Advertisment

ମୋହନ ସରକାରଙ୍କ ବଡ଼ ନିଷ୍ପତ୍ତି:  ଅସହାୟ ବୃଦ୍ଧବୃଦ୍ଧା ଓ ଦିବ୍ୟାଙ୍ଗଙ୍କ ପାଇଁ ଉନ୍ନତ ଆବାସିକ କେନ୍ଦ୍ର

ଚଳିତ ମାସ ୧ତାରିଖ ସୁଦ୍ଧା ୮ଟି ଆଇଆଇସି ନିର୍ମାଣ ସରିଛି ଓ ଏବେ ୪ଟି ନିର୍ମାଣାଧୀନ ରହିଛି । ପ୍ରାରମ୍ଭିକ ଭାବେ ପ୍ରତ୍ୟେକ ଆଇଆଇସିରେ ୪୦୦ ଜଣଙ୍କୁ ରଖାଯିବ । ଯେଉଁଥିରେ ୧୦୦ଜଣ ଅସହାୟ ବୃଦ୍ଧବୃଦ୍ଧା ଓ ବାକି ୧୦୦ଜଣ ଲେଖାଏଁ ଦୃଷ୍ଟିହୀନ, ଶ୍ରବଣବାଧିତ ଓ ବୌଦ୍ଧିକ ଅକ୍ଷମ ପିଲା ବା ବ୍ୟକ୍ତି ସାମିଲ ରହିବେ ।

CM Mohan Charan Majhi

CM Mohan Charan Majhi

Advertisment

ରାଜ୍ୟରେ ଅସହାୟ ବୃଦ୍ଧବୃଦ୍ଧା ଓ ଦିବ୍ୟାଙ୍ଗଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ଜିଲ୍ଲାରେ ଗୋଟିଏ ଲେଖାଏଁ ଇଣ୍ଟିଗ୍ରେଟେଡ୍ ଇନଫ୍ରାଷ୍ଟକଚର କମ୍ପେ୍ଲକ୍ସ(ଆଇଆଇସି) ସ୍ଥାପନ ଓ ପରିଚାଳନା କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ପ୍ରତ୍ୟେକ ଆଇଆଇସିରେ ପ୍ରାୟ ୪୦୦ଜଣ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗଙ୍କୁ ସବୁପ୍ରକାରର ସୁବିଧା ଉପଲବ୍ଧ ହେବ । ସେଠାରେ ସେମାନେ ରହିବା ସହ ସେମାନଙ୍କର ଯତ୍ନ, ଚିକିତ୍ସା ସେବା, ଶିକ୍ଷା ଓ ପୁନର୍ବାସ ଆଦିକୁ ମଧ୍ୟ ସରକାର ସୁନିଶ୍ଚିତ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏବେ ୮ଟି ଆଇଆଇସି କାର୍ଯ୍ୟକ୍ଷମ ହୋଇଛି ଓ ଆଉ ୪ଟି ନିର୍ମାଣାଧୀନ ଥିବାବେଳେ ଖୁବଶୀଘ୍ର ମୋଟ୍ ୩୦ଟି ଆଇଆଇସି ମାଧ୍ୟମରେ ୧୨ହଜାର  ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗଙ୍କୁ ସବୁପ୍ରକାରର ସୁବିଧାସୁଯୋଗ ଯୋଗାଇ ଦେବାକୁ ସରକାର ଲକ୍ଷ୍ୟ ରଖିଥିବା ଜଣାପଡ଼ିଛି । ମୋହନ ମାଝୀଙ୍କ ନେତୃତ୍ୱାଧୀନ ସରକାରର ବର୍ଷପୂର୍ତ୍ତି ପୂର୍ବରୁ ଅସହାୟ ବୃଦ୍ଧବୃଦ୍ଧା ଓ ଦିବ୍ୟାଙ୍ଗଙ୍କ ନିମନ୍ତେ ସରକାରଙ୍କ ଉତ୍ତରଦାୟିତ୍ୱ ସ୍ୱରୂପ ୮ଟି ଆଇଆଇସିକୁ କାର୍ଯ୍ୟକ୍ଷମ କରାଯାଇଛି । ଆଉ ଏହି ସମସ୍ତ ଆଇଆଇସି କିଭଳି ପରିଚାଳିତ ହେବ ସେଥିପାଇଁ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି ।

Advertisment

ଅସହାୟ ବୃଦ୍ଧବୃଦ୍ଧା ଓ ଦିବ୍ୟାଙ୍ଗଙ୍କ ପାଇଁ ଉତ୍କର୍ଷ ଆବାସିକ କେନ୍ଦ୍ର

ରାଜ୍ୟରେ ଅସହାୟ ବୃଦ୍ଧବୃଦ୍ଧା ଓ ଦିବ୍ୟାଙ୍ଗଙ୍କ ରହିବା ତଥା ସେମାନଙ୍କର ସେବାଯତ୍ନ ଆଦି ନିମନ୍ତେ ଏହି ଆଇଆଇସିଗୁଡ଼ିକୁ ଉନ୍ନତମାନର ଆବାସିକ କେନ୍ଦ୍ର ଭାବେ ଗଢ଼ି ତୋଳିବାକୁ ନିଷ୍ପତ୍ତି ନିଆଯାଇଛି । ଯାହାକୁ ସରକାର ‘ଉତ୍କର୍ଷତାର କେନ୍ଦ୍ର’ ଭାବେ ବିକଶିତ କରିବେ ଓ ଗୋଟିଏ ଛାତତଳେ ସମାଜର ଏହି ନିଷ୍ପେଷିତ ଲୋକମାନଙ୍କୁ ସବୁପ୍ରକାର ସେବା ଓ ସୁବିଧା ଉପଲବ୍ଧ ହେବ । ଏହି ଆଇଆଇସିଗୁଡ଼ିକରେ ଯଥାକ୍ରମେ- ବରିଷ୍ଠ ନାଗରିକଙ୍କ ପାଇଁ ଘର ଯାହାକି ବୃଦ୍ଧବୃଦ୍ଧାମାନଙ୍କ ପାଇଁ ନିରାପଦ ଓ ସହାୟକ ପରିବେଶ ସୃଷ୍ଟି କରିବ । ଏଥିରେ ସ୍ୱତନ୍ତ୍ର ବିଦ୍ୟାଳୟ କାର୍ଯ୍ୟକ୍ଷମ ହେବ ଯେଉଁଠି ଦୃଷ୍ଟିହୀନ, ଶ୍ରବଣବାଧିତ ଓ ବୌଦ୍ଧିକ ଅକ୍ଷମ ପିଲା-ବ୍ୟକ୍ତିମାନଙ୍କୁ ନିୟମିତ ଶିକ୍ଷା ସହ ବୃତ୍ତିଗତ ପ୍ରଶିକ୍ଷଣ ମଧ୍ୟ ପ୍ରଦାନ କରାଯିବ । ଫିଜିଓଥେରାପି କେନ୍ଦ୍ର ରହିବ ଯେଉଁଠି ଶାରୀରିକ ଦକ୍ଷତା ବୃଦ୍ଧି ସହ ମାନସିକ ରୋଗୀଙ୍କ ଚିକିତ୍ସା ସୁବିଧା ଉପଲବ୍ଧ ହେବ ।  ଏହି କେନ୍ଦ୍ରଗୁଡ଼ିକ ସେମାନଙ୍କ ଯତ୍ନ,ଚିକିତ୍ସା, ଥେରାପି, ପରାମର୍ଶ, ସହାୟକ ଉପକରଣ, ଶିକ୍ଷା ଓ ବୃତ୍ତିଗତ ପ୍ରଶିକ୍ଷଣ ଯୋଗାଇବ । ଯୋଗ, ଧ୍ୟାନ, ଖେଳ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଏହି ଆଇଆଇସିର ଅନ୍ତେବାସୀଙ୍କର ଶାରୀରିକ ଓ ସାମାଜିକ ସଂପର୍କ ବୃଦ୍ଧି ପାଇବ । ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଖେଳୁଥିବା ଦିବ୍ୟାଙ୍ଗ ଖେଳାଳିଙ୍କୁ ଏହି ଆଇଆଇସିରେ କୋଚ୍ ଭାବେ ନିୟୋଜିତ କରାଯାଇ ସେମାନଙ୍କର ପୁନର୍ବାସରେ ସହାୟତା କରାଯିବ ।  

ଚଳିତମାସ ୧ତାରିଖ ସୁଦ୍ଧା ୮ଟି ଆଇଆଇସି ନିର୍ମାଣ ସରିଛି ଓ ଏବେ ୪ଟି ନିର୍ମାଣାଧୀନ ରହିଛି । ପ୍ରାରମ୍ଭିକ ଭାବେ ପ୍ରତ୍ୟେକ ଆଇଆଇସିରେ ୪୦୦ ଜଣଙ୍କୁ ରଖାଯିବ । ଯେଉଁଥିରେ ୧୦୦ଜଣ ଅସହାୟ ବୃଦ୍ଧବୃଦ୍ଧା ଓ ବାକି ୧୦୦ଜଣ ଲେଖାଏଁ ଦୃଷ୍ଟିହୀନ, ଶ୍ରବଣବାଧିତ ଓ ବୌଦ୍ଧିକ ଅକ୍ଷମ ପିଲା ବା ବ୍ୟକ୍ତି ସାମିଲ ରହିବେ ।

Advertisment

ପରିଚାଳନା ଓ ଅର୍ଥ ବ୍ୟବସ୍ଥା

ଏହି ଆଇଆଇସିଗୁଡ଼ିକ ପରିଚାଳନା ନିମନ୍ତେ ସରକାର ବିଭିନ୍ନ କର୍ପୋରେଟ ସଂସ୍ଥା ଓ ଏନଜିଓକୁ ପ୍ରୋତ୍ସାହିତ କରିବେ । ପ୍ରତିଷ୍ଠିତ କର୍ପୋରେଟ ସଂସ୍ଥା ନିଜର ସିଏସଆର ପାଣ୍ଠିରୁ ଏସବୁ ଆଇଆଇସିକୁ ପରିଚାଳନା କରିବାକୁ ଆଗ୍ରହ ଦେଖାଇଲେ ସେମାନଙ୍କ ସହ ସରକାର ଏକ ଏମଓୟୁ ସ୍ୱାକ୍ଷର କରିବେ। ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ୬ଜଣିଆ କମିଟି ଏହି କର୍ପୋରେଟ ସଂସ୍ଥାକୁ ଚୟନ କରିବ । ଯଦି କୌଣସି କର୍ପୋରେଟ ସଂସ୍ଥା ନମିଳିବେ ତା’ହେଲେ ଏନଜିଓ କିମ୍ବା ଭାରତୀୟ ରେଡକ୍ରସ ସୋସାଇଟିକୁ ଏହାର ପରିଚାଳନା ଦାୟିତ୍ୱ ଦିଆଯିବ । ଚୟନିତ ସଂସ୍ଥାଗୁଡ଼ିକ ସହ ସରକାର ପ୍ରଥମେ ୩ବର୍ଷ ପାଇଁ ପରେ କାର୍ଯ୍ୟରେ ସନ୍ତୋଷଜନକ ଥିଲେ ଆଉ ୨ବର୍ଷ ପରିଚାଳନା ଭାର ଦିଆଯିବ । ସରକାର ପ୍ରତ୍ୟେକ ଆଇଆଇସି ନିମନ୍ତେ ବାର୍ଷିକ ଦୁଇଟି କିସ୍ତିରେ ୨.୧୦କୋଟି ଟଙ୍କା ନିର୍ଦ୍ଧାରିତ କରିଛନ୍ତି । ଯାହାକୁ ଏପ୍ରିଲ ଓ ସେପ୍ଟେମ୍ବର ମାସରେ ଦେବେ ଓ ଏଥିପାଇଁ ସମ୍ପୃକ୍ତ ସଂସ୍ଥା ଅବା ଏନଜିକୁ ଖର୍ଚ୍ଚର ବିନିଯୋଗ ପ୍ରମାଣପତ୍ର ଦାଖଲ କରିବାକୁ ପଡ଼ିବ । କର୍ପୋରେଟ ସଂସ୍ଥାଗୁଡ଼ିକ ଚାର୍ହିଲେ ନିଜର ସିଏସଆର ପାଣ୍ଠି ମାଧ୍ୟମରେ ଅତିରିକ୍ତ ଅର୍ଥ ଯୋଗାଇ ପାରିବେ । ଏହି ସବୁ ଆଇଆଇସି କୋଠାଗୁଡ଼ିକର ନିୟମିତ ରକ୍ଷଣାବେକ୍ଷଣ ଦାୟିତ୍ୱ ପୂର୍ତ୍ତ ବିଭାଗ କରିବ । ଅଧିକ ଖର୍ଚ୍ଚର ଆବଶ୍ୟକତା ପଡ଼ିଲେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ସେବାବଦରେ ବଜେଟ୍ ବରାଦ କରିବ ।

‘ଆଇଆଇସି’ର ଆବଶ୍ୟକତା କାହିଁକି ପଡ଼ିଲା

ବିଭାଗର କହିବା ଅନୁସାରେ, ରାଜ୍ୟରେ ବରିଷ୍ଠ ନାଗରିକଙ୍କ ସଂଖ୍ୟା ୧୯୯୧ରେ ୨୨.୮୧ ଲକ୍ଷ ଥିଲା ଯାହା ୨୦୧୧ ଜନଗଣନାରେ ୩୯.୮ ଲକ୍ଷକୁ ବୃଦ୍ଧି ପାଇଛି, ଯାହାକି ଜାତୀୟ ହାରଠାରୁ ଅଧିକ । ଏବେ ୨୦୨୬ ସୁଦ୍ଧା ଏହି ସଂଖ୍ୟା ୬୨.୬୯ ଲକ୍ଷକୁ ବୃଦ୍ଧି ପାଇବ (ଓଡ଼ିଶାର ମୋଟ ଜନସଂଖ୍ୟାର ୧୩.୮%) ବୋଲି ଆକଳନ କରାଯାଇଛି । 

ସେହିପରି ୨୦୧୧ ଜନଗଣନା ଅନୁସାରେ ରାଜ୍ୟରେ ଦିବ୍ୟାଙ୍ଗଙ୍କ ସଂଖ୍ୟା ୧୨.୪୪ ଲକ୍ଷ, ଯାହା ଜାତୀୟ ହାରଠାରୁ ୦.୭୫% ଅଧିକ । ନୂଆ ଆକଳନ ଅନୁଯାୟୀ, ଏହି ସଂଖ୍ୟା ୧୪.୬୨ ଲକ୍ଷକୁ ବଢ଼ିପାରେ ବୋଲି ଜଣାପଡ଼ିଛି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe