BJP
ଦିନକ ପରେ ଅର୍ଥାତ୍ ୨୯ତାରିଖ ଅପରାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ୱରରେ ପହଂଚିବେ । ୩ଦିନିଆ ଓଡ଼ିଶା ଗସ୍ତରେ ଆସୁଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଖରେ ରାଜ୍ୟର ମୋହନ ସରକାର ନିଜର ରିପୋର୍ଟ କାର୍ଡ ରଖିବେ । ଏହାସହିତ ପ୍ରଧାନମନ୍ତ୍ରୀ ମୋଦି ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଯାଇ ସେଠାରେ ଦଳୀୟ ବିଧାୟକ,ସାଂସଦ ଓ ମନ୍ତ୍ରୀଙ୍କ ସମେତ ବରିଷ୍ଠ କର୍ମକର୍ତ୍ତାଙ୍କ ସହ ରାତ୍ରିଭୋଜନ କରିବେ ବୋଲି ଜଣାପଡ଼ିଛି ।
ଆଜି ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦି ୨୯ତାରିଖ ଅପରାହ୍ନ ୪ଟା ୧୫ମିନିଟରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବା ପରେ ସେଠାରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯିବ । ସେହି ବିମାନ ବନ୍ଦର ନିକଟରେ ଏକ ସାଧାରଣ ସଭାକୁ ପ୍ରଧାନମନ୍ତ୍ରୀ ମୋଦି ସମ୍ବୋଧିତ କରିବେ । ସେଠାରୁ ସିଧାସଳଖ ରାଜଭବନ ଯିବେ । ସନ୍ଧ୍ୟା ସାଢ଼େ ୬ଟାରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପହଂଚିବେ । ପ୍ରାୟ ଦୁଇ ଘଂଟା ରହିବେ । ଦଳର ମନ୍ତ୍ରୀ, ସାଂସଦ, ବିଧାୟକ ଓ ରାଜ୍ୟ ପଦାଧିକାରୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ ଓ ପରେ ଏକାଠି ସମସ୍ତେ ପ୍ରଧାନମନ୍ତ୍ରୀଙ୍କ ସହ ରାତ୍ରିଭୋଜନ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ଶ୍ରୀ ସାମଲ କହିଛନ୍ତି ।
ସ୍ୱାଧୀନତା ପରେ ପ୍ରଥମଥର ପାଇଁ ଓଡ଼ିଶାରେ ସର୍ବଭାରତୀୟ ପୁଲିସ ଡିଜି ସମ୍ମିଳନୀ ଆୟୋଜନ ହେଉଛି । ସମ୍ମିଳନୀର ଦ୍ୱିତୀୟ ଦିନ ଅର୍ଥାତ୍ ନଭେମ୍ବର ୩୦ତାରିଖରେ ପ୍ରଧାନମନ୍ତ୍ରୀ ଏହି ସମ୍ମିଳନୀରେ ଯୋଗ ଦେଇ ଡିସେମ୍ବର ୧ରେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ । ତେବେ ମୋଦିଙ୍କ ଗସ୍ତବେଳେ ରୋଡ୍ ଶୋ’ ହେବନି ବୋଲି ରାଜ୍ୟ ସଭାପତି ଶ୍ରୀ ସାମଲ ସୂଚନା ଦେଇଛନ୍ତି ।
ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଆଜି ପୂର୍ବାହ୍ନରେ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ପଂଚାୟତିରାଜ ମନ୍ତ୍ରୀ ରବି ନାଏକ, ମୁଖ୍ୟ ସଚିବ ମନୋଜ ଆହୁଜା, ପୁଲିସ ଡିଜି ୱାଇବି ଖୁରାନିଆ ପ୍ରମୁଖ ଯାଇ ସୁରକ୍ଷା ବ୍ୟବସ୍ଥା ଓ ପ୍ରସ୍ତୁତି ଯାଂଚ କରିଛନ୍ତି ।
ଏହାପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପଂଚାୟତିରାଜ ମନ୍ତ୍ରୀ ଶ୍ରୀ ନାଏକ କହିଛନ୍ତି ଯେ,ରାଜ୍ୟରେ ବିଜେପି ସରକାରର ପ୍ରଦର୍ଶନର ସମୀକ୍ଷା ପ୍ରଧାନମନ୍ତ୍ରୀ କରିବେ । ଏହା ଆମମାନଙ୍କ ପାଇଁ ଗର୍ବର କଥା ଯେ ପ୍ରଧାନମନ୍ତ୍ରୀଙ୍କୁ ଆମେ ରିପୋର୍ଟ କାର୍ଡ ଦେବୁ ବୋଲି ସେ କହିଛନ୍ତି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/BJP_1732724595.jpg)