Advertisment

ମୋହନ ମାଝୀ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ

ପାଟଣାଗଡ଼ର ବିଧାୟକ କନକ ବର୍ଦ୍ଧନ ସିଂହ ଓ ନିମାପଡ଼ାର ବିଧାୟିକା ପ୍ରଭାତୀ ପରିଡ଼ା ଓଡ଼ିଶାର ଉପ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଏମାନେ ମଧ୍ୟ ଆସନ୍ତାକାଲି ଶପଥ ନେବେ।

ଅଦ୍ୟତନ ହୋଇଛି
BJP

BJP

Advertisment

ସସପେନ୍ସ ଉପରୁ ଉଠିଛି ପରଦା। ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ହେବେ ବରିଷ୍ଠ ବିଜେପି ନେତା ତଥା କେନ୍ଦୁଝର ସଦର ବିଧାୟକ ମୋହନ ମାଝୀ ସେ ଆସନ୍ତାକାଲି ଅପରାହ୍ନ ୫ଟାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଶପଥ ପାଠ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ଅନେକ କେନ୍ଦ୍ରମନ୍ତ୍ରୀ ଓ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗଦେବେ। ମୋହନ ମାଝୀ କେନ୍ଦୁଝର ସଦରରୁ ୪ର୍ଥ ଥର ବିଜୟ ହାସଲ କରିଛନ୍ତି। ସେହିପରି ସେ ଜଣେ ଆଦିବାସୀ ନେତା ଭାବେ ବେଶ ପରିଚିତ। 

Advertisment

ସେହିପରି ପାଟଣାଗଡ଼ର ବିଧାୟକ କନକ ବର୍ଦ୍ଧନ ସିଂହଦେଓ ଓ ନିମାପଡ଼ାର ବିଧାୟିକା ପ୍ରଭାତୀ ପରିଡ଼ା ଓଡ଼ିଶାର ଉପ ମୁଖ୍ୟମନ୍ତ୍ରୀ ହେବେ। ଏମାନେ ମଧ୍ୟ ଆସନ୍ତାକାଲି ଶପଥ ନେବେ।  

ଦଳର ସମସ୍ତ ବିଧାୟକମାନଙ୍କ ସମ୍ମତିରେ ଶ୍ରୀ ମାଝୀଙ୍କୁ ବିଧାୟକ ଦଳ ନେତା ଭାବେ ନିର୍ବାଚିତ କରାଯାଇଛି । ଦୁଇଜଣ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ତଥା କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ଓ ଭୂପେନ୍ଦ୍ର ଯାଦବଙ୍କ ଉପସ୍ଥିତିରେ ଶ୍ରୀ ମାଝୀଙ୍କ ନାଁରେ ମୋହର ବାଜିଛି। 

Advertisment

ଦଳର ଦୁଇଜଣ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ, ପଦାଧିକାରୀ ଓ ସାଂସଦମାନଙ୍କ ଉପସ୍ଥିତିରେ ବିଜେପି ରାଜ୍ୟ ମୁଖ୍ୟାଳୟରେ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଛି । ଦଳ ପକ୍ଷରୁ ଶ୍ରୀ ମାଝୀଙ୍କ ନାଁ ପାଇଁ ଦିଆଯାଇଥିବା ପ୍ରସ୍ତାବକୁ ସବୁ ବିଧାୟକ ଏକମତରେ ସମର୍ଥନ ଦେଇଥିଲେ । ଏହାସହିତ ଦୁଇଜଣ ଉପମୁଖ୍ୟମନ୍ତ୍ରୀ କରିବା ପାଇଁ କେଭି ସିଂହଦେଓ ଓ ପ୍ରଭାତୀ ପରିଡ଼ାଙ୍କ ନାଁ ଉପରେ ସହମତି ହୋଇଥିଲା ।

୫୩ବର୍ଷୀୟ ଶ୍ରୀ ମାଝୀ କେନ୍ଦୁଝର ଆସନରୁ ୨୦୦୦ ମସିହାରୁ ପ୍ରଥମଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ସେ ୨୦୦୪-୦୯ ଓ ୨୦୧୯ରୁ ୨୦୨୪ ପର୍ଯ୍ୟନ୍ତ ବିଧାୟକ ରହିଛନ୍ତି । ସେ ବିରୋଧୀ ଦଳ ମୁଖ୍ୟ ସଚେତକ ଭାବେ ମଧ୍ୟ କାର୍ଯ୍ୟ ତୁଲାଇ ସାରିଛନ୍ତି । ସେ ମେଂଟ ସରକାରରେ ୨୦୦୫ରୁ ୨୦୦୯ ମସିହା ପର୍ଯ୍ୟନ୍ତ ସରକାରୀ ଦଳର ଉପମୁଖ୍ୟ ସଚେତକ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ ।

