Advertisment

ନିର୍ବାଚନ ପାଇଁ ଲୋକଙ୍କୁ ବାଣ୍ଟିବେ ଟଙ୍କା, ଆମ ଓଡ଼ିଶା ଏବେ ୫୦% ପିସି ଓଡ଼ିଶା : ସମୀର

ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଆଜି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ଯେ, ପୁରୁଣା ଯୋଜନାକୁ ନୂଆ ରୂପ ଦିଆଯାଇଛି ।

author-image
Ordigital Desk
ଅଦ୍ୟତନ ହୋଇଛି
BJP

BJP

ଗ୍ରାମାଂଚଳରେ ଭିତ୍ତିଭୂମି ସୁଦୃଢ଼ କରିବା ପାଇଁ ୪ହଜାର କୋଟି ଟଙ୍କାର ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନାକୁ ଗତକାଲି ରାଜ୍ୟ କ୍ୟାବିନେଟ୍ ମଞ୍ଜୁର ଦେବା ପରେ ଆଜି ବିଜେପି ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି । ରାଜ୍ୟର ବିଜେଡି ସରକାର ଏବେ ଦୁର୍ନୀତି ଓ ଭ୍ରଷ୍ଟାଚାରରେ ଉବୁଟୁବୁ ହେଉଛି । ନିର୍ବାଚନକୁ ଦୃଷ୍ଟିରେ ରଖି ଲୋକଙ୍କୁ ଟଙ୍କା ବାଣ୍ଟିବାକୁ ଏଭଳି ଯୋଜନା ଆଣିଛି । ବାସ୍ତବରେ ଏହା ‘ଆମ ଓଡ଼ିଶା, ୫୦ % ପିସି ଓଡ଼ିଶା’ ବୋଲି ବିଜେପି କଟାକ୍ଷ କରିଛି ।

Advertisment

ବିଜେପି ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ଆଜି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ଯେ, ପୁରୁଣା ଯୋଜନାକୁ ନୂଆ ରୂପ ଦିଆଯାଇଛି । ରାଜ୍ୟ ସରକାର ତଥ୍ୟର ମାପକାଠି ନକରି ୨୩ ବର୍ଷ ଶାସନର ବିଫଳତାର ଗୋଲାପୀ ଚିତ୍ର ଦେଖାଉଛନ୍ତିି । ତଥ୍ୟ, ପରିସଂଖ୍ୟାନ ଏବଂ ବିଫଳ ଯୋଜନାକୁ ସଂଶୋଧିତ କରିବାର ନୂଆ ଭର୍ସନ ହେଉଛି ‘ଆମ ଓଡିଶା ନବୀନ ଓଡିଶା' । ନବୀନ ସରକାର ଆମ ଓଡ଼ିଶାକୁ ୫୦ % ପିସି ଓଡ଼ିଶାରେ ପରିଣତ କରିଛନ୍ତି । ରାଜ୍ୟ ସରକାର ଗତକାଲି ଗୋଟେ ଯୋଜନା ‘ଆମ ଓଡିଶା ନବୀନ ଓଡିଶା' ଘୋଷଣା କରିଛନ୍ତି । ଯାହା ଲାଗୁଛି, ଏବେ ବିଜୁ ଓଡ଼ିଶାରୁ ନବୀନ ଓଡ଼ିଶା ଆଡ଼କୁ ବିଜୁ ଜନତା ଦଳ ଗତି କରୁଛି । ଏହା ପରେ ଓଡ଼ିଶାକୁ କେଉଁ ନାଁରେ ଚିତ୍ରଣ କରିବେ ତାହା ଓଡ଼ିଶାବାସୀ ଦେଖିବା ଅପେକ୍ଷାରେ?

‘ଆମ ଓଡିଶା ନବୀନ ଓଡ଼ିଶା' ଓଡ଼ିଶା ସରକାରଙ୍କ ପୂର୍ବ ଯୋଜନା "ଆମ ଗାଁ, ଆମ ବିକାଶ’ର ନୂଆ ଭର୍ସନ । ଏହି ଯୋଜନାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଗାଁ ଲୋକ/ଗ୍ରାମ ପଂଚାୟତ ମଧ୍ୟରେ ସିଧାସଳଖ ଉନ୍ନୟନ ମୂଳକ ପ୍ରକଳ୍ପକୁ ମଞ୍ଜୁର କରୁଥିଲେ, । କିନ୍ତୁୁ ଦୁଃଖର ବିଷୟ, ସେହି ଯୋଜନାରେ ୫୦ ପ୍ରତିଶତ ଅଗ୍ରଗତି ହୋଇନାହିଁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଆମ ଗାଁ, ଆମ ବିକାଶ ଯୋଜନା'ରେ ଏ ପର୍ଯ୍ୟନ୍ତ ୩ ଲକ୍ଷ ୨୪ ହଜାର ୫୨୩ରୁ ଅଧିକ ପ୍ରକଳ୍ପ ମଞ୍ଜୁର କରିଥିବାବେଳେ ୨ ଲକ୍ଷ ୯୪ ହଜାର ୬୨୩ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇପାରିନାହିଁ, ଯାହା ବିଫଳତାକୁ ସ୍ପଷ୍ଟ ଇଙ୍ଗିତ କରୁଛି । ଏହି ଯୋଜନା ବିଜୁ ଜନତା ଦଳର ଦୁର୍ନୀତିର ହେବ ବଡ଼ ଯୋଜନା ।

Advertisment

ଏଠି ବିନା ଟେଣ୍ଡରରେ ଦଳୀୟ କର୍ମୀଙ୍କୁ ନିର୍ବାଚନ ଖର୍ଚ୍ଚକୁ ସରକାରୀ ଟଙ୍କା ଯାଏ , ତାହାର ଭବିଷ୍ୟତ ଯାହା ହେବ, ଆପଣମାନେ ଜାଣିଛନ୍ତି । ଏହା ପୂର୍ବରୁ ଯେଉଁ ଯୋଜନା ଗୁଡିକ ଗାଁ ପାଇଁ କରିଥିଲେ, ସେ ଯୋଜନା ଗୁଡିକ କଣ ଥିଲା ଏବଂ ତାହାର ବର୍ତମାନ ସ୍ଥିତି କଣ ? ପିଠା ଯୋଜନା, ବିଜୁ ଯୁବ ବାହିନୀ, ବିଜୁ ଆତ୍ମ ନିଯୁକ୍ତି ଯୋଜନା, ବିଜୁ କନ୍ୟା ରତ୍ନ ଯୋଜନା, ବିଜୁ ଗାଁ ଗାଡ଼ି, ଚାଳକ ବୀମା ଯୋଜନା, ଏହିଭଳି ବହୁତ ଯୋଜନା କେବଳ ଯୋଜନାରେ ସୀମିତ ହୋଇ ରହିଛି, ଏହାର ସୁଫଳ କ’ଣ ଓଡ଼ିଶାବାସୀ ଜାଣିସାରିଛନ୍ତିି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ଶ୍ରୀ ମହାନ୍ତି ଆହୁରି ମଧ୍ୟ କହିଛନ୍ତି ଯେ, ରତ୍ନଭଣ୍ଡାର ନଖୋଲିବା ଘଟଣାରେ ହାଇକୋର୍ଟଙ୍କ ତାଗିଦ୍ ପରେ ସରକାର ବୁଢିଆଣି ସୂତାରେ ଛନ୍ଦି ହେବା ଭଳି ମନେହେଉଛି । ସେଥିପାଇଁ ଏକ ଯୋଜନା ତିଆରି କରି ଓଡ଼ିଆ ଲୋକଙ୍କୁ ବୋକା ବନାଇବା ପାଇଁ ଚେଷ୍ଟା କରୁଛନ୍ତି । ଆମ ଓଡ଼ିଶା ନବୀନ ଓଡ଼ିଶା'ର ମୁଖ୍ୟ ଲୁକ୍କାୟିତ ଏଜେଣ୍ଡା ହେଉଛି ପ୍ରଭୁ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଖୋଲିବା ଏବଂ ରତ୍ନଭଣ୍ଡାରର ମରାମତି ପରି ମୁଖ୍ୟ ପ୍ରସଙ୍ଗରୁ ସାଢ଼େ ୪ କୋଟି ଓଡ଼ିଆଙ୍କ ଧ୍ୟାନ ହଟାଇବା । ‘ମୋ ସରକାର’ ନାଁରେ ଯେଉଁ ଭେଳିକି ଚାଲିଛି, ତା ର ଗତି କୁଆଡେ? ଆମକୁ ଲାଗୁଛି, ମୋ ସରକାରର ସାରଥୀମାନେ ହେଲେ ଦୁର୍ନୀତିରେ ଲିପ୍ତ ଥିବା ବ୍ୟବସାୟୀ ଜଗଦୀଶ ନାଏକ, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ନବରଙ୍ଗପୁରର ପୂର୍ବତନ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ, ସହକାରୀ ଯନ୍ତ୍ରୀ ବିକାଶ ଭୂଆଁ, କରିଆ ପୂର୍ବତନ ତହସିଲଦାର ଚାଲ୍ସ ନାଏକ, ଖଣି ବିଭାଗର ପୂର୍ବତନ ଅତିରିକ୍ତ ନିର୍ଦ୍ଦେଶକ ରମେଶ ଚନ୍ଦ୍ର ଜେନା, ପୂର୍ତ୍ତ ବିଭାଗର ଅଜୟ ସେନାପତି, ଏଭଳି କେତେ ନାଁ ଅଛି, କହିବା ସମ୍ଭବପର ନୁହେଁ ।

ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପିବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର ଓ ଅନିଲ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।

ଅନ୍ୟପକ୍ଷରେ ଏହା ଉପରେ ପ୍ରତିକ୍ରିୟା ରଖି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ଗଣମାଧ୍ୟମକୁ କହିଛନ୍ତି ଯେ, “ଆମ ଓଡ଼ିଶା ନବୀନ ଓଡ଼ିଶା’ ବିକାଶର ଗୋଟେ ମହାମନ୍ତ୍ର । ଆଗାମୀ ଦିନରେ ଓଡ଼ିଶାର ବିକାଶକୁ ଏହା ଅଧିକ ତ୍ୱରାନ୍ୱିତ କରିବ । ଗାଁର ତୃଣମୂଳସ୍ତରର ସମସ୍ୟାକୁ ସମାଧାନ ପାଇଁ ଏହି ଯୋଜନା ହୋଇଛି । ପ୍ରତ୍ୟେକ ଗାଁର ସାମାଜିକ, ସଂସ୍କୃତିର ସୁରକ୍ଷା ପାଇଁ ବ୍ୟବସ୍ଥା ହୋଇଛି । ନିର୍ବାଚନ ସହ ଏହି ଯୋଜନାର କୌଣସି ସମ୍ପର୍କ ନାହିଁ । ଯୋଜନାକୁ ଯେଉଁମାନେ ନିର୍ବାଚନ ସହ ଯୋଡ଼ୁଛନ୍ତି ସେମାନେ ଭୟଭୀତ ହୋଇ ପଡ଼ିଛନ୍ତି ବୋଲି ସେ କହିଛନ୍ତି ।

Odisha Politics Bjd Politics Bjp Politics