Advertisment

ଚର୍ଚ୍ଚାରେ ମୋହନ ସରକାରଙ୍କ ନିଷ୍ପତ୍ତି: ପାଣ୍ଡିଆନମାର୍କା ଅଫିସରଙ୍କୁ କ୍ଲିନଚିଟ୍ ନା ତଡ଼ିପାର

୨୦୦୫ ବ୍ୟାଚ୍ ଆଇଏଏସ୍ ଆର ଭିନିଲକ୍ରିଷ୍ଣାଙ୍କୁ କେନ୍ଦ୍ର ସରକାରଙ୍କ କ୍ରୀଡ଼ା ବିଭାଗର ଯୁଗ୍ମ ସଚିବ ଭାବେ ନିଯୁକ୍ତି ମିଳିଛି । ସେ ଉକ୍ତ ପଦବୀରେ ୫ବର୍ଷ ଅବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ କାର୍ଯ୍ୟ କରିବେ ବୋଲି କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି ।

author-image
Ordigital Desk
CM Mohan Charan Majhi

CM Mohan Charan Majhi

ରାଜ୍ୟରେ ଅପ୍ରତ୍ୟାଶିତ ଢଙ୍ଗରେ ନିଜସ୍ୱ ସଂଖ୍ୟାବଳରେ ପ୍ରଥମଥର ପାଇଁ ସରକାର ଗଢ଼ିଥିବା ବିଜେପି ନିଜର ବର୍ଷପୂର୍ତ୍ତି ପାଳନ କରିବାକୁ ଯାଉଛି । ତେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସରକାରଙ୍କ ଏହି ବର୍ଷକ କାର୍ଯ୍ୟକାଳ ମଧ୍ୟରେ ସବୁଠୁ ବେଶୀ ଚର୍ଚ୍ଚାରେ ଅଛନ୍ତି ପାଣ୍ଡିଆନମାର୍କା ଅଫିସର । ବିଜେଡି ଶାସନକାଳରେ ରାଜ୍ୟ ଶାସନର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନଙ୍କ କୋରଟିମ୍ ସଦସ୍ୟ ଭାବେ ଯେଉଁ ଅଫିସରମାନେ ଉଭୟ ସରକାରୀ ଓ ଦଳୀୟ ସାଂଗଠନିକ କାର୍ଯ୍ୟ ତୁଲାଉଥିଲେ ବୋଲି ଅଭିଯୋଗ ହୁଏ, ସେହି ଅଫିସରମାନେ ଜଣକପରେ ଜଣେ କେନ୍ଦ୍ରୀୟ ଡେପୁଟେସନରେ ପଳାଇବାରେ ଲାଗିଛନ୍ତି । ସେମାନେ ବିଜେଡି ଶାସନବେଳେ ସବୁକିଛି ନିୟନ୍ତ୍ରଣ କରୁଥିଲେ ବୋଲି ଅଭିଯୋଗ ଥାଇମଧ୍ୟ କାହିଁକି ସେମାନଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ଯିବାର ଅନୁମତି ଦିଆଯାଉଛି ଓ ଏହାପଛରେ କ’ଣ କାରଣ ରହିଛି ତାକୁ ନେଇ ନାନାଦି ଚର୍ଚ୍ଚା ଲାଗି ରହିଛି । ପାଣ୍ଡିଆନମାର୍କା ଅଫିସର ଡିଏସ କୁଟ୍ଟେ, ଆଶୀଷ ସିଂ, ରବିକାନ୍ତ, ମିତ୍ରଭାନୁ ମହାପାତ୍ରଙ୍କ ପରେ ବୁଧବାର ଆର ଭିନିଲ୍ କ୍ରିଷ୍ଣାଙ୍କୁ କେନ୍ଦ୍ରରେ ନିଯୁକ୍ତି ମିଳିଥିବାବେଳେ ଆଉ ଦୁଇଜଣ ପାଣ୍ଡିଆନମାର୍କା ଅଫିସର ମଧ୍ୟ ଡେପୁଟେସନରେ ଯିବାପାଇଁ ଆବେଦନ କରିଥିବା ଜଣାପଡ଼ିଛି ।

Advertisment

ରାଜ୍ୟ କ୍ରୀଡ଼ା ବିଭାଗରୁ ବିଦା,କେନ୍ଦ୍ରରେ କ୍ରୀଡ଼ା ବିଭାଗରେ ନିଯୁକ୍ତି

୨୦୦୫ ବ୍ୟାଚ୍ ଆଇଏଏସ୍ ଆର ଭିନିଲକ୍ରିଷ୍ଣାଙ୍କୁ କେନ୍ଦ୍ର ସରକାରଙ୍କ କ୍ରୀଡ଼ା ବିଭାଗର ଯୁଗ୍ମ ସଚିବ ଭାବେ ନିଯୁକ୍ତି ମିଳିଛି । ସେ ଉକ୍ତ ପଦବୀରେ ୫ବର୍ଷ ଅବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ କାର୍ଯ୍ୟ କରିବେ ବୋଲି କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି । ରାଜ୍ୟରେ ୨୦୨୪ ଜୁନ୍ ମାସରେ ବିଜେପି ସରକାର କ୍ଷମତାକୁ ଆସିବାପରେ ଭିନିଲଙ୍କୁ ୨୦୨୪ ଜୁଲାଇ ୧୦ତାରିଖରେ କ୍ରୀଡ଼ା ବିଭାଗର ସଚିବ ପଦରୁ ହଟାଇ ଜମିଜମା ରେକର୍ଡ ଓ ବନ୍ଦୋବସ୍ତ କମିଶନର ଭଳି କମ୍ ଗୁରୁତ୍ୱ ବହନ କରୁଥିବା ପଦବୀରେ ଅବସ୍ଥାପିତ କରାଯାଇଥିଲା । ବିଜେଡି ଶାସନକାଳରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଓ ପାଣ୍ଡିଆନଙ୍କ ଖାସ୍ ଅନୁଗତ ଭାବେ ସେ ତୃତୀୟ ମହଲାର ତୃତୀୟ ପାୱାରଫୁଲ୍ ଅଫିସର ଥିଲେ । ୨୦୧୭ ଏପ୍ରିଲରୁ ୨୦୨୧ ଅଗଷ୍ଟ ପର୍ଯ୍ୟନ୍ତ ରାଜ୍ୟ କ୍ରୀଡ଼ା ନିର୍ଦ୍ଦେଶକ ଓ ତା’ପରେ ସେହି ବିଭାଗର ସଚିବ ଭାବେ ବିଜେପି ସରକାର କ୍ଷମତାକୁ ଆସିବା ପର୍ଯ୍ୟନ୍ତ କାର୍ଯ୍ୟ କରୁଥିଲେ । ସେ ପାଣ୍ଡିଆନମାର୍କା ଅଫିସର ଭାବେ ଏକାଧିକ ବିଭାଗର ସୁପର ମିନିଷ୍ଟର ଭଳି ଦାୟିତ୍ୱ ତୁଲାଉଥିଲେ ବୋଲି ସେତେବେଳେ ଚର୍ଚ୍ଚା ହେଉଥିଲା ।

ରାଜନୀତିକ ଆବଶ୍ୟକତା ନା ବାଧ୍ୟବାଧକତା

ଏହି ପାଣ୍ଡିଆନମାର୍କା ଅଫିସରମାନଙ୍କୁ କେନ୍ଦ୍ରୀୟ ଡେପୁଟେସନରୁ ପଠାଯିବା ପଛରେ ରାଜ୍ୟରେ ବିଜେପି ସରକାରର ଆବଶ୍ୟକତା ନା ବାଧ୍ୟବାଧକତା ବୋଲି ପ୍ରଶ୍ନ ଉଠିବାରେ ଲାଗିଛି । ଏହି ପାଣ୍ଡିଆନମାର୍କା ଅଫିସରମାନଙ୍କ ବିରୁଦ୍ଧରେ ସିଧାସଳଖ କୌଣସି ଦୁର୍ନୀତିର ଅଭିଯୋଗ ଆଣିବାରେ ବର୍ତ୍ତମାନର ବିଜେପି ସରକାର ବିଗତ ବର୍ଷକ ମଧ୍ୟରେ ସକ୍ଷମ ହୋଇପାରିନାହାନ୍ତି । ରାଜନୀତିକ ବିଶ୍ଲେଷକଙ୍କ ମତରେ, ବିଜେପି ସରକାର ରାଜ୍ୟରେ ପ୍ରଶାସନିକ ସଂସ୍କାର ଆଣିବାକୁ ଚାହୁଁଛନ୍ତି । ତେଣୁ ବିଜେପି ସରକାର ଜାଣିଶୁଣି ବିଜେଡି ଶାସନ କାଳରେ ପ୍ରଭାବଶାଳୀ ଥିବା ଅଫିସରମାନଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ପଠାଇ ରାଜ୍ୟ ପ୍ରଶାସନରେ ନିଜର ନିୟନ୍ତ୍ରଣ ବଢ଼ାଇବାକୁ ଚେଷ୍ଟା କରୁଛନ୍ତି । ଏହା ଏକ ରାଜନୈତିକ ରଣନୀତି ହୋଇପାରେ, ଯାହା ଦ୍ୱାରା ବିଜେଡିର ପ୍ରଭାବକୁ କମାଇ ବିଜେପିର ନୀତି ଓ ଏଜେଣ୍ଡାକୁ ସହଜରେ କାର୍ଯ୍ୟକାରୀ କରାଯାଇପାରିବ । ଯଦିଓ ବିଜେପି ନେତାମାନେ ଏହାକୁ ପ୍ରଶାସନିକ ଆବଶ୍ୟକତା ଓ ଅଫିସରମାନଙ୍କ ବ୍ୟକ୍ତିଗତ ପସନ୍ଦ ବୋଲି ଦାବି କରୁଛନ୍ତି । ଢୋଲ ଭିତରେ ମୂଷାଙ୍କୁ ରଖି ସମ୍ପୂର୍ଣ୍ଣ ଢୋଲକୁ ନଷ୍ଟ କରିବାକୁ ବିଜେପି ଚାହୁଁନଥିବାରୁ ମୂଷାଙ୍କୁ ‘ତଡ଼ିପାର’ କରାଯାଉଛି ବୋଲି ଦଳୀୟ ମହଲରେ ଚର୍ଚ୍ଚା ହେଉଛି। 

Advertisment

ପାଣ୍ଡିଆନମାର୍କା ଅଫିସରଙ୍କୁ ନେଇ ବିଜେଡି-ବିଜେପି ମୁହାଁମୁହିଁ

ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ‘ଓଟିଭି’କୁ ସ୍ୱତନ୍ତ୍ର ସାକ୍ଷାତକାରରେ କହିଛନ୍ତି ଯେ “ ଯେଉଁ ୨-୩ଜଣ ଅଫିସରଙ୍କ କଥା କୁହାଯାଉଛି ସେମାନେ ଆମର ଏହି ବିକାଶର ପରିଧିରୁ ବାହାରକୁ ଯିବାର ଆବଶ୍ୟକତା ରହିଥିଲା । ନଚେତ୍ ସେମାନେ ଏଠାରେ ରହି ପାଣିକୁ ଗୋଳିଆ କରିଥାନ୍ତେ। ସେମାନେ ରାଜ୍ୟର ସ୍ୱାର୍ଥକୁ ହାନି ଓ କ୍ଷମତାର ଅପବ୍ୟହାର କରିଥିବାର ଯଦି କୌଣସି ଲିଙ୍କ୍ କେବେ ଆସିବ ସେମାନେ ଯେଉଁଠି ଥିଲେ ବି ତାଙ୍କୁ ଏଠାକୁ ଆଣି ଦଣ୍ଡିତ କରାଯିବ । ଏନେଇ ଯାହା ପଦକ୍ଷେପ ନିଆଯିବା ଦରକାର ସେ ପ୍ରକ୍ରିୟା ମଧ୍ୟ ସରକାର ଆରମ୍ଭ କରିସାରିଛନ୍ତି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।”

ଅନ୍ୟପକ୍ଷରେ ବିଜେଡିର ବରିଷ୍ଠ ପ୍ରଭାବଶାଳୀ ବିଧାୟକ ଅରୁଣ ସାହୁ କହିଛନ୍ତି ଯେ “ କେନ୍ଦ୍ରରେ ଓ ରାଜ୍ୟରେ ବିଜେପିର ସରକାର ଅଛି । ଯଦି ରାଜ୍ୟରେ ଏହି ଅଫିସରମାନେ ରହିଲେ ବିକାଶ ପ୍ରକ୍ରିୟାକୁ ଗୋଳିଆ କରିଦେବେ ତା’ହେଲେ କେନ୍ଦ୍ରରେ କିଭଳି ସଫା ରଖିବେ? ତା’ଛଡ଼ା ସର୍ବଭାରତୀୟ ସେବାର କର୍ମଚାରୀମାନେ କେଉଁଠି ନିଯୁକ୍ତି ପାଇବେ ତାହା କ’ଣ ସମ୍ପୃକ୍ତ ଅଫିସର ସ୍ଥିର କରନ୍ତି କି? ରାଜ୍ୟ ସରକାର ଦେଉଛନ୍ତି ବୋଲି ତ କେନ୍ଦ୍ର ସରକାର ନେଉଛନ୍ତି । ତେଣୁ ସେମାନଙ୍କୁ ସରକାରୀ କାର୍ଯ୍ୟରେ ନଲଗାଇ ଗୋଳିଆ କରୁଛନ୍ତି ବୋଲି ମନ୍ତ୍ରୀ କହିବା ସରକାରଙ୍କ ପାରିବାପଣିଆକୁ ବି ପଦାରେ ପକାଉଛି ।”

ସେହିପରି ରାଜ୍ୟର ପୂର୍ବତନ ମୁଖ୍ୟ ସଚିବ ସହଦେବ ସାହୁ କହିଛନ୍ତି ଯେ “ ଡବଲ ଇଞ୍ଜିନ ସରକାର ଅଛି । ଛୋଟ ଇଞ୍ଜିନରୁ ଯାଇ ବଡ଼ ଇଞ୍ଜିନରେ ରହିବେ ସେମାନେ । ମୋତେ ଲାଗୁଛି, ଏନଡିଏ ସରକାରରେ ନିଜର ଲିଙ୍କକୁ ଉପଯୋଗ କରି ଏହି ଅଫିସରମାନେ କେନ୍ଦ୍ରୀୟ ଡେପୁଟେସନରେ ଯିବାରେ ସକ୍ଷମ ହେଉଛନ୍ତି । ତା’ହୋଇନଥିଲେ ସୁଜାତା କାର୍ତ୍ତିକେୟନଙ୍କୁ ଭିଆରଏସ୍ ନେବାକୁ ଗୋଟିଏ ଦିନରେ କ୍ଲିଅରାନ୍ସ ମିଳିଗଲା କେମିତି ।ଏଠି ଯେଉଁ ଅଫିସରମାନଙ୍କ ବିରୁଦ୍ଧରେ ବିଜେପି ନିଜେ ଅଭିଯୋଗ ଆଣୁଥିଲା ଏବେ ସେହି ବିଜେପି ସରକାର ସେମାନଙ୍କୁ କ୍ଲିନଚିଟ୍ ଦେଉଛି ।

CM Mohan Charan Majhi