ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇଲେ ସାଂସଦ ଅପରାଜିତା ଷଡଙ୍ଗୀ

ଜଟଣୀ ବିଞ୍ଝାଗିରୀରେ ୨୦ ଏକରରେ ସେଣ୍ଟ୍ରାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଅଫ୍‌ ୟୋଗା ଆଣ୍ଡ ନ୍ୟାଚୁରୋପାଥି ପ୍ରତିଷ୍ଠା ପ୍ରସଙ୍ଗରେ ଆଲୋଚନା କରିଛନ୍ତି ଅପରାଜିତା। ଏହି ପ୍ରତିଷ୍ଠାନ ପାଇଁ କେନ୍ଦ୍ର ଆୟୁଷ ବିଭାଗ ପକ୍ଷରୁ ପୂର୍ବରୁ ଅନୁଦାନ ସହ ଅନୁମୋଦନ ମଧ୍ୟ ମିଳିସାରିଛି।

ମୁଖ୍ୟମନ୍ତ୍ରୀଙ୍କୁ ଭେଟୁଛନ୍ତି ଭୁବନେଶ୍ୱର ସାଂସଦ ଓ ବିଧାୟକ

  • Published: Saturday, 14 September 2024
  • , Updated: 14 September 2024, 10:27 PM IST

 ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ତାଙ୍କ ସଂସଦୀୟ କ୍ଷେତ୍ରରେ ୪ଟି ପ୍ରକଳ୍ପ କାର୍ଯ୍ୟକ୍ଷମ ପାଇଁ ସହଯୋଗ ଲୋଡ଼ିଛନ୍ତି। ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ସମସ୍ତ ୪ଟି ପ୍ରକଳ୍ପ ପାଇଁ ଆବଶ୍ୟକ କାର୍ଯ୍ୟ ଆରମ୍ଭ ନିମନ୍ତେ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ମା’ ଉଗ୍ରତାରା ପୀଠର ବିକାଶ ଓ ଜଟଣୀ ତହସିଲର ବିଂଝଗିରିଠାରେ ଜାତୀୟ ଯୋଗ ଓ ନେଚରପ୍ୟାଥି ଗବେଷଣା ପ୍ରତିଷ୍ଠାନ ପାଇଁ ଆବଶ୍ୟକ ଜମି, ଭୁବନେଶ୍ୱରର ୪ ନମ୍ବର ମାଛ ମାର୍କେଟକୁ ପଳାସୁଣୀକୁ ସ୍ଥାନାନ୍ତର ଏବଂ ଭୁବନେଶ୍ୱରରେ ନ୍ୟାସନାଲ ଗ୍ୟାଲେରୀ ଅଫ ମଡ଼ର୍ଣ୍ଣ ଆର୍ଟର ଆଂଚଳିକ ଶାଖା ଖୋଲିବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିବା ଭଳି ୪ଟି ପ୍ରସଙ୍ଗରେ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଆଜି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି ।

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ଲୋକସେବା ଭବନରେ ଭେଟିବା ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି ଯେ, ସେ ଆଜି ନିଜର ସହଯୋଗୀମାନଙ୍କ ସହ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଆଲୋଚନା ବେଶ୍ ଭଲ ରହିଛି । ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ସହ ଜଡ଼ିତ ୪ଟି ପ୍ରକଳ୍ପ ଉପରେ ସେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଓ ଏହା ଉପରେ ତୁରନ୍ତ ଆବଶ୍ୟକ ପଦକ୍ଷେପ ତୁରନ୍ତ ନେବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ସେ ସୂଚନା ଦେଇଛନ୍ତି । ଏହାସହିତ ଭୁବନେଶ୍ୱର ସହରରେ ଡ୍ରେନେଜ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି । ଡ୍ରେନେଜ୍ ସମସ୍ୟାର ସାମାଧାନ ପାଇଁ ଅର୍ଥାଭାବ ଓ ବିଭାଗଗୁଡ଼ିକ ମଧ୍ୟରେ ସାମଞ୍ଜସ୍ୟ ରହୁନି । ତେଣୁ ଡ୍ରେନେଜ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ବିଭାଗଗୁଡ଼ିକ ମଧ୍ୟରେ ସମନ୍ୱୟର ଆବଶ୍ୟକତା ରହିଛି । ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ପ୍ରସଙ୍ଗରେ ଆଉଥରେ ଅଫିସରମାନଙ୍କ ଉପସ୍ଥିତିରେ ବିସ୍ତୃତ ଆଲୋଚନା କରିବେ ବୋଲି କହିଛନ୍ତି ।

ସେ ଆଜି ଯେଉଁ ୪ଟି ପ୍ରସ୍ତାବ ଦେଇଛନ୍ତି ସେଥିରେ ପ୍ରଥମଟି ହେଉଛି ଜଟଣୀ ତହସିଲର ବିଂଝଗିରିଠାରେ ୨୦ଏକର ଜମିରେ ଜାତୀୟ ଯୋଗ ଓ ନେଚରପ୍ୟାଥି ଗବେଷଣା ପ୍ରତିଷ୍ଠାନ। ୨୦୧୪ ମସିହାରେ ଓଡ଼ିଶା ସରକାର ଏହି ପ୍ରତିଷ୍ଠାନ ନିମନ୍ତେ କେନ୍ଦ୍ର ସରକାରଙ୍କ ‘ଆୟୁଷ’ ସହ ଜମି ଦେବା ନିମନ୍ତେ ଲିଜ୍ ଡିଡ୍ କରିଥିଲେ । କିନ୍ତୁ ଏହି ଜମି ହସ୍ତାନ୍ତର ଦିଗରେ ତତକାଳୀନ ସରକାର ପଦକ୍ଷେପ ନେଲେନି । ତେଣୁ ପ୍ରତିଷ୍ଠାନ କାର୍ଯ୍ୟ ଆଗେଇ ପାରିନି । ଯଦିଓ କେନ୍ଦ୍ର ସରକାର ଏହି ପ୍ରତିଷ୍ଠାନ ପାଇଁ କୋଠା ନିର୍ମାଣ ନିମନ୍ତେ ୯୪.୭୩କୋଟି ଟଙ୍କା ମଞ୍ଜୁର କରିସାରିଛନ୍ତି । ତେଣୁ ଏହି ଜମି ତୁରନ୍ତ ଆୟୁଷକୁ ହସ୍ତାନ୍ତର ନିମନ୍ତେ ଖୋର୍ଦ୍ଧା ଜିଲ୍ଲାପାଳ ଓ ଜଟଣୀ ତହସିଲଦାରଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିବା ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି ।

ସେହିପରି ନ୍ୟାସନାଲ ଗ୍ୟାଲେରୀ ଅଫ ମଡର୍ଣ୍ଣ ଆର୍ଟର ରିଜିଓନାଲ ଶାଖା ଓଡ଼ିଶା କିମ୍ବା ପଶ୍ଚିମବଙ୍ଗରେ ଖୋଲାଯାଇପାରିବ ବୋଲି ଆମେ ଜାଣିବାକୁ ପାଇଲୁ । ଏହି ପ୍ରସଙ୍ଗରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତଙ୍କୁ ଗତ ସେପ୍ଟେମ୍ବର ୧୦ତାରିଖରେ ମଧ୍ୟ ସାକ୍ଷାତ କରି ଆଲୋଚନା କରିସାରିଛନ୍ତି । ମୁଖ୍ୟମନ୍ତ୍ରୀ ଏନେଇ କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ଅନୁରୋଧ କଲେ ଭୁବନେଶ୍ୱରରେ ଏହି ମଡର୍ଣ୍ଣ ଆର୍ଟର ରିଜିଓନାଲ ଶାଖା ଖୋଲାଯାଇପାରିବ ।

ତୃତୀୟ ପ୍ରସ୍ତାବ ହେଉଛି ଖୋର୍ଦ୍ଧାର ଶକ୍ତିପୀଠ ମା’ ଉଗ୍ରତାରା ପୀଠର ବିକାଶ । ପୂର୍ବ ସରକାର ଅମଳରେ ଏହି ପୀଠର ବିକାଶ କାର୍ଯ୍ୟ ପାଇଁ ୩୨.୧୪କୋଟି ଟଙ୍କା ମଞ୍ଜୁର ହୋଇଥିଲା । ସେଠାରେ ୨୦ଏକର ଜମିରେ ଏହି କାର୍ଯ୍ୟ ହେବାର ଥିବାବେଳେ ଜିଲ୍ଲା ପ୍ରଶାସନ ମାତ୍ର ୫ଏକର ଜମି ଦେଇଛି । ଯେଉଁଥିପାଇଁ କାର୍ଯ୍ୟାଦେଶ ନେଇଥିବା ଓବିସିସି ସଂସ୍ଥା କାର୍ଯ୍ୟ କରିପାରୁନି । ପୂର୍ବ ସରକାରର ଅକର୍ମଣ୍ୟତା ଯୋଗୁ ଏହି ପୀଠର ଆବଶ୍ୟକ ବିକାଶ ସମ୍ଭବପର ହୋଇନି । ତେଣୁ ଆବଶ୍ୟକ ଜମି ଯୋଗାଇ ଦେବାକୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛୁ ।

ଚତୁର୍ଥ ପ୍ରସ୍ତାବ ହେଉଛି, ଭୁବନେଶ୍ୱରର ୪ନମ୍ବର ମାଛ ମାର୍କେଟକୁ ସ୍ଥାନାନ୍ତର କରି ପଳାସୁଣୀରେ ‘ଷ୍ଟେଟ ଅଫ ଦି ଆର୍ଟ ହୋଲସେଲ୍ ଫିସ୍ ମାର୍କେଟ’ ସ୍ଥାପନ କରିବା । ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ଅନ୍ତର୍ଗତ ଭୁବନେଶ୍ୱରର ୪ ନମ୍ବର ହୋଲସେଲ୍ ଓ ରିଟେଲ ମାଛ ମାର୍କେଟକୁ ଏକ ଉନ୍ନତମାନର ମାଛ ମାର୍କେଟ କରିବା ପାଇଁ ପଳାସୁଣୀକୁ ସ୍ଥାନାନ୍ତର କରିବା ପାଇଁ ପ୍ରସ୍ତାବ ରହିଥିଲା । ବିଗତ ସରକାର ରସୁଲଗଡ଼ଠାରେ ଜାତୀୟ ରାଜପଥ ଓ ପୁରୀ-କଟକ ବାଇପାସ୍ ରୋଡକୁ ଲାଗି ୨.୯୧ଏକର ଜମି ଚିହ୍ନଟ କରିଥିଲେ । କିନ୍ତୁ ଏହି ଜମି ହସ୍ତାନ୍ତର ହେଲାନି । କେନ୍ଦ୍ର ସରକାର ଏହି ହୋଲସେଲ୍ ମାଛ ମାର୍କେଟ ପାଇଁ ୨୦୨୩ ମାର୍ଚ୍ଚ ମାସରେ ୫୦କୋଟି ଟଙ୍କା ମଞ୍ଜୁର ମଧ୍ୟ କରିଛନ୍ତି । ଏପରିକି ଏଥିରୁ ୧୨.୫୦କୋଟି ଟଙ୍କା ଏବେ ରାଜ୍ୟ ମତ୍ସ୍ୟ ନିର୍ଦ୍ଦେଶକଙ୍କ ପାଖରେ ପଡ଼ି ରହିଛି । ତେଣୁ ଏହି ଜମି ଚିହ୍ନଟ ଓ ହସ୍ତାନ୍ତର ପ୍ରକ୍ରିୟା ତ୍ୱରାନ୍ୱିତ ହେଲେ ମାଛ ମାର୍କେଟ ସ୍ଥାନାନ୍ତର ହୋଇପାରନ୍ତା ବୋଲି ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି ।

ଏହି ସାକ୍ଷାତବେଳେ ଶ୍ରୀମତୀ ଷଡ଼ଙ୍ଗୀଙ୍କ ସହ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବ, ବିଜେପି ନେତା ଜଗନ୍ନାଥ ପ୍ରଧାନ ଓ ପ୍ରିୟଦର୍ଶୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Related story