ରାଜ୍ୟ ଯୋଜନା ବୋର୍ଡ ଭାଙ୍ଗିଦେଲେ ମୋହନ ସରକାର

ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିଥିବାରୁ ଦଳ ନିଜର ବରିଷ୍ଠ ନେତାମାନଙ୍କୁ ଏହି ବୋର୍ଡରେ କ୍ୟାବିନେଟ୍ ଓ ରାଷ୍ଟ୍ରମନ୍ତ୍ରୀ ପାହ୍ୟାର ସୁବିଧାସୁଯୋଗ ଦେଇ ଖୁବଶୀଘ୍ର ଥଇଥାନ କରିବାର ସମ୍ଭାବନା ରହିଛି ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

  • Published: Wednesday, 17 July 2024
  • , Updated: 17 July 2024, 08:30 PM IST

ରାଜ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ବିଜେପି ସରକାର ଆଜି ରାଜ୍ୟ ଯୋଜନା ବୋର୍ଡକୁ ଭାଙ୍ଗି ଦେଇଛନ୍ତି । ଏହାସହିତ ରାଜ୍ୟ ଯୋଜନା ବୋର୍ଡ ନୂଆ ଢଙ୍ଗରେ ପୁର୍ନଗଠନ ହେବାର ସମ୍ଭାବନା ସୃଷ୍ଟି ହୋଇଛି ।

ରାଜ୍ୟ ଯୋଜନା ବୋର୍ଡ ଭାଙ୍ଗିବା ପାଇଁ ଆସିଥିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଅନୁମୋଦନ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏପଟେ  ରାଜ୍ୟ ଯୋଜନା ବୋର୍ଡ ଭଙ୍ଗାଯିବା ପରେ ତାକୁ ବିଜେପି ସରକାର ଅଧିକ ପେଷାଦାର ଢଙ୍ଗରେ ପୁର୍ନଗଠନ କରିବେ ବୋଲି ସୂଚନା ମିଳିଛି ।

ରାଜ୍ୟରେ ପୂର୍ବର ବିଜେଡି ସରକାର ୨୦୨୨ ଅକ୍ଟୋବର ମାସରେ ଯୋଜନା ବୋର୍ଡ ସଦସ୍ୟ ଭାବେ ଦଳର ୩ଜଣ ବରିଷ୍ଠ ନେତା ପ୍ରସନ୍ନ କୁମାର ପାଟ୍ଟଶାଣୀ, ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକ ଓ ସାଧୁ ନେପାକଙ୍କୁ ନିଯୁକ୍ତି ଦେଇଥିଲା । ୨୦୨୨ ଜୁନ୍ ପ୍ରଥମ ସପ୍ତାହରେ ଦଳର ବରିଷ୍ଠ ନେତା ସଞ୍ଜୟ ଦାସବର୍ମାଙ୍କୁ ଯୋଜନା ବୋର୍ଡ ଉପାଧ୍ୟକ୍ଷ ପଦରୁ ହଟାଇ ଦେବା ପରଠୁ ଏହି ପଦ ଖାଲି ପଡ଼ିଥିଲା ।

ଏବେ ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିଥିବାରୁ ଦଳ ନିଜର ବରିଷ୍ଠ ନେତାମାନଙ୍କୁ ଏହି ବୋର୍ଡରେ କ୍ୟାବିନେଟ୍ ଓ ରାଷ୍ଟ୍ରମନ୍ତ୍ରୀ ପାହ୍ୟାର ସୁବିଧାସୁଯୋଗ ଦେଇ ଖୁବଶୀଘ୍ର ଥଇଥାନ କରିବାର ସମ୍ଭାବନା ରହିଛି ।

Related story