Advertisment

ମୋକିମଙ୍କ ନିର୍ବାଚନ ଅସିଦ୍ଧ; ହରାଇଲେ ବିଧାୟକ ପଦ

କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କଲେ ହାଇକୋର୍ଟ । ନିର୍ବାଚନୀ ଅନିୟମିତତା ମାମଲାରେ ଏପରି ରାୟ ଶୁଣାଇଛନ୍ତି ହାଇକୋର୍ଟ ।

ଅଦ୍ୟତନ ହୋଇଛି
Mohammad Mokim

Mohammad Mokim

Advertisment

କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଛନ୍ତି ହାଇକୋର୍ଟ । ନିର୍ବାଚନୀ ଅନିୟମିତତା ମାମଲାର ଶୁଣାଣି କରି ଏପରି ରାୟ ପ୍ରକାଶ କରିଛନ୍ତି ହାଇକୋର୍ଟ ।

Advertisment

ଗତ ବିଧାନସଭା ନିର୍ବାଚନରେ ନାମାଙ୍କନ ଦାଖଲ ବେଳେ ଅପରାଧିକ ମାମଲାର ସବିଶେଷ ତଥ୍ୟ ଦେଇ ନ ଥିଲେ ମୋକିମ । ଏପରିକି ସେ ଜାଣିଶୁଣି କିଛି କାଟାଗୋରି ଛାଡ଼ି ଯାଇଥିଲେ। ନାମାଙ୍କନ ପତ୍ରରେ ଏସମ୍ପର୍କୀତ ତଥ୍ୟ ଲୁଚାଇଥିବାରୁ ତାହା RTI ଆକ୍ଟକୁ ଉଲ୍ଳଘଂନ କରୁଛି ବୋଲି ବିଜେଡି ନେତା ତଥା ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଦେବାଶିଷ ସାମନ୍ତରାୟ ଅଭିଯୋଗ କରିଥିଲେ।

 ଦେବାଶିଷ ଏନେଇ ୨୦୧୯ ମସିହାରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଏକ ମାମଲା ରୁଜୁ କରିଥିଲେ। ସେହି ଆଧାରରେ କୋର୍ଟ ପକ୍ଷରୁ ଉଭୟ ପକ୍ଷଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ଆବଶ୍ୟକ ଡକ୍ୟୁମେଣ୍ଟ ବି ଉପସ୍ଥାପନ କରାଯାଇଥିଲା। ଦୀର୍ଘ ଦିନ ଧରି ଏହି ମାମଲା ଚାଲିଥିବା ବେଳେ କୋର୍ଟ ରାୟ ପ୍ରକାଶ କରି ମହମ୍ମଦ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଛନ୍ତି।

Advertisment

ହାଇକୋର୍ଟଙ୍କ ଏହି ନିଷ୍ପତ୍ତି ପରେ ବର୍ତ୍ତମାନ ପାଇଁ ବାରବାଟୀ-କଟକ ଆସନ ଫାଙ୍କା ରହିଲା। ଆଗାମୀ ଦିନରେ ହେବାକୁ ଥିବା ନିର୍ବାଚନରେ ଏହି ପଦ ପାଇଁ ଲଢ଼େଇ ହେବ ।

ଗତ ୫ ବର୍ଷ ଧରି ମୋକିମ କଟକ-ବାରବାଟୀରୁ ବିଧାୟକ ଭାବେ ନିର୍ବାଚିତ ହୋଇ ନିଜ କାର୍ଯ୍ୟ ସମ୍ପାଦନ କରୁଥିବା ବେଳେ ଏବେ ତାହା ଅସିଦ୍ଧ ହୋଇ ଯାଇଛି। ଫଳରେ ବର୍ତ୍ତମାନ ମୋକିମ ବିଧାୟକ କିମ୍ବା ପୂର୍ବତନ ବିଧାୟକ ବୋଲି ସମ୍ବୋଧିତ ହୋଇ ପାରିବେନି।

ମାତ୍ର ଆଗାମୀ ନିର୍ବାଚନ ଲଢ଼ିବା ନିମନ୍ତେ ତାଙ୍କ ପାଇଁ କୌଣସି ଅସୁବିଧା ନାହିଁ । କାରଣ ଏ ସମ୍ପର୍କରେ ହାଇକୋର୍ଟ କୌଣସି ଅର୍ଡର ଦେଇ ନାହାନ୍ତି। ହାଇକୋର୍ଟଙ୍କ ଏହି ନିଷ୍ପତ୍ତି ସମ୍ପର୍କରେ ମୋକିମଙ୍କ ମତାମତ ମିଳି ପାରିନି। 

ରାଷ୍ଟ୍ରପତି ନିର୍ବାଚନ ସମୟରେ ଦଳୀୟ ହୁଇପକୁ ଅମାନ୍ୟ କରି ବିଧାୟକ ମୋକିମ୍ ଏନଡିଏ ପ୍ରାର୍ଥୀଙ୍କୁ ଭୋଟ୍ ଦେଇଥିଲେ। ଦଳ ବିରୋଧୀ କାର୍ଯ୍ୟ ପାଇଁ ମୋକିମ ଓ ଜଗତସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜୀବୀ ବିଶ୍ୱାଳଙ୍କୁ ନିଲମ୍ବିତ କରିଥିଲା କଂଗ୍ରେସ। ମାତ୍ର ନିର୍ବାଚନ ପୂର୍ବରୁ ଘର ସଜାଡ଼ିବାକୁ ଅଣ୍ଟା ଭିଡ଼ି ଉଭୟଙ୍କ ଉପରୁ ଗତ ଜାନୁୟାରୀ ମାସରେ ନିଲମ୍ବନ ଆଦେଶ ଉଠାଇ ନେଇଥିଲା ଦଳ।

ମୋକିମ କଂଗ୍ରେସ ଦଳର ଜଣେ ଟାଣୁଆ ନେତା ହୋଇଥିବା ବେଳେ ତାଙ୍କର ଦବଦବା ବି ବେଶ୍‌ ରହିଛି। ଏପରି ସ୍ଥିତିରେ ତାଙ୍କ ବିଧାୟକ ପଦକୁ ଅସିଦ୍ଧ ଘୋଷଣା କରାଯିବା ଘଟଣା ମୋକିମଙ୍କ ସମେତ କଂଗ୍ରେସ ଦଳକୁ ବି ଶକ୍ତ ଝଟକା ଦେଇଛି। ସାଧାରଣ ନିର୍ବାଚନର ଅବ୍ୟବହିତ ପୂର୍ବରୁ ହାଇକୋର୍ଟଙ୍କ ଏପରି ନିର୍ଦ୍ଦେଶ ଯୋଗୁ କଂଗ୍ରେସ ମହଲରେ ନିରାଶା ଖେଳି ଯାଇଛି।

ଏନେଇ ମୋକିମଙ୍କ ପ୍ରତିକ୍ରିୟା ମିଳିନଥିବାବେଳେ ଦେବାଶିଷ ସାମନ୍ତରାୟ କହିଛନ୍ତି, ରାୟରୁ ସ୍ପଷ୍ଟ ହୋଇଛି ଯେ ମହମ୍ମଦ ମୋକିମ କେବେ ବିଧାୟକ ନଥିଲେ ।

Congress Odisha Highcourt
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe