ଆସନ୍ତାକାଲିଠୁ ବିଧାନସଭାର ମୌସୁମୀ ଅଧିବେଶନ, ସରଗରମ ହେବ ଗୃହ

ଆସନ୍ତାକାଲି ନୂଆ ବାଚସ୍ପତି ନିର୍ବାଚନ ସହ ଗୃହରେ ଦିବଂଗତ ସଦସ୍ୟଙ୍କ ପାଇଁ ଶୋକ ପ୍ରସ୍ତାବ ଆସିବାର କାର୍ଯ୍ୟକ୍ରମ ରହିଛି । ଦ୍ୱିତୀୟାର୍ଦ୍ଧରେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ୨୦୨୩-୨୪ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବେ ।

ଓଡ଼ିଶା ବିଧାନସଭା(ଫାଇଲ ଫଟୋ)

  • Published: Thursday, 21 September 2023
  • , Updated: 21 September 2023, 10:06 PM IST

ସାଧାରଣ ନିର୍ବାଚନ ଆଉ ମାତ୍ର ୬ମାସ ବାକି ଥିବାବେଳେ ଆସନ୍ତାକାଲିଠୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେଉଛି । ଅକ୍ଟୋବର ୪ତାରିଖ ପର୍ଯ୍ୟନ୍ତ ବସିବାକୁ ଥିବା ଏହି ଅଧିବେଶନ ବେଶ୍ ସରଗରମ ହେବ ବୋଲି ଆଶଙ୍କା କରାଯାଉଛି । ମୌସୁମୀ ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

ସୂଚନା ଅନୁସାରେ, ଆସନ୍ତାକାଲି ନୂଆ ବାଚସ୍ପତି ନିର୍ବାଚନ ସହ ଗୃହରେ ଦିବଂଗତ ସଦସ୍ୟଙ୍କ ପାଇଁ ଶୋକ ପ୍ରସ୍ତାବ ଆସିବାର କାର୍ଯ୍ୟକ୍ରମ ରହିଛି । ଦ୍ୱିତୀୟାର୍ଦ୍ଧରେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ୨୦୨୩-୨୪ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବେ । ଆଜି ବିଧାନସଭା ବାଚସ୍ପତି ପଦ ପାଇଁ ବିଜେଡିର ପ୍ରମିଳା ମଲ୍ଲିକ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି । ଆସନ୍ତାକାଲି ଗୃହରେ ଧ୍ୱନିମତରେ ତାଙ୍କୁ ନିର୍ବାଚିତ କରିବାର କାର୍ଯ୍ୟକ୍ରମ ରହିଛି । ବିଧାନସଭା ଅଧିବେଶନକୁ ଦୃଷ୍ଟିରେ ରଖି ଆସନ୍ତାକାଲି ବିଜେଡି, ବିଜେପି ଓ କଂଗ୍ରେସ ନିଜ ନିଜର ବିଧାୟକ ଦଳ ବୈଠକ ଡାକିଛନ୍ତି । ରାଜ୍ୟର ବିଭିନ୍ନ ପ୍ରସଙ୍ଗରେ ଗୃହ ସରଗରମ ହେବାର ଆଶଙ୍କା ରହିଛି । ବିଶେଷକରି ଚାଷୀ ସମସ୍ୟା, ରତ୍ନଭଣ୍ଡାର ଖୋଲିବା, ଶ୍ରୀଜଗନ୍ନାଥଙ୍କ ଚାରି ଦ୍ୱାର ଦେଇ ଦର୍ଶନ ସୁବିଧା, ଶିକ୍ଷକ ଆନ୍ଦୋଳନ, ଘରୋଇ ବସ୍ ଧର୍ମଘଟ ଡାକରା, ସ୍ୱାସ୍ଥ୍ୟକର୍ମୀମାନଙ୍କ ଆନ୍ଦୋଳନ, ଦୁର୍ନୀତି ଓ ପିସି କାରବାର, ବାବୁତନ୍ତ୍ର ସମେତ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଖବରକାଗଜ ଉପରେ ଅର୍ଥନୀତିକ ଅପରାଧ ଶାଖାର ଚଢ଼ଉ ଆଦି ପ୍ରସଙ୍ଗରେ ଗୃହରେ ସରଗରମ ଆଲୋଚନା ହେବାର ସମ୍ଭାବନା ଅଛି ।

ଆସନ୍ତାକାଲି ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ପ୍ରଥମ ଅତିରିକ୍ତ ବଜେଟ୍ ଉପସ୍ଥାପିତ ହେବାପରେ ଶନିବାର ଓ ରବିବାର ଦୁଇଦିନ ଗୃହ ବନ୍ଦ ରହିବ । ସୋମବାର ଅର୍ଥାତ୍ ୨୫ତାରିଖରୁ ୨୮ତାରିଖ ପର୍ଯ୍ୟନ୍ତ ଗୃହ କାର୍ଯ୍ୟ ଚାଲିବ । ପ୍ରଫେଟ୍ ମହମ୍ମଦଙ୍କ ଜୟନ୍ତୀ ପାଇଁ ୨୯ତାରିଖ, ଅକ୍ଟୋବର ୧ ରବିବାର ଓ ଅକ୍ଟୋବର ୨ ଗାନ୍ଧି ଜୟନ୍ତୀ ପାଇଁ ଛୁଟି ରହିବ । ଅକ୍ଟୋବର ୩ତାରିଖରେ ଏହି ଅତିରିକ୍ତ ବଜେଟକୁ ଗୃହୀତ ପାଇଁ ବ୍ୟୟମଞ୍ଜୁରୀ ବିଲ୍ ଆସିବ ଓ ଗୃହରେ ଉକ୍ତଦିନ ହିଁ ତାହା ପାରିତ ହେବ ବୋଲି ଜଣାପଡ଼ିଛି ।

ଉଲ୍ଲେଖଯୋଗ୍ୟ, ବିଜେଡି ଇତିମଧ୍ୟରେ ନିଜର ୩ଜଣ ବିଧାୟକ ପ୍ରଦୀପ ପାଣିଗ୍ରାହୀ, ସୌମ୍ୟରଞ୍ଜନ ପଟ୍ଟନାୟକ ଓ ସୁଧାଂଶୁ ପରିଡ଼ାଙ୍କୁ ଦଳରୁ ବହିଷ୍କାର ଏବଂ ଜଣେ ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ନିଲମ୍ବନ କରିଥିବାରୁ ଗୃହରେ ସେମାନଙ୍କର ଆସନ ବଦଳିବାର ସମ୍ଭାବନା ଅଛି ।

Related story