Aparajita sarangi
ସପ୍ତାହେ ତଳେ ଦଳୀୟ ଅଫିସରେ ସାମ୍ବାଦିକ ସମ୍ମିଳନୀ କରି 5T ସଚିବ ଭି.କେ ପାଣ୍ଡିଆନଙ୍କ ନାଁ ନନେଇ ତାଙ୍କୁ ତଥା ରାଜ୍ୟର ଶାସନ ବ୍ୟବସ୍ଥାକୁ ତୀବ୍ର ସମାଲୋଚନା କରିଥିବା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ରବିବାର ଏକ ଟ୍ୱିଟ କରି 5T ସଚିବଙ୍କ ପାଇଁ ହେଉଥିବା ସୁରକ୍ଷା ବ୍ୟବସ୍ଥା ଉପରେ ଉଠାଇଛନ୍ତି ପ୍ରଶ୍ନ।
ଏହି ଟ୍ୱିଟରେ ସେ ଏକ ସରକାରୀ ନିର୍ଦ୍ଦେଶନାମାକୁ ପୋଷ୍ଟ କରିଛନ୍ତି। ଏଥିରେ 5T ସଚିବଙ୍କ ବରଗଡ଼ ଗସ୍ତ ପରିପେକ୍ଷୀରେ ବରଗଡ଼ ପୁଲିସର ରିଜର୍ଭ ଇନ୍ସପେକ୍ଟରଙ୍କ ନିକଟରେ ଜୁନ୍ ୨୫ ତାରିଖ (ଆଜି) ସକାଳ ୭ଟା ସୁଦ୍ଧା ୨୫ ଜଣ ହାବିଲଦାର, ଏପିଆର ଓ ଓଏପିଏଫଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ୨୫ କର୍ମଚାରୀ ଜିଲ୍ଲାର ଭିନ୍ନ ଭିନ୍ନ ୬ଟି ଥାନାରେ ମୁତୟନ ହୋଇଥିବା ବେଳେ ଏସପିଙ୍କ ନିର୍ଦ୍ଦେଶକ୍ରମେ ସଂପୃକ୍ତ ଥାନା ଗୁଡ଼ିକର ଆଇଆଇସି ମାନଙ୍କୁ ଏହି ଚିଠି କରାଯାଇଛି। ସଂପୃକ୍ତ ୨୫ ପୁଲିସ କର୍ମଚାରୀମାନଙ୍କୁ ନୀଳ ରଙ୍ଗର ପ୍ୟାଣ୍ଟ ଓ ଧଳା ଶାର୍ଟ ପିନ୍ଧିବାକୁ ମଧ୍ୟ ଏଥିରେ ନିର୍ଦ୍ଦେଶ ଦିଆଯାଇଛି।
ଏହି ନିର୍ଦ୍ଦେଶନାମାଟିକୁ ଟ୍ୱିଟରରେ ପୋଷ୍ଟ କରି ସାଂସଦ ଅପରାଜିତା ଷଡ଼ଙ୍ଗୀ ଲେଖିଛନ୍ତି, ଯଦି ଜଣେ ‘ସମ୍ମାନନୀୟ ସଚିବ’ଙ୍କ ପାଇଁ ଓଡ଼ିଶା ପୁଲିସ୍ ଏମିତି ବ୍ୟବସ୍ଥା କରୁଛି, ତା’ହେଲେ ଦୟା କରି ରାଜ୍ୟର ପୁଲିସ ମହାନିର୍ଦ୍ଦେଶକ କହିବେ କି ମୁଖ୍ୟ ଶାସନ ସଚିବ ଓ ଉନ୍ନୟନ କମିଶନଙ୍କ ପାଇଁ କେଉଁ ସ୍ତରର ସୁରକ୍ଷା ବ୍ୟବସ୍ଥା ରହିଛି? ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବାକୁ ଯାଉଥିବା ଜଣେ ବ୍ୟକ୍ତିଙ୍କର ଏତେ ଭୟ କାହିଁକି? ସେ ନିଜକୁ କାହିଁକି ଅସୁରକ୍ଷିତ ମନେ କରୁଛନ୍ତି? ବୋଲି ସେ ପ୍ରଶ୍ନ କରିଛନ୍ତି।
ଅନ୍ୟପକ୍ଷରେ ଅପରାଜିତାଙ୍କ ଏହି ପ୍ରଶ୍ନକୁ ନେଇ ରାଜ୍ୟ ସରକାର ପୁଲିସ୍ ମହାନିର୍ଦ୍ଦେଶକ (ଡିଜିପି) କିମ୍ବା ବିଜେଡିର ପ୍ରତିକ୍ରିୟା ମିଳିପାରି ନାହିଁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us