Advertisment

ମୋହନ ସରକାରଙ୍କ ନିର୍ଦ୍ଦେଶ: ସବୁ ମାସର ୨୦ତାରିଖ ସୁଦ୍ଧା ଭତ୍ତା ଦିଅ, ଆସନ୍ତାକାଲି ଭତ୍ତା ବୃଦ୍ଧି ନିଷ୍ପତ୍ତି

ବିଜେପି ସରକାର ହିତାଧିକାରୀଙ୍କ ମାସିକ ଭତ୍ତା ୩ହଜାର ଟଙ୍କାକୁ ବୃଦ୍ଧି ଖୁବଶୀଘ୍ର କରାଯିବ ବୋଲି ସବୁଜ ସଙ୍କେତ ଦେଇଥିବାରୁ ଏସଂକ୍ରାନ୍ତରେ ବୈଠକରେ ଆଲୋଚନା ହୋଇପାରେ ବୋଲି ଜଣାପଡ଼ିଛି ।

author-image
Ordigital Desk
Mohan Charan Majhi

Mohan Charan Majhi

ଗରିବ ହିତାଧିକାରୀମାନଙ୍କୁ ପ୍ରତିମାସର ୨୦ତାରିଖ ସୁଦ୍ଧା ମଧୁବାବୁ ପେନସନ ଯୋଜନାରେ ମାସିକ ଭତ୍ତା ପ୍ରଦାନକୁ ସୁନିଶ୍ଚିତ କରିବା ପାଇଁ ଆଜି ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟର ବିଜେପି ସରକାର ନିଜର ନିର୍ବାଚନୀ ଇସ୍ତାହାରରେ ମାସିକ ସର୍ବନିମ୍ନ ୩ହଜାର ଟଙ୍କା ଭତ୍ତା ଦେବାକୁ ପ୍ରତିଶ୍ରୁତି ଦେଇଥିବାରୁ ଆସନ୍ତାକାଲି ରାଜ୍ୟ ଅର୍ଥ ସଚିବଙ୍କ ଅଧ୍ୟକ୍ଷତାରେ ମଧୁବାବୁ ପେନସନ ଯୋଜନାକୁ ଜାରି ରଖିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଇଏଫସି( ଏକ୍ସପେଣ୍ଡିଚର ଫାଇନାନ୍ସ କମିଟି) ବୈଠକ ବସିବାର କାର୍ଯ୍ୟକ୍ରମ ରହିଛି । ଏହି ବୈଠକରେ ମାସିକ ଭତ୍ତା ବୃଦ୍ଧି ନେଇ ପ୍ରାରମ୍ଭିକ ବିଚାରବିମର୍ଶ ହୋଇପାରେ ବୋଲି ଜଣାପଡ଼ିଛି ।

Advertisment

ସୂଚନା ଅନୁସାରେ, ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଅତିରିକ୍ତ ସଚିବ ଦୀପକ ରାଉତରାଏ ଆଜି ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ରାଜ୍ୟ ସରକାରଙ୍କ ଫ୍ଲାଗସିପ୍ ସାମାଜିକ ସୁରକ୍ଷା ଯୋଜନା ‘ମଧୁବାବୁ ପେନସନ ଯୋଜନା’ରେ ମାସିକ ପେନସନ(ଭତ୍ତା) ପ୍ରଦାନରେ ହେଉଥିବା ବିଳମ୍ବ ସମ୍ପର୍କରେ ଅବଗତ କରାଇଛନ୍ତି । ଏହି ମାସିକ ଭତ୍ତା ପ୍ରତିମାସ ୧୫ତାରିଖ ଜନସେବା ଦିବସରେ ପ୍ରଦାନ କରାଯାଏ । କିନ୍ତୁ ଏହି ଭତ୍ତା ବଂଟନ ଏବେ ପ୍ରତିମାସର ଶେଷ ସପ୍ତାହ ପର୍ଯ୍ୟନ୍ତ ଚାଲୁଥିବା ସରକାରଙ୍କ ନଜରକୁ ଆସିଛି । ତେଣୁ ଏଥିପାଇଁ ଭତ୍ତା ପାଉଥିବା ହିତାଧିକାରୀମାନଙ୍କୁ ବହୁ କଷ୍ଟର ସମ୍ମୁଖୀନ ହେବାକୁ ପଡୁଛି । କେତେକ ଭତ୍ତାଧାରୀ ମଧ୍ୟ ନିଜର ଖରାପ ସ୍ୱାସ୍ଥ୍ୟ ଆଦି ପାଇଁ ଭତ୍ତା ବଂଟା ଯାଉଥିବା ସ୍ଥାନକୁ ଆସିପାରୁନାହାନ୍ତି । ଏହି ସାମାଜିକ ସୁରକ୍ଷା ଭତ୍ତାକୁ ହିତାଧିକାରୀଙ୍କ ଦ୍ୱାରରେ ପହଂଚାଇବା ବାଧ୍ୟତାମୂଳକ । ତେଣୁ ଏଥିରେ ବ୍ୟକ୍ତିଗତ ହସ୍ତକ୍ଷେପ କରି ପ୍ରତିମାସର ୨୦ତାରିଖ ସୁଦ୍ଧା ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ ସୁନିଶ୍ଚିତ କରିବାକୁ ଜିଲ୍ଲାପାଳମାନଙ୍କୁ ବିଭାଗ ପକ୍ଷରୁ କୁହାଯାଇଛି । ମଧୁବାବୁ ପେନସନ ଯୋଜନାରେ ବୃଦ୍ଧବୃଦ୍ଧା, ବିଧବା, ଭିନ୍ନକ୍ଷମ ଓ କୋଭିଡରେ ଅନାଥ ଶିଶୁଙ୍କୁ ମାସିକ ଭତ୍ତା ଯୋଗାଇ ଦିଆଯାଉଛି ।

ଏପଟେ ଆସନ୍ତାକାଲି ଅର୍ଥାତ୍ ଜୁଲାଇ ୧୨ତାରିଖ ଅପରାହ୍ନ ସାଢ଼େ ୩ଟାରେ ମଧୁବାବୁ ପେନସନ ଯୋଜନାକୁ ଜାରି ରଖିବା ପାଇଁ ଇଏଫସି ବୈଠକ ଅନୁଷ୍ଠିତ ହେବ । ଅର୍ଥ ବିଭାଗର ପ୍ରମୁଖ ସଚିବଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ଯୋଜନା ଓ ସଂଯୋଜନ ବିଭାଗର ସ୍ୱତନ୍ତ୍ର ସଚିବ, ଅର୍ଥ ବିଭାଗର ଅତିରିକ୍ତ ସଚିବଙ୍କ ସମେତ ପଂଚାୟତିରାଜ ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ମହିଳା ଓ ଶିଶୁବିକାଶ, ଅନୁସୂିିଜ ଜାତି ଓ ଜନଜାତି ବିଭାଗର ସ୍ୱତନ୍ତ୍ର ସଚିବ ତଥା ଫାଇନାନ୍ସ ଅଫିସରମାନେ ଯୋଗ ଦେବେ ।

Advertisment

ବିଜେପି ସରକାର ହିତାଧିକାରୀଙ୍କ ମାସିକ ଭତ୍ତା ୩ହଜାର ଟଙ୍କାକୁ ବୃଦ୍ଧି ଖୁବଶୀଘ୍ର କରାଯିବ ବୋଲି ସବୁଜ ସଙ୍କେତ ଦେଇଥିବାରୁ ଏସଂକ୍ରାନ୍ତରେ ବୈଠକରେ ଆଲୋଚନା ହୋଇପାରେ ବୋଲି ଜଣାପଡ଼ିଛି ।

Bjp