ମୋଦିଙ୍କ ସମ୍ବଲପୁର ଗସ୍ତ ଓଡ଼ିଶା ରାଜନୀତିରେ ପରିବର୍ତ୍ତନ ଆଣିବ: ରାଜ୍ୟ ବିଜେପି

ପ୍ରଧାନମନ୍ତ୍ରୀ ଆସନ୍ତାକାଲି ବାୟୁସେନାର ସ୍ୱତନ୍ତ୍ର ବିମାନରେ ଅପରାହ୍ନ ୨ଟା ୧୫ମିନିଟରେ ଝାରସୁଗୁଡ଼ା ବିମାନବନ୍ଦରରେ ପହଂଚିବେ

ରାଜ୍ୟ ସଭାପତି ମନମୋହନ ସାମଲ

  • Published: Friday, 02 February 2024
  • , Updated: 02 February 2024, 10:02 PM IST

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବଲପୁରର ଗସ୍ତ ଓଡ଼ିଶା ରାଜନୀତିରେ ପରିବର୍ତ୍ତନ ଆଣିବ। ମୋଦିଙ୍କ ଗସ୍ତ ଯୋଗୁ ପଶ୍ଚିମ ଓଡ଼ିଶା ଓ ସମଗ୍ର ଓଡ଼ିଶାବାସୀ ରାଜନୀତିକ କ୍ଷେତ୍ରରେ ସଚେତନ ହେବେ ବୋଲି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି । ସାଧାରଣ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତରୁ ରାଜନୀତିକ ଫାଇଦା ମିଳିବ ବୋଲି ରାଜ୍ୟ ବିଜେପି ବେଶ୍ ଆଶାବାଦୀ ରହିଛି । ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ଏହି ଗସ୍ତ ସମୟରେ  ପ୍ରାୟ ୬୮ହଜାର କୋଟି ଟଙ୍କାରୁ ଅଧିକ ଟଙ୍କାର ଉତ୍ତିଭୂମି ପ୍ରକଳ୍ପକୁ ଉଦଘାଟନ କରିବେ ବୋଲି ଶ୍ରୀ ସାମଲ ସୂଚନା ଦେଇଛନ୍ତି।

ସମ୍ବଲପୁରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରସ୍ତାବିତ ସଭାସ୍ଥଳକୁ ଯାଇ ପ୍ରସ୍ତୁତି ଅନୁଧ୍ୟାନ କରିବା ପରେ ଶ୍ରୀ ସାମଲ କହିଛନ୍ତି ଯେ, ଗତ ୧୦ବର୍ଷ ତଳେ ମୋଦିଜୀ ବିକଶିତ ଭାରତର ଯେଉଁ ସଂକଳ୍ପ ନେଇଥିଲେ ତାହା ଆଜି ପୂରଣ ହେବାକୁ ଯାଉଛି। ମୋଦିଜୀଙ୍କ ପଶ୍ଚିମଓଡ଼ିଶା ଗସ୍ତ ପାଇଁ ସମ୍ପୂର୍ଣ୍ଣ ଓଡ଼ିଶା ଉତ୍ସବମୁଖର। ମୋଦିଜୀଙ୍କ ପଶ୍ଚିମ ଓଡିଶା ଗସ୍ତ ଓଡ଼ିଆ ଲୋକଙ୍କ ପାଇଁ ପ୍ରେରଣାର କେନ୍ଦ୍ରବିନ୍ଦୁ ହେବ। ଓଡ଼ିଶା ରାଜନୀତିରେ ପରିବର୍ତ୍ତନ ଆଣିବ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ସମ୍ବଲପୁରରକୁ ଆସି ୬୮ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ଭିତିଭୂମି ପ୍ରକଳ୍ପର ଉଦ୍‌ଘାଟନ, ରାଷ୍ଟ୍ର ଉର୍ଦ୍ଦେଶ୍ୟରେ ଲୋକାର୍ପଣ ଏବଂ ଶିଳାନ୍ୟାସ କରିବେ। ମୋଦିଜୀ ପୁରୀ-ସୋନପୁର-ପୁରୀ ସାପ୍ତାହିକ ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ କରିବା ସହ ସମ୍ବଲପୁର ଆଇଆଇଏମ ସ୍ଥାୟୀ କ୍ୟାମ୍ପସକୁ ଉଦ୍‌ଘାଟନ କରିବେ।

ଏହାଛଡା ଝାରସୁଗୁଡା ମୁଖ୍ୟ ଡାକଘର ଐତିହ୍ୟଭବନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ମୋଦିଜୀ । ସେହିପରି ଜଗଦୀଶପୁର-ହଳଦିଆ ଓ ବୋକାରୋ-ଧାମରା ପାଇପଲାଇନ ପ୍ରକଳ୍ପର ଧାମରା-ଅନୁଗୁଳ ପାଇପଲାଇନ ସେକ୍ସନକୁ ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ କରିବେ। ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା’ ଅଧୀନରେ ୨୪୫୦କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମିତ ପ୍ରକଳ୍ପ ଓଡ଼ିଶାକୁ ଜାତୀୟ ଗ୍ୟାସ ଗ୍ରୀଡ୍ ସହ ସଂଯୋଗ କରିବେ। ଏହାଛଡା ମୁମ୍ବାଇ-ନାଗପୁର-ଝାରସୁଗୁଡା ପାଇପଲାଇନର ନାଗପୁର ଝାରସୁଗୁଡା ପ୍ରାକୃତିକ ଗ୍ୟାସ ପାଇପଲାଇନ ସେକ୍ସନ'ର ଶିଳାନ୍ୟାସ କରିବେ ବୋଲି ରାଜ୍ୟ ସଭାପତି ଶ୍ରୀ ସାମଲ ସୂଚନା ଦେଇଛନ୍ତିି।

ସେହିପରି ପ୍ରଧାନମନ୍ତ୍ରୀ ପ୍ରାୟ ୨୮,୯୮୦କୋଟି ଟଙ୍କାର ଏକାଧିକ ବିଦ୍ୟୁତ ପ୍ରକଳ୍ପର ଶିଳାନ୍ୟାସ କରିବେ । ଓଡ଼ିଶାର ଅନୁଗୁଳ ଜିଲ୍ଲାରେ ଏନଟିପିସି ତାଳଚେର ତାପଜ ବିଦ୍ୟୁତ ପ୍ରକଳ୍ପ ଷ୍ଟେଜ-୩ର ଶିଳାନ୍ୟାସ କରିବେ। ଏହାଦ୍ୱାରା ଓଡ଼ିଶା ରାଜ୍ୟରେ ଜନତା ଶସ୍ତାରେ ବିଜୁଳି ପାଇପାରିବେ। ମହାନଦୀ କୋଲ ଫିଲ୍ଡସ ଲିମିଟେଡର କୋଇଲା ଭିତ୍ତିଭୂମି ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ମୋଦି ଉଦ୍‌ଘାଟନ କରିବେ। ୨୧୪୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ପ୍ରକଳ୍ପଗୁଡିକ ଓଡ଼ିଶାରୁ ଶୁଷ୍କ ଇନ୍ଧନର ଗୁଣବତ୍ତା ଏବଂ ଯୋଗାଣକୁ ପ୍ରୋତ୍ସାହିତ କରିବ। ଏହାବ୍ୟତୀତ ୨୧୧୦କୋଟି ଟଙ୍କା ବ୍ୟୟରେ ବିକଶିତ ଜାତୀୟ ରାଜପଥର ୩ଟି ସଡକ କ୍ଷେତ୍ର ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ କରିବେ।

ଏହି ସଡକ ପ୍ରକଳ୍ପଗୁଡିକ ଉଦ୍‌ଘାଟନ କରିବା ଦ୍ୱାରା ଓଡ଼ିଶା ଆର୍ôଥକ ବିକାଶ ଦିଗରେ ମଧ୍ୟ ସହାୟକ ହେବ। ଏହାଛଡା ପ୍ରଧାନମନ୍ତ୍ରୀ ପ୍ରାୟ ୨୧୪୬ କୋଟି ଟଙ୍କାର ରେଳ ପ୍ରକଳ୍ପର ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବା ସହ ଶିଳାନ୍ୟାସ କରିବେ। ଶୈଳଶ୍ରୀ ପ୍ୟାଲେସ ଦ୍ୱାରା ଅନୁପ୍ରାଣିତ ସମ୍ବଲପୁର ରେଳ ଷ୍ଟେସନର ପୁନଃନିର୍ମାଣ ପାଇଁ ମୋଦିଜୀ ଶିଳାନ୍ୟାସ କରିବେ। ସମ୍ବଲପୁର-ତାଳଚେର ଦୋହରୀକରଣ ରେଳ ଲାଇନ ଏବଂ ଝାରତରଭା ସୋନପୁର ନୂଆ ରେଳଲାଇନକୁ ପ୍ରଧାନମନ୍ତ୍ରୀ ଲୋକାର୍ପଣ କରିବେ ବୋଲି ଶ୍ରୀ ସାମଲ କହିଛନ୍ତିି।

ପ୍ରଧାନମନ୍ତ୍ରୀ ଆସନ୍ତାକାଲି ବାୟୁସେନାର ସ୍ୱତନ୍ତ୍ର ବିମାନରେ ଅପରାହ୍ନ ୨ଟା ୧୫ମିନିଟରେ ଝାରସୁଗୁଡ଼ା ବିମାନବନ୍ଦରରେ ପହଂଚିବା ପରେ ସେଠାରୁ ହେଲିକପ୍ଟର ଯୋଗେ ସମ୍ବଲପୁରର ବସନ୍ତପୁରସ୍ଥିତ ଆଇଆଇଏମ୍ ସ୍ଥାୟୀ କ୍ୟାମ୍ପସକୁ ଯିବେ। ଏହାପରେ ସାଧାରଣ ସଭାରେ ଯୋଗ ଦେଇ ଫେରିଯିବାର କାର୍ଯ୍ୟକ୍ରମ ରହିଛି।

Related story