ମୋହନ ସରକାରଙ୍କ ବଡ଼ ନିଷ୍ପତ୍ତି: ଏଣିକି ଦିନକରେ ମିଳିବ ପ୍ରୋଭିଜିନାଲ ଟ୍ରେଡ୍ ଲାଇସେନ୍ସ

ରାଜ୍ୟ ନଗର ଉନ୍ନୟନ ବିଭାଗର ୫ଟି ସେବାକୁ ଆଜି ଓଡ଼ିଶା ଲୋକସେବା ଅଧିକାର ଆଇନ-୨୦୧୨ରେ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ (ଫାଇଲ ଫଟୋ)

  • Published: Thursday, 04 July 2024
  • , Updated: 04 July 2024, 10:11 PM IST

ଏଣିକି ସହରାଂଚଳରେ ପ୍ରୋଭିଜିନାଲ ଟ୍ରେଡ୍ ଲାଇସେନ୍ସ ଦିନକରେ ମିଳିବ । ଆଉ ଫାଇନାଲ ଟ୍ରେଡ୍ ଲାଇସେନ୍ସ ସର୍ବାଧିକ ୯୦ଦିନର ସମୟସୀମା ମଧ୍ୟରେ ମିଳିବ । ଏହାସହିତ ବିଲଡିଂ ପ୍ଲାନ୍ ପରିବର୍ତ୍ତନ,ସଂଶୋଧନ, ପୁନଃବୈଧକରଣ ଓ ପ୍ଲିନଥ ଅନୁମୋଦନ ଆଦି ପାଇଁ ନଗର ଉନ୍ନୟନ ବିଭାଗ ଧାର୍ଯ୍ୟ ସମୟସୀମା ମଧ୍ୟରେ ଏହିସବୁ ସେବା ଯୋଗାଇ ଦେବ । ରାଜ୍ୟ ନଗର ଉନ୍ନୟନ ବିଭାଗର ୫ଟି ସେବାକୁ ଆଜି ଓଡ଼ିଶା ଲୋକସେବା ଅଧିକାର ଆଇନ-୨୦୧୨ରେ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଅନୁସାରେ, ନଗର ଉନ୍ନୟନ ବିଭାଗ ଆଜି ଯେଉଁ ୫ଟି ନୂଆ ସେବାକୁ ଓଡ଼ିଶା ଲୋକସେବା ଅଧିକାର ଆଇନ-୨୦୧୨ର ପରିସରଭୁକ୍ତ କରିଛି ସେଗୁଡ଼ିକ ହେଲା ନଗର ଉନ୍ନୟନ ବିଭାଗ ଏଣିକି ବିଲଡିଂ ପ୍ଲାନର ପରିବର୍ତ୍ତନ ଓ ସଂଶୋଧନ ପାଇଁ ୧୫ରୁ ୩୦ଦିନ ମଧ୍ୟରେ ଅନୁମତି ଦେବ ।

୨- ବିଲଡିଂ ପ୍ଲାନର ପୁନଃବୈଧକରଣ ନିମନ୍ତେ ୭ଦିନ ସମୟସୀମା ଧାର୍ଯ୍ୟ ହୋଇଛି ।
୩- ବିଲଡିଂ ପ୍ଲିନଥ ଅନୁମୋଦନ ସମୟସୀମା ମଧ୍ୟ ସର୍ବାଧିକ ୭ଦିନ ରହିଛି ।
୪- ଟ୍ରେଡ୍ ଲାଇସେନ୍ସ ପ୍ରୋଭିଜିନାଲ ସାର୍ଟିଫିକେଟ୍ ଦିନକ ମଧ୍ୟରେ ମିଳିବ ।
୫- ଟ୍ରେଡ୍ ଲାଇସେନ୍ସ ଫାଇନାଲ ସାର୍ଟିଫିକେଟ୍ ୯୦ଦିନ ମଧ୍ୟରେ ମିଳିବ ।

ନଗର ଉନ୍ନୟନ ବିଭାଗ ଦ୍ୱାରା ସାଧାରଣ ଲୋକଙ୍କୁ ଧାର୍ଯ୍ୟ ସମୟସୀମା ମଧ୍ୟରେ ଏହି ୫ଟି ସେବା ଯୋଗାଇ ଦିଆଯିବ । ପୂର୍ବରୁ ବିଭାଗ ପକ୍ଷରୁ ୨୬ଟି ସେବା ଧାର୍ଯ୍ୟ ସମୟସୀମା ମଧ୍ୟରେ ଲୋକଙ୍କୁ ଯୋଗାଇ ଦିଆଯାଉଛି । ଓଡ଼ିଶା ଲୋକସେବା ଅଧିକାର ଆଇନ-୨୦୧୨ର ପ୍ରାବଧାନ ଆଧାରରେ ନଗର ଉନ୍ନୟନ ବିଭାଗ ଏହି ସେବାଗୁଡ଼ିକୁ ରାଜ୍ୟବାସୀଙ୍କୁ ଯୋଗାଇ ଦେଉଛନ୍ତି ।

ଓଡ଼ିଶା ଲୋକସେବା ଅଧିକାର ଆଇନ-୨୦୧୨ ଅନ୍ତର୍ଗତ ରାଜ୍ୟ ସରକାରଙ୍କ ୩୧ଟି ବିଭାଗ ୪୨୨ଟି ସେବା ସାଧାରଣ ଲୋକଙ୍କୁ ଧାର୍ଯ୍ୟ ସମୟସୀମା ମଧ୍ୟରେ ଯୋଗାଇ ଦେଉଛନ୍ତି । କୌଣସି ଅଫିସ୍ ଏହି ସମୟସୀମାକୁ ଖିଲାପ କଲେ ସମ୍ପୃକ୍ତ ଅଫିସରଙ୍କ ବିରୁଦ୍ଧରେ ଜୋରିମାନାର ପ୍ରାବଧାନ ରହିଛି ।

Related story