/odisha-reporter/media/post_attachments/uploadimage/library/16_9/16_9_0/Odisha_1754405904.jpg)
Odisha
ରାଜ୍ୟରେ କ୍ଷମତାସୀନ ବିଜେପି ସରକାର ଖୁବଶୀଘ୍ର ନିଜର ଦଳୀୟ କର୍ମୀ ଓ ନେତାମାନଙ୍କୁ ବିଭିନ୍ନ ସରକାରୀ ପଦପଦବୀରେ ଥଇଥାନ କରିବେ । ଦଳର କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ବିଚାରବିମର୍ଶ କରି ଏହି ଥଇଥାନ ତାଲିକାକୁ ଚୂଡ଼ାନ୍ତ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜିଠୁ ୩ଦିନିଆ ଦିଲ୍ଲୀ ଗସ୍ତ କରିଥିବା ଜଣାପଡ଼ିଛି ।
ରାଜ୍ୟରେ ସରକାର ଗଠନର ପ୍ରାୟ ୧୪ମାସ ପରେ ଦଳର ୧୨ଜଣ ମହିଳା ନେତ୍ରୀଙ୍କୁ ରାଜ୍ୟ ମହିଳା ଆୟୋଗ ଓ ଶିଶୁ ସୁରକ୍ଷା ଅଧିକାର ଆୟୋଗରେ ଥଇଥାନ କରି ମୋହନ ସରକାର ଏହି ଥଇଥାନ ପ୍ରକ୍ରିୟାର ଶ୍ରୀଗଣେଶ କରିଛନ୍ତି ।
ଦିଲ୍ଲୀଗସ୍ତରେ ମୋହନ, ଚୂଡ଼ାନ୍ତ କରିବେ ଥଇଥାନ ତାଲିକା
ବିଜେପି ସୂତ୍ର ଅନୁସାରେ, ଦଳ ପ୍ରଥମଥର ପାଇଁ ରାଜ୍ୟରେ ଏକାକୀ ସଂଖ୍ୟାଗରିଷ୍ଠତା ଆଣି କ୍ଷମତାସୀନ ହୋଇଥିବାରୁ ସରକାରରେ ଥଇଥାନ ହେବା ନିମନ୍ତେ ଆଶାୟୀ ଦଳୀୟ କର୍ମୀ ଓ ନେତାଙ୍କ ସଂଖ୍ୟା ଲମ୍ବିବାରେ ଲାଗିଛି । ଦଳରେ ବିଭିନ୍ନ ଗୋଷ୍ଠୀର ନେତାମାନେ ନିଜ ନିଜର ଅନୁଗତଙ୍କୁ ଥଇଥାନ କରିବା ନିମନ୍ତେ ଲବି ଓ ଚାପ ଜୋରଦାର କରୁଥିବାରୁ ସମସ୍ତଙ୍କୁ ସନ୍ତୁଷ୍ଟ କରିବା ମଧ୍ୟ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀଙ୍କ ପାଇଁ ଚ୍ୟାଲେଞ୍ଜ ପାଲଟିଛି ।
ତେବେ ଇତିମଧ୍ୟରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର ଓ ଅନ୍ୟ ବରିଷ୍ଠ ନେତାମାନଙ୍କ ସହ ବିଚାରବିମର୍ଶ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପ୍ରସ୍ତୁତ କରିଥିବା ତାଲିକାକୁ କେନ୍ଦ୍ରୀୟ ନେତୃତ୍ୱଙ୍କ ମୋହର ଦେବା ପାଇଁ ଦିଲ୍ଲୀ ଗସ୍ତରେ ଯାଇଥିବା ଜଣାପଡ଼ିଛି । ରାତି ପ୍ରାୟ ୮ଟା ୧୫ମିନିଟରେ ଦିଲ୍ଲୀ ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କର ୭ତାରିଖରେ ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ରହିଛି । ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସରକାରରେ ରାଜନୀତିକ ନିଯୁକ୍ତି ବା ଥଇଥାନ ତାଲିକାକୁ ଚୂଡ଼ାନ୍ତ କରିବେ । ତେବେ ମନ୍ତ୍ରିମଣ୍ଡଳ ଅଦଳବଦଳ କିମ୍ବା ସମ୍ପ୍ରସାରଣ ପ୍ରକ୍ରିୟା ଏବେ ସାମୟିକ ପାଇଁ ସ୍ଥଗିତ ରହିଥିବା ଜଣାପଡ଼ିଛି ।
୮୭ଟି ପଦପଦବୀରେ ଥଇଥାନ ହେବେ ବିଜେପି ନେତା-କର୍ମୀ
ଆଜି ରାଜ୍ୟ ମହିଳା ଆୟୋଗରେ ୫ଜଣ ଓ ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ ୭ଜଣ ଦଳୀୟ ନେତ୍ରୀଙ୍କୁ ଥଇଥାନ କରିଥିବା ମୋହନ ସରକାର ଆସନ୍ତା ଅଗଷ୍ଟ ୧୫ (ସ୍ୱାଧୀନତା ଦିବସ) ତାରିଖ ସୁଦ୍ଧା ବାକି ସରକାରୀ ପଦପଦବୀରେ ଦଳୀୟ ନେତାଙ୍କୁ ଅବସ୍ଥାପିତ କରିବାର ଯୋଜନା ରହିଛି । ଏଥିପାଇଁ ବିଭାଗଗୁଡ଼ିକୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି । ସରକାରଙ୍କ ବିଭିନ୍ନ ବିଭାଗ ଅଧୀନରେ ଥିବା ବୋର୍ଡ ଓ ନିଗମ ସମେତ ଅନ୍ୟାନ୍ୟ ରାଜନୀତିକ ନେତୃତ୍ୱଙ୍କ ପାଇଁ ଉଦ୍ଦିଷ୍ଟ ପୂରଣ କରାଯିବ । ଏଭଳି ପ୍ରାୟ ୮୭ଟି ପଦପଦବୀ ଚିହ୍ନଟ ହୋଇଥିବାବେଳେ ସେଥିରୁ ୧୨ଟି ପୂରଣ ହୋଇସାରିଛି ।
ବାକି ୭୫ଟି ପଦବୀରେ ଦଳର କେଉଁ ନେତାମାନଙ୍କୁ ସୁଯୋଗ ମିଳୁଛି ତାହା ଉପରେ ସମସ୍ତଙ୍କ ନଜର ରହିଛି । ଯଦିଓ ବିଜେପି ରାଜ୍ୟରେ ଏକବର୍ଷରୁ ଅଧିକ ସମୟ ଧରି କ୍ଷମତାରେ ରହିଛି କିନ୍ତୁ ବିଭିନ୍ନ ବୋର୍ଡ, ନିଗମ ଓ ପରିଷଦଗୁଡ଼ିକରେ ଦଳୀୟ ନେତାଙ୍କୁ ଥଇଥାନ କରିନାହିଁ । କେବଳ ଦଳର ବରିଷ୍ଠ ନେତା ପିତାମ୍ବର ଆଚାର୍ଯ୍ୟଙ୍କୁ ଆଡଭୋକେଟ୍ ଜେନେରାଲ ଓ ପ୍ରକାଶ ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା ଭାବେ ସରକାରୀ ପଦପଦବୀରେ ଥଇଥାନ କରାଯାଇଛି । ଅବଶ୍ୟ ସରକାରରେ ଥଇଥାନ ଆଶାୟୀ କିଛି ଆଗଧାଡ଼ିର ଦଳୀୟ କର୍ମୀ ଏବେ ଦିଲ୍ଲୀରେ ଡେରା ପକାଇଥିବାର ସୂଚନା ମିଳିଛି । ଏହି ଆଶାୟୀମାନେ ଦିଲ୍ଲୀରେ ଦଳର ମନ୍ତ୍ରୀ ଓ ବରିଷ୍ଠ ନେତାଙ୍କୁ ଭେଟି ନିଜ ନିଜ ସ୍ତରରେ ଲବି ଜୋରଦାର କରିବାରେ ଲାଗିଥିବା ଚର୍ଚ୍ଚା।
ସମସ୍ତଙ୍କୁ ସନ୍ତୁଷ୍ଟ କରିବା ମୋହନଙ୍କ ପାଇଁ ଚ୍ୟାଲେଞ୍ଜ
ସୂତ୍ର ଅନୁସାରେ, ଯଦିଓ ରାଜ୍ୟରେ ଦଳୀୟ ସଂଗଠନରେ ଉପରକୁ ସବୁକିଛି ଠିକଠାକ୍ ଦିଶୁଛି କିନ୍ତୁ ଆଭ୍ୟନ୍ତରୀଣ ଗୋଷ୍ଠୀକନ୍ଦଳ ଓ ଛକାପଞ୍ଝା ତୀବ୍ର ରହିଛି । ସବୁ ଗୋଷ୍ଠୀର ନେତାଙ୍କ ଅନୁଗତମାନଙ୍କୁ ସନ୍ତୁଷ୍ଟ କରିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପାଇଁ ଚ୍ୟାଲେଞ୍ଜ ପାଲଟିବ । ସରକାରରେ ସୀମିତ ପଦପଦବୀ ଥିବାବେଳେ ଆଶାୟୀଙ୍କ ଲମ୍ବା ତାଲିକା ରହିଛି । ପରାଜିତ ବିଧାୟକ ପ୍ରାର୍ଥୀମାନଙ୍କଠୁ ଆରମ୍ଭ କରି ଦଳୀୟ ଟିକେଟରୁ ବଂଚିତ ହୋଇଥିବା ନେତା ଓ କିଛି ପ୍ରଭାବଶାଳୀ ନେତାମାନଙ୍କ ଅନୁଗତ ଏବେ ସରକାରୀ ପଦପଦବୀରେ ଥଇଥାନ ଅପେକ୍ଷାରେ ରହିଛନ୍ତି ।
ସେମାନଙ୍କ ଯୋଗ୍ୟତା, ଦକ୍ଷତା ଓ ସାଧୁତା ଆଧାରରେ ସରକାରରେ ପଦପଦବୀରେ ଅବସ୍ଥାପିତ କରାନଗଲେ ଭବିଷ୍ୟତରେ ସରକାରଙ୍କୁ ବଦନାମ ହେବାକୁ ପଡ଼ିବାର ଆଶଙ୍କା ରହିଛି । ତା’ଛଡ଼ା ଆଉ ପ୍ରାୟ ଦେଢ଼ବର୍ଷରୁ କମ୍ ସମୟ ରହିଛି ପଂଚାୟତ ଓ ପୌର ନିର୍ବାଚନ ପାଇଁ । ଏଭଳି ସ୍ଥିତିରେ ଯଦି ଏହି ଥଇଥାନ ହେଉଥିବା ନେତାମାନଙ୍କ ଉପରେ ଆରମ୍ଭରୁ ଲଗାମ ନରୁହେ ତା’ହେଲେ ମୋହନ ସରକାର ବଦନାମ ହେବା ନିଶ୍ଚିତ । ତେଣୁ ଏସବୁକୁ ସମ୍ଭାବ୍ୟ ଦିଗ ଓ ରାଜନୀତିକ ସମୀକରଣକୁ ଦୃଷ୍ଟିରେ ରଖି ମୋହନ କେନ୍ଦ୍ରୀୟ ନେତୃତ୍ୱ ସହ ବିଚାରବିମର୍ଶ କରି ଏହି ଥଇଥାନ ତାଲିକାକୁ ଚୂଡ଼ାନ୍ତ କରିବେ ବୋଲି ଜଣାପଡ଼ିଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
