Advertisment

Congress crisis: ମୋକିମ୍ ଆଉଟ୍ , ଭକ୍ତଙ୍କ ଦବଦବା , କଂଗ୍ରେସରେ ସର୍ଜରୀ ନା ସ୍ୱେଚ୍ଛାଚାରିତା?

ନିରଞ୍ଜନ ପଟ୍ଟନାୟକ, ନରସିଂହ ମିଶ୍ର ଓ ଶରତ ରାଉତଙ୍କ ଭଳି ବରିଷ୍ଠ ନେତାମାନଙ୍କ ମତକୁ ଅଣଦେଖା କରି ଭକ୍ତ ନିଜର ପତିଆରା ଦେଖାଇବା ପାଇଁ ଏଭଳି ସାଂଗଠନିକ ‘ସର୍ଜରୀ' କରିଚାଲିଲେ ତାହା ଦଳକୁ ସୁଧାରିବା ପରିବର୍ତ୍ତେ ଅସ୍ତିତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିବ ବୋଲି ଦଳୀୟ ମହଲରେ ଆଶଙ୍କା ସୃଷ୍ଟି ହୋଇଛି ।

author-image
Prakaash Sethi
Bhakta-das-congress

ଦଳବିରୋଧୀ କାର୍ଯ୍ୟ ପାଇଁ କଂଗ୍ରେସର ପୂର୍ବତନ ବିଧାୟକ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କାର କରାଯିବା ପରେ ଦଳର ଆଭ୍ୟନ୍ତରୀଣ କନ୍ଦଳ ଏବେ ବିସ୍ଫୋରକ ମୋଡ଼ ନେଇଛି । ଏଆଇସିସିର ପ୍ରତ୍ୟକ୍ଷ ସମର୍ଥନରେ ପିସିସି ସଭାପତି ଭକ୍ତଚରଣ ଦାସ ନିଜର ପତିଆରା ଦେଖାଇ ମୋକିମଙ୍କୁ ଦଳରୁ ବହିଷ୍କାର କରିବାରେ ସକ୍ଷମ ହୋଇଛନ୍ତି । ମାତ୍ର ଦଳର ପୁରୁଖା ନେତା ନିରଞ୍ଜନ ପଟ୍ଟନାୟକ, ନରସିଂହ ମିଶ୍ର ଓ ଶରତ କୁମାର ରାଉତ ଆଗକୁ ଆସି ଭକ୍ତଙ୍କ ଆଭିମୁଖ୍ୟକୁ ଯେଭଳି ବୁଲେଇବଙ୍କେଇ ନାପସନ୍ଦ କରିଛନ୍ତି ତାହା ରାଜ୍ୟରେ କଂଗ୍ରେସର ଭବିଷ୍ୟତ ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ମୋକିମଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନକୁ ନେଇ ଦଳର ବରିଷ୍ଠ ନେତାମାନେ ମୁହଁ ଖୋଲିବା ପରେ ଭୁବନେଶ୍ୱରରୁ ଦିଲ୍ଲୀ ପର୍ଯ୍ୟନ୍ତ କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ ହୋଇଛି ।

Advertisment


ନିରଞ୍ଜନଙ୍କ ବିସ୍ଫୋରକ ବୟାନ: "ମୋକିମ କଂଗ୍ରେସର ମେରୁଦଣ୍ଡ’


ରାଜ୍ୟ କଂଗ୍ରେସର ପ୍ରଭାବଶାଳୀ ନେତା ତଥା ପୂବର୍ତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏହି ବହିଷ୍କାରକୁ ନେଇ ନିଜର ଖୋଲା ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ, "ମୋକିମ ହେଉଛନ୍ତି କଂଗ୍ରେସର ବଡ଼ ସମ୍ପତ୍ତି ଓ ଦଳ ପାଇଁ ତାଙ୍କର ଆବଶ୍ୟକତା ରହିଛି । ‘୧୯୮୦ ଦଶକ ପରଠାରୁ କଟକ ଭଳି ସମ୍ବେଦନଶୀଳ ସ୍ଥାନରେ ଦଳକୁ ଛିଡ଼ା କରିବାରେ ମୋକିମଙ୍କ ଯେଉଁ ଅବଦାନ ରହିଛି, ତାକୁ ଅଣଦେଖା କରିବା ଦଳ ପାଇଁ ଆତ୍ମଘାତୀ ହେବ । ମୋକିମଙ୍କ ଉପରେ କାର୍ଯ୍ୟାନୁଷ୍ଠାନକୁ ନାପସନ୍ଦ କରି କହିଛନ୍ତି ଯେ, "କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଅତ୍ୟନ୍ତ ସହଜ, କିନ୍ତୁ ଜଣେ ମୋକିମ ତିଆରି କରିବା ପାଇଁ ବର୍ଷବର୍ଷ ସମୟ ଲାଗେ । ଯଦି ଏହିଭଳି ରଣନୀତି ଜାରି ରହେ, ତେବେ କଂଗ୍ରେସ ପାଖରେ ଲଢ଼ିବାକୁ ସୈନିକ ନଥିବେ ବୋଲି ସେ କହିଛନ୍ତି ।


ନରସିଂହ ମିଶ୍ରଙ୍କ ସନ୍ଦେହ: "ହାଇକମାଣ୍ଡଙ୍କୁ ବାସ୍ତବତା ବୁଝିବା ଦରକାର’


ଅନ୍ୟତମ ପ୍ରଭାବଶାଳୀ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ମଧ୍ୟ ଏହି ନିଷ୍ପତ୍ତିକୁ ବୁଲେଇବଙ୍କେଇ ନାପସନ୍ଦ କରିଛନ୍ତି । ରାଜ୍ୟରେ କଂଗ୍ରେସର ସଂଗଠନ ଏବେ ଦୁର୍ବଳ ଅବସ୍ଥାରେ ଅଛି ଓ ମୋକିମଙ୍କ ଭଳି ନେତାଙ୍କୁ ବିଦା କରିବା ଦ୍ୱାରା ଦଳର ସ୍ଥିତି ଆହୁରି ଶୋଚନୀୟ ହୋଇଯିବ,ବିଶେଷକରି କଟକରେ ତ ନିଶ୍ଚିତ କ୍ଷତି ହେବ । ମୋକିମ କ’ଣ ଏପରି ଗୁରୁତର ଅପରାଧ କରିଥିଲେ ଯେ ତାଙ୍କୁ ସିଧା ବାହାର କରିଦିଆଗଲା? ହାଇକମାଣ୍ଡଙ୍କୁ ଚିଠି ଲେଖିବା କାରଣରୁ ବହିଷ୍କାର କରିବା କେତେଦୂର ଯୁକ୍ତିଯୁକ୍ତ ବୋଲି ସେ ସନ୍ଦେହ ବ୍ୟକ୍ତ କରିବା ସହ ହାଇକମାଣ୍ଡ ବାସ୍ତବ ସ୍ଥିତିକୁ ଅଣଦେଖା କରୁଛନ୍ତି ବୋଲି ପରୋକ୍ଷରେ ସୂଚନା ଦେଇଛନ୍ତି । 

Advertisment


ଶରତଙ୍କ ଚେତାବନୀ: "ବିଦ୍ରୋହର ନିଆଁ ଆହୁରି ବଢ଼ିବ’


ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ଶରତ କୁମାର ରାଉତ ମଧ୍ୟ ଏଭଳି ପଦକ୍ଷେପକୁ ନାପସନ୍ଦ କରି କହିଛନ୍ତି ଯେ, ଦଳରେ ଯଦି କାହାର ଅସନ୍ତୋଷ ଅଛି, ତେବେ ତାକୁ ଆଲୋଚନା ମାଧ୍ୟମରେ ସମାଧାନ କରିବା ହେଉଛି ନେତୃତ୍ୱର କାମ । ମୋକିମଙ୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନ ଉପକୂଳ ଓଡ଼ିଶାର ନେତାମାନଙ୍କ ମଧ୍ୟରେ ଏକ ଅସୁରକ୍ଷିତ ମନୋଭାବ ସୃଷ୍ଟି କରିଛି । ଭକ୍ତ ଦାସଙ୍କ କାର୍ଯ୍ୟଶୈଳୀ କେବଳ କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀକୁ ଗୁରୁତ୍ୱ ଦେଉଥିବାବେଳେ ବାସ୍ତବିକ ସଂଗଠନ କରୁଥିବା ନେତାଙ୍କୁ ଦୂରେଇ ରଖୁଛି । ଏହି ସାଂଗଠନିକ କନ୍ଦଳ କଂଗ୍ରେସ ପାଇଁ ଶୁଭଙ୍କର ନୁହେଁ ବୋଲି ସେ ଚେତାଇ ଦେଇଛନ୍ତି ।


ମୋକିମଙ୍କୁ ବ୍ୟକ୍ତିଗତସ୍ତରରେ କଟାକ୍ଷ କଲା କଂଗ୍ରେସ ମିଡିଆ ସେଲ୍‌


ଅନ୍ୟପକ୍ଷରେ ଦଳର ମିଡିଆ ସେଲ୍ ଅଧ୍ୟକ୍ଷ ଅରବିନ୍ଦ ଦାସ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଏଆଇସିସିର କାର୍ଯ୍ୟାନୁଷ୍ଠାନକୁ ସମର୍ଥନ କରିବା ସହ ସିଧାସଳଖ ମୋକିମଙ୍କୁ ବ୍ୟକ୍ତିଗତସ୍ତରରେ ଟାର୍ଗେଟ୍ କରିଛନ୍ତି ।  ଦଳରେ କିମ୍ବା ରାଜନୀତିରେ ବର୍ଷେ ପୂରଣ କରିନଥିବା ଅରବିନ୍ଦ କହିଛନ୍ତି ଯେ, ମୋକିମ ନିଜର ବ୍ୟାବସାୟିକ ସ୍ୱାର୍ଥ ଓ ଓଏଚଡିସି  ଋଣ ଜାଲିଆତି ମାମଲାରୁ ବଂଚିବା ପାଇଁ ବିଜେପିର କ୍ରୀଡ଼ନକ ସାଜିଛନ୍ତି । ଯେଉଁ ନେତା ନିଜ ଜିଲ୍ଲା କଟକରେ ଦଳକୁ ସଜାଡ଼ି ପାରିଲେ ନାହିଁ, ସେ କିଭଳି ସାରା ରାଜ୍ୟର ନେତା ହେବାର ମହତ୍ୱାକାଂକ୍ଷା ରଖୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି । ରାହୁଲ ଗାନ୍ଧି ଓ ମଲ୍ଲିକାର୍ଜୁନ ଖଡଗେଙ୍କୁ ବିଦ୍ରୁପ କରୁଥିବା ନେତା ଦଳରେ ରହିବା ସମ୍ଭବପର ନୁହେଁ । ମୋକିମ୍ ନିଜେ ହିଁ ବହିଷ୍କାର ହେବାକୁ ଚାହୁଁଥିଲେ ବୋଲି ଅରବିନ୍ଦ କହିଛନ୍ତି ।


ଭକ୍ତଙ୍କ ‘ପତିଆରା': ଶୃଙ୍ଖଳା ନା ସ୍ୱେଚ୍ଛାଚାରିତା ?


ପିସିସି ସଭାପତି ଦାୟିତ୍ୱ ନେବାପରଠୁ ଭକ୍ତ ଦାସ ନିଜର ପତିଆରା ରାଜ୍ୟ କଂଗ୍ରେସରେ ଦେଖାଇବାରେ ଲାଗିଛନ୍ତି । ନିଜର କମକର୍ତ୍ତା ଟିମ ଗଠନରୁ ଦଳର ବରିଷ୍ଠ ଓ ପୁରୁଖା ନେତାମାନଙ୍କୁ ଦୂରେଇ ରଖିବାଠୁ ଆରମ୍ଭ କରି ପଦ୍ମାକର ଗୁରୁ ଓ ମହମ୍ମଦ ମୋକିମଙ୍କ ଭଳି ନେତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଏବଂ ଓଡ଼ିଶା ପ୍ରଭାରୀ ଅଜୟ କୁମାର ଲଲୁଙ୍କୁୁ କୋଣଠେସା କରି ତେଲେଙ୍ଗାନାର କୁସୁମ କୁମାରଙ୍କୁ ଓଡ଼ିଶାର ଦାୟିତ୍ୱ ନ୍ୟସ୍ତ କରାଇ ଖୋଲାଖୋଲି ଭାବେ ଭକ୍ତ ନିଜର ଦବଦବା ଜାହିର କରିବାରେ ଲାଗିଛନ୍ତି । ଗତ ୧୦ମାସ ମଧ୍ୟରେ ରାଜ୍ୟରେ କଂଗ୍ରେସର ସଂଗଠନ ସୁୂଦୃଢ଼ କରିବାରେ ବିଶେଷ ସକ୍ଷମ ହୋଇନଥିବା ଭକ୍ତ କିନ୍ତୁ ଉପକୂଳ ଓଡ଼ିଶାର ଦଳୀୟ ନେତା ଓ ବରିଷ୍ଠ ନେତାମାନଙ୍କୁ ଗୁରୁତ୍ୱହୀନ କରିବାରେ ଲାଗିଛନ୍ତି ବୋଲି ଚର୍ଚ୍ଚା ହେଉଛି ।


 ମୋକିମଙ୍କ ବହିଷ୍କାର ରାଜ୍ୟ କଂଗ୍ରେସରେ ସୁଧାର ଆଣିବ ନା ଦଳକୁ ସଂପୂର୍ଣ୍ଣ ରସାତଳକୁ ନେଇଯିବ, ତାହା ସମୟ କହିବ । ମାତ୍ର ଭକ୍ତଙ୍କ କଠୋର ଆଭିମୁଖ୍ୟ ଓ ବରିଷ୍ଠ ନେତାଙ୍କ ଅସନ୍ତୋଷ ମଧ୍ୟରେ ଏବେ ଦଳ ଦୁଇ ଭାଗ ହୋଇଯାଇଛି । ଯଦି ନିରଞ୍ଜନ ପଟ୍ଟନାୟକ, ନରସିଂହ ମିଶ୍ର ଓ ଶରତ ରାଉତଙ୍କ ଭଳି ବରିଷ୍ଠ ନେତାମାନଙ୍କ ମତକୁ ଅଣଦେଖା କରି ଭକ୍ତ ନିଜର ପତିଆରା ଦେଖାଇବା ପାଇଁ ଏଭଳି ସାଂଗଠନିକ ‘ସର୍ଜରୀ' କରିଚାଲନ୍ତି ତାହା ଦଳକୁ ସୁଧାରିବା ପରିବର୍ତ୍ତେ ଅସ୍ତିତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିବ ବୋଲି ଦଳୀୟ ମହଲରେ ଆଶଙ୍କା ସୃଷ୍ଟି ହୋଇଛି । ଭକ୍ତଙ୍କ ଦୁର୍ବଳ ରଣନୀତି ଯୋଗୁ ନୂଆପଡ଼ା ଉପନିର୍ବାଚନରେ ଜିତିବାର ସମ୍ଭାବନା ଥିବା ଦଳୀୟ ପ୍ରାର୍ଥୀଙ୍କୁ ପରାଜିତ ହେବାକୁ ପଡ଼ିଥିବା  ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି । ନିଜ ଲୋକସଭା ମଣ୍ଡଳୀରେ ଫେଲ୍ ମାରିଥିବା ଭକ୍ତ ଏବେ ‘ଶୃଙ୍ଖଳା’ ନାଁରେ ଦଳର ଦକ୍ଷ ନେତାମାନଙ୍କୁ ଯେଭଳି ବିଦା କରିବାରେ ଲାଗିଛନ୍ତି ତାହା କଂଗ୍ରେସକୁ ରସାତଳଗାମୀ କରିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।