Advertisment

ରାଜ୍ୟ କଂଗ୍ରେସ ଦି’ଫାଳ ସ୍ଥିତିରେ, କାର୍ଯ୍ୟକାରିଣୀ ବୈଠକରେ ଉଠିଲା ମୋକିମ୍-ଚିରଞ୍ଜୀବ ନିଲମ୍ବନ ଝଡ଼

ରାଜସ୍ଥାନର ଗେହଲଟ-ପାଇଲଟ୍ ବିବାଦକୁ ଯେପରି ବିନା କାର୍ଯ୍ୟାନୁଷ୍ଠାନରେ ଆଲୋଚନା ମାଧ୍ୟମରେ ସମାଧାନ କରାଗଲା, ଓଡ଼ିଶାରେ କାହିଁକି ସେ ନୀତି ଆପଣା ଗଲାନାହିଁ ବୋଲି ମଧ୍ୟ ବୈଠକରେ ମତ ଉଠିଥିଲା।

author-image
Niranjan Mishra
ଅଦ୍ୟତନ ହୋଇଛି
sarat patnaik and Md Mokim

sarat patnaik and Md Mokim

ପୁଣି ଏକ୍ ହୋଇ ଚାଲିପାରିବ ତ କଂଗ୍ରେସ ? ନା ବିଭାଜିତ ହୋଇଯିବ ? କାରଣ ଗୋଟିଏ ପଟେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଚାଲିଥିବା ବେଳେ ଅନ୍ୟପଟେ ଦଳୀୟ ଶୀର୍ଷ ନେତାଙ୍କ ନିଷ୍ପତ୍ତି ଓ ନେତୃତ୍ୱକୁ ବିରୋଧ କରାଯାଇଛି। ଖାଲି ସେତିକି ନୁହେଁ କାର୍ଯ୍ୟକାରିଣୀ ପୂର୍ବରୁ ବସିଥିବା ରାଜନୈତିକ ବ୍ୟାପାର ବୈଠକରେ ଉଠିଲା ମୋକିମ୍-ଚିରଞ୍ଜୀବ ନିଲମ୍ବନ ପ୍ରସଙ୍ଗ। ଦଳେ ସମର୍ଥନରେ ବାହାରିଥିବାବେଳେ ଆଉ କିଛି ନିଲମ୍ବନକୁ ବିରୋଧ କରିଥିଲେ।

Advertisment

ରାଜସ୍ଥାନର ଗେହଲଟ-ପାଇଲଟ୍ ବିବାଦକୁ ଯେପରି ବିନା କାର୍ଯ୍ୟାନୁଷ୍ଠାନରେ ଆଲୋଚନା ମାଧ୍ୟମରେ ସମାଧାନ କରାଗଲା, ଓଡ଼ିଶାରେ କାହିଁକି ସେ ନୀତି ଆପଣା ଗଲାନାହିଁ ବୋଲି ମଧ୍ୟ ବୈଠକରେ ମତ ଉଠିଥିଲା। ଏହାସତ୍ତ୍ୱେ ରାଜ୍ୟ କାର୍ଯ୍ୟକାରିଣୀରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରାଯାଇଛି। ଦରଦାମ ବୃଦ୍ଧି, ବେକାରୀ, ଚିଟ୍ ଫଣ୍ଡ, ପଛୁଆ ବର୍ଗ ପ୍ରତି ଅବହେଳା, ମହିଳାଙ୍କ ସୁରକ୍ଷା,ଛାତ୍ର ସଂସଦ ନିର୍ବାଚନ ପ୍ରସଙ୍ଗରେ ଆଲୋଚନା ହୋଇଛି। ଏହାକୁ ଆଧାର କରି ୨୦୨୪ ରଣନୀତି ପ୍ରସ୍ତୁତ କରିବାକୁ ଦଳ ଯୋଜନା କରିଛି।

ଏପଟେ ଏବେ ବି ନିଲମ୍ବନକୁ ସହଜରେ ହଜମ କରି ପାରୁନାହାନ୍ତି ମୋକିମ-ଚିରଞ୍ଜୀବଙ୍କ ସମର୍ଥକ। ଥମୁନି ପ୍ରତିବାଦ ସ୍ୱର। ଗତକାଲି କଂଗ୍ରେସ ଭବନରେ ହୋହଲ୍ଲା କରିବା ପରେ ଆଜି କଟକରେ ମୌନ ପ୍ରତିବାଦ କରି ଦୁଇ ନେତାଙ୍କ ନିଲମ୍ବନକୁ ବିରୋଧ କରିଛନ୍ତି କଂଗ୍ରେସ କର୍ମୀ। ହଜାରେରୁ ଅଧିକ କଂଗ୍ରେସ କର୍ମୀ ମୌନ ପ୍ରତିବାଦ କରି ନିଲମ୍ବନ ହଟାଇବାକୁ ଦାବି କରିଥିଲେ।

Advertisment
Cuttack Congressକଟକରେ ମୋକିମ୍ ସମର୍ଥନରେ କଂଗ୍ରେସ ମୌନ ପ୍ରତିବାଦ

ଏଠାରେ ନିଜେ ମୋକିମ ଯୋଗ ଦେଇ କହିଥିଲେ, ମୁଁ କଂଗ୍ରେସର ଜଣେ ସଚ୍ଚୋଟ କର୍ମୀ। ମୁଁ କେବେ ବି ଦଳ ବିରୋଧୀ କାମ କରିନି। ନିଲମ୍ବନ ସତ୍ତ୍ୱେ ବି ସେ କଂଗ୍ରେସରେ ଅଛନ୍ତି ଆଉ ଆଗକୁ ରହିବେ। ଦଳର କିଛି ଲୋକ ତାଙ୍କୁ ଇର୍ଷାନ୍ୱିତ ହୋଇ ଏପରି କରିଛନ୍ତି।

Cuttack Congressକଟକରେ ମହମ୍ମଦ ମୋକିମ୍ ସମ୍ୱୋଧନ ଦେଉଛନ୍ତି

ଅନ୍ୟପଟେ କଂଗ୍ରେସରେ ବର୍ତ୍ତମାନ ସମାନ୍ତରାଳ ସଭା ଓ ପ୍ରତିବାଦ ଚାଲିଥିବାରୁ ଦଳ ବିଭାଜନ ଭଳି ସ୍ଥିତି ଉପୁଜିଲାଣି।  ନିର୍ବାଚନ ପୂର୍ବରୁ ଏହା ଦଳ ପାଇଁ ଭାରି ପଡିପାରେ ବୋଲି ରାଜନୈତିକ ସମୀକ୍ଷକ ମତ ରଖିଛନ୍ତି। କଂଗ୍ରେସ କନ୍ଦଳ ଛିଡିବା ବଦଳରେ ବଢି ବଢି ଚାଲିଛି। ଏଭଳି ସ୍ଥଳେ ଦଳ କିପରି ବିଦ୍ରୋହୀଙ୍କୁ ମ୍ୟାନେଜ କରି ନିର୍ବାଚନକୁ ଓହ୍ଲାଇବେ ତାହା ବଡ ପ୍ରଶ୍ନ।

ତେବେ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ଦଳରେ କୌଣସି ଲୋକ ଅସନ୍ତୁଷ୍ଟ ନାହାନ୍ତି। ଦଳରେ ସମସ୍ତେ ସନ୍ତୁଷ୍ଟ ଅଛନ୍ତି। ଯାହା ବି ହୋଇଛି ତାହା କଂଗ୍ରେସ ପରିବାର କଥା।

Odisha Congress Politics Sarat Patnaik