ବିଜେପି ପ୍ରଥମଥର ପାଇଁ ଜଣେ ଆଦିବାସୀ ଚେହେରାକୁ ନିଜର ମୁଖ୍ୟମନ୍ତ୍ରୀ ଭାବେ ଓଡ଼ିଶାରେ ଅବସ୍ଥାପିତ କରାଇଛି ।

ଆସନ୍ତାକାଲି ଅପରାହ୍ନରେ ଶପଥ ଗ୍ରହଣ ସମାରୋହ ଚୂଡ଼ାନ୍ତ ହୋଇଥିବାରୁ ବିଜେପିର ନବନିର୍ବାଚିତ ବିଧାୟକ ଦଳ ନେତା ଶ୍ରୀ ମାଝୀ ନିଜର ଦୁଇଜଣ ଉପ ମୁଖ୍ୟମନ୍ତ୍ରୀଙ୍କ ସହ ରାଜଭବନ ଯାଇ ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟି ନୂଆ ସରକାର ଗଠନ ପାଇଁ ଲିଖିତ ଭାବେ ଦାବି ଉପସ୍ଥାପନ କରିବେ ।

ଅପରାହ୍ନରେ ଦୁଇ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ରାଜନାଥ ସିଂ ଓ ଭୂପିନ୍ଦର ଯାଦବଙ୍କ ଉପସ୍ଥିତିରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବିଜେପି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଦଳର ୭୮ଜଣ ବିଧାୟକଙ୍କ ସମେତ ଓଡ଼ିଶା ପ୍ରଭାରୀ ସୁନୀଲ ବଂଶଲ, ରାଜ୍ୟ ସଭାପତି ମନମୋହନ ସାମଲ, ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର ଓ ସହପ୍ରଭାରୀ ଲତା ଉସେଣ୍ଡି, ଓଡ଼ିଶାର ୩ଜଣ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ଅଶ୍ୱିନୀ ବୈଷ୍ଣବ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ସାଂସଦ ବୈଜୟନ୍ତ ପଣ୍ଡା, ସାଂସଦ  ଅପରାଜିତା ଷଡ଼ଙ୍ଗୀ, ପ୍ରଦୀପ ପାଣିଗ୍ରାହୀ, ସ୍ୱାଧୀନ ବିଧାୟକ ହିମାଂଶୁଭୂଷଣ ସାହୁ(ବିଜେପିରେ ସାମିଲ) ପ୍ରମୁଖଙ୍କ ସମେତ ଦଳର ସମସ୍ତ ସାଂସଦ ଉପସ୍ଥିତ ଥିଲେ ।

ଆଜି ରାତିରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ, ଦଳର ବରିଷ୍ଠ ପଦାଧିକାରୀ ଓ ନବନିର୍ବାଚିତ ବିଧାୟକ ଦଳ ନେତାଙ୍କ ବୈଠକ ବସି ମନ୍ତ୍ରିମଣ୍ଡଳର ସଦସ୍ୟ ଚୟନ କରାଯିବାର କାର୍ଯ୍ୟକ୍ରମ ରହିଛି । ବିଭିନ୍ନ ସମୀକରଣ ଓ ନୂଆ ସରକାର ପ୍ରତି ଆଶାଆକାଂକ୍ଷାକୁ ଦୃଷ୍ଟିରେ ରଖି ଦଳ ପକ୍ଷରୁ ମନ୍ତ୍ରୀ ଚୟନ କରାଯିବ।

ଆସନ୍ତାକାଲି ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ କେନ୍ଦ୍ରମନ୍ତ୍ରୀ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ବହୁ ଭିଆଇପି ଯୋଗ ଦେବେ ବୋଲି ଜଣାପଡ଼ିଛି ।

ଉଲ୍କେଖଯୋଗ୍ୟ, ଆଜି ପୂର୍ବାହ୍ନରେ ବିଜେପିର ଦଳୀୟ ପର୍ଯ୍ୟବେକ୍ଷକ ରାଜନାଥ ସିଂହ ଓ ଭୂପିନ୍ଦର ଯାଦବ ଭୁବନେଶ୍ୱରରେ ପହଂଚିଥିଲେ । ଉଭୟ ନେତାଙ୍କୁ ଭୁବନେଶ୍ୱରର ଏକ ତାରକା ହୋଟେଲରେ ଭେଟି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର, ସୁରେଶ ପୂଜାରୀ, କନକବର୍ଦ୍ଧନ ସିଂହଦେଓ ଓ ତାଙ୍କ ସାଂସଦ ପତ୍ନୀ ସଙ୍ଗୀତା କୁମାର ସିଂହଦେଓ, ବିଧାୟକ ମାନସ କୁମାର ଦତ୍ତ, ବାବୁ ସିଂ ପ୍ରମୁଖ ଆଲୋଚନା କରିଥିଲେ ।

Odisha Bjp Suresh Pujari
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe