ରାଜ୍ୟରେ ନବୀନ ପଟ୍ଟନାୟକ ସରକାରକୁ କ୍ଷମତାଚ୍ୟୁତ କରି ‘ବାବୁରାଜ’ ବା ‘ଆଇଏଏସ୍ ଅଫିସରରାଜ୍’ ଉପରେ ପୂର୍ଣ୍ଣଚ୍ଛେଦ ପକାଇବାକୁ ରାଜ୍ୟବାସୀ ନେଇଥିବା ନିଷ୍ପତ୍ତିକୁ ଧକ୍କା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର ନିଜର ‘ଜନସେବା ମଡେଲ’ ଓ ପ୍ରଶାସନକୁ ଲୋକଙ୍କ ଦ୍ୱାରଦେଶରେ ପହଂଚାଇବା ପାଇଁ ଯେଉଁ ମଡେଲ ତିଆରି କରିଛନ୍ତି ତାକୁ ସଚିବମାନେ ମାନୁନାହାନ୍ତି । ବେଲଗାମ ପ୍ରଶାସନ ଓ ବରିଷ୍ଠ ଆଇଏଏସ୍ ଅଫିସର ବା ସଚିବମାନଙ୍କର ମନମୁଖୀ କାର୍ଯ୍ୟ ଯୋଗୁ ଜିଲ୍ଲାଗୁଡ଼ିକରେ ଯୋଜନା ଓ କାର୍ଯ୍ୟକ୍ରମ ସହ ଭିତ୍ତିଭୂମି ଉନ୍ନୟନ କାର୍ଯ୍ୟ ମଧ୍ୟ ତ୍ୱରାନ୍ୱିତ ହୋଇପାରୁନାହିଁ । ଏପରିକି କେନ୍ଦ୍ର ସରକାରଙ୍କ ଦ୍ୱାରା ଚିହ୍ନଟ ହୋଇଥିବା ଆକାଂକ୍ଷୀ ବ୍ଲକଗୁଡ଼ିକର ବିକାଶ ତଦାରଖ ମଧ୍ୟ ସମ୍ଭବପର ହୋଇପାରୁନଥିବା ଜଣାପଡ଼ିଛି । ଆଇଏଏସ୍ ଅଫିସରମାନେ ଜିଲ୍ଲା ଗସ୍ତରେ ଯାଇ ରାତ୍ରି ରହଣୀ କରିବାରେ ଆଗ୍ରହ ଦେଖାଉନଥିବା, ଏପରିକି ପ୍ରାୟ ୧୦ଜଣ ସଚିବ(ବରିଷ୍ଠ ଆଇଏଏସ) ବିଗତ ୬ମାସ ମଧ୍ୟରେ ଦିନଟିଏ ବି ଜିଲ୍ଲା ଗସ୍ତରେ ଯାଇନଥିବାର ଅଭାବନୀୟ ଚିତ୍ର ପଦାକୁ ଆସିଛି । ଯାହାକି ରାଜ୍ୟରେ ମୁଖ୍ୟ ସଚିବଙ୍କ ନିର୍ଦ୍ଦେଶକୁ ହେୟଜ୍ଞାନ କରୁଥିବା ଆଇଏଏସ୍ ଅଫିସରମାନଙ୍କର ଉତଶୃଙ୍ଖଳିତ ଆଚରଣର ପ୍ରମାଣ ଦେଉଛି ବୋଲି ପାୱାର କରିଡରରେ ଚର୍ଚ୍ଚା ।
ସରକାରଙ୍କ ନିର୍ଦ୍ଦେଶ, ଅଫିସରଙ୍କ ହେୟଜ୍ଞାନ
ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ଗତ ସେପ୍ଟେମ୍ବର ମାସରୁ ସଚିବମାନଙ୍କୁ ଜିଲ୍ଲା ଦାୟିତ୍ୱ ବଂଟନ କରାଗଲା । ଜିଲ୍ଲା ଗସ୍ତରେ ଯାଇ ସେଠାରେ ରାତ୍ରିରହଣୀ ସହ ସରକାରଙ୍କ ବିଭିନ୍ନ ଯୋଜନା-କାର୍ଯ୍ୟକ୍ରମର ସମୀକ୍ଷା, ଭିତ୍ତିଭୂମି ପ୍ରକଳ୍ପ ଓ ଅନ୍ୟାନ୍ୟ ସମସ୍ୟାର ସମାଧାନ ଦିଗରେ ପ୍ରଶାସନିକ ପ୍ରତିବନ୍ଧକକୁ ଦୂର କରିବା, ସାଧାରଣ ଲୋକଙ୍କୁ ଦ୍ୱାରଦେଶରେ ସେବା ଦେବା ସହ ଜିଲ୍ଲାସ୍ତରରେ କାର୍ଯ୍ୟ କରୁଥିବା ବିଭିନ୍ନ ବିଭାଗର ଅଧିକାରୀମାନଙ୍କ ସଙ୍ଗେ ବୈଠକ କରି ପ୍ରଶାସନକୁ କ୍ରିୟାଶୀଳ କରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି । ବିଜେଡି ସରକାର ଅମଳରେ ବନ୍ଦ ଥିବା ସଚିବମାନଙ୍କ ଜିଲ୍ଲା ଗସ୍ତକୁ ବିଜେପି ସରକାର ପୁଣିଥରେ ଆରମ୍ଭ କରି ଜିଲ୍ଲା ଦାୟିତ୍ୱ ଦେଲା ପରେ ମଧ୍ୟ ସଚିବମାନେ ହେୟଜ୍ଞାନ କରିଛନ୍ତି । ଅଫିସରମାନଙ୍କୁ ସୁହାଇବା ଓ ଜିଲ୍ଲାଗୁଡ଼ିକରେ ଥିବା ସମସ୍ୟାକୁ ଠିକ୍ ଭାବେ ବୁଝି ତା’ର ନିରାକରଣ ନିମନ୍ତେ ସରକାର ୨୦୨୪ ସେପ୍ଟେମ୍ବର ୪ତାରିଖରେ ସଚିବ ଓ ବରିଷ୍ଠ ଆଇଏଏସ୍ ଅଫିସରମାନଙ୍କୁ ୩ମାସିଆ (ସେପ୍ଟେମ୍ବର-ନଭେମ୍ବର)ଜିଲ୍ଲା ଆବଂଟନ କଲେ । ପରେ ଜାନୁୟାରୀ ୩୧ରେ ପୁଣିଥରେ ୨ମାସିଆ(ଫେବୃୟାରୀ-ମାର୍ଚ୍ଚ) ଜିଲ୍ଲା ଦାୟିତ୍ୱ ଦେଲେ । କିନ୍ତୁ ଆଶ୍ଚର୍ଯ୍ୟର କଥା ଏହି ୮ମାସ ମଧ୍ୟରେ ୮ଜଣ ଏଭଳି ବରିଷ୍ଠ ଆଇଏଏସ୍ ଅଛନ୍ତି ଯେଉଁମାନେ ଦିନଟିଏ ବି ସେମାନଙ୍କୁ ଆବଂଟିତ ଜିଲ୍ଲାକୁ ଗସ୍ତ କରିବାକୁ ଆଗ୍ରହ ଦେଖାଇନାହାନ୍ତି । ଏହି ଆଇଏଏସ୍ ଅଫିସରମାନେ ହେଲେ ଗୃହସଚିବ ସତ୍ୟବ୍ରତ ସାହୁ, ସୁରେନ୍ଦ୍ର କୁମାର, ବିଶାଳ ଦେବ, ସଞ୍ଜୟ ସିଂ, ରାଜେଶ ପ୍ରଭାକର ପାଟିଲ, ବିଜୟକେତନ ଉପାଧ୍ୟାୟ, ଡି.ପ୍ରଶାନ୍ତ ରେଡ୍ଡୀ ଓ ରଶ୍ମିତା ପଣ୍ଡା ଅଛନ୍ତି । ଏହି ଅଫିସରମାନଙ୍କୁ ସରକାରଙ୍କ ଦ୍ୱାରା ଜାରି ୨ଟି ନିର୍ଦ୍ଦେଶନାମାରେ ୨ଟି ଲେଖାଏଁ ଜିଲ୍ଲା ଦାୟିତ୍ୱ ନ୍ୟସ୍ତ ହୋଇଛି । ଏପରିକି ଆକାଂକ୍ଷୀ ବ୍ଲକ(କେନ୍ଦ୍ର ସରକାରଙ୍କ ଦ୍ୱାରା ଚିହ୍ନଟ ୨୯ଟି ପଛୁଆ ବ୍ଲକ ଥିବା ଜିଲ୍ଲା) ମଧ୍ୟ ଆବଂଟିତ ହୋଇଛି । ମାତ୍ର ସେମାନେ ଏସବୁ ଜିଲ୍ଲାର କାର୍ଯ୍ୟକ୍ରମ ଓ ଲୋକଙ୍କ ସମସ୍ୟାର ସମାଧାନ ତ ଦୂରର କଥା ଥରୁଟିଏ ବି ଶୀତତାପ ନିୟନ୍ତ୍ରିତ କୋଠରୀ ଓ ଗାଡ଼ି ଛାଡ଼ି ସେମାନଙ୍କୁ ଆବଂଟିତ ଜିଲ୍ଲାକୁ ଯିବାକୁ ଉଚିତ୍ ମଣିନାହାନ୍ତି।
ଅନ୍ୟ ଯେଉଁ ୨୦ଜଣ ସଚିବ ବା ବରିଷ୍ଠ ଆଇଏଏସ୍ ଅଫିସର ଜିଲ୍ଲା ଗସ୍ତରେ ଯାଇଛନ୍ତି ସେମାନଙ୍କ ମଧ୍ୟରେ ୧୧ଜଣ ଆଇଏଏସ୍ ଚିତ୍ରା ଅରୁମୁଗମ , ଶାଶ୍ୱତ ମିଶ୍ର, ଉଷା ପାଢ଼ୀ, ସୁରେଶ କୁମାର ବଶିଷ୍ଠ, ଶାଳିନୀ ପଣ୍ଡିତ, ଏସ ଅଶ୍ୱସ୍ତି, ଅରବିନ୍ଦ ଅଗ୍ରୱାଲ, ବଳବନ୍ତ ସିଂ, ଭୂପିନ୍ଦର ସିଂ ପୁନିଆ, ଯାମିନୀ ଷଡ଼ଙ୍ଗୀ ଓ ଗୁହା ପୁନମ ତାପସ କୁମାର ଅଛନ୍ତି ଯିଏ ଥରୁଟିଏ ଲେଖାଏଁ ସେମାନଙ୍କୁ ଆବଂଟିତ ଜିଲ୍ଲାକୁ ମାତ୍ର ୨ଦିନ ପାଇଁ ଯାଇଥିବା ଜଣାପଡ଼ିଛି ।
କେବଳ ହେମନ୍ତ ଶର୍ମା(୨ଥରେ ଆବଂଟିତ ଜିଲ୍ଲା କେନ୍ଦୁଝର ଓ ସମ୍ବଲପୁର), ଶୁଭା ଶର୍ମା(ଗଜପତି ଓ ମାଲକାନଗିରି) ଓ ତାଙ୍କ ଆଇଏଏସ୍ ସ୍ୱାମୀ ଭାସ୍କରଜ୍ୟୋତି ଶର୍ମା(ନବରଙ୍ଗପୁର ଓ ସୁନ୍ଦରଗଡ଼), ଏନ.ଥିରୁମାଳା ନାଏକ(ନୟାଗଡ଼ ଓ ଦେବଗଡ଼) ଗସ୍ତ କରି ସେସବୁ ଜିଲ୍ଲାରେ ୨ଦିନ ଲେଖାଏଁ ରହିଥିବାବେଳେ ଜି .ମାଥିଭାଥାନନ୍ କେନ୍ଦ୍ରାପଡ଼ାକୁ ୨ଥର ଗସ୍ତ କରିଛନ୍ତି ।
ପଛୁଆ ଜିଲ୍ଲା ଦାୟିତ୍ୱରେ ଥାଇ ବି ଗଲେନି ସଚିବ
ସତ୍ୟବ୍ରତ ସାହୁଙ୍କୁ ସେପ୍ଟେମ୍ବର ମାସରେ ଜାରି ନିର୍ଦ୍ଦେଶରେ ଜଗତସିଂହପୁର ଜିଲ୍ଲା ଆବଂଟନ ହୋଇଥିବାବେଳେ ଫେବୃୟାରୀ-ମାର୍ଚ୍ଚରେ ତାଙ୍କୁ କୌଣସି ଜିଲ୍ଲା ଦାୟିତ୍ୱ ଦିଆଯାଇନାହିଁ । ତେବେ ସୁରେନ୍ଦ୍ର କୁମାରଙ୍କୁ ପ୍ରଥମଥର କଟକ ଓ ଦ୍ୱିତୀୟଥର ଯାଜପୁର, ବିଶାଳ ଦେବଙ୍କୁ ନୂଆପଡ଼ା ଓ ବାଲେଶ୍ୱର, ସଞ୍ଜୟ କୁମାର ସିଂଙ୍କୁ ମୟୂରଭଞ୍ଜ ଓ ନୟାଗଡ଼, ରାଜେଶ ପ୍ରଭାକର ପାଟିଲଙ୍କୁ ଦେବଗଡ଼ ଓ କୋରାପୁଟ, ବିଜୟକେତନ ଉପାଧ୍ୟାୟଙ୍କୁ ବୌଦ୍ଧ ଓ ନବରଙ୍ଗପୁର, ଡି.ପ୍ରଶାନ୍ତ ରେଡ୍ଡୀଙ୍କୁ ବାଲେଶ୍ୱର ଓ ନୂଆପଡ଼ା ଓ ରଶ୍ମିତା ପଣ୍ଡାଙ୍କୁ ଯାଜପୁର ଓ ଝାରସୁଗୁଡ଼ା ଜିଲ୍ଲା ଆବଂଟିତ ହୋଇଛି । ପ୍ରଥମଦଫାରେ ୩ମାସ ପାଇଁ ଜିଲ୍ଲା ଦାୟିତ୍ୱ ପାଇଥିବା ଏହି ଅଫିସରମାନେ କୌଣସି ଜିଲ୍ଲା(ଅଧିକାଂଶ ପଛୁଆ ଜିଲ୍ଲା)କୁ ଯାଇନଥିବାବେଳେ ଦ୍ୱିତୀୟ ଦଫାରେ ଆବଂଟିତ ଜିଲ୍ଲାକୁ ମଧ୍ୟ ଗସ୍ତ କରିବାକୁ ଆଗ୍ରହ ଦେଖାଇନାହାନ୍ତି । ଯଦିଓ ମାର୍ଚ୍ଚ ମାସ ଶେଷ ହେବାକୁ ବସିଲାଣି । ଏମାନଙ୍କ ବ୍ୟତୀତ ଅନୁସୂଚିତ ଜାତି ଓ ଜନଜାତି ସଚିବ ସଞ୍ଜିବ କୁମାର ମିଶ୍ର ମଧ୍ୟ ତାଙ୍କୁ ଆବଂଟିତ ଗଞ୍ଜାମ ଜିଲ୍ଲା ଯାଇନାହାନ୍ତି ।
ସରକାରଙ୍କ କାର୍ଯ୍ୟକ୍ରମର ସମୀକ୍ଷା ପାଇଁ ଅନାଗ୍ରହୀ
ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ନିର୍ଦ୍ଦେଶ ଓ ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ଦ୍ୱାରା ଜାରି ନିର୍ଦ୍ଦେଶନାମା ସତ୍ତ୍ୱେ ଏହି ବରିଷ୍ଠ ଆଇଏଏସ୍ ଅଫିସରମାନେ ଜିଲ୍ଲା ଗସ୍ତରେ ଯିବାକୁ ଉଚିତ୍ ମଣିନାହାନ୍ତି । ଏସବୁ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଜେପି ସରକାରଙ୍କ ୧୬ରୁ ଅଧିକ କାର୍ଯ୍ୟକ୍ରମ ଓ ଯୋଜନା ସମେତ ବିଭିନ୍ନ ଉନ୍ନୟନ କାର୍ଯ୍ୟର ତଦାରଖ ଓ ସମୀକ୍ଷା କରିବା ଏହି ଆଇଏଏସ୍ ଅଫିସରମାନଙ୍କୁ ନ୍ୟସ୍ତ ହୋଇଛି । ଉନ୍ନୟନ କମିଶନର ଜିଲ୍ଲା ଗସ୍ତ ପାଇଁ ଯେଉଁ ଗାଇଡଲାଇନ୍ ଜାରି କରିଥିଲେ ସେଥିରେ ସ୍ପଷ୍ଟ ଭାବେ ସରକାରଙ୍କ ଯୋଜନାଗୁଡ଼ିକର ସମୀକ୍ଷା ସହ ଖଣିଜସମୃଦ୍ଧ ୮ଟି ଜିଲ୍ଲାର ଡିଏମଏଫ ଓ ଓଏମବିଏଡିସି ପାଣ୍ଠି ବ୍ୟୟ ଓ ଅନୁମୋଦିତ ପ୍ରକଳ୍ପର ସ୍ଥିତି ଯାଂଚ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଥିଲା । ଏପରିକି ଜିଲ୍ଲା ଗସ୍ତରେ ଯାଇ ୨-୩ଦିନ ରହି ମୁଖ୍ୟ ସଚିବଙ୍କୁ ନିଜର ଜିଲ୍ଲାଗସ୍ତର ନୋଟ୍ ପଠାଇବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ ଆଇଏଏସମାନେ ସେମାନଙ୍କୁ ଆବଂଟିତ ଜିଲ୍ଲା ଗସ୍ତରେ ଯାଉନଥିବାରୁ ରାଜ୍ୟ ସରକାରଙ୍କ କାର୍ଯ୍ୟକ୍ରମ ଓ ଯୋଜନାର ସମୀକ୍ଷା ମଧ୍ୟ ହୋଇପାରୁନଥିବା ଜଣାପଡ଼ିଛି । ଏପରିକି ଜିଲ୍ଲାସ୍ତରରେ ଥିବା ଭିତ୍ତିଭୂମି ଓ ଉନ୍ନୟନମୂଳକ ସମେତ ବିଭିନ୍ନ ଜନକଲ୍ୟାଣ ସମସ୍ୟାଗୁଡ଼ିକର ସମାଧାନ କିଭଳି ହେବ ତା’ର ମାର୍ଗ ମଧ୍ୟ ଖୋଜାଯାଇପାରୁନି । ଯଦିଓ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ନିଜର କ୍ୟାବିନେଟ୍ ସହଯୋଗୀମାନଙ୍କୁ ବିଭିନ୍ନ ଜିଲ୍ଲା ଆବଂଟନ କରି ସେମାନଙ୍କୁ ସମ୍ପୃକ୍ତ ଜିଲ୍ଲାର ନୋଡାଲ ମନ୍ତ୍ରୀ ଦାୟିତ୍ୱ ଦେଇଛନ୍ତି । କିନ୍ତୁ ଏହି ପ୍ରଶାସନିକ ଅଫିସରମାନେ ମନଇଚ୍ଛା କାର୍ଯ୍ୟ କରି ଜିଲ୍ଲାକୁ ଯାଉନଥିବାରୁ ରାଜ୍ୟ ସରକାରଙ୍କ ପ୍ରଶାସନିକ ମଡେଲ ଫେଲ୍ ମାରିଛି ।
କାହିଁକି ହେଉନି କାର୍ଯ୍ୟାନୁଷ୍ଠାନ
ଜିଲ୍ଲା ଗସ୍ତରେ ଯିବା ପାଇଁ ସରକାରଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଏହି ଅଫିସରମାନେ କାହିଁକି ଜିଲ୍ଲା ଗସ୍ତରେ ଯାଉନାହାନ୍ତି ସେନେଇ ସରକାରୀସ୍ତରରେ ନିୟମିତ ସମୀକ୍ଷା ହେଉନଥିବାରୁ ତା’ର ଫାଇଦା ସମ୍ପୃକ୍ତ ଆଇଏଏସ୍ ଅପିସରମାନେ ଉଠାଉଛନ୍ତି । ରାଜ୍ୟ ସରକାରଙ୍କ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେଉନଥିବାରୁ ଏହି ଅଫିସରମାନେ ଲଗାମଛଡ଼ା ହୋଇଯାଇଛନ୍ତି । ଏପରିକି ମାସିକ ସଚିବସ୍ତରୀୟ ବୈଠକରେ ଏହି ଜିଲ୍ଲାଗସ୍ତ କରୁନଥିବା ସଚିବଙ୍କୁ ପ୍ରଶ୍ନ କରାଯାଉଛି କି ନାହିଁ ତାହା ବି ଜଣାପଡ଼ୁନି । ଯେଉଁ ଅଫିସରମାନେ ଜିଲ୍ଲା ଗସ୍ତରେ ଯାଉନାହାନ୍ତି ଓ ସେମାନଙ୍କୁ ଯେଉଁ ପଛୁଆ ଜିଲ୍ଲାଗୁଡ଼ିକ ଦାୟିତ୍ୱ ନ୍ୟସ୍ତ ହୋଇଛି ସେଠାରେ ଉନ୍ନୟନମୂଳକ କାର୍ଯ୍ୟକ୍ରମ ଓ ଯୋଜନାର ଅଗ୍ରଗତି କିଏ ପରଖୁଛି ବୋଲି ତାକୁ ନେଇ ପ୍ରଶ୍ନ ଉଠିଛି । ଏହି ଆଇଏଏସ୍ ଅଫିସରମାନେ ଜିଲ୍ଲା ଗସ୍ତରେ ନଯିବା ଓ ସାଧାରଣ ଲୋକଙ୍କ ସହ ସିଧାସଳଖ ଯୋଡ଼ି ହେବାରେ ଅନାଗ୍ରହୀ ଯୋଗୁ ରାଜ୍ୟର ମୋହନ ସରକାରଙ୍କ ସାଧାରଣ ଲୋକଙ୍କ ପ୍ରତି ଥିବା ପ୍ରତିବଦ୍ଧତାରେ ସମସ୍ୟା ଉପୁଜିଛି । ସେହିପରି କେଉଁ ସଚିବ କେବେ କେଉଁ ଜିଲ୍ଲାକୁ ଗସ୍ତ କରୁଛନ୍ତି ଓ କ’ଣ ନୋଟସିଟ୍ ଦେଉଛନ୍ତି ତାହା ସାର୍ବଜନୀନ ହେଉନଥିବାରୁ ସାଧାରଣ ଲୋକେ କିଛି ଜାଣିବାର ସୁଯୋଗ ମିଳୁନି । ଯଦିଓ ମୁଖ୍ୟସଚିବ ନିଜେ ଏହି ସଚିବମାନଙ୍କ ଜିଲ୍ଲା ଗସ୍ତର ବିବରଣୀ ଏକ ସ୍ୱତନ୍ତ୍ର ୱେବପୋର୍ଟାଲରେ ଉଲ୍ଲେଖ କରାଯିବ ବୋଲି କହିଥିଲେ । ସୋମବାର ମୁଖ୍ୟ ସଚିବ ମନୋଜ ଆହୁଜା ମଧ୍ୟ ଅପାରଗ, କାର୍ଯ୍ୟ ପ୍ରତି ଆନୁଗତ୍ୟ ନଥିବା ଓ ସନ୍ଦେହଜନକ ଗତିବିଧିରେ ଲିପ୍ତ ଅଫିସର-କର୍ମଚାରୀଙ୍କୁ ଆଗୁଆ ଅବସର ଦେଇଦେବା ନିମନ୍ତେ ରାଜ୍ୟ ସରକାରଙ୍କ ସର୍କୁଲାର(୨୦୧୯ ସେପ୍ଟେମ୍ବର ୨୪ରେ ଜାରି)କୁ କଡ଼ାକଡ଼ି ପାଳନ କରିବାକୁ ତାଗିଦ୍ କରିଛନ୍ତି ।
କ’ଣ କହିଛନ୍ତି ମୁଖ୍ୟମନ୍ତ୍ରୀ
ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ବରିଷ୍ଠ ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନର ଲିଖିତ ଉତ୍ତର ଦେଇ କହିଛନ୍ତି ଯେ, ଯୋଜନା ଓ ସଂଯୋଜନ ବିଭାଗର ୨୦୨୪ ସେପ୍ଟେମ୍ବର ୪ ଓ ୨୦୨୫ ଜାନୁୟାରୀ ୩୧ତାରିଖର ଚିଠି ମାଧ୍ୟମରେ ସଚିବସ୍ତରୀୟ ଅଧିକାରୀମାନଙ୍କୁ ଜିଲ୍ଲା ଗସ୍ତ କରି ସରକାରଙ୍କ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମର ସମୀକ୍ଷା କରିବାକୁ କୁହାଯାଇଛି । ସଚିବସ୍ତରୀୟ ଅଧିକାରୀମାନଙ୍କ ଗସ୍ତ ବିବରଣୀରେ ସ୍ଥାନିତ ମନ୍ତବ୍ୟ ଉପରେ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ଏହାକୁ ସମ୍ପୃକ୍ତ ବିଭାଗ ଓ ଜିଲ୍ଲାପାଳଙ୍କ ନିକଟକୁ ପ୍ରେରଣ କରାଯାଇଥାଏ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।