ପୁଣି ସରକାରରେ ଥଇଥାନ ହେବେ ୫୦ରୁ ଅଧିକ ବିଜେଡି ନେତା

ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳୀୟ ନେତାଙ୍କ ତୁଷ୍ଟୀକରଣରେ ଲାଗିଥିବା ଶାସକ ବିଜେଡି ଏବେ ଆଉ ୫୦ରୁ ଅଧିକ ନେତାଙ୍କୁ ସରକାରୀ ପଦପଦବୀରେ ଥଇଥାନ କରିବ ।

ବାମରୁ ବିଜେଡି ପାର୍ଟି ଅଫିସ୍‌ ଓ ନବୀନ ପଟ୍ଟନାୟକ (ଫାଇଲ ଫଟୋ)

  • Published: Monday, 17 July 2023
  • , Updated: 17 July 2023, 09:53 PM IST

ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳୀୟ ନେତାଙ୍କ ତୁଷ୍ଟୀକରଣରେ ଲାଗିଥିବା ଶାସକ ବିଜେଡି ଏବେ ଆଉ ୫୦ରୁ ଅଧିକ ନେତାଙ୍କୁ ସରକାରୀ ପଦପଦବୀରେ ଥଇଥାନ କରିବ । ଏହି ଥଇଥାନ ସଂଖ୍ୟା ପ୍ରାୟ ଶହେ ଛୁଇଁବାର ସମ୍ଭାବନା ବି ରହିଛି । ନିର୍ବାଚନ ପୂର୍ବରୁ ଜିଲ୍ଲାସ୍ତରରେ ଦଳର ଆଗଧାଡ଼ିର ନେତାମାନଙ୍କୁ ସଂଗଠନରେ ଥଇଥାନ କରୁଥିବାବେଳେ ନୂଆ କରି ସ୍ୱତନ୍ତ୍ର ବିକାଶ ପରିଷଦରେ ସାମିଲ ୧୪ଟି ଜିଲ୍ଲାର ପଦାଧିକାରୀ ଓ ପ୍ରାୟ ୧୫ଟି ସରକାରୀ ଯୋଜନାରେ ଦଳୀୟ ନେତାମାନେ ଥଇଥାନ ହେବେ ବୋଲି ଜଣାପଡ଼ିଛି । ଗତବର୍ଷ ସେପ୍ଟେମ୍ବର, ଡିସେମ୍ବର ଓ ଏପ୍ରିଲ ମାସରେ ବିଜେଡି ନେତୃତ୍ୱ ଦଳର ପ୍ରାୟ ୧୫୦ରୁ ଅଧିକ ନେତାଙ୍କୁ ବିଭିନ୍ନ ସରକାରୀ ପଦପଦବୀରେ ଥଇଥାନ କରିଥିଲେ । 

ସୂଚନା ଅନୁସାରେ, ଆଦିବାସୀ ଅଂଚଳର ବିକାଶ ପାଇଁ ଗଠିତ ସ୍ୱତନ୍ତ୍ର ବିକାଶ ପରିଷଦ(ଏସଡିସି)ରେ ଗତ ମେ’ ମାସରେ ଆଉ ୧୪ଟି ଜିଲ୍ଲା ସାମିଲ ହୋଇଥିଲେ । ଏସବୁ ଜିଲ୍ଲାଗୁଡ଼ିକର ସ୍ୱତନ୍ତ୍ର ବିକାଶ ପରିଷଦରେ ଦଳୀୟ ନେତାମାନଙ୍କୁ ଥଇଥାନ କରିବା ପାଇଁ ବିଜେଡି ନେତୃତ୍ୱ ତାଲିକା ଚୂଡ଼ାନ୍ତ କରିଛନ୍ତି । ପୂର୍ବରୁ ୯ଟି ଏସଡିସି ଜିଲ୍ଲାରେ ପ୍ରାୟ ୫୦ରୁ ଦଳୀୟ ନେତାଙ୍କୁ ଥଇଥାନ କରିଥିବା ରାଜ୍ୟ ସରକାର ନୂତନ ଭାବେ ସାମିଲ ଏହି ୧୪ଟି ଜିଲ୍ଲାରେ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ଭାବେ ଅତିକମରେ ୨୮ଜଣ ଦଳୀୟ ନେତାଙ୍କୁ ନିଯୁକ୍ତି ଦେବେ । ଏନେଇ ପ୍ରକ୍ରିୟା ଶେଷ ହୋଇଛି । ରାଜନୀତିକ ଦୃଷ୍ଟିରୁ ବିଜେଡି ପାଇଁ ଗୁରୁତ୍ୱପୂର୍ଣ୍ଣ ପାଲଟିଥିବା ଗଞ୍ଜାମ, କଳାହାଣ୍ଡି, ବରଗଡ଼, ଅନୁଗୁଳ, ଢେଙ୍କାନାଳ, ସମ୍ବଲପୁର, ବଲାଙ୍ଗିର, ବାଲେଶ୍ୱର, ନୟାଗଡ଼, ଦେବଗଡ଼ ଓ ବୌଦ୍ଧ ଜିଲ୍ଲାର ଆଦିବାସୀ ନେତାଙ୍କୁ ଏଥିରେ ଥଇଥାନ କରିବେ ।

ଆଦିବାସୀ ଭୋଟରଙ୍କୁ ସନ୍ତୁଷ୍ଟ କରିବା ଉଦ୍ଦେଶ୍ୟରେ ଏସବୁ ଜିଲ୍ଲାର ଏସଡିସିରେ ୨୮ରୁ ୭୦ଜଣ ପର୍ଯ୍ୟନ୍ତ ଦଳୀୟ ନେତାଙ୍କୁ ନିଯୁକ୍ତି ମିଳିବାର ସମ୍ଭାବନା ରହିଛି । ସେହିପରି ରାଜ୍ୟ ସରକାରଙ୍କ ନିଜସ୍ୱ ଯୋଜନାର ଉପଦେଷ୍ଟା ଭାବେ ଆଉ କିଛି ନେତା ମଧ୍ୟ ଥଇଥାନ ହେବେ । ଦଳର ଆଗଧାଡ଼ିର ଯୁବ ଓ ମହିଳା ନେତ୍ରୀମାନେ ଏହି ପଦପଦବୀ ନିମନ୍ତେ ଲବି ଜୋରଦାର କରିଛନ୍ତି । ଦଳରେ ବଢ଼ୁଥିବା ଗୋଷ୍ଠୀକନ୍ଦଳ ଓ ଛକାପଞ୍ଝାକୁ ଏଡ଼ାଇବା ପାଇଁ ବିଜେଡି ନେତୃତ୍ୱ ଏଭଳି ଥଇଥାନ  ଯୋଜନା କରିଛନ୍ତି ।

ବିଜେଡି ସୂତ୍ର ଅନୁସାରେ, ଗତ ଡିସେମ୍ବର ମାସରେ ପ୍ରାୟ ୮୫ଜଣ ଦଳୀୟ କର୍ମୀ-ନେତାଙ୍କୁ ବିଭିନ୍ନ ବିଭାଗ ଓ କାର୍ଯ୍ୟକ୍ରମର ଉପଦେଷ୍ଟା ଭାବେ ଥଇଥାନ କରିଥିଲେ ମଧ୍ୟ ଅଧିକାଂଶଙ୍କ ପ୍ରଦର୍ଶନ ନିରାଶାଜନକ ରହିଛି । ହାତଗଣତି ୫-୭ଜଣଙ୍କୁ ବାଦ୍ ଦେଲେ ଅନ୍ୟ ଉପଦେଷ୍ଟାମାନେ ମିଳିଥିବା ପଦବୀର ଦୁରୂପଯୋଗ କରୁଥିବାର ଅଭିଯୋଗ ମଧ୍ୟ ମିଳିଛି । ଯାହା ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟକୁ ଚିନ୍ତାରେ ପକାଇଛି । ସେଥିପାଇଁ ଗତ ଡିସେମ୍ବର ମାସରେ ଥଇଥାନ ହୋଇଥିବା କିଛି କର୍ମୀ-ନେତାଙ୍କୁ ଉପଦେଷ୍ଟା ପଦରୁ ବିଦା କରାଯିବାର ସମ୍ଭାବନା ରହିଥିବା ସୂଚନା ମିଳିଛି ।

Related story