ବେଲଗାମ୍ ପ୍ରଶାସନ, ମାନୁନାହାନ୍ତି ସଚିବ: ଦିନଟିଏ ବି ଜିଲ୍ଲା ଗସ୍ତରେ ଯାଇନାହାନ୍ତି ୮ସଚିବ

ଆଇଏଏସ୍ ଅଫିସରମାନେ ଜିଲ୍ଲା ଗସ୍ତରେ ଯାଇ ରାତ୍ରି ରହଣୀ କରିବାରେ ଆଗ୍ରହ ଦେଖାଉନଥିବା, ଏପରିକି ପ୍ରାୟ ୧୦ଜଣ ସଚିବ(ବରିଷ୍ଠ ଆଇଏଏସ) ବିଗତ ୬ମାସ ମଧ୍ୟରେ ଦିନଟିଏ ବି ଜିଲ୍ଲା ଗସ୍ତରେ ଯାଇନଥିବାର ଅଭାବନୀୟ ଚିତ୍ର ପଦାକୁ ଆସିଛି ।

Loka Seva Bhavan

ଲୋକସଭା ଭବନ

Ordigital Desk
  • Published: Monday, 24 March 2025
  • , Updated: 25 March 2025, 11:07 AM IST

ରାଜ୍ୟରେ ନବୀନ ପଟ୍ଟନାୟକ ସରକାରକୁ କ୍ଷମତାଚ୍ୟୁତ କରି ‘ବାବୁରାଜ’ ବା ‘ଆଇଏଏସ୍ ଅଫିସରରାଜ୍‌’ ଉପରେ ପୂର୍ଣ୍ଣଚ୍ଛେଦ ପକାଇବାକୁ ରାଜ୍ୟବାସୀ ନେଇଥିବା ନିଷ୍ପତ୍ତିକୁ ଧକ୍କା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର ନିଜର ‘ଜନସେବା ମଡେଲ’ ଓ ପ୍ରଶାସନକୁ ଲୋକଙ୍କ ଦ୍ୱାରଦେଶରେ ପହଂଚାଇବା ପାଇଁ ଯେଉଁ ମଡେଲ ତିଆରି କରିଛନ୍ତି ତାକୁ ସଚିବମାନେ ମାନୁନାହାନ୍ତି । ବେଲଗାମ ପ୍ରଶାସନ ଓ ବରିଷ୍ଠ ଆଇଏଏସ୍ ଅଫିସର ବା ସଚିବମାନଙ୍କର ମନମୁଖୀ କାର୍ଯ୍ୟ ଯୋଗୁ ଜିଲ୍ଲାଗୁଡ଼ିକରେ ଯୋଜନା ଓ କାର୍ଯ୍ୟକ୍ରମ ସହ ଭିତ୍ତିଭୂମି ଉନ୍ନୟନ କାର୍ଯ୍ୟ ମଧ୍ୟ ତ୍ୱରାନ୍ୱିତ ହୋଇପାରୁନାହିଁ । ଏପରିକି କେନ୍ଦ୍ର ସରକାରଙ୍କ ଦ୍ୱାରା ଚିହ୍ନଟ ହୋଇଥିବା ଆକାଂକ୍ଷୀ ବ୍ଲକଗୁଡ଼ିକର ବିକାଶ ତଦାରଖ ମଧ୍ୟ ସମ୍ଭବପର ହୋଇପାରୁନଥିବା ଜଣାପଡ଼ିଛି । ଆଇଏଏସ୍ ଅଫିସରମାନେ ଜିଲ୍ଲା ଗସ୍ତରେ ଯାଇ ରାତ୍ରି ରହଣୀ କରିବାରେ ଆଗ୍ରହ ଦେଖାଉନଥିବା, ଏପରିକି ପ୍ରାୟ ୧୦ଜଣ ସଚିବ(ବରିଷ୍ଠ ଆଇଏଏସ) ବିଗତ ୬ମାସ ମଧ୍ୟରେ ଦିନଟିଏ ବି ଜିଲ୍ଲା ଗସ୍ତରେ ଯାଇନଥିବାର ଅଭାବନୀୟ ଚିତ୍ର ପଦାକୁ ଆସିଛି । ଯାହାକି ରାଜ୍ୟରେ ମୁଖ୍ୟ ସଚିବଙ୍କ ନିର୍ଦ୍ଦେଶକୁ ହେୟଜ୍ଞାନ କରୁଥିବା ଆଇଏଏସ୍ ଅଫିସରମାନଙ୍କର ଉତଶୃଙ୍ଖଳିତ ଆଚରଣର ପ୍ରମାଣ ଦେଉଛି ବୋଲି ପାୱାର କରିଡରରେ ଚର୍ଚ୍ଚା ।

ସରକାରଙ୍କ ନିର୍ଦ୍ଦେଶ, ଅଫିସରଙ୍କ ହେୟଜ୍ଞାନ

ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ଗତ ସେପ୍ଟେମ୍ବର ମାସରୁ ସଚିବମାନଙ୍କୁ ଜିଲ୍ଲା ଦାୟିତ୍ୱ ବଂଟନ କରାଗଲା । ଜିଲ୍ଲା ଗସ୍ତରେ ଯାଇ ସେଠାରେ ରାତ୍ରିରହଣୀ ସହ ସରକାରଙ୍କ ବିଭିନ୍ନ ଯୋଜନା-କାର୍ଯ୍ୟକ୍ରମର ସମୀକ୍ଷା, ଭିତ୍ତିଭୂମି ପ୍ରକଳ୍ପ ଓ ଅନ୍ୟାନ୍ୟ ସମସ୍ୟାର ସମାଧାନ ଦିଗରେ ପ୍ରଶାସନିକ ପ୍ରତିବନ୍ଧକକୁ ଦୂର କରିବା, ସାଧାରଣ ଲୋକଙ୍କୁ ଦ୍ୱାରଦେଶରେ ସେବା ଦେବା ସହ ଜିଲ୍ଲାସ୍ତରରେ କାର୍ଯ୍ୟ କରୁଥିବା ବିଭିନ୍ନ ବିଭାଗର ଅଧିକାରୀମାନଙ୍କ ସଙ୍ଗେ ବୈଠକ କରି ପ୍ରଶାସନକୁ କ୍ରିୟାଶୀଳ କରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି । ବିଜେଡି ସରକାର ଅମଳରେ ବନ୍ଦ ଥିବା ସଚିବମାନଙ୍କ ଜିଲ୍ଲା ଗସ୍ତକୁ ବିଜେପି ସରକାର ପୁଣିଥରେ ଆରମ୍ଭ କରି ଜିଲ୍ଲା ଦାୟିତ୍ୱ ଦେଲା ପରେ ମଧ୍ୟ ସଚିବମାନେ ହେୟଜ୍ଞାନ କରିଛନ୍ତି । ଅଫିସରମାନଙ୍କୁ ସୁହାଇବା ଓ ଜିଲ୍ଲାଗୁଡ଼ିକରେ ଥିବା ସମସ୍ୟାକୁ ଠିକ୍ ଭାବେ ବୁଝି ତା’ର ନିରାକରଣ ନିମନ୍ତେ ସରକାର ୨୦୨୪ ସେପ୍ଟେମ୍ବର ୪ତାରିଖରେ ସଚିବ ଓ ବରିଷ୍ଠ ଆଇଏଏସ୍ ଅଫିସରମାନଙ୍କୁ ୩ମାସିଆ (ସେପ୍ଟେମ୍ବର-ନଭେମ୍ବର)ଜିଲ୍ଲା ଆବଂଟନ କଲେ । ପରେ ଜାନୁୟାରୀ ୩୧ରେ ପୁଣିଥରେ ୨ମାସିଆ(ଫେବୃୟାରୀ-ମାର୍ଚ୍ଚ) ଜିଲ୍ଲା ଦାୟିତ୍ୱ ଦେଲେ ।  କିନ୍ତୁ ଆଶ୍ଚର୍ଯ୍ୟର କଥା ଏହି ୮ମାସ ମଧ୍ୟରେ ୮ଜଣ ଏଭଳି ବରିଷ୍ଠ ଆଇଏଏସ୍ ଅଛନ୍ତି ଯେଉଁମାନେ ଦିନଟିଏ ବି ସେମାନଙ୍କୁ ଆବଂଟିତ ଜିଲ୍ଲାକୁ ଗସ୍ତ କରିବାକୁ ଆଗ୍ରହ ଦେଖାଇନାହାନ୍ତି । ଏହି ଆଇଏଏସ୍ ଅଫିସରମାନେ ହେଲେ ଗୃହସଚିବ ସତ୍ୟବ୍ରତ ସାହୁ, ସୁରେନ୍ଦ୍ର କୁମାର, ବିଶାଳ ଦେବ, ସଞ୍ଜୟ ସିଂ, ରାଜେଶ ପ୍ରଭାକର ପାଟିଲ, ବିଜୟକେତନ ଉପାଧ୍ୟାୟ, ଡି.ପ୍ରଶାନ୍ତ ରେଡ୍ଡୀ ଓ ରଶ୍ମିତା ପଣ୍ଡା ଅଛନ୍ତି । ଏହି ଅଫିସରମାନଙ୍କୁ ସରକାରଙ୍କ ଦ୍ୱାରା ଜାରି ୨ଟି ନିର୍ଦ୍ଦେଶନାମାରେ ୨ଟି ଲେଖାଏଁ ଜିଲ୍ଲା ଦାୟିତ୍ୱ ନ୍ୟସ୍ତ ହୋଇଛି । ଏପରିକି ଆକାଂକ୍ଷୀ ବ୍ଲକ(କେନ୍ଦ୍ର ସରକାରଙ୍କ ଦ୍ୱାରା ଚିହ୍ନଟ ୨୯ଟି ପଛୁଆ ବ୍ଲକ ଥିବା ଜିଲ୍ଲା) ମଧ୍ୟ ଆବଂଟିତ ହୋଇଛି । ମାତ୍ର ସେମାନେ ଏସବୁ ଜିଲ୍ଲାର କାର୍ଯ୍ୟକ୍ରମ ଓ ଲୋକଙ୍କ ସମସ୍ୟାର ସମାଧାନ ତ ଦୂରର କଥା ଥରୁଟିଏ ବି ଶୀତତାପ ନିୟନ୍ତ୍ରିତ କୋଠରୀ ଓ ଗାଡ଼ି ଛାଡ଼ି ସେମାନଙ୍କୁ ଆବଂଟିତ ଜିଲ୍ଲାକୁ ଯିବାକୁ ଉଚିତ୍ ମଣିନାହାନ୍ତି।

ଅନ୍ୟ ଯେଉଁ ୨୦ଜଣ ସଚିବ ବା ବରିଷ୍ଠ ଆଇଏଏସ୍ ଅଫିସର ଜିଲ୍ଲା ଗସ୍ତରେ ଯାଇଛନ୍ତି ସେମାନଙ୍କ ମଧ୍ୟରେ ୧୧ଜଣ ଆଇଏଏସ୍ ଚିତ୍ରା ଅରୁମୁଗମ , ଶାଶ୍ୱତ ମିଶ୍ର, ଉଷା ପାଢ଼ୀ, ସୁରେଶ କୁମାର ବଶିଷ୍ଠ, ଶାଳିନୀ ପଣ୍ଡିତ, ଏସ ଅଶ୍ୱସ୍ତି, ଅରବିନ୍ଦ ଅଗ୍ରୱାଲ, ବଳବନ୍ତ ସିଂ, ଭୂପିନ୍ଦର ସିଂ ପୁନିଆ, ଯାମିନୀ ଷଡ଼ଙ୍ଗୀ ଓ ଗୁହା ପୁନମ ତାପସ କୁମାର ଅଛନ୍ତି ଯିଏ ଥରୁଟିଏ ଲେଖାଏଁ ସେମାନଙ୍କୁ ଆବଂଟିତ ଜିଲ୍ଲାକୁ ମାତ୍ର ୨ଦିନ ପାଇଁ ଯାଇଥିବା ଜଣାପଡ଼ିଛି ।

କେବଳ ହେମନ୍ତ ଶର୍ମା(୨ଥରେ ଆବଂଟିତ ଜିଲ୍ଲା କେନ୍ଦୁଝର ଓ ସମ୍ବଲପୁର), ଶୁଭା ଶର୍ମା(ଗଜପତି ଓ ମାଲକାନଗିରି) ଓ ତାଙ୍କ ଆଇଏଏସ୍ ସ୍ୱାମୀ ଭାସ୍କରଜ୍ୟୋତି ଶର୍ମା(ନବରଙ୍ଗପୁର ଓ ସୁନ୍ଦରଗଡ଼), ଏନ.ଥିରୁମାଳା ନାଏକ(ନୟାଗଡ଼ ଓ ଦେବଗଡ଼) ଗସ୍ତ କରି ସେସବୁ ଜିଲ୍ଲାରେ ୨ଦିନ ଲେଖାଏଁ ରହିଥିବାବେଳେ ଜି .ମାଥିଭାଥାନନ୍ କେନ୍ଦ୍ରାପଡ଼ାକୁ ୨ଥର ଗସ୍ତ କରିଛନ୍ତି ।

ପଛୁଆ ଜିଲ୍ଲା ଦାୟିତ୍ୱରେ ଥାଇ ବି ଗଲେନି ସଚିବ

ସତ୍ୟବ୍ରତ ସାହୁଙ୍କୁ ସେପ୍ଟେମ୍ବର ମାସରେ ଜାରି ନିର୍ଦ୍ଦେଶରେ ଜଗତସିଂହପୁର ଜିଲ୍ଲା ଆବଂଟନ ହୋଇଥିବାବେଳେ ଫେବୃୟାରୀ-ମାର୍ଚ୍ଚରେ ତାଙ୍କୁ କୌଣସି ଜିଲ୍ଲା ଦାୟିତ୍ୱ ଦିଆଯାଇନାହିଁ । ତେବେ ସୁରେନ୍ଦ୍ର କୁମାରଙ୍କୁ ପ୍ରଥମଥର କଟକ ଓ ଦ୍ୱିତୀୟଥର ଯାଜପୁର, ବିଶାଳ ଦେବଙ୍କୁ ନୂଆପଡ଼ା ଓ  ବାଲେଶ୍ୱର, ସଞ୍ଜୟ କୁମାର ସିଂଙ୍କୁ ମୟୂରଭଞ୍ଜ ଓ ନୟାଗଡ଼, ରାଜେଶ ପ୍ରଭାକର ପାଟିଲଙ୍କୁ ଦେବଗଡ଼ ଓ କୋରାପୁଟ, ବିଜୟକେତନ ଉପାଧ୍ୟାୟଙ୍କୁ ବୌଦ୍ଧ ଓ ନବରଙ୍ଗପୁର, ଡି.ପ୍ରଶାନ୍ତ ରେଡ୍ଡୀଙ୍କୁ ବାଲେଶ୍ୱର ଓ ନୂଆପଡ଼ା ଓ ରଶ୍ମିତା ପଣ୍ଡାଙ୍କୁ ଯାଜପୁର ଓ ଝାରସୁଗୁଡ଼ା ଜିଲ୍ଲା ଆବଂଟିତ ହୋଇଛି । ପ୍ରଥମଦଫାରେ ୩ମାସ ପାଇଁ ଜିଲ୍ଲା ଦାୟିତ୍ୱ ପାଇଥିବା ଏହି ଅଫିସରମାନେ କୌଣସି ଜିଲ୍ଲା(ଅଧିକାଂଶ ପଛୁଆ ଜିଲ୍ଲା)କୁ ଯାଇନଥିବାବେଳେ ଦ୍ୱିତୀୟ ଦଫାରେ ଆବଂଟିତ ଜିଲ୍ଲାକୁ ମଧ୍ୟ ଗସ୍ତ କରିବାକୁ ଆଗ୍ରହ ଦେଖାଇନାହାନ୍ତି । ଯଦିଓ ମାର୍ଚ୍ଚ ମାସ ଶେଷ ହେବାକୁ ବସିଲାଣି । ଏମାନଙ୍କ ବ୍ୟତୀତ ଅନୁସୂଚିତ ଜାତି ଓ ଜନଜାତି ସଚିବ ସଞ୍ଜିବ କୁମାର ମିଶ୍ର ମଧ୍ୟ ତାଙ୍କୁ ଆବଂଟିତ ଗଞ୍ଜାମ ଜିଲ୍ଲା ଯାଇନାହାନ୍ତି ।

ସରକାରଙ୍କ କାର୍ଯ୍ୟକ୍ରମର ସମୀକ୍ଷା ପାଇଁ ଅନାଗ୍ରହୀ

ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ନିର୍ଦ୍ଦେଶ ଓ ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ଦ୍ୱାରା ଜାରି ନିର୍ଦ୍ଦେଶନାମା ସତ୍ତ୍ୱେ ଏହି ବରିଷ୍ଠ ଆଇଏଏସ୍ ଅଫିସରମାନେ ଜିଲ୍ଲା ଗସ୍ତରେ ଯିବାକୁ ଉଚିତ୍ ମଣିନାହାନ୍ତି । ଏସବୁ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଜେପି ସରକାରଙ୍କ ୧୬ରୁ ଅଧିକ କାର୍ଯ୍ୟକ୍ରମ ଓ ଯୋଜନା ସମେତ ବିଭିନ୍ନ ଉନ୍ନୟନ କାର୍ଯ୍ୟର ତଦାରଖ ଓ ସମୀକ୍ଷା କରିବା ଏହି ଆଇଏଏସ୍ ଅଫିସରମାନଙ୍କୁ ନ୍ୟସ୍ତ ହୋଇଛି । ଉନ୍ନୟନ କମିଶନର  ଜିଲ୍ଲା ଗସ୍ତ ପାଇଁ ଯେଉଁ ଗାଇଡଲାଇନ୍ ଜାରି କରିଥିଲେ ସେଥିରେ ସ୍ପଷ୍ଟ ଭାବେ ସରକାରଙ୍କ ଯୋଜନାଗୁଡ଼ିକର ସମୀକ୍ଷା ସହ ଖଣିଜସମୃଦ୍ଧ ୮ଟି ଜିଲ୍ଲାର ଡିଏମଏଫ ଓ ଓଏମବିଏଡିସି ପାଣ୍ଠି ବ୍ୟୟ ଓ ଅନୁମୋଦିତ ପ୍ରକଳ୍ପର ସ୍ଥିତି ଯାଂଚ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଥିଲା । ଏପରିକି ଜିଲ୍ଲା ଗସ୍ତରେ ଯାଇ ୨-୩ଦିନ ରହି ମୁଖ୍ୟ ସଚିବଙ୍କୁ ନିଜର ଜିଲ୍ଲାଗସ୍ତର ନୋଟ୍ ପଠାଇବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ ଆଇଏଏସମାନେ ସେମାନଙ୍କୁ ଆବଂଟିତ ଜିଲ୍ଲା ଗସ୍ତରେ ଯାଉନଥିବାରୁ ରାଜ୍ୟ ସରକାରଙ୍କ କାର୍ଯ୍ୟକ୍ରମ ଓ ଯୋଜନାର ସମୀକ୍ଷା ମଧ୍ୟ ହୋଇପାରୁନଥିବା ଜଣାପଡ଼ିଛି । ଏପରିକି ଜିଲ୍ଲାସ୍ତରରେ ଥିବା ଭିତ୍ତିଭୂମି ଓ ଉନ୍ନୟନମୂଳକ ସମେତ ବିଭିନ୍ନ ଜନକଲ୍ୟାଣ ସମସ୍ୟାଗୁଡ଼ିକର ସମାଧାନ କିଭଳି ହେବ ତା’ର ମାର୍ଗ ମଧ୍ୟ ଖୋଜାଯାଇପାରୁନି । ଯଦିଓ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ନିଜର କ୍ୟାବିନେଟ୍ ସହଯୋଗୀମାନଙ୍କୁ ବିଭିନ୍ନ ଜିଲ୍ଲା ଆବଂଟନ କରି ସେମାନଙ୍କୁ ସମ୍ପୃକ୍ତ ଜିଲ୍ଲାର ନୋଡାଲ ମନ୍ତ୍ରୀ ଦାୟିତ୍ୱ ଦେଇଛନ୍ତି । କିନ୍ତୁ ଏହି ପ୍ରଶାସନିକ ଅଫିସରମାନେ ମନଇଚ୍ଛା କାର୍ଯ୍ୟ କରି ଜିଲ୍ଲାକୁ ଯାଉନଥିବାରୁ ରାଜ୍ୟ ସରକାରଙ୍କ ପ୍ରଶାସନିକ ମଡେଲ ଫେଲ୍ ମାରିଛି ।

