତ କରିଥିଲେ । ଆଉ ଆଜି ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତର ଠିକ୍ ୫ଘଣ୍ଟା ପୂର୍ବରୁ ନବୀନ ନିଜର ସର୍ଭିକାଲ ଆଥ୍ରାଇଟିସ୍ ଅସ୍ତ୍ରୋପଚାର ନିମନ୍ତେ ମୁମ୍ବାଇ ଅଭିମୁଖେ ଗସ୍ତ କରିଛନ୍ତି । ନବୀନଙ୍କ ଆଶୁଆରୋଗ୍ୟ କାମନା କରି ତାଙ୍କୁ ବନ୍ଦାପନା କରିବା ସହ ବିଜେଡିର ବରିଷ୍ଠ ନେତା ଓ ଶହ ଶହ କର୍ମୀ ତାଙ୍କୁ ବିମାନବନ୍ଦରରେ ବିଦାୟ ଜଣାଇଛନ୍ତି । ନବୀନଙ୍କ ସହ ତାଙ୍କର ଖାସ୍ ଭିକେ ପାଣ୍ଡିଆନ ଓ ଦୁଇଜଣ ସୁରକ୍ଷାକର୍ମୀ ମଧ୍ୟ ମୁମ୍ବାଇ ଗସ୍ତରେ ଯାଇଥିବା ଜଣାପଡ଼ିଛି । ଏପଟେ ନବୀନଙ୍କ ସ୍ୱାସ୍ଥ୍ୟକୁ ନେଇ ଦଳର ସାଂସଦ ବିଭ୍ରାନ୍ତିକର ମନ୍ତବ୍ୟ ଦେଇ ତାଙ୍କୁ ଅପଦସ୍ତ କରିବାରେ ଲାଗିଥିବା ଚର୍ଚ୍ଚା ହେଉଛି ।
ନବୀନଙ୍କ ମନୋବଳ ବଢ଼ାଇଲେ ଦଳୀୟ କର୍ମୀ ଓ ନେତା
ନବୀନଙ୍କ ଆଶୁଆରୋଗ୍ୟ କାମନା କରି ଆଜି ଦଳର ବରିଷ୍ଠ ନେତା,କର୍ମୀ ଓ ସମର୍ଥକମାନେ ତାଙ୍କୁ ବିମାନ ବନ୍ଦରରେ ଭବ୍ୟ ବିଦାୟ ଦେଇଛନ୍ତି । ସମସ୍ତେ ତାଙ୍କର ସଫଳ ଅସ୍ତ୍ରୋପଚାର ଓ ଖୁବଶୀଘ୍ର ସୁସ୍ଥ ହୋଇ ଭୁବନେଶ୍ୱର ଫେରିବାର କାମନା କରିଥିଲେ । ଦଳର ମହିଳା ସଦସ୍ୟାମାନେ ତାଙ୍କ ପାଇଁ ନବୀନ ନିବାସରେ କଳସ ବସାଇବା ସହ ତାଙ୍କର ଉତ୍ତମ ସ୍ୱାସ୍ଥ୍ୟର କାମନା କରିଛନ୍ତି । ନବୀନଙ୍କୁ ଦଳର କର୍ମୀ ଓ ନେତାମାନେ ଭାବବିହ୍ୱଳ ବିଦାୟ ଜଣାଇବା ସହ ତାଙ୍କର ଆଶୁଆରୋଗ୍ୟ କାମନା କରିଛନ୍ତି । ନବୀନଙ୍କ ମନୋବଳ ବୃଦ୍ଧି ପାଇଁ ଦଳୀୟ କର୍ମୀମାନେ ବିଭିନ୍ନ ସ୍ଲୋଗାନ ମଧ୍ୟ ଦେଇଥିବା ଦେଖିବାକୁ ମିଳିଛି । ୨୨ତାରିଖରେ ମୁମ୍ବାଇର କୋକିଳାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ତାଙ୍କର ସର୍ଭିକାଲ ଆଥ୍ରାଇଟିସ୍ ସମସ୍ୟାର ଚିକିତ୍ସା ହେବ ବୋଲି ନବୀନ ନିଜେ ଦୁଇଦିନ ତଳେ(୧୮ତାରିଖରେ) ସୋସିଆଲ ମିଡିଆ ମାଧ୍ୟମରେ ସୂଚନା ଦେଇଥିଲେ । ଏହାସହିତ ତାଙ୍କ ଅନୁପସ୍ଥିତିରେ ଦଳର ଦାୟିତ୍ୱ ଦେବୀପ୍ରସାଦ ମିଶ୍ର ନିର୍ବାହ କରିବେ ବୋଲି ମଧ୍ୟ ନବୀନ ସୂଚିତ କରାଇଥିଲେ । ନବୀନଙ୍କ ମୁମ୍ବାଇ ଗସ୍ତ ପୂର୍ବରୁ ତାଙ୍କର ମନୋବଳ ବଢ଼ାଇବା ପାଇଁ ଦଳ ପକ୍ଷରୁ ଗୁରୁବାର ଶଙ୍ଖଭବନରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ନିଷ୍ପତ୍ତି ଅନୁସାରେ ଦଳର ନେତାମାନେ ନିଜ ନିଜର ସମର୍ଥକ ଓ ସ୍ଥାନୀୟ ଲୋକଙ୍କୁ ଭୁବନେଶ୍ୱର ବିମାନ ବନ୍ଦର ଆଣିବା ନିମନ୍ତେ ବ୍ୟବସ୍ଥା ହୋଇଥିଲା । ଅବଶ୍ୟ ଏହି ଜନସମାବେଶ ସମ୍ପର୍କରେ ଦଳ ପକ୍ଷରୁ ଗତକାଲି କମିଶନରେଟ ପୁଲିସକୁ ଅବଗତ କରାଇଥିବା ଜଣାପଡ଼ିଛି ।
ନବୀନଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ବ୍ୟକ୍ତ କରିଥିଲେ ମୋଦି
ଆଜକୁ ଠିକ୍ ବର୍ଷକ ପୂର୍ବରୁ ଅର୍ଥାତ ୨୦୨୪ ମେ’ ୨୯ତାରିଖରେ ମୟୂରଭଞ୍ଜ ଜିଲ୍ଲାରେ ଏକ ନିର୍ବାଚନୀ ସଭାରେ ତତକାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ଚିନ୍ତା ବ୍ୟକ୍ତ କରିଥିଲେ । ନବୀନବାବୁଙ୍କ ଶୁଭେଚ୍ଛୁମାନେ ତାଙ୍କର ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ଥିବା ଓ ପ୍ରାୟ ବିଗତ ବର୍ଷକ ମଧ୍ୟରେ ନବୀନଙ୍କ ସ୍ୱାସ୍ଥ୍ୟ କିଭଳି ଅଧିକ ଖରାପ ହୋଇଛି ବୋଲି ତାଙ୍କୁ କହିଥିବା ନେଇ ମୋଦି ନିଜର ଭାଷଣରେ ସୂଚନା ଦେଇଥିଲେ । ନବୀନବାବୁଙ୍କ ସ୍ୱାସ୍ଥ୍ୟ ଖରାପ ହେବା ପଛରେ କ’ଣ ଷଡ଼ଯନ୍ତ୍ର ରହିଛି ତାହା ଓଡ଼ିଶାବାସୀ ଜାଣିବାର ଅଧିକାର ରହିଛି ବୋଲି ମଧ୍ୟ କହିଥିଲେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ବୟାନ ସେତେବେଳେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଥିଲା । ଅବଶ୍ୟ ନବୀନ ଏହାକୁ ଖଣ୍ଡନ କରି ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଓ ପ୍ରଧାନମନ୍ତ୍ରୀ ଯଦି ମୋ ସ୍ୱାସ୍ଥ୍ୟ ନେଇ ଏତେ ଚିନ୍ତିତ , ତେବେ ସେ ଫୋନ କରି ସ୍ୱାସ୍ଥ୍ୟ ବିଷୟରେ ପଚାରି ପାରିଥାନ୍ତେ ବୋଲି ନବୀନ କହିଥିଲେ । ଅବଶ୍ୟ ଏହି ବର୍ଷକ ମଧ୍ୟରେ ନବୀନ ପ୍ରାୟ ୨ଥର ନିଜର ସ୍ୱାସ୍ଥ୍ୟ ପରୀକ୍ଷା ନିମନ୍ତେ ଦିଲ୍ଲୀ ଓ କେରଳକୁ ଯାଇଥିବାର ସୂଚନା ମିଳିଛି ।
ନବୀନଙ୍କୁ ଅପଦସ୍ତ କରୁଛନ୍ତି ଦଳୀୟ ସାଂସଦ
ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପୂର୍ଣ୍ଣ ଠିକ୍ ଅଛି । ଗତକାଲି ରାତିରେ ତାଙ୍କୁ ବ୍ୟକ୍ତିଗତ ଭାବେ ଭେଟିଛି । ସେ ସମ୍ପୂର୍ଣ୍ଣ ଫିଟ୍ ଅଛନ୍ତି ଓ ବିରୋଧୀ କେବଳ ଅପପ୍ରଚାର କରୁଛନ୍ତି । ୧୮ତାରିଖରେ ପୁରୀରେ ଆୟୋଜିତ ରାଜ୍ୟସ୍ତରୀୟ ଯୁବ-ଛାତ୍ର ସମାବେଶରେ ଏଭଳି କିଛି କଥା କହିଥିଲେ ଦଳର ରାଜ୍ୟସଭା ସାଂସଦ ଶୁଭାଶୀଷ ଖୁଂଟିଆ । ଏପରିକି ପୁରୀ ରଥଯାତ୍ରାକୁ ଆସିବା ନିମନ୍ତେ ସେ ଦେଇଥିବା ନିମନ୍ତ୍ରଣକୁ ରଖି ପୁରୀ ଆସିବେ ବୋଲି ନବୀନ ନିଜେ କହିଥିବା ମଧ୍ୟ ଦଳର ଯୁବ-ଛାତ୍ର ନେତାମାନଙ୍କୁ ଶୁଭାଶୀଷ କହିଥିଲେ । କିନ୍ତୁ ଏହାର ମାତ୍ର ୨-୩ଘଣ୍ଟା ପରେ ନବୀନ ନିଜର ସୋସିଆଲ ମିଡିଆରେ ସର୍ଭିକାଲ ଆଥ୍ରାଇଟିସ୍ ପାଇଁ ମୁମ୍ବାଇ ଯିବେ ବୋଲି ସୂଚନା ଦେଲେ । ନବୀନଙ୍କ ସ୍ୱାସ୍ଥ୍ୟକୁ ନେଇ ଶୁଭାଶୀଷ ନିଜ ଆଡ଼ୁ ଏଭଳି ବୟାନବାଜି କରିବାକୁ ଦଳର ବରିଷ୍ଠ ନେତାମାନେ ନାପସନ୍ଦ କରିଛନ୍ତି । ଏତିକିରେ ଶୁଭାଶୀଷ ସୁଧୁରିଲେ ନାହିଁ, ଓଲଟା ଆଜି ପୁଣିଥରେ ଗଣମାଧ୍ୟମକୁ ବୟାନ ଦେଇ ନବୀନ ସ୍ୱାସ୍ଥ୍ୟଗତ କାରଣରୁ ରଥଯାତ୍ରାକୁ ଯିବେ ନାହିଁ ବୋଲି କହିଛନ୍ତି । ଦଳୀୟ ମହଲରେ ହେଉଥିବା ଚର୍ଚ୍ଚା ଅନୁସାରେ, ନବୀନଙ୍କ ସ୍ୱାସ୍ଥ୍ୟକୁ ନେଇ ଦଳର ସାଂସଦ ଜାଣିଶୁଣି ଏଭଳି ଭାବେ ତାଙ୍କୁ ଅପଦସ୍ତ କରୁଛନ୍ତି କି? ନା ଅନ୍ୟ କେଉଁ ଉଦ୍ଦେଶ୍ୟ ପୂରଣ ନିମନ୍ତେ ବିଜେଡିର ପ୍ରଭାବଶାଳୀ ଗୋଷ୍ଠୀର ଏହି ସାଂସଦ ଏପରି ଟୀକାଟିପ୍ପଣୀ ଦେଉଛନ୍ତି ।
ସୂଚନାଯୋଗ୍ୟ, ୮୦ବର୍ଷ ବୟସ୍କ ନବୀନ ରାଜ୍ୟର ସର୍ବାଧିକ ସମୟର ମୁଖ୍ୟମନ୍ତ୍ରୀ ରହିବାର ରେକର୍ଡ କରିଛନ୍ତି । ରାଜ୍ୟରେ ନବୀନଙ୍କ ଲୋକପ୍ରିୟତା ଏବେବି ବଜାୟ ରହିଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
