Advertisment

ମଣିପୁରରେ ମୋଦି, ଶାନ୍ତି ପାଇଁ କଲେ ଅପିଲ

ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିଂସାରେ ପ୍ରଭାବିତ ହୋଇଥିବା ଲୋକଙ୍କୁ ଭେଟି ସେମାନଙ୍କ ଦୁଃଖଦୁର୍ଦ୍ଦଶା ଶୁଣିଥିଲେ।

PM Narendra Modi

PM Narendra Modi

Advertisment

୨୦୨୩ ମେ’ ମାସରେ ମଣିପୁରରେ ଜାତିଆଣ ହିଂସା ବ୍ୟାପିବା ପରଠାରୁ ଆଜି ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ସେଠାକୁ ଗସ୍ତ କରିଥିଲେ। ପ୍ରଧାନମନ୍ତ୍ରୀ ଉଭୟ କୁକି ବହୁଳ ଚୁରାଚାନ୍ଦୁପର ଓ ମୈତେଇ ବହୁଳ ଇମ୍ଫାଲକୁ ଯାଇ ଉଭୟ ଜାତିର ଲୋକଙ୍କୁ ଶାନ୍ତି ପ୍ରତିଷ୍ଠା ପାଇଁ ଆହ୍ୱାନ ଦେଇଥିଲେ। ତା’ସହିତ ସେ ମଣିପୁରର ବିକାଶ ଉପରେ ଗୁରୁତ୍ୱ ଦେଇଥିଲେ।

Advertisment

ଇମ୍ଫାଲରେ ଏକ ରାଲିକୁ ସମ୍ବୋଧିତ କରି ମୋଦି କହିଥିଲେ, ମଣିପୁରରେ ଯେକୌଣସି ପ୍ରକାର ହିଂସା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏହି ହିଂସା ଆମର ପୂର୍ବପୁରୁଷ ଓ ଭବିଷ୍ୟତ ପିଢ଼ିଙ୍କ ପ୍ରତି ବଡ଼ ଅନ୍ୟାୟ। ଆମକୁ ମଣିପୁରକୁ ଶାନ୍ତି ଓ ବିକାଶର ପଥରେ ଆଗେଇ ନେବାକୁ ହେବ। ଏହାକୁ ଆମକୁ ଏକାଠି ମିଳିମିଶି କରିବାକୁ ହେବ।

ଇମ୍ଫାଲରେ ୧୨୦୦ କୋଟି ଟଙ୍କାର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ମଣିପୁରର ଅଭିବୃଦ୍ଧି ପାଇଁ ଏହି ପ୍ରକଳ୍ପଗୁଡ଼ିକର ବେଶ୍ ଗୁରୁତ୍ୱ ରହିଛି। ଏହି ପ୍ରକଳ୍ପଗୁଡ଼ିକ ମଣିପୁରବାସୀଙ୍କ ଜୀବନକୁ ସହଜ କରିବାରେ ସାହାଯ୍ୟ କରିବ। ଏଗୁଡ଼ିକ ରାଜ୍ୟର ଭିତ୍ତିଭୂମିକୁ ମଜବୁତ କରିବ। ତା’ସହିତ ମଣିପୁରର ଯୁବଗୋଷ୍ଠୀ ପାଇଁ ଏହି ପ୍ରକଳ୍ପଗୁଡ଼ିକ ରୋଜଗାରର ନୂଆ ସୁଯୋଗ ସୃଷ୍ଟି କରିବ।

Advertisment

ସେ କହିଥିଲେ, ୨୦୧୪ ପୂର୍ବରୁ ମଣିପୁରର ଅଭିବୃଦ୍ଧି ହାର ୧%ରୁ କମ୍ ରହିଥିବା ବେଳେ ନିକଟ ଅତୀତ ବର୍ଷଗୁଡ଼ିକରେ ଏହା ଦ୍ରୁତ ଅଭିବୃଦ୍ଧି ଦେଖିଛି। ରାଜ୍ୟରେ ଭିତ୍ତିଭୂମି ବିକାଶର ଏକ ନୂଆ ଯୁଗ ଆରମ୍ଭ ହୋଇଛି। ଅତୀତରେ ଦେଶର ପଶ୍ଚିମ ଓ ଦକ୍ଷିଣ ଭାଗରେ ଥିବା ପ୍ରମୁଖ ସହରଗୁଡ଼ିକର ସ୍ୱପ୍ନ ବାସ୍ତବରୂପ ନେଇଥିଲା ଓ ଯୁବବର୍ଗ ନୂଆ ସୁଯୋଗ ପାଇଥିଲେ। କିନ୍ତୁ ଏକବିଂଶ ଶତାବ୍ଦୀ ପୂର୍ବ ଓ ଉତ୍ତରପୂର୍ବ ରାଜ୍ୟଗୁଡ଼ିକର। ସେଥିପାଇଁ ଭାରତ ସରକାର ମଣିପୁରର ବିକାଶକୁ ଗୁରୁତ୍ୱ ଦେଇଛନ୍ତି। ଫଳସ୍ୱରୂପ ମଣିପୁରର ବିକାଶ ହାର ଦ୍ରୁତ ହୋଇଛି।

ପ୍ରଧାନମନ୍ତ୍ରୀ କହିଥିଲେ, ଯେଉଁମାନେ ଶିବିରରେ ରହିବାକୁ ବାଧ୍ୟ ହୋଇଛନ୍ତି, ସେମାନଙ୍କ ଜୀବନକୁ ପୁଣି ସାଧାରଣ କରିବା ପାଇଁ ଆମ ସରକାର ଅହରହ କାର୍ଯ୍ୟ କରୁଛି। ବାସଗୃହ ହରାଇଥିବା ଲୋକଙ୍କ ପାଇଁ ଆମ ସରକାର ୭ ହଜାର ନୂଆ ଘର ମଞ୍ଜୁର କରିଛି। ନିକଟରେ କେନ୍ଦ୍ର ସରକାର ମଣିପୁର ପାଇଁ ୩୦୦୦ କୋଟି ଟଙ୍କାର ଏକ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି। ସେଥିରୁ ବିସ୍ଥାପିତଙ୍କ ପାଇଁ କେବଳ ୫୦୦ କୋଟିରୁ ଅଧିକ ଟଙ୍କାର ସହାୟତା ବ୍ୟବସ୍ଥା କରାଯାଇଛି। ଯେଉଁମାନେ ହିଂସାରେ ପୀଡ଼ିତ ହୋଇଛନ୍ତି, ସେମାନଙ୍କ ଜୀବନକୁ ପୁଣି ସାଧାରଣ କରିବା ହେଉଛି ଆମେ ପ୍ରଧ୍ୟାନ୍ୟ ଦେଉଛୁ।

ମୈତେଇ ବହୁଳ ଇମ୍ଫାଲ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୁକି ବହୁଳ ଚରାଚାନ୍ଦପୁର ଯାଇଥିଲେ ଓ ସେଠାରେ ୭,୩୦୦ କୋଟି ଟଙ୍କାର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହିତ ଏକ ଜନସଭାକୁ ସମ୍ବୋଧିତ କରି ଶାନ୍ତି ଏବଂ ବିକାଶ ଉପରେ ଗୁରୁତ୍ୱ ଦେଇଥିଲେ। କେନ୍ଦ୍ର ସରକାର ମଣିପୁରବାସୀଙ୍କୁ ସମସ୍ତ ପ୍ରକାର ସହଯୋଗ ଦେବେ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ, ମୁଁ ସମସ୍ତ ଗୋଷ୍ଠୀଙ୍କୁ ସେମାନଙ୍କର ସ୍ୱପ୍ନ ପୂରଣ କରିବା ଓ ସେମାନଙ୍କ ପିଲାମାନଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ଶାନ୍ତି ପଥରେ ଆଗେଇ ଆସିବାକୁ ନିବେଦନ କରୁଛି। ଆଜି ମୁଁ ପ୍ରତିଜ୍ଞା କରୁଛି ଯେ ମୁଁ ଆପଣମାନଙ୍କ ସହିତ ରହିଛି। ଭାରତ ସରକାର ମଣିପୁରବାସୀଙ୍କ ସହିତ ଅଛନ୍ତି।

ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିଂସାରେ ପ୍ରଭାବିତ ହୋଇଥିବା ଲୋକଙ୍କୁ ଭେଟି ସେମାନଙ୍କ ଦୁଃଖଦୁର୍ଦ୍ଦଶା ଶୁଣିଥିଲେ।

୨୦୨୩ ମେ’ ମାସରେ ମଣିପୁରରେ ମୈତେଇ ଓ କୁକି ଜନଜାତିର ଲୋକଙ୍କ ମଧ୍ୟରେ ହିଂସା ଆରମ୍ଭ ହୋଇଥିଲା। ଏହି ହିଂସାରେ ୨୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ୬୦ ହଜାରରୁ ଅଧିକ ଲୋକ ବାସଚ୍ୟୁତ ହୋଇଛନ୍ତି। ଏବେବି ସେମାନେ ସରକାରଙ୍କ ଦ୍ୱାରା ନିର୍ମିତ ଶିବିରଗୁଡ଼ିକରେ ରହୁଛନ୍ତି। ଏବେବି ଉତ୍ତେଜନା ଲାଗି ରହିଥିବାରୁ ହଜାର ହଜାର ଲୋକ ସେମାନଙ୍କ ଘରକୁ ଫେରିପାରିନାହାନ୍ତି।

ଏପ୍ରିଲ ୩୦, ୨୦୨୩ରେ ମୈତେଇମାନଙ୍କୁ ଅନୁସୂଚିତ ଜନଜାତିର ମାନ୍ୟତା ପ୍ରଦାନ କରିବା ଲାଗି କେନ୍ଦ୍ର ସରକାରଙ୍କୁ ଅନୁମୋଦନ କରି ପ୍ରସ୍ତାବ ପଠାଇବା ପାଇଁ ମଣିପୁର ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏବେ ମୈତେଇମାନେ ଅନୁସୂଚିତ ଜାତି ଓ ପଛୁଆ ବର୍ଗରେ ସ୍ଥାନ ପାଇଛନ୍ତି। ହାଇକୋର୍ଟଙ୍କ ଆଦେଶ ଯୋଗୁଁ ଆଦିବାସୀମାନଙ୍କର ସମ୍ୱିଧାନ ପ୍ରଦତ୍ତ ସୁରକ୍ଷା ଓ ଅଧିକାର ବାଧିତ ହେବାର ଆଶଙ୍କା କରି ଅନୁସୂଚିତ ଜନଜାତି ବର୍ଗରେ ଆସୁଥିବା କୁକିମାନେ ଏହାର ତୀବ୍ର ବିରୋଧ କରିଥିଲେ। ଫଳସ୍ୱରୂପ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିଲେ ଓ ପ୍ରାୟ ଅଢ଼େଇ ବର୍ଷ ହେଲାଣି ପୂରା ରାଜ୍ୟ ଅଶାନ୍ତ ରହିଛି।

Manipur Violence PM Narendra Modi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe