Advertisment

ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସାଂସଦ-ବିଧାୟକ କଥା କଟାକଟି

ସ୍ଥିତିକୁ ମୁଖ୍ୟମନ୍ତ୍ରୀ ସମ୍ଭାଳିନେବା ସହିତ ଜଗନ୍ନାଥ ସାଗରର ବିକାଶ ନେଇ ଦେଇଥିଲେ ପ୍ରତିଶ୍ରୁତି।

author-image
Jitendra Garnayak
CM

CM

ମଞ୍ଚ ଉପରେ ବିଧାୟକ-ସାଂସଦ ମୁହାଁମୁହିଁ। ତାହା ପୁଣି ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ। ତେବେ ସ୍ଥିତିକୁ ସମ୍ଭାଳି ନେଇଥିଲେ ମୁଖ୍ୟମନ୍ତ୍ରୀ। ନିଜେ ବୁଝାଇ ଥିଲେ। ଗତକାଲି କୋରାପୁଟର ଲୋକ ମହୋତ୍ସବ ‘ପରବ’ର ଉଦ୍‌ଘାଟନୀ ସଭା ମଞ୍ଚରେ ଦେଖିବାକୁ ମିଳିଥିଲା ଏହି ଦୃଶ୍ୟ।

Advertisment

‘ପରବ’କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍‌ଘାଟନ କରିଥିଲେ। ଉଦ୍‌ଘାଟନୀ ଉତ୍ସବରେ କୋରାପୁଟ ଜିଲ୍ଲାର ସମସ୍ତ ବିଧାୟକ ଯୋଗ ଦେଇଥିଲେ। ସେମାନଙ୍କ ସହିତ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ମଧ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ଯେହେତୁ ଜିଲ୍ଲାର ଅଧିକାଂଶ ବିଧାୟକ କଂଗ୍ରେସ ଦଳର,ତେଣୁ ସେମାନେ ସଭାରେ ମୁଖ୍ୟମନ୍ତ୍ରୀଙ୍କ ଆଗରେ ବିଭିନ୍ନ ଦାବି ଉପସ୍ଥାପନ କରିଥିଲେ। ସେହିକ୍ରମରେ କଂଗ୍ରେସର ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ମଧ୍ୟ କିଛି ଦାବି ଉଠାଇଥିଲେ। ସେ କୋରାପୁଟର ବିକାଶ କାର୍ଯ୍ୟ କଥା କହିବା ବେଳେ ଜୟପୁରର ପ୍ରସିଦ୍ଧ ଜଗନ୍ନାଥ ସାଗରର ଉନ୍ନତିକରଣ ପ୍ରସଙ୍ଗ ଉଠାଇଥିଲେ। ଗତ ସରକାରରେ ଏହାର ଉନ୍ନତିକରଣ ପାଇଁ କିଛି ଅର୍ଥ ଆସିଥିଲା। କିନ୍ତୁ ଏହାର ବିକାଶ କାର୍ଯ୍ୟ ଅଧାରେ ରହିଥିବାରୁ ସରକାର ଏଥିପାଇଁ ଆହୁରି ଅର୍ଥ ଦେଇ ଏହାକୁ ସଂପୂର୍ଣ୍ଣ କରନ୍ତୁ ବୋଲି ସେ କହିଥିଲେ। ଏହା ସହିତ ଜଗନ୍ନାଥ ସାଗରକୁ ଏକ ଜାତୀୟ ସ୍ତରୀୟ ପର୍ଯ୍ୟଟନ ସ୍ଥଳୀ ଭାବେ ଗଢ଼ିତୋଳିବାକୁ ଦାବି କରିଥିଲେ ତାରା।

Advertisment

ପରବର୍ତ୍ତୀ ସମୟରେ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିବା ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ନିଜ ଅଭିଭାଷଣରେ ମୋଦି ସରକାର କୋରାପୁଟର ବିକାଶ ପାଇଁ କରିଥିବା କାର୍ଯ୍ୟ ସମ୍ପର୍କରେ କହିଥିଲେ। ତା’ ମଧ୍ୟରେ ସେ ଜଗନ୍ନାଥ ସାଗରର ପୁନଃଉଦ୍ଧାର ପ୍ରସଙ୍ଗ ଉଠାଇ ଟଙ୍କା ଆସୁଛି, କିନ୍ତୁ କାମ ହୋଇପାରୁନି ବୋଲି କହିଥିଲେ। ଏହା ଶୁଣି ବିଧାୟକ ତାରା ପ୍ରସାଦ ବାହିନୀପତି ଉତ୍‌କ୍ଷିପ୍ତ ହୋଇଯାଇଥିଲେ। ଜୟପୁର ନିର୍ବାଚନ ମଣ୍ଡଳୀରେ କ’ଣ ଅଛି, କ’ଣ ନଅଛି ସାଂସଦ କିପରି ଜାଣିଲେ ବୋଲି ସେ ପ୍ରଶ୍ନ କରିଥିଲେ। ତେଣୁ ମଞ୍ଚରେ କିଛି ସମୟ ପାଇଁ ଅକଳ ସ୍ଥିତି ସୃଷ୍ଟି ହୋଇଥିଲା। ତେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହସ୍ତକ୍ଷେପ କରି ସ୍ଥିତି ଶାନ୍ତ କରିଥିଲେ। ଏହା ସହିତ ମୁଖ୍ୟମନ୍ତ୍ରୀ ନିଜ ଭାଷଣରେ ଜଗନ୍ନାଥ ସାଗରର ବିକାଶ ପାଇଁ ସରକାର ସବୁ କରିବାକୁ ପ୍ରସ୍ତୁତ ବୋଲି କହିଥିଲେ। ଏଥିପାଇଁ ଯାହା ଖର୍ଚ୍ଚ ହେବ ସରକାର ଦେବେ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ।

ସଭା ପରେ କୋରାପୁଟ ବିଧାୟକ ତାରା ପ୍ରସାଦ ବାହିନୀପତି କହିଥିଲେ, ତାଙ୍କୁ (ସାଂସଦ ବଳଭଦ୍ର ମାଝୀଙ୍କୁ) କେହି ଜଗନ୍ନାଥ ସାଗର ନେଇ ଭୁଲ୍ ତଥ୍ୟ ଦେଇଥିଲେ। ପରେ ସେ ବୁଝିପାରିଲେ। ଏଣୁ ଆଉ କିଛି ଅସୁବିଧା ନାହିଁ। ସାଂସଦ ନିଜେ କହିଲେ ତା’ର ପୁନଃଉଦ୍ଧାର କରିବାର ଆବଶ୍ୟକତା ରହିଛି। ମୁଁ ମଧ୍ୟ ସେ କଥା କହିଥିଲି। ପାଖାପାଖି ୪୦/୫୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ମୁଁ ମୁଖ୍ୟମନ୍ତ୍ରୀଙ୍କୁ କହିଥିଲି। ସେ କହିଥିଲେ ଯେ ଏନେଇ ଡିପିଆର ପ୍ରସ୍ତୁତ କରାଯିବ ଓ ନିହାତି ଭାବେ ଜଗନ୍ନାଥ ସାଗରର ପୁନଃଉଦ୍ଧାରକୁ ଗୁରୁତ୍ୱ ଦିଆଯିବ।

Congress Tara Prasad Bahinipati CM Mohan Charan Majhi