କାହିଁକି ହେଉନି କାର୍ଯ୍ୟାନୁଷ୍ଠାନ

ଜିଲ୍ଲା ଗସ୍ତରେ ଯିବା ପାଇଁ ସରକାରଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଏହି ଅଫିସରମାନେ କାହିଁକି ଜିଲ୍ଲା ଗସ୍ତରେ ଯାଉନାହାନ୍ତି ସେନେଇ ସରକାରୀସ୍ତରରେ ନିୟମିତ ସମୀକ୍ଷା ହେଉନଥିବାରୁ ତା’ର ଫାଇଦା ସମ୍ପୃକ୍ତ ଆଇଏଏସ୍ ଅପିସରମାନେ ଉଠାଉଛନ୍ତି । ରାଜ୍ୟ ସରକାରଙ୍କ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେଉନଥିବାରୁ ଏହି ଅଫିସରମାନେ ଲଗାମଛଡ଼ା ହୋଇଯାଇଛନ୍ତି । ଏପରିକି ମାସିକ ସଚିବସ୍ତରୀୟ ବୈଠକରେ ଏହି ଜିଲ୍ଲାଗସ୍ତ କରୁନଥିବା ସଚିବଙ୍କୁ ପ୍ରଶ୍ନ କରାଯାଉଛି କି ନାହିଁ ତାହା ବି ଜଣାପଡ଼ୁନି । ଯେଉଁ ଅଫିସରମାନେ ଜିଲ୍ଲା ଗସ୍ତରେ ଯାଉନାହାନ୍ତି ଓ ସେମାନଙ୍କୁ ଯେଉଁ ପଛୁଆ ଜିଲ୍ଲାଗୁଡ଼ିକ ଦାୟିତ୍ୱ ନ୍ୟସ୍ତ ହୋଇଛି ସେଠାରେ ଉନ୍ନୟନମୂଳକ କାର୍ଯ୍ୟକ୍ରମ ଓ ଯୋଜନାର ଅଗ୍ରଗତି କିଏ ପରଖୁଛି ବୋଲି ତାକୁ ନେଇ ପ୍ରଶ୍ନ ଉଠିଛି । ଏହି ଆଇଏଏସ୍ ଅଫିସରମାନେ ଜିଲ୍ଲା ଗସ୍ତରେ ନଯିବା ଓ ସାଧାରଣ ଲୋକଙ୍କ ସହ ସିଧାସଳଖ ଯୋଡ଼ି ହେବାରେ ଅନାଗ୍ରହୀ ଯୋଗୁ ରାଜ୍ୟର ମୋହନ ସରକାରଙ୍କ ସାଧାରଣ ଲୋକଙ୍କ ପ୍ରତି ଥିବା ପ୍ରତିବଦ୍ଧତାରେ ସମସ୍ୟା ଉପୁଜିଛି । ସେହିପରି କେଉଁ ସଚିବ କେବେ କେଉଁ ଜିଲ୍ଲାକୁ ଗସ୍ତ କରୁଛନ୍ତି ଓ କ’ଣ ନୋଟସିଟ୍ ଦେଉଛନ୍ତି ତାହା ସାର୍ବଜନୀନ ହେଉନଥିବାରୁ ସାଧାରଣ ଲୋକେ କିଛି ଜାଣିବାର ସୁଯୋଗ ମିଳୁନି । ଯଦିଓ ମୁଖ୍ୟସଚିବ ନିଜେ ଏହି ସଚିବମାନଙ୍କ ଜିଲ୍ଲା ଗସ୍ତର ବିବରଣୀ ଏକ ସ୍ୱତନ୍ତ୍ର ୱେବପୋର୍ଟାଲରେ ଉଲ୍ଲେଖ କରାଯିବ ବୋଲି କହିଥିଲେ । ସୋମବାର ମୁଖ୍ୟ ସଚିବ ମନୋଜ ଆହୁଜା ମଧ୍ୟ ଅପାରଗ, କାର୍ଯ୍ୟ ପ୍ରତି ଆନୁଗତ୍ୟ ନଥିବା ଓ ସନ୍ଦେହଜନକ ଗତିବିଧିରେ ଲିପ୍ତ ଅଫିସର-କର୍ମଚାରୀଙ୍କୁ ଆଗୁଆ ଅବସର ଦେଇଦେବା ନିମନ୍ତେ ରାଜ୍ୟ ସରକାରଙ୍କ ସର୍କୁଲାର(୨୦୧୯ ସେପ୍ଟେମ୍ବର ୨୪ରେ ଜାରି)କୁ କଡ଼ାକଡ଼ି ପାଳନ କରିବାକୁ ତାଗିଦ୍ କରିଛନ୍ତି ।

କ’ଣ କହିଛନ୍ତି ମୁଖ୍ୟମନ୍ତ୍ରୀ

ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ବରିଷ୍ଠ ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନର ଲିଖିତ ଉତ୍ତର ଦେଇ କହିଛନ୍ତି ଯେ, ଯୋଜନା ଓ ସଂଯୋଜନ ବିଭାଗର ୨୦୨୪ ସେପ୍ଟେମ୍ବର ୪ ଓ ୨୦୨୫ ଜାନୁୟାରୀ ୩୧ତାରିଖର ଚିଠି ମାଧ୍ୟମରେ ସଚିବସ୍ତରୀୟ ଅଧିକାରୀମାନଙ୍କୁ ଜିଲ୍ଲା ଗସ୍ତ କରି ସରକାରଙ୍କ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମର ସମୀକ୍ଷା କରିବାକୁ କୁହାଯାଇଛି । ସଚିବସ୍ତରୀୟ ଅଧିକାରୀମାନଙ୍କ ଗସ୍ତ ବିବରଣୀରେ ସ୍ଥାନିତ ମନ୍ତବ୍ୟ ଉପରେ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ଏହାକୁ ସମ୍ପୃକ୍ତ ବିଭାଗ ଓ ଜିଲ୍ଲାପାଳଙ୍କ ନିକଟକୁ ପ୍ରେରଣ କରାଯାଇଥାଏ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Related story