
Naveen Patnaik and VK Pandian
“ବିଜୁ ଜନତା ଦଳ, ଓଡ଼ିଶାବାସୀଙ୍କ ବଳ” ବୋଲି ସ୍ଲୋଗାନ ଦେଉଥିବା ନବୀନ ପଟ୍ଟନାୟକଙ୍କ ବିଜେଡି ଏକ ରାଜନୀତିକ ଦଳ ନୁହେଁ ବରଂ ଏକ ଆର୍ଥିକ ସଂସ୍ଥା । ଦଳର ୨୦୨୪-୨୫ ଆର୍ଥିକ ବର୍ଷର ଫାଇନାନ୍ସିଆଲ ଅଡିଟ୍ ରିପୋର୍ଟ ହିଁ ଏଭଳି ସନ୍ଦେଶ ଦେଉଛି । ୭୨୦କୋଟି ଟଙ୍କାରୁ ଅଧିକ ସମ୍ପତ୍ତିର ମାଲିକାନା ଓ ବିଶାଳ ଆର୍ଥିକ ସାମ୍ରାଜ୍ୟର ଅଧିକାରୀ ହୋଇ ମଧ୍ୟ ବିଜେଡି ରାଜ୍ୟର ସାଧାରଣ ଜନତା, ଏପରିକି ଦଳୀୟ କର୍ମୀଙ୍କ ସୁଖଦୁଃଖରେ ଭାଗିଦାରୀ ହେବାପାଇଁ ଟଙ୍କାଟିଏ ବି ଖର୍ଚ୍ଚ ମଧ୍ୟ କରିନାହିଁ ।
୨୭ବର୍ଷର ରାଜନୀତିକ ଦଳ ବିଜେଡି ଏତେ କୋଟି ଟଙ୍କାର ମାଲିକ ହୋଇଥିଲେ ମଧ୍ୟ ରାଜ୍ୟରେ ସାଧାରଣ ଲୋକଙ୍କ କଲ୍ୟାଣ ପାଇଁ କୌଣସି ସାମାଜିକ କାର୍ଯ୍ୟକ୍ରମ ହେଉ ଅବା ଦଳୀୟ କର୍ମୀ-ନେତାଙ୍କୁ ଆଇନଗତ ସହାୟତା ଅବାପୁଣି ରାଜନୀତିକ ଶିକ୍ଷା କାର୍ଯ୍ୟକ୍ରମ ଓ ଭୋଟର ସଚେତନତା ବାବଦରେ ଟଙ୍କାଟିଏ ଖର୍ଚ୍ଚ କରିବାର ସାମାଜିକ ଉତ୍ତରଦାୟିତ୍ୱ ତୁଲାଇବାରେ ଆଗ୍ରହ ଦେଖାଇ ନଥିବା ଦଳର ୨୦୨୪-୨୫ ଆର୍ଥିକ ବର୍ଷର ଅଡିଟ୍ ରିପୋର୍ଟରୁ ସ୍ପଷ୍ଟ ହୋଇଛି ।
କର୍ପୋରେଟ ଚାନ୍ଦା ଓ ବ୍ୟାଙ୍କ ସୁଧରେ ନିଜର ସମ୍ପତ୍ତି ବଢ଼ାଇବାରେ ଲାଗିଛି। କିନ୍ତୁ ବିଗତ ୨ଟି ଆର୍ଥିକ ବର୍ଷରେ କର୍ମୀଙ୍କଠୁ ଟଙ୍କାଟିଏ ମଧ୍ୟ ସଂଗ୍ରହ କରିନାହିଁ କିମ୍ବା ସେମାନଙ୍କର ଭାଗିଦାରୀ ଦଳରେ ରହିଥିବାର ପ୍ରମାଣ ବି ରଖିନାହିଁ । କର୍ପୋରେଟ ଚାନ୍ଦାରେ ନିଜକୁ ବଳିୟାନ କରିଥିବା ବିଜେଡି ନିଜସ୍ୱ ପ୍ରଚାରପ୍ରସାର ପାଇଁ ଆଖିବୁଜା ଟଙ୍କା ଖର୍ଚ୍ଚ କରିଛି । ଦଳର ଆର୍ଥିକ ସ୍ୱାସ୍ଥ୍ୟ ଏଭଳି ରହିଛି ଯାହାକି ଓଡ଼ିଶାରେ ବିଜେଡିକୁ ଏକ ବିଶାଳ ଆର୍ଥିକ ସଂସ୍ଥା ଭାବେ ବିକଶିତ କରାଇବାରେ ଲାଗିଛି ।
ବିଜେଡିର ବିଶାଳ ଆର୍ଥିକ ସାମ୍ରାଜ୍ୟ, ବ୍ୟାଙ୍କରେ ୮୭% ପାଣ୍ଠି ଜମା
ନିର୍ବାଚନ ଆୟୋଗଙ୍କ ପାଖରେ ଦାଖଲ କରିଥିବା ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଅଡିଟ୍ ରିପୋର୍ଟ ହିଁ ବିଜେଡିର ବିଶାଳ ଆର୍ଥିକ ଶକ୍ତିକୁ ସ୍ପଷ୍ଟ ଭାବେ ଦର୍ଶାଉଛି । ୨୦୨୫ ମାର୍ଚ୍ଚ ୩୧ ସୁଦ୍ଧା ଦଳର ମୋଟ୍ ସମ୍ପତ୍ତି (Total Assets) ର ପରିମାଣ ହେଉଛି ୭,୨୦,୫୬,୫୫,୩୩୨/- (ପ୍ରାୟ ୭୨୦.୫୭ କୋଟି ଟଙ୍କା)। ଏହି ବିଶାଳ ସମ୍ପତ୍ତିର ଏକ ବୃହତ୍ ଅଂଶ ଅର୍ଥାତ୍ ପ୍ରାୟ ୮୭.୩୭%(ମୋଟ ୬୨୯.୬୯କୋଟି ଟଙ୍କା) କେବଳ ଆର୍ଥିକ ନିବେଶରେ ବିନିଯୋଗ ହୋଇଛି ।
ଦଳରେ ସାଧାରଣ ଜନତା ବା କର୍ମୀଙ୍କ ଯୋଗଦାନ ଅବା ଆର୍ଥିକ ଅବଦାନ ପ୍ରାୟତଃ ଶୂନ ଥିବାବେଳେ ଦଳର ବୃହତ୍ ପାଣ୍ଠିରୁ ଆସୁଥିବା ସୁଧ ଉପରେ ବିଜେଡି ନେତୃତ୍ୱଙ୍କ ନିର୍ଭରଶୀଳତା ବେଶୀ ରହିଛି । ୨୦୨୪-୨୫ ଆର୍ଥିକ ବର୍ଷରେ ବିଜେଡି ର ମୋଟ୍ ଆୟ ହେଉଛି ପ୍ରାୟ ୧୧୦.୧୪ କୋଟି ଟଙ୍କା। ଏହି ମୋଟ୍ ଆୟରୁ କେବଳ ବ୍ୟାଙ୍କ ସୁଧ ବାବଦରେ ୪୫.୫% ( ୫୦.୧୪ କୋଟି ଟଙ୍କା) ଆସିଛି। ଏହାସହିତ, ନିର୍ବାଚନ ସମୟରେ ଜିନ୍ଦଲ ଓ ବେଦାନ୍ତ ଭଳି କର୍ପୋରେଟ୍ ସଂସ୍ଥାମାନଙ୍କଠାରୁ ଦଳ ୬୦ କୋଟି ଟଙ୍କାର ବିପୁଳ ଚାନ୍ଦା ଗ୍ରହଣ କରିଛି। ରାଜନୈତିକ କାର୍ଯ୍ୟକ୍ରମ ଅପେକ୍ଷା ବ୍ୟାଙ୍କ ସୁଧ ଉପରେ ଏବଂ ଜନସାଧାରଣଙ୍କ ଅବଦାନ ଅପେକ୍ଷା କର୍ପୋରେଟ୍ ଚାନ୍ଦା(Bjd Fund Sources) ଉପରେ ଏହି ନିର୍ଭରଶୀଳତା ଦଳର ସ୍ୱଚ୍ଛତା ନୀତି ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି।
‘ଅଘୋଷିତ’ ଖର୍ଚ୍ଚ ଓ ନିର୍ବାଚନୀ ବ୍ୟୟ ଲୁଚାଇବାକୁ ଉଦ୍ୟମ
ଦଳୀୟ ପାଣ୍ଠି (Bjd Fund ) ଖର୍ଚ୍ଚରେ ସ୍ୱଚ୍ଛତାର ଅଭାବ ଓ ନିୟମ ଉଲ୍ଲଘଂନର ଗୁରୁତର ତ୍ରୁଟି ଜଳଜଳ ହୋଇ ପରିଲକ୍ଷିତ ହେଉଛି। ଦଳ ନିଜେ ଦାଖଲ କରିଥିବା Audited Financial Statement ର NOTES ON ACCOUNTS (Sch-12) ରେ ସ୍ୱୀକାର କରିଛି ଯେ, ନିର୍ବାଚନ ଘୋଷଣା ତାରିଖ ୨୦୨୪ ମାର୍ଚ୍ଚ ୧୬ ପୂର୍ବରୁ ଆକାଉଣ୍ଟରେ ଥିବା ପ୍ରାୟ ୨୩.୪୯ କୋଟି ଟଙ୍କାର ଖର୍ଚ୍ଚକୁ "ECIର ଗାଇଡ୍ଲାଇନ୍ ଅନୁଯାୟୀ କମିଶନଙ୍କ ନିକଟରେ ଦାଖଲ କରାଯାଇ ନାହିଁ"। ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପୂର୍ବରୁ ଏତେ ବଡ଼ ଅର୍ଥରାଶି ଖର୍ଚ୍ଚ କରି ତାହାକୁ ନିର୍ବାଚନ ଆୟୋଗଠାରୁ ଲୁଚାଇ ରଖିବା ବିଜେଡି ନେତୃତ୍ୱଙ୍କ ଆର୍ଥିକ ସାଧୁତା ଉପରେ ଗମ୍ଭୀର ସନ୍ଦେହ ସୃଷ୍ଟି କରୁଛି ଏବଂ ଉତ୍ତରଦାୟିତ୍ୱହୀନତାକୁ ପଦାରେ ପକାଇଛି।
ସେହିପରି ୨୦୨୪ ସାଧାରଣ ନିର୍ବାଚନରେ ଦଳ ମୋଟ ୨୭୦.୬୬ କୋଟି ଟଙ୍କା ଖର୍ଚ୍ଚ କରିଛି । ଏହି ବିପୁଳ ଖର୍ଚ୍ଚର ପ୍ରାୟ ୪୫% କେବଳ ଇଲେକ୍ଟ୍ରୋନିକ୍ ଓ ପ୍ରିଣ୍ଟ ମିଡିଆ ପ୍ରଚାରରେ ବ୍ୟୟ ହୋଇଛି, ଯେଉଁଥିରେ ଇଲେକ୍ଟ୍ରୋନିକ୍ ମିଡିଆ (୮୭.୫ କୋଟି ଟଙ୍କା ) ଏବଂ ପ୍ରିଣ୍ଟ ମିଡିଆ (୩୪.୫ କୋଟି ଟଙ୍କା) ବାବଦରେ ଖର୍ଚ୍ଚ କରାଯାଇଛି। ଏହାବ୍ୟତୀତ ଦଳର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନଙ୍କ ବିଳାସପୂର୍ଣ୍ଣ ପ୍ରଚାର ଶୈଳୀ ଯଥା ହେଲିକପ୍ଟର ଖର୍ଚ୍ଚରେ ୨୪.୨୦ କୋଟି ଟଙ୍କା, ପୋଷ୍ଟର, ବ୍ୟାନର, ପତାକା ଇତ୍ୟାଦି ଖର୍ଚ୍ଚ ବାବଦରେ ୨୦ କୋଟି ଟଙ୍କା ଏବଂ ଭିଡିଓ ଓ ଅଡ଼ିଓ ଫୁଟେଜ୍ ପ୍ରସ୍ତୁତିରେ ୧୧.୬୫କୋଟି ଟଙ୍କା ବ୍ୟୟ ହୋଇଛି ।
ଏହି ତଥ୍ୟ ପ୍ରମାଣିତ କରୁଛି , ବିଜେଡି ଏଭଳି ଏକ ଧନୀ ଦଳ ଯିଏକି କର୍ପୋରେଟ ସଂସ୍ଥା ଓ ପୁଞ୍ଜିନିବେଶ ଉପରେ ନିର୍ଭରଶୀଳ ରହି ଦଳୀୟ ପରିଚାଳନା ଓ ନିର୍ବାଚନୀ ବୈତରଣୀକୁ ଅତିକ୍ରମ କରିବାରେ ବିଶ୍ୱାସ କରେ । ଦଳୀୟ କର୍ମୀ,ନେତା କିମ୍ବା ସାଧାରଣ ଲୋକଙ୍କ ଦଳ ଭାବେ ସେମାନଙ୍କର ଭାବନାକୁ ବୁଝି ସେମାନଙ୍କର ଆର୍ଥିକ ଅନୁଦାନ ସଂଗ୍ରହକୁ ଗୁରୁତ୍ୱ ଦିଏ ନାହିଁ ।
ନିର୍ବାଚନୀ ଖର୍ଚ୍ଚ ଲୁଚାଇବାକୁ ଦଳ ପକ୍ଷରୁ କସରତ ହୋଇଥିବା ମଧ୍ୟ ଜଣାପଡ଼ିଛି । ୨୦୨୪ ଅଗଷ୍ଟ ୧୬ତାରିଖରେ ଯେଉଁ ନିର୍ବାଚନୀ ଖର୍ଚ୍ଚ ବିବରଣୀ ଦଳ ଦାଖଲ କରିଥିଲା ସେଥିରେ ପୁନର୍ବାର ସଂଶୋଧନ କରି ୨୦୨୫ ଜାନୁୟାରୀ ୨୯ତାରିଖରେ ଆଉ ଏକ ରିପୋର୍ଟ ଦାଖଲ କଲା । ସଂଶୋଧିତ ରିପୋର୍ଟରେ ଦଳ ନିଜର ପ୍ରାର୍ଥୀମାନଙ୍କୁ ଦେଇଥିବା ଖର୍ଚ୍ଚ ୫୩.୮୩କୋଟି ଟଙ୍କା ପରିବର୍ତ୍ତେ ୫୪.୮୫ କୋଟି ଟଙ୍କା ଦର୍ଶାଇଥିଲା । ନିର୍ବାଚନୀ କମିଶନଙ୍କ ହସ୍ତକ୍ଷେପ ପରେ ହିଁ ଦଳ ଏହି ସଂଶୋଧନ ରିପୋର୍ଟ ଦେଇଥିଲା ।
ବିଶାଳ ସମ୍ପତ୍ତି , ଜନସେବା ଓ ଉତ୍ତରଦାୟିତ୍ୱରୁ ବିଚ୍ୟୁତ
ବିଜେଡିର ସଦ୍ୟତମ ଆର୍ଥିକ ରିପୋର୍ଟ ଦଳର ନୀତି ଓ ନିୟତ ଉପରେ ଏକ ଗୁରୁତର ପ୍ରଶ୍ନବାଚୀ ସୃଷ୍ଟି କରିଛି। ଦଳ ପାଖରେ ୨୦୨୩-୨୪ ବର୍ଷରେ ମୋଟ ୫୧.୨୦କୋଟି ଟଙ୍କାର ସ୍ଥାୟୀ ସମ୍ପତ୍ତି ଥିଲା । ଯାହା ୨୦୨୪-୨୫ରେ ୪୭.୩୦କୋଟି ଟଙ୍କାକୁ ହ୍ରାସ ପାଇଛି । ଆଶ୍ଚର୍ଯ୍ୟର କଥା ଦଳ ନିଜର ଶଙ୍ଖଭବନର ମୂଲ୍ୟ ବର୍ଷକରେ ୩୦.୧୮କୋଟି ଟଙ୍କାରୁ ପ୍ରାୟ ୩କୋଟି ଅର୍ଥାତ୍ ୨୭.୧୬କୋଟି ଟଙ୍କାକୁ ହ୍ରାସ ପାଇଥିବା ଦର୍ଶାଇଥିଲେ ମଧ୍ୟ ନିଜ ମାଲିକାନାରେ ଥିବା ଜମିର ପରିମାଣ(ସେହି ୧୪.୮୮କୋଟି ଟଙ୍କା)ରେ କୌଣସି ସଂଶୋଧନ କରିନାହିଁ । ଶଙ୍ଖଭବନ କୋଠା ମୂଲ୍ୟ ହ୍ରାସ କରିଛି, କିନ୍ତୁ ଜମିର ଦର ବଢ଼ିନାହିଁ । ୨୦୨୪-୨୫ ଆର୍ôଥକ ବର୍ଷରେ ଦଳର ପ୍ରଶାସନିକ ବ୍ୟୟ ୮୧.୧୨ଲକ୍ଷ ଟଙ୍କା ଥିବାବେଳେ କର୍ମଚାରୀଙ୍କ ଦରମା ବାବଦରେ ୩୮.୦୬ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ନିଜର ଅଡିଟ୍ ରିପୋର୍ଟରେ ଦର୍ଶାଇଛି ।
୭୨୦ କୋଟି ଟଙ୍କାର ବିଶାଳ ସମ୍ପତ୍ତି ଏବଂ ଏହାର ୮୭% ପାଣ୍ଠି କେବଳ ନିବେଶରେ ବିନିଯୋଗ ହୋଇ ମଧ୍ୟ ରାଜ୍ୟରେ କୌଣସି ବଡ଼ ଧରଣର ଜନକଲ୍ୟାଣ କାର୍ଯ୍ୟକ୍ରମ (Welfare programs), ରାଜନୈତିକ ଶିକ୍ଷା (Political education), କିମ୍ବା ମୂଳସ୍ତରର ସଂଗଠନ (Grassroots mobilization) ପାଇଁ ଟଙ୍କାଟିଏ ବି ଖର୍ଚ୍ଚର କୌଣସି ସ୍ପଷ୍ଟ ଉଲ୍ଲେଖ ନାହିଁ। ବରଂ ୨୭୦ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ମିଡିଆ ବିଜ୍ଞାପନ ଏବଂ ହେଲିକପ୍ଟର ପ୍ରଚାର ଉପରେ କେନ୍ଦ୍ରୀଭୂତ କରିଛି। ଏହି ଆର୍ଥିକ ଚିତ୍ରରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ବିଜେଡି ରାଜ୍ୟରେ(Odisha) ଏକ ବଡ଼ଧରଣର ଅଣବ୍ୟାଙ୍କିଙ୍ଗ୍ ବା ଆର୍ଥିକ ହୋଲ୍ଡିଂ ସଂସ୍ଥା (Financial Holding Entity) ଭାବରେ କାର୍ଯ୍ୟ କରୁଛି, ଯିଏକି କର୍ପୋରେଟ ଚାନ୍ଦା ଓ ନିବେଶରୁ ସୁଧ ଉପାର୍ଜନ କରିବାରେ ବ୍ୟସ୍ତ। ଆଉ ଏକ ସାମୂହିକ ରାଜନୈତିକ ଆନ୍ଦୋଳନ (Mass Political Movement) ର ଉତ୍ତରଦାୟିତ୍ୱରୁ ବିଚ୍ୟୁତ ହୋଇପଡ଼ିଥିବା ସାଧାରଣରେ ଚର୍ଚ୍ଚା ